Unknown

 

 

 

 

 

 

 

 

 

 

 

ରୂପ କାହାଣୀ

ଧନେଶ୍ୱର ସାମଲ

 

କୈଫିୟତ

 

‘ରୂପକାହାଣୀ’ ସବୁଦେଶ ଓ ସବୁ ଯୁଗରେ ବିଶ୍ଵ-ସାହିତ୍ୟରେ ଆଦରଲାଭ କରି ଆସିଛି-। ଏଗୁଡ଼ିକର ମୂଳସ୍ରଷ୍ଟା କିଏ ଓ କେବେ ଏହା ପ୍ରଚଳିତ ହେଲା, ସଠିକ କହି ହେବ ନି । ତେବେ ଆମ ଦେଶ ଭଳି ପୃଥିବୀର ସବୁ ଦେଶରେ ଏଗୁଡ଼ିକ ପ୍ରଚଳିତ । ସବୁ ବୟସର ପାଠକମାନେ ଏଗୁଡ଼ିକୁ ଆଦର କରନ୍ତି ।

 

ଆମ ଓଡ଼ିଆ ସାହିତ୍ୟ-ଭଣ୍ଡାରର ଶିଶୁ-ସାହିତ୍ୟ ଦିଗପ୍ରତି ଦୃଷ୍ଟି ରଖି ମୁଁ ଏଥିରେ ସତରଟି ‘ରୂପକାହାଣୀ’ ସନ୍ନିବେଶ କରାଇଛି । ସାରା ବିଶ୍ଵର ବିଭିନ୍ନ ଦେଶର ଅଜବ୍ ଅଜବ୍ ଏବଂ ମଜା ମଜା ଗଳ୍ପଗୁଡ଼ିକ ଏଥିରେ ଦିଆଯାଇଛି । ଏଥିମଧ୍ୟରୁ କେତୋଟି ‘ସଂସାର' ଓ ‘ମନପବନ’ରେ ପ୍ରକାଶିତ ହୋଇଥିଲା ।

 

ମୋର ‘ଦେଶ ବିଦେଶର ରୂପକଥା’ ଓ ‘ରୂପକଥା’ ଏହା ପୂର୍ବରୁ ପ୍ରକାଶିତ ହୋଇ ବେଶ୍ ଆଦର ଲାଭ କରିଥିବାରୁ ମୁଁ ପୁଣି ‘ରୁପକାହାଣୀ’ ପୁସ୍ତକ ପ୍ରକାଶରେ ଆଗ୍ରହାନ୍ୱିତ ହେଲି ।

 

ଆଶା, ପାଠକ ଓ ପୃଷ୍ଠପୋଷକମାନଙ୍କଠାରୁ ଆଦର ଲାଭ କଲେ ମୋର ଶ୍ରମ ସାର୍ଥକ ହେବ ।

 

ଶ୍ରୀ ଧନେଶ୍ୱର ସାମଲ, ବି. ଏସ୍, ସି. ବି. ଇଡି

ଗ୍ରାମ-ବାହାଦୂର ନଗର

ମୋ: ୪-ଚାରିନଙ୍ଗଳ

ଜି:–କଟକ

ତା ୧ । ୪ । ୬୪

★★★

 

ଏଥିରେ ଅଛି

 

୧.

ନ୍ୟାୟ ସିଂହାସନ-ଭାରତ

୨.

ଅଜବ ଗଛ–ବର୍ମା

୩.

ସମ୍ରାଟଙ୍କ ସମ୍ପତ୍ତି–ମିଶର

୪.

ବଦମାସ ବାଜିକର– ସିଂହଳ

୫.

ମତ୍ସ୍ୟ କୁମାରୀ–ଆମେରିକା

୭.

କୁହୁକ ଅଇନା-ତୁର୍କୀ

୬.

କବିଙ୍କ ପୁରସ୍କାର-ଆରବ

୮.

ବେଙ୍ଗରାଣୀ–ରୁଷିଆ

୯.

ବଗ ବାଦଶାହ–ପାରସ୍ୟ

୧୦.

ନୀଳଦାଢ଼ି–ଆରବ

୧୧.

ନିର୍ଜନ ଦ୍ଵୀପ~ଇହୁଦୀ ଦେଶ

୧୨.

ସୁନା ସିନ୍ଦୁକ–ଚୀନ

୧୩.

ତିନି ଠକ–ବିଲାତ

୧୪.

ଗାୟକ ଥୋମାସ–ସ୍କଟଲ୍ୟାଣ୍ଡ

୧୫.

ବୁଢ଼ୀ ଡାଆଣୀ–ଜର୍ମାନ

୧୬.

ଭାଇ ଭଉଣୀ–ଭାରତ

୧୭.

ବିଚାର ଶୂନ୍ୟ ବଣିକ–ହିନ୍ଦୁସ୍ଥାନ

★★★

 

ଭାରତ

ନ୍ୟାୟ ସିଂହାସନ

 

କେତେ ହଜାର ବର୍ଷ ତଳେ ମଧ୍ୟ-ଭାରତର ଉଜ୍ଵୟିନୀ ନଗରୀରେ ବିକ୍ରମାଦିତ୍ୟ ନାମକ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ପ୍ରକୃତ ନାମ ହେଉଛି ଦ୍ଵିତୀୟ ଚନ୍ଦ୍ରଗୁପ୍ତ । ବିକ୍ରମାଦିତ୍ୟ ତାଙ୍କର ଉପାଧି ମାତ୍ର ।

 

ସେ ଜଣେ ଅସାଧାରଣ କବି ଓ ବିଜ୍ଞ ବ୍ୟକ୍ତି ଥିଲେ । ତାଙ୍କ ରାଜତ୍ଵ କାଳରେ ଦେଶରେ ସୁଖ-ଶାନ୍ତି ବିରାଜୁଥିଲା; କଳା, ସାହିତ୍ୟ ଓ ବିଜ୍ଞାନର ଯଥେଷ୍ଟ ଉନ୍ନତି ହୋଇଥିଲା । ତାଙ୍କର ଗୁଣଗ୍ରାହୀତା କଥା ଶୁଣି ଅନେକ କବି ଓ ପଣ୍ଡିତ ତାଙ୍କ ଦରବାରକୁ ଆସୁଥିଲେ । ତାଙ୍କ ରାଜ୍ୟସଭାରେ ନଅ ଜଣ ବଡ଼ ବଡ଼ ପଣ୍ଡିତ ଥିଲେ । ସେମାନଙ୍କୁ ନବରତ୍ନ କୁହାଯାଉଥିଲା । ସେମାନଙ୍କ ମଧ୍ୟରେ କାଳିଦାସ ଥିଲେ ସର୍ବଶ୍ରେଷ୍ଠ । ଏହି କାଳିଦାସ ହେଉଛନ୍ତି ଭାରତର ଜଣେ ସର୍ବଶ୍ରେଷ୍ଠ କବି ଓ ନାଟ୍ୟକାର ।

 

ବିକ୍ରମାଦିତ୍ୟ କେବଳ ଜଣେ ପ୍ରସିଦ୍ଧ ଯୋଦ୍ଧା ନ ଥିଲେ; ସେ ମଧ୍ୟ ଜଣେ ବିଖ୍ୟାତ ବିଚାରକ ଥିଲେ । ଲୋକେ ଭାବୁଥିଲେ, ତାଙ୍କ ଭଳି ଆଉ କେହି ନ୍ୟାୟପତି ଭାରତରେ ନାହାନ୍ତି । ଜ୍ଞାନୀ ଓ ପଣ୍ଡିତ ଲୋକମାନେ ଭାରତବର୍ଷର ସବୁ ଅଞ୍ଚଳରୁ ତାଙ୍କ ଦରବାରକୁ ଆସୁଥିଲେ ତାଙ୍କର ଜ୍ଞାନପୂର୍ଣ୍ଣ ଓ ନିରପେକ୍ଷ ନ୍ୟାୟ ବିଚାର ଶୁଣିବାକୁ ।

 

ସେ ତାଙ୍କର ସିଂହାସନ ଉପରେ ବସି ଯେ କୌଣସି ମକଦ୍ଦମା ବା ଘଟଣାର ବିଚାର କରୁଥିଲେ । ଏହି ସିଂହାସନର ଗୋଡ଼ପଥର ବତିଶଟି ପକ୍ଷିରାଜ ସିଂହମୂର୍ତ୍ତିଦ୍ଵାରା ନିର୍ମିତ ହୋଇଥିଲା ଓ ତହିଁ ଉପରେ ବତିଶଟି ପୁତ୍ତଳିକା ଦଣ୍ଡାୟମାନ ଅବସ୍ଥାରେ ଥିଲେ । ଲୋକେ ଏ ସିଂହାସନ ଏବଂ ଏହା ଉପରେ ବସି ବିଚାର କରୁଥିବା ଲୋକଙ୍କୁ ଆଜିଯାଏ ବି ଭୁଲି ନାହାନ୍ତି ।

 

ଆଜି ସୁଦ୍ଧା ଲୋକେ କୌଣସି ବିଜ୍ଞ ବିଚାରପତିଙ୍କ ଉଦ୍ଦେଶ୍ୟରେ କହନ୍ତି , “ସେ ବୋଧହୁଏ ବିକ୍ରମାଦିତ୍ୟଙ୍କ ସିଂହାସନରେ ବସିଛନ୍ତି । ଏ ପ୍ରବାଦ ସେହି ବତିଶ ସିଂହାସନ କଥା’ରୁ ଗୃହୀତ । କଥା ହେଉଛି ଏହି : –

 

ବିକ୍ରମାଦିତ୍ୟ ମରିଯିବାର କେତେ ଶହ ବର୍ଷ ପରେ, ତାଙ୍କର ସୁନ୍ଦର ରାଜପ୍ରାସାଦ ଓ ନଗରୀ ଧ୍ଵଂସ ହୋଇଗଲା । ସେହି ଧ୍ଵଂସାବଶେଷ ସବୁ ମାଟିରେ ପୋତି ହୋଇ ଯାଇ ତା ଉପରେ ଗଛପତ୍ର ଓ ଜଙ୍ଗଲର ସୃଷ୍ଟି ହୋଇଗଲା । କେବଳ ତାଙ୍କର ରାଜବାଟୀ ଯେଉଁଠି ଥିଲା, ସେଠାରେ ଏକ ବିରାଟ ମୃତ୍ତିକା ସ୍ତୂପ ତାଙ୍କ କଥା ସ୍ମରଣ କରାଇ ଦେଉଥିଲା ।

 

କେତେକ ଗାଈଆଳ ପିଲା ଏହି ବଣରେ ଗାଈ ଚରାନ୍ତି ଓ ଏ ସ୍ତୂପ, ଉପରେ ବସି ରାଜା-ମନ୍ତ୍ରୀ ଖେଳ ଖେଳନ୍ତି । ଦିନେ ସେମାନେ ଖେଳୁ ଖେଳୁ, ଦି’ଜଣ ପିଲାଙ୍କ ଭିତରେ କଳି ଲାଗିଗଲା ଆଉ ଜଣେ ପିଲା ସେମାନଙ୍କ କଜିଆ ଭାଙ୍ଗିଦେବାକୁ ଯାଇ କହିଲା, ତମେ କଳି କର ନା । ଚାଲ, ଆମେ ଏଥର ଆମର ଏ କଜିଆର ନିଷ୍ପତ୍ତି କରିବା; ଯେମିତି କି କୋର୍ଟ କଚେରୀରେ ଲୋକଙ୍କ ମାଲି ମକଦ୍ଦମା ବିଚାର ହୁଏ । ଆସ, ମୁଁ ଏଠି ବସି, ତମ କଥା ବିଚାର କରିବି । ତା ପରେ ସେ ଏକ ତୃଣ ଆଛାଦିତ ମାଟିଗଦା ଉପରେ ବସିଲା । କଳି କରୁଥିବା ପ୍ରତ୍ୟେକ ବାଳକ ନିଜ ନିଜ କଥା ତା’ ଆଗରେ କହିଲେ । ବିଚାରକ ପିଲାଟି ବଡ଼ ସୁନ୍ଦର ଭାବେ କଥାଟା ମିମାଂସା କରି କିଏ ଦୋଷୀ ଓ ନିର୍ଦ୍ଦୋଷୀ, ସ୍ଥିର କରିଦେଲା । ତାର ଜଣେ ବିଜ୍ଞ ଓ ବୟସ୍କ ବିଚାରପତିଙ୍କ ଭଳି ନ୍ୟାୟ ବିଚାର ଦେଖି ସେଠାରେ ଥିବା କେତେକ ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟାନ୍ଵିତ ହେଲେ । ସେମାନେ କହିଲେ, “ପ୍ରକୃତରେ ସେ ଜଣେ ନ୍ୟାୟପତି–ମିଛିମିଛିକା ଖେଳର ବିଚାରରପତି ନୁହେଁ-।’’

 

ସେ ଛୋଟ ଗାଈ-ରଖୁଆଳ ପିଲା ଏହି ଖେଳକୁ ସେହିଦିନୁ ଏତେ ଭଲ ପାଇଗଲେ ଯେ, ତା ପରେ ପ୍ରାୟ ସବୁଦିନେ ସେହିପରି ଖେଳିବାକୁ ଲାଗିଲେ । ସେମାନଙ୍କ ବିଚାରପତି ପରିବର୍ତ୍ତନ ହେଲେ ମଧ୍ୟ ଉଚିତ ବିଚାର ମିଳିଲା । ଏମିତି କି ତାଙ୍କ ଦଳର ସବୁଠାରୁ ବୋକା ପିଲା ମଧ୍ୟ ସେ ମାଟିଗଦା ଉପରେ ବସିଲାରୁ ଜଣେ ବିଜ୍ଞ ବିଚାରକ ଭଳି, ତିଳେହେଲେ ଭୁଲ ନ କରି ଉଚିତ ନ୍ୟାୟ ବିଚାର ଦେଲା । ଅନେକ ଗ୍ରାମବାସୀ ପିଲାଙ୍କର ଏ ଖେଳ ଦେଖିବାକୁ ଆସିଲେ । ସେମାନେ ଏ ପିଲା-ବିଚାରକଙ୍କର ବୁଦ୍ଧିମତ୍ତାରେ ଏତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଗ୍ରାମର ନିଜ ନିଜ କଳି-କଜିଆର ନିଷ୍ପତ୍ତି ବା ବିଚାର ପାଇଁ ମଧ୍ୟ ଆସି ସେହି ପିଲାଙ୍କ ପାଖରେ ପହଞ୍ଚିଲେ । ସମସ୍ତେ ବାଳକ ବିଚାରକର ନ୍ୟାୟ-ବିଚାରରେ ମଧ୍ୟ ସନ୍ତୁଷ୍ଟ ହେଉଥିଲେ ।

 

ଏହି ପଡ଼ିଆ ଓ ଜଙ୍ଗଲଠୁ ଅଳ୍ପ ଦୂରରେ ଭୋଜରାଜ ନାମରେ ଜଣେ ବଡ଼ ରାଜା ବାସ କରୁଥିଲେ । ସେ ଏ କଥା ଶୁଣି ତାଙ୍କ ରାଜ୍ୟର ସମସ୍ତ ପୁରୁଖା ଲୋକ ଓ ପଣ୍ଡିତମାନଙ୍କୁ ଏ କଥା ପଚାରିଲେ । ଜଣ ବୃଦ୍ଧ ଜ୍ଞାନୀ ବ୍ୟକ୍ତି କହିଲେ, ‘ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । ସେ ପିଲାଟି ବିକ୍ରମାଦିତ୍ୟଙ୍କ ସିଂହାସନ ଉପରେ ବସି ବିଚାର କରୁଛି । ସେଇଟି ଧର୍ମ-ସିଂହାସନ । ତେଣୁ ତାର ବା ଭୁଲ ହୁଅନ୍ତା କିପରି ? ବିକ୍ରମାଦିତ୍ୟ ଯେଉଁ ସିଂହାସନ ଉପରେ ବସିଥିଲେ, ସେଇଟି ବୋଧହୁଏ ସେ ମାଟିଗଦା ତଳେ ଅଛି । ରାଜା ଏହା ଶୁଣି ଉକ୍ତ ସିଂହାସନଟି ପାଇବାକୁ ଇଚ୍ଛା ପ୍ରକାଶ କଲେ । ସେ ମଧ୍ୟ ବିକ୍ରମାଦିତ୍ୟଙ୍କ ଭଳି ବିଜ୍ଞ ଓ ନ୍ୟାୟବାନ ହେବାକୁ ମନସ୍ଥ କଲେ । ତେଣୁ ସେ ସେହି ସିଂହାସନ ଖୋଳି ଆଣିବାକୁ ଲୋକ ପଠାଇଲେ । ସେମାନେ, ଗାଈଆଳ ଛୁଆମାନେ ଯେଉଁ ଘାସପଡ଼ିଆର କୁଦ ଉପରେ ବସି ଖେଳନ୍ତି, ତାକୁ ଖୋଳିଲେ । ଶେଷରେ ସେ ଗୋଟିଏ ପଥର ସିଂହାସନ ପାଇଲେ । ସେଇଟି ବତିଶଟି ପକ୍ଷଯୁକ୍ତ ପଥର ସିଂହମୂର୍ତ୍ତି ଉପରେ ସ୍ଥାପିତ ହୋଇଥିଲା । ଏ ହେଉଛି, ବିକ୍ରମାଦିତ୍ୟଙ୍କର ନ୍ୟାୟ-ସିଂହାସନ । ସମସ୍ତେ ଏଥର ବୁଝିପାରିଲେ ଯେ କାହିଁକି ଗାଈଆଳ ପିଲାଙ୍କ ବିଚାର ଠିକ୍ ହେଉଥିଲା । ସେମାନେ ତାକୁ ରାଜପ୍ରାସାଦକୁ ବୋହି ନେଇଗଲେ-। ତାକୁ ଘଷିଘାଷି ପରିଷ୍କାର କଲେ । ଶଙ୍ଖମଲମଲ ପଥର ଠିକ୍ କାଚଭଳି ଚକ ଚକ୍ କଲା । ରାଜା କହିଲେ ଯେ, ସେ ତା ପରଦିନ ସେ ସିଂହାସନରେ ଆରୋହଣ କରିବେ ।

 

ଏ ଦିନଟି ବଡ଼ ଆନନ୍ଦ-ଉତ୍ସବର ଦିନ । ଅନେକ ଲୋକ ଆସି ରୁଣ୍ଡ ହେଲେ–ରାଜା କିପରି ସେ କୁହୁକ ସିଂହାସନରେ ଆରୋହଣ କରିବେ ଦେଖିବା ପାଇଁ । ସେ ଦିନ ରାଜା ରାଜକୀୟ ପୋଷକ-ପରିଚ୍ଛଦ ପରିଧାନ କରି ବାହାରିଲେ । ଯେମିତି ସେ ତା’ ଉପରେ ବସିବାକୁ ଯାଇଛନ୍ତି, ସେମିତି ପୁତ୍ତଳୀଗୁଡ଼ିକ ପ୍ରଶ୍ନ କରିବାକୁ ଆରମ୍ଭ କଲେ । ସେ ଭୟରେ ସିଂହାସନ-ଠାରୁ କେତେ ପାଦ ଦୂରେଇ ଆସିଲେ । ଖୁବ୍ ଏକ ଗମ୍ଭୀର ସ୍ଵରରେ ପ୍ରତ୍ୟେକ ପୁତ୍ତଳୀ ଗୋଟାକ ପରେ ଗୋଟାଏ ପ୍ରଶ୍ନ କରି ଚାଲିଲେ, “ଆପଣ କ'ଣ ବିକ୍ରମାଦିତ୍ୟଙ୍କ ଆସନରେ ବସିବାର ଉପଯୁକ୍ତ ? ଆପଣ କଣ କେବେ ଅନ୍ୟ ଜଣେ ରାଜାଙ୍କ ରାଜ୍ୟ ବା ଧନସମ୍ପତ୍ତି, ଯାହା କି ଆପଣଙ୍କର ନୁହେଁ– ଅପହରଣ କରିବାକୁ ଇଛାକରି ନାହାନ୍ତି ? ଆପଣ କଣ କେବେ ଏମିତି ଏକ କାମ କରି ନାହାନ୍ତି ? ଯାହା କି କରିବା ଉଚିତ ନୁହେଁ ବୋଲି ଆଗରୁ ଆପଣ ଜାଣନ୍ତି ? ଆପଣଙ୍କର ହୃଦୟ ଓ ମନ କ’ଣ ପିଲାଙ୍କ ମନଭଳି ଅନାବିଳ ଓ ପବିତ୍ର ? ଆପଣ ଏଥିରେ ବସିବା ପାଇଁ କ’ଣ ପ୍ରକୃତରେ ଉପଯୁକ୍ତ-?”

 

ରାଜା ଏସବୁ ପ୍ରଶ୍ନ, ଶୁଣି ଲଜ୍ୟାରେ ଅପସରି ଗଲେ । ସେ ଜାଣିଲେ ଯେ, ସେ ଅନ୍ୟାୟରେ ଅନ୍ୟ ରାଜାମାନଙ୍କର ରାଜ୍ୟ ଓ ଧନସମ୍ପତ୍ତି ଲୋଭ ପରବଶ ହୋଇ ଅପହରଣ କରିଛନ୍ତି । ସେ ଯାହା ଠିକ୍ ନୁହେଁ ବୋଲି ଭାବନ୍ତି, ତାହା ବହୁବାର କରନ୍ତି । ସେହି ଭୟଙ୍କର ଅଦ୍ଭୁତ ସିଂହାସନ ସମ୍ମୁଖରେ ସେ ଏ ସବୁ କଥା କହିଦେବାକୁ ଇଚ୍ଛା କଲେ । ସେ କହିଲେ, ମୁଁ ବାସ୍ତବିକ ଏଥିପାଇଁ ଉପଯୁକ୍ତ ନୁହେଁ ।’’ ତା ଉପରେ ସିଂହମାନେ ଡେଣା ମେଲାଇ ନ୍ୟାୟ ସିଂହାସନ ସହ ଆକାଶକୁ ଉଡ଼ିଗଲେ; ଆଉ ମୋଟେ ଦେଖାଗଲେ ନାହିଁ ।

 

ଏଥର ଭୋଜରାଜ ବୁଝିପାରିଲେ ଯେ, କାହିଁକି ସେ ନିଜେ, ଯେଉଁ ସିଂହାସନରେ ଗାଈଆଳ ଛୁଆଏ ବସି ବିଚାର କରୁଥଲେ, ବସି ପାରିଲେନି । ସାନ ଗାଈଆଳ ଛୁଆଟି ତା ଉପରେ ବସି ପାରିଥିଲା–କାରଣ ତାର ହୃଦୟ ପାପ ଶୂନ୍ୟ, ନିର୍ମଳ ଓ ପବିତ୍ର ଥିଲା; କିନ୍ତୁ କେଉଁ ରାଜାର ହୃଦୟ ସେ ପିଲାର ମନଭଳି ଏଡ଼େ ନିର୍ମଳ, ସରଳ ଓ ପବନ ହେବ ?

★★★

 

ବର୍ମା

ଅଜବ ଗଛ

 

ଏକଦା ଜଣେ ଖୁବ୍ ଶକ୍ତିଶାଳୀ ଓ ଧନବାନ୍ ରାଜା ରାଜୁତି କରୁଥିଲେ । ତାଙ୍କର ଦୁଇଟି ରାଣୀ । ବଡ଼ରାଣୀ ପାଟରାଣୀ ହେଲେ ବି ରାଜା ସାନରାଣୀଙ୍କୁ ଭାରି ଭଲ ପାଉଥିଲେ; କାରଣ ସାନରାଣୀ ଦେଖିବାକୁ ଖୁବ୍ ସୁନ୍ଦରୀ ଥିଲେ; ଗୋଟିଏ ଚାଉଳରେ ଗଢ଼ା ଯେମିତି ! ବଡ଼ରାଣୀଙ୍କର ଗୋଟିଏ ସୁଶ୍ରୀ-ସୁଦୃଶ୍ୟ ଓ ବୁଦ୍ଧିମାନ ପୁଅ ଥିଲା । ସାନରାଣୀଙ୍କର ମଧ୍ୟ ପୁଅଟିଏ ଥିଲା, ମାତ୍ର ସେ ନିହାତି ନିର୍ବୋଧ । ରାଜା ସାନରାଣୀ ଓ ତାଙ୍କ ପୁଅକୁ ଭାରି ଭଲ ପାଉଥିଲେ । ବଡ଼ରାଣୀ ଓ ତାଙ୍କ ପୁଅ ରାଜାଙ୍କର ଚକ୍ଷୁର କଣ୍ଟକ ହୋଇଥିଲେ । ସେ ସେମାନଙ୍କ ଛାଇ ଦେଖିପାରୁ ନ ଥିଲେ । ସାନରାଣୀ ଓ ତାଙ୍କ ପୁଅ ବଡ଼ରାଣୀ ଓ ତାଙ୍କ ପୁଅଙ୍କୁ ମୋଟେ ଦେଖିପାରୁ ନ ଥିଲେ । ସେମାନେ ଈର୍ଷାନ୍ଵୀତ ହୋଇ ତାଙ୍କର କୁତ୍ସାରଟନା କରୁଥିଲେ । ଶେଷରେ ରାଜା ମଧ୍ୟ ସେମାନଙ୍କୁ ତାଙ୍କ ଉଆସରୁ ତଡ଼ିଦେଲେ । ସେମାନେ ରାଜବାଟୀରୁ ବାହାରି ଯାଇ ରାଜପ୍ରାସାଦର ବଗିଚା ଭିତରେ ଏକ କୁଟୀର ନିର୍ମାଣ କରି ରହିଲେ । ରାଜା ସେମାନଙ୍କୁ ପ୍ରତିଦିନ ଯେଉଁ ମୁଠାଏ ଗଣ୍ଡାଏ ଚାଉଳ ବା ଭାତ ଦେଉଥିଲେ; ସେଥିରେ ସେମାନେ ବହୁ କଷ୍ଟେମଷ୍ଟେ ଚଲୁଥିଲେ ।

 

ଦିନେ ରାତିରେ ରାଜା ଗୋଟିଏ ଭାରି ଭଲ ସ୍ଵପ୍ନ ଦେଖିଲେ । ବଡ଼ି ସକାଳୁ ସେ ସିଂହାସନରେ ବସି ଦରବାର ଡକାଇ ଘୋଷଣା କଲେ, ମତେ ଯେଉଁ ଲୋକ ଏମିତି ଏକ ଗଛ ଦେଖାଇ ଦେବ ଯାହାର କି ଗଣ୍ଡି ସୁନା ଡାଳ ରୁପା ଏବଂ ପତ୍ରସବୁ ତମ୍ବା ହେଇଥିବ, ମୁଁ ତାକୁ ମୋ ରାଜ୍ୟର ଅଧେ ଦେବି । ଦରବାରର ସମସ୍ତ ଲୋକ ଏହା ଶୁଣିଲେ; ମାତ୍ର କେହି ସେମାନଙ୍କର ଭାଗ୍ୟପରୀକ୍ଷା କରିବାରୁ ଭରସି କରି ଆଗେଇ ଆସିଲେ ନି । ବଡ଼ରାଣୀଙ୍କ ପୁଅ ମଧ୍ୟ ସେଠାରେ ଥିଲେ । ସେ ଏହା ଶୁଣି ସେହି ଅପୂର୍ବ, ଗଛର ଅନ୍ୱେଷଣରେ ବାହାରିଗଲେ ।

 

ଦିନେ ରାତିରେ ରାଜକୁମାର ଏକ ଘୋର ଜଙ୍ଗଲରେ ଗୋଟିଏ ଗଛ ଡାଳରେ ବିଶ୍ରାମ କରୁଛନ୍ତି । ଠିକ୍ ରାତି ଅଧରେ ଯେତେବେଳେ ଚାରିଆଡ଼ ନିସ୍ତବ–ନିଶୂନ, ସେତିକିବେଳେ ଗୋଟିଏ ଭୟଙ୍କର ସାପ ତା ମୁଣ୍ଡରେ ଏକ ବିରାଟ ମଣି ଧରି ପାଖରେ ଥିବା ଗୋଟିଏ କୂଅ ଭିତରୁ ବାହାରକୁ ଆସିଲା । ସେ ଗଛମୂଳେ ମଣିଟି ରଖିଦେଇ ଖାଦ୍ୟ ଖୋଜିବାକୁ ବଣ ଭିତରକୁ ଚାଲିଗଲେ ।

 

ରାଜପୁତ୍ର ଗଛରୁ ଓହ୍ଲାଇ ସେ ମଣି ଉପରେ ମେଞ୍ଚାଏ ଗୋବର ପକେଇଦେଲେ । ସାପ ଫେରି ଦେଖେ ଯେ ମଣି-ଆଲୋକ ଆଉ ଜଣା ପଡ଼ୁ ନାହିଁ । ସେ ସେଠି ବହୁ ଗର୍ଜନ-ତର୍ଜନ କଲା । ମାତ୍ର କୂଅ ଭିତରକୁ ଯାଇପାରିଲାନି । ମଣି ନ ଥିବାରୁ ଏହି ସୁବିଧାରେ ରାଜକୁମାର ସାପଟିକୁ କାଟି ଗଡ଼ ଗଡ଼ କରିଦେଲେ । ଏଥର ମଣିଟି ରାଜପୁତ୍ରର ହେଲା । ସକାଳୁ ସେ ସେହି ମଣିଟି ଧରି କୂଅ ଭିତରକୁ ପଶିଲା । ମଣି ଆଲୁଅରେ ତାକୁ ସବୁବାଟ ସଫା ଦେଖାଗଲା । ସେ ଯାଇ ପହଞ୍ଚିଲା ଏକ ଅପୂର୍ବ ସୁନ୍ଦର ରାଜବାଟୀରେ । ସେଠି ସେ ଜଣେ ହେଲେ ଜୀବନ୍ତ ପ୍ରାଣୀକୁ ଦେଖିଲା ନି । ସେ ହାଲିଆ ହୋଇ ପଡ଼ିଲା ଏବଂ ତାର ଶରୀର ଅବଶ ହୋଇ ଆସୁଥିଲା । ଏଣୁ ସେ ଏକ କୋଠରି ମଧ୍ୟକୁ ପ୍ରବେଶ କରି ଭଲ ଶେଯ ଦେଖି ଶୋଇପଡ଼ିଲା । ନିଦରୁ ଉଠି ଦେଖେ ଯେ, ତିନୋଟି ନାଗକନ୍ୟା ସେଠି ହସୁଛନ୍ତି । ଅଳ୍ପ ସମୟ ପରେ ସେମାନେ ପୁଣି ଦୁଃଖିତ ହୋଇ କାନ୍ଦିବାକୁ ଆରମ୍ଭ କଲେ । ସେମାନଙ୍କର ଏ ହସ-କାନ୍ଦ ରାଜକୁମାରଙ୍କୁ ଏକବାର ବୋକା ବନେଇ ଦେଲା । ସେ ଏତେ ବିସ୍ମିତ ହୋଇଗଲା ଯେ ହଠାତ୍ ତା’ ପାଟିରୁ କିଛି କଥା ବାହାରିଲାନି । ଟିକିଏ ପରେ ସେ ପଚାରିଲା, ଆଛା, ଆପଣମାନେ ହସୁଛନ୍ତି ନା କାନ୍ଦୁଛନ୍ତି ?' ସେମାନେ କହିଲେ, “ହେ ରାଜକୁମାର, ଆମେ ଆପଣଙ୍କୁ ଦେଖି ଆନନ୍ଦରେ ହସୁଛୁ, କିନ୍ତୁ ଆପଣଙ୍କର ଭାଗ୍ୟକଥା ଭାବି ମଧ୍ୟ କାନ୍ଦଛୁ । ଏ ରାଜବାଟୀର ମାଲିକ ହେଉଛି ଏକ ସର୍ପରାଜା । ତାର ଏଥର ଫେରି ଆସିବା ବେଳ ହେଇଗଲାଣି । ଆସିଲେ ନିଶ୍ଚୟ ତମକୁ ସେ ଗିଳିଦବ । ରାଜକୁମାର ସେମାନଙ୍କୁ ମଣି ଦେଖାଇ ସାପକୁ ମରିବା କଥା ଜଣାଇ –ଦେଲା । ଏ ସମ୍ବାଦ ଶୁଣି ସେମାନେ ଟିକିଏ ଆଶ୍ୱସ୍ତ ହେଲେ ।

 

ରାଜାପୁଅ ସେଠି କିଛିଦିନ ବେଶ ଆନନ୍ଦରେ କଟାଇଲା । ଦିନେ ସେ ନାଗକନ୍ୟାମାନଙ୍କୁ ସେ ଅଦ୍ଭୁତ-ଅଜବ-ଅପୂର୍ବ ଗଛ ସଙ୍କ୍ରାନ୍ତରେ ପଚାରିଲା ଓ ତାର ସମସ୍ତ ହାଲ କହି, ସେ କିପରି ଏଥିପାଇଁ ତାର ବାପ, ମାଆ ଓ ନିଜ ଦେଶ ଛାଡ଼ି ଆସିଛି, ତାହା ଜଣାଇଲେ । ସେମାନେ ଏହା ଶୁଣି ବହୁତ ହସିଲେ ଏବଂ ଜଣକ ପରେ ଜଣେ ସେମାନଙ୍କର ମୁଣ୍ଡକାଟିବାକୁ ରାଜପୁତ୍ରଙ୍କୁ ଅନୁରୋଧ କଲେ । ସେ ମଧ୍ୟ ସେମାନଙ୍କ କଥାରେ ରାଜି ହେଇଗଲା । ପ୍ରଥମ ନାଗକନ୍ୟାର ମୁଣ୍ଡକାଟି ଦେବାରୁ ସେ ଗୋଟିଏ ଗଛର ଗଣ୍ଡି ପାଲଟି ଗଲା ଏବଂ ସୁନା ହେଇଗଲା-। ଦ୍ଵିତୀୟ ନାଗକନ୍ୟାର ମୁଣ୍ଡ କାଟି ଦେବାରୁ ସେ ଗଛରେ ରୂପା ଡାଳସବୁ ଲାଗିଗଲା ଏବଂ ଶେଷ ମୁଣ୍ଡଟି କାଟି ଦେବାରୁ ସେ ଗଛରେ ତମ୍ବାପତ୍ର ସବୁ ଖଞ୍ଜି ହେଇଗଲା । ତାପରେ ଗଛଟି ନାଚିବାକୁ ଲାଗିଲା । ନାଗକନ୍ୟାମାନେ ପୁନର୍ବାର ସେମାନଙ୍କର ପୂର୍ବାବସ୍ଥା ଫେରିପାଇଲେ-। ରାଜପୁତ୍ର ଏହା ଦେଖି ସେମାନଙ୍କୁ ତା’ ସହିତ ତାର ନିଜ ଦେଶକୁ ଯିବାକୁ ଅନୁରୋଧ କଲା-। ମାତ୍ର ସେମାନେ ରାଜି ହେଲେ ନି । ସେମାନେ ତାକୁ ଗୋଟିଏ ବିଗୁଲ ଦେଇ କହିଲେ, “ତମେ ରାଜ୍ୟରେ ପହଞ୍ଚି ରାଜାଙ୍କ ଆଗରେ ଏଇଟି ବଜାଇଲେ ଆମେ ଯାଇ ନିଶ୍ଚୟ ସେଠି ପହଞ୍ଚିବୁ-।” ରାଜପୁତ୍ର ତା’ ନିଜ ରାଜ୍ୟକୁ ଫେରିଯାଇ ରାଜାଙ୍କୁ ସେ ଗଛ ଦେଖାଇ ଦେବାକୁ କହିଲା । ଏହା ଶୁଣି ରାଜା ଦରବାର ଘର ସଜାଇ ରାଜ୍ୟର ବହୁ ମାନ୍ୟଗଣ୍ୟ, ବିଜ୍ଞ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କଲେ । ରାଜପୁତ୍ର ବିଗୁଲ ବଜାଇଲାରୁ ତିନୋଟିଯାକ ନାଗକନ୍ୟା ଆସି ସେଠି ପହଞ୍ଚିଲେ । ସେମାନଙ୍କର ଅତୁଳନୀୟ ରୂପରେ ସମସ୍ତେ ମୋହିତ ହୋଇଗଲେ । ରାଜକୁମର ଖଣ୍ଡାକାଢ଼ି ନାଗକନ୍ୟାଙ୍କ ମୁଣ୍ଡକାଟି ପକାଇଲା । ପ୍ରଥମ ମୁଣ୍ଡଟି ଗୋଟିଏ ସୁନାଗଛର ଗଣ୍ଡି ହୋଇଗଲା, ଦ୍ଵିତୀୟ ତାର ରୂପାଡାଳ ଓ ତୃତୀୟଟି ତାର ତମ୍ବାପତ୍ର ହୋଇ ଗଛଟିକୁ ସମ୍ପୂର୍ଣ କଲା । ତା’ପରେ ଗଛଟି ସେହି ରାଜଦରବାରରେ ନାଚିବାକୁ ଆରମ୍ଭ କଲା । ରାଜା ଏହା ଦେଖି ସନ୍ତୁଷ୍ଟ ହେଲେ । ସେ ତାଙ୍କ ପୁଅର ସାହସିକତା, ଏକନିଷ୍ଟତା ଓ ବୁଦ୍ଧିମତ୍ତା ଦେଖି ତାକୁ ଉଚ୍ଚପ୍ରଶଂସା କରି ନିଜର ରାଜ୍ୟରୁ ଅଧେ ଦେଲେ ।

 

ଏହିପରି ହତଭାଗିନୀ, ହୀନମାନୀ ବଡ଼ରାଣୀ ଓ ତାଙ୍କ ପୁଅ ଏଥର ସୁଖରେ ରହିଲେ । ରାଜା ଏଥର ପାଟରାଣୀ ଓ ବଡ଼ପୁଅକୁ ଖୁବ୍ ଆଦର ସ୍ନେହ ଓ ଶ୍ରଦ୍ଧା କଲେ । ମାତ୍ର ସାନରାଣୀର ଏଣିକି ଦିନ ପଡ଼ିଲା । ସେ ଖୁବ ଦୁଃଖ କଷ୍ଟ ଓ ଅନୁତାପରେ ଦିନ କାଟିବାକୁ ଲଗିଲା ।

 

★★★

 

ମିଶର

ସମ୍ରାଟଙ୍କ ସମ୍ପତ୍ତି

 

ପୂର୍ବେ ମିଶର ଦେଶରେ ଜଣେ ବିଖ୍ୟାତ ସମ୍ରାଟ ଥିଲେ । ସେ ଥିଲେ ଭାରି ଧନଶାଳୀ । ତାଙ୍କର ଉତ୍ତରାଧିକାରୀମାନେ କେହି ହେଲେ ଆଜିଯାଏ ତାଙ୍କ ଭଳି ଧନ ଭଣ୍ଡାରର ମାଲିକ ହୋଇପାରି ନାହାନ୍ତି । ତାଙ୍କ ରାଜକୋଷରେ ପ୍ରଚୁର ସୁନା ରୂପା ଥିଲା । ସେସବୁ ସୁନାରୂପା ଓ ମଣିମୁକ୍ତା ଆଦିକୁ ସେ ନିରାପଦରେ କୌଣସି ଏକ ସ୍ଥାନରେ ଲୁଚାଇ, ରଖିବାକୁ ଚାହୁଁଥିଲେ । ଏଥିପାଇଁ ସେ ଏକ ପଥରର ଘର ତିଆରି କରିବାକୁ ହୁକୁମ କଲେ । ଏହା ଭଣ୍ଡାର ଘରଟିର ଗୋଟିଏ ପଟ କାନ୍ଥ ରାଜବାଟୀର ବାହାର ପଟକୁ ଥିଲା । ନିର୍ମାତା କାରିଗରଟି ଥିଲା ଭାରି ଲୋଭୀ ଓ ଅସାଧୁ । ସେ ଏ ଭଣ୍ଡାରଘରର ବାହାର ପଟ କାନ୍ଥକୁ ଏପରି ଭାବେ ତିଆରି କରିଥଲା ଯେ, ଯେମିତି ଅତି ସହଜରେ ଦୁଇ ଜଣ ଲୋକ ସେହି କାନ୍ଥରୁ ଖଣ୍ଡେ ପଥର କାଢ଼ି ନେଇ ପୁଣି ତାହା ଯଥା–ସ୍ଥାନରେ ରଖିଦେଇ ପାରିବେ । ଏମିତିକି ବଳୁଆ ଲୋକ ହେଲେ ଏକାକୀ ସବୁ କାମ କରିଦେବ ।

 

ଭଣ୍ଡାରଘରଟି ତିଆରି ସରିବାରୁ ରାଜା ତାଙ୍କର ସମସ୍ତ ଧନସମ୍ପତ୍ତି ସେହି ଘରକୁ ବୁହାଇ ନେଇ ମାଟି ମାଠିଆରେ ପୂରାଇ ରଖିଲେ ।

 

କାରିଗର ସେହି, ଭଣ୍ଡାରଘରର ବାହାର ପଟ କାନ୍ଥର ଗୁପ୍ତ ଦ୍ଵାରଟିର ସଦବ୍ୟବହାର କରିବାକୁ ଇଚ୍ଛାକଲା । କିଛଦିନ ପୂର୍ବରୁ ସେ ଶକ୍ତ ବେମାର ପଡ଼ିଲା । ସେ ଅଳ୍ପଦିନେ ମରିଯିବ ଭାବି ତାର ଦୁଇ ପୁଅଙ୍କୁ ତା’ ନିକଟକୁ ଡକାଇ କହିଲା–‘ମୁଁ ତମକୁ ଗୋଟିଏ ଗୁପ୍ତକଥା କହିବି । ଦେଖ, କେଉଁଠି ଯେମିତି ଏହା ନ କୁହ । ନଚେତ୍ ରାଜା ଜାଣିଲେ ମୁଣ୍ଡକାଟ ହେଇଯିବ । ତା ପରେ ସେ ସେମାନଙ୍କୁ ସେହି ଗୁପ୍ତଦ୍ଵାର କଥା କହିଲା । ସେମାନେ ଗୁପ୍ତ ଦ୍ଵାରର ସଦ୍‍ବ୍ୟବହାର କରି ନେଇଆଣି ଥୋଇ ପାରିଲେ ଜୀବନସାରା ସୁଖରେ କଟାଇବେ ବୋଲି ମଧ୍ୟ କହିଲା । ତମେ ମୋ କଥା ମାନିଲେ, ରାଜକୋଷ ତମ ହାତ ମୁଠାରେ ରହିବ ।’

 

ଏ ଘଟଣାର କିଛି ଦିନ ପରେ ସେ ମରିଗଲା । ତାର ପୁଅମାନେ ବାପା କହିବା ଅନୁସାରେ କାମରେ ଲାଗିଯିବାକୁ ବିଳମ୍ବ କଲେନି । ଅମାବାସ୍ୟା ରାତ୍ରିରେ ସେମାନେ ରାଜବାଟୀକୁ ଯାଇ ଭଣ୍ଡାରଘରର ସେ ପଥରକୁ କାଢ଼ିଲେ । ଜଣେ ତା’ ଭିତର ଦେଇ ଗଳିଯାଇ ମନଇଚ୍ଛା ସୁନା–ରୂପା ଓ ମଣିମୁକ୍ତା ଆର ଭାଇ ହାତକୁ ବଢ଼େଇଦେଲେ ।

 

ତା’ ପରେ ରାଜା ତାଙ୍କର ଧନଭଣ୍ଡାର ଦେଖିବାକୁ ଥରେ ରାଜକୋଷର ଦ୍ଵାର ଫିଟାଇ ଭିତରକୁ ଯାଇ ଦେଖନ୍ତି ତ ମାଠିଆଗୁଡ଼ିକରେ ଯେତେ ସୁନାରୂପା ଓ ମଣିମୁକ୍ତା ରହିବା କଥା, ସେତେ ନାହିଁ । ରାଜକୋଷଘରର ଦ୍ଵାରରେ ଚାବି ପଡ଼ିଛି । ଜଉମୁଦ ମଧ୍ୟ ଭଙ୍ଗା ଯାଇନି । ମାତ୍ର ଏ କ’ଣ ? ସେ ହଠାତ୍ କିଛି ବୁଝି ପାରିଲେନି ।

 

ଏ ଦି’ ଚୋରଯାକ ଆଉ ଦି’ ତିନି ଥର ରାଜଭଣ୍ଡାରକୁ ଗଲେଣି –ରାତିଅଧରେ । ପାଟିରେ ତ ଲାଗିଛି ! ରାଜା ପୁଣି ଦେଖନ୍ତି ତ ପୂର୍ବାପେକ୍ଷା ମାଠିଆଗୁଡ଼ିକ କ୍ରମେ କ୍ରମେ ଖାଲିହେଇ ଯାଉଛି । ତେଣୁ ସେ ସ୍ଥିରକଲେ ଯେ, ଏଥର ଯନ୍ତା ବସାଇ ଚୋର ଧରିବାକୁ ପଡ଼ିବ । ଶେଷକୁ ସେ ତାହା ହିଁ କଲେ ।

 

ଚୋରଙ୍କର ତ ସାହସ ବଢ଼ି ଯାଇଛି । ପୁଣି ଚତୁର୍ଥ ଥର ସେମାନେ ରାଜକୋଷ ଗୃହରେ ପ୍ରବେଶ କଲେ । ପ୍ରଥମ ଜଣଙ୍କ ଯାଇ ମାଠିଆ ଭିତରକୁ ହାତ ପୂରାଇବା ମାତ୍ରେ ଯନ୍ତାରେ ପଡ଼ିଲା-। ସେ ଏଥର ଜାଣିଲା ଯେ, ସେ ଆଉ ଏଥିରୁ ଖସିଯାଇ ପାରିବ ନି କି ଆଉ ବର୍ତ୍ତି ପାରିବ ନି । ସେ ଥିଲା ଖୁବ୍ ସାହସୀ, ତେଣୁ ସେ ନିଜର ପ୍ରାଣ ବିନିମୟରେ ନିଜ ପରିବାର ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଗଲା । ସେ ତାର ଭାଇକି ଡାକି ଚୁପ ଚାପ ସବୁ କଥା କହିଲା-। “ତୁ ଭିତରକୁ ପଶିଆସି ମୋ ମୁଣ୍ଡ କାଟି ଦେ । ମୁଁ ଜାଣେ ଜଣେ–ଭାଇ ପକ୍ଷରେ ଏହା କରିବାଟା ସେତେ ସହଜ ନୁହେ; ମାତ୍ର ମୋର, ତୋର ଓ ଆମ ପରିବାରର ମଙ୍ଗଳ ସକାଶେ ତୋତେ ଏହା କରିବାକୁ ହେବ” । ବହୁତ ବୁଝେଇଲା ପରେ ତାର ଭାଇ ଏଥିରେ ରାଜିହେଲା । ସେ ତାର ଭାଇର ମୁଣ୍ଡକାଟି ନେଇ ପୂର୍ବପରି ପଥର ଖଞ୍ଜି ଦେଇ ଘରକୁ ପଳାଇ ଆସିଲା ।

 

ତା’ ପରଦିନ ରାଜା ପୁଣି ଭଣ୍ଡାରଘର ଖୋଲି ଦେଖିଲେ ଯେ, ପୂର୍ବାପେକ୍ଷା ଆହୁରି ଜିନିଷ ଚୋରିହୋଇ ଯାଇଛି ଏବଂ ଯନ୍ତାରେ ଗୋଟାଏ ଗଣ୍ଡି ଲାଗିଛି । ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ରାଜକୋଷର ତାଲା ଗୁଡ଼ିକ ପୂର୍ବପରି ଜଉମୁଦ ଦିଆ ହୋଇଥିଲେ ଏବଂ କାନ୍ଥର କୌଣସିଠାରେ ଫାଙ୍କ ବା ସିନ୍ଧି ହୋଇଥିବାର ଜଣାଯାଉ ନ ଥିଲା ।

 

ତା’ ପରେ ସେ ଆଉ ଏକ ଉପାୟ ସ୍ଥିର କଲେ ଏ ଚୋରି ଧରିବାକୁ । ସେ ଉକ୍ତ ମୃତଦେହକୁ ରାଜକୋଷଘରର ବାହାର ପଟେ ଟଙ୍ଗେଇ ଦେବାକୁ ଆଦେଶ କଲେ । କହିଲେ, ଏ ଶବ ପାଖରେ ବା ଏହାପାଇଁ ଯିଏ କାନ୍ଦିବ ବା ଦୁଃଖିତ ହେବ, ତାକୁ ମୋ ନିକଟକୁ ଧରି ଆଣିବ ।

 

ଲାସ୍‍ ଟି ଟଙ୍ଗା ସରିବା ପରେ ସାନ ଭାଇର ମାଆ ଖୁବ୍ ଗଭୀର ଦୁଃଖ ପ୍ରକାଶ କରି ତା' ପୁଅକୁ କହିଲା, ‘ତୁ ତୋ ଭାଇର ଶବ ଘରକୁ ଆଣିବାକୁ ଚେଷ୍ଟାକର । ଯଦି ତୁ ତାହା ନ କରିପାରୁ ତେବେ ମୁଁ ସିଧା ସଳଖ ଯାଇ ରାଜାଙ୍କ ଛାମୁରେ ସବୁକଥା କହିଦେବି ।

 

ତା’ ପୁଅ ତାକୁ ଯେତେ ବୁଝାଇଲେ ବି ସେ ମାନିଲା ନି ।

 

ତେଣୁ ସେ ଏଥିପାଇଁ ଏକ ଉପାୟ ଚିନ୍ତାକଲା । ସେ ସହରକୁ ଯାଇ କେତେକ ଗଧ କିଣି ଆଣିଲା । ଚମଡ଼ା ମୁଣାରେ ମଦ ଭର୍ତ୍ତିକରି ଗଧ ପିଠିରେ ଝୁଲାଇ ସେ ବଜାରକୁ ଚାଲିଲା । ଯେତେବେଳେ ସେ ଆସି ସେ ଶବ ପାଖରେ ପହଞ୍ଚିଲା, ଯାହାକୁ କି ସୈନ୍ୟମାନେ ପହରା ଦେଉଥିଲେ, ସେଠି ସେ ଦୁଇ ତିନିଟି ମଦମୁଣାର ମୁହଁ ଫିଟେଇଦେଲା । ଯେତେବେଳେ ମଦ ବୋହିଗଲା, ସେ ପାଟିକରି, ମୁଣ୍ଡ ବାଡ଼େଇ ଏମିତି ଏକ ଅବସ୍ଥା ସୃଷ୍ଟିକଲା ଯେ, ସେଥିରୁ ଜଣାଗଲା, ସେ କେଉଁ ଗଧକୁ ଆଗେ ଗୋଡ଼େଇବ କିଛି ଠିକ୍‍ କରି ପାରୁ ନି । ପ୍ରହରୀମାନେ ଏହି ପାଟି ଶୁଣି ଦେଖିଲେ ଯେ ମଦସବୁ ବୋହି ଯାଉଛି । ତେଣୁ ସେମାନେ ଗିନା ନେଇ ୨/୪ ଗିନା ଲେଖାଏଁ ମଦ ସଂଗ୍ରହ କରି ପକେଇ ଦେଲେ । ମାତ୍ର ସେ ଯୁବକଟି ସେମାନଙ୍କ ଉପରେ ଭାରି ରାଗିଲା ଭଳି ଛଳନା କରି ଚିତ୍କାର କଲା–ବଦମାସ୍ କାହାଁକା ? ପ୍ରହରୀମାନେ ତାକୁ ବୁଝାଇ ସୁଝାଇ ଦେବାରୁ ସେ ଶାନ୍ତହେଲା । ତା’ପରେ ସେ ଗଧକୁ ରାସ୍ତା କଡ଼କୁ ନେଇ ସେଠି ତା ପିଠିରେ ଲଦା ହୋଇଥିବା ଜିନିଷ ପତ୍ର ଭଲକରି ବାନ୍ଧିବୁନ୍ଧି ଲଦିବାର ଅଭିନୟ କଲା । ସୈନ୍ୟମାନେ ତାର ଏ ରଙ୍ଗ ଦେଖି ଖୁବ୍ ପଟାଏ ହସିଲେ । ସେ ମଧ୍ୟ ସେମାନଙ୍କ ସାଙ୍ଗରେ ତାଳ ମିଳେଇଲା । ସେ ସେମାନଙ୍କୁ ଗୋଟିଏ ମୁଣା ମଦ ଖୁସିରେ ସେମିତି ଦେଇଦେଲା । ସେମାନେ ମନ ଆନନ୍ଦରେ ସମସ୍ତ ନିୟମ ଶୃଙ୍ଖଳା ଭୁଲିଯାଇ ମଦ ପିଇବାକୁ ବସି ପଡ଼ିଲେ । ତାକୁ ମଧ୍ୟ ସେମାନଙ୍କ ସହ ଯୋଗ ଦେବାକୁ ଡାକିଲେ । ସେ ସେମାନଙ୍କ ସହ ବସିଲା, ମାତ୍ର ସେ ଠିକ୍ ଓର ଉଣ୍ଡି ସେମାନେ ଯେତେବେଳେ ମନ ଆନନ୍ଦରେ ବିଭୋର–ସେତିକିବେଳେ ପୁଣି ଗୋଟିଏ ମୁଣା ମଦ ସେମାନଙ୍କୁ ଦେଇଦେଲା । ତୃତୀୟ ମୁଣାଟି ଶେଷ କଲା ବେଳକୁ, ପ୍ରହରୀମାନେ ନିଶାରେ ଏକବାରେ ଘାରି ହୋଇ ସାରିଥିଲେ । ଜଣକ ପରେ ଜଣେ ଶୋଇ ପଡ଼ିଲେ ସେହି ରାସ୍ତା କଡ଼ରେ । ସେତେବେଳକୁ ରାତି ଅଧ ପ୍ରାୟ । ରାସ୍ତାରେ କେହି ଜଣେ ହେଲେ ବି ନ ଥାନ୍ତି । ସୁତରାଂ ସାନଭାଇ ଏହି ସୁଯୋଗରେ ତାର ବଡ଼ଭାଇର ମୃତଦେହକୁ ନେଇ ଚାଲିଗଲା । ତାକୁ କେହି ଦେଖି ନ ଥାନ୍ତି । କଟା ଘା'ରେ ଚୂନ ଦେଲାପରି ସେ ପ୍ରହରୀମାନଙ୍କୁ ଅପମାନିତ କରିବାକୁ ସେମାନଙ୍କ ମୁଁହର ଡାହାଣ ପାଖ ଦାଢ଼ିରୁ ଅଧେ କାଟି ନେଇଗଲା । ସେ ଲାସକୁ ଗଧ ପିଠିରେ ଲଦି ଲୁଗା ଘୋଡ଼େଇ ଘର ଆଡ଼କୁ ଚାଲିଲା ମା’ କଥା ମନି ।

 

ଯେତେବେଳେ ରାଜା ଜାଣିଲେ ଯେ, ମୃତଦେହଟି ହରଣଚାଲ ହୋଇଯାଇଛି–ସେ ଭୀଷଣ ରାଗିଗଲେ । ସେ ବୁଝିଲେ ଯେ, ଏହା କୌଣସି ଏକ ବୁଦ୍ଧିମାନ ଲୋକର କାର୍ଯ୍ୟ । ସେ ଏ ଲୋକକୁ ଧରିବାକୁ ଦୃଢ଼ ବ୍ୟବସ୍ଥା କଲେ । ସେ ଘୋଷଣା କଲେ ଯେ, ଯେଉଁ ଲୋକ ତାଙ୍କ ଝିଅ ସହ ସାକ୍ଷାତ କରି ତା’ ଜୀବନରେ ସବୁଠାରୁ ଅଧିକ ଚତୁର ଏବଂ ଅସାଧୁ କାର୍ଯ୍ୟ କରିଥିବା କଥା ବର୍ଣ୍ଣନା କରି ରାଜାଙ୍କ ମନ ମନାଇ ପାରିବ–ସେ ତାକୁ ତାଙ୍କ ଝିଅ ସହ ବିବାହ କରାଇ ଦେବେ । ଏଣେ ସେ ରାଜକୁମାରୀଙ୍କୁ ନିର୍ଦ୍ଦେଶ ଦେଲେ ଯେ, ଯଦି କୌଣସି ଲୋକଠାରୁ ସେ ଚୋର ସଂକ୍ରାନ୍ତରେ କିଛି ଶୁଣେ ତା’ ହେଲେ ତାକୁ ଧରି ଦାସଦାସୀମାନଙ୍କୁ ଡାକିଦେଲେ ସେମାନେ ଏଇ କୋଠରୀର କାନ୍ଥପଟୁ ବାହାରି ଆସିବେ । ସେମାନେ ଏଠି ଲୁଚି ରହିଥିବେ ।

 

ରାଜକନ୍ୟାଙ୍କର ପାଣିପ୍ରାର୍ଥୀ ଅନେକ ଯୁବକ ଆସି ସେମାନଙ୍କ ନିଜ ନିଜ ସାହସିକତା ଓ ଚତୁରତା କାହାଣୀମାନ ବର୍ଣ୍ଣନା କଲେ । ରାଜାଙ୍କ ମନକୁ କାହାରି ହେଲେ କଥା ବି ପାଇଲି ନି ।

 

ଇତ୍ୟବସରରେ ଚୋର ଏ ଘୋଷଣା କଥା ଶୁଣି କଥାଟାର ଉଦ୍ଦେଶ୍ୟ ଅନ୍ଦାଜ କରି ନେଲା । ସେ ଖୁବ୍ ସାହସୀ ଲୋକ; ତେଣୁ ସେ ଥରକ ପାଇଁ ଚେଷ୍ଟାକରି ଦେଖିବାକୁ ମନସ୍ଥ କଲା । ସେ ତାର କାହାଣୀ କହିବା ପାଇଁ ଅନୁମତି ଚାହିଁଲା ଏବଂ ତାକୁ ମଧ୍ୟ ରାଜକୁମାରୀଙ୍କ ନିକଟକୁ ଛାଡ଼ି ଦିଆଗଲା ତାର ଗଳ୍ପ ଶୁଣାଇବାକୁ । ତାକୁ ମଧ୍ୟ ସେହି ପ୍ରଶ୍ନ ପଚରା ଗଲା ଯାହା କି ଅନ୍ୟମାନଙ୍କୁ ସାଧାରଣତଃ ପଚରା ଯାଇଥାଏ । ସେ କହିଲା, “ମୁଁ ସବୁଠାରୁ ଏକ ଅସତ୍‍, ଅପବିତ୍ର ବ୍ୟକ୍ତି ଏବଂ ମୁଁ ଅନେକ କୁକର୍ମ କରିଛି । ମୋର ଭାଇଙ୍କର ମୁଣ୍ଡକାଟି ମଧ୍ୟ ମୁଁ ତାଙ୍କୁ ରାଜାଙ୍କ ଜନ୍ତାରୁ କୌଣସି ମତେ ମୁକୁଳାଇ ପାରି ନି । ଆଉ ମୋ ଜୀବନର ସବୁଠାରୁ ଚଲାକି କାମ ହେଉଛି ଯେତେବେଳେ ମୁଁ ପ୍ରହରୀମାନଙ୍କୁ ମଦ ପିଆଇ; ତାଙ୍କ ଆଖିରେ ଧୂଳି ଦେଇ ମୋ ଭାଇଙ୍କ କବନ୍ଧକୁ ଚୋରାଇ ନେଲି ।”

 

ଏହା କହି ସେ ବାହାଦୁରୀ ଦେଖାଇ ତାର ଗୋଟିଏ ହାତ ହଲାଇ ବକ୍ତୃତା ଦେବାକୁ ବସିଲା । ରାଜକୁମାରୀ ତାର ସେ ହାତକୁ ଧରି ପକାଇବା ମାତ୍ରେ ତାହା ତା’ ଦେହରୁ ଅଲଗା ହୋଇ ଆସିଲା । ରାଜକନ୍ୟା ଭୟରେ ଚିତ୍କାର ଛାଡ଼ିଲେ । ଦାସଦାସୀମାନେ ଦୌଡ଼ି ଆସିଲେ । ମାତ୍ର ସେ ଲୋକଟି ସେତେବେଳକୁ ସେଠୁ ଦାଣ୍ଡିଆମାରି ଛୁ ! ସେ ତାର ଜାମାତଳେ ଗୋଟାଏ କୃତ୍ରିମ ହାତ ଲୁଚାଇ ଆଣିଥିଲା ।

 

ରାଜା ଏ କଥା ଶୁଣି ଲୋକଟିର ଚତୁରତା ଓ ସାହସିକତା କଥା ଭାବି ଖୁବ୍ ବିସ୍ମିତ ହେଲେ । ତା’ପରେ ସେ ତାଙ୍କ ରାଜ୍ୟର ସମସ୍ତ ବଡ଼ ବଡ଼ ସହରରେ ଘୋଷଣା କରିବାକୁ ଆଦେଶ କଲେ ଯଦି ଚୋର ନିଜେ ନିଜେ ଧରାଦିଏ–ତା’ ହେଲେ ତାକୁ ଉପଯୁକ୍ତ ପୁରସ୍କାର ଦିଆଯାଇ ନିର୍ଦ୍ଦୋଷରେ ଖଲାସ କରି ଦିଆଯିବ ।

 

ଚୋର ଏ ଘଟଣାର ପରିଣାମ ଚିନ୍ତାକରି ମଧ୍ୟ ରାଜପ୍ରାସାଦକୁ ଆସି ଛାଁ କୁ ଛାଁ ଧରା ଦେଲା । ପ୍ରହରୀମାନେ ତାକୁ ରାଜାଙ୍କ ନିକଟକୁ ନେଇଗଲେ ।

 

କିଛି ସମୟ ପାଇଁ ରାଜା ତା' ଆଡ଼େ କୌତୁହଳ ବଶତଃ ଚାହିଁ କହିଲେ;

 

‘ତା ହେଲେ ତମେ ?’

 

‘ହ ଆଜ୍ଞା, ମୁଁ ହେଉଛି ସେଇ ଲୋକ’–ସେ ଉତ୍ତର ଦେଲା ।

 

‘ତମେ ଏସବୁ କାମ କଲା ପରେ, ମୋ ସାମ୍ନାକୁ ଆସି ତମର ମୁହଁ ଦେଖାଇବାକୁ ସାହସ କରି ପାରିଲ ?'

 

‘ରାଜା ତ କ୍ଷମା ଦେବେ ବୋଲି ପ୍ରତିଜ୍ଞା କରି ଘୋଷଣା କରିଛନ୍ତି । ମୁଁ ଭାବେ ଯେ, ରାଜା ତାଙ୍କର ପ୍ରତିଜ୍ଞା ଭଗ୍ନ କରିବେନି ।‘

 

‘ପ୍ରକୃତରେ ମୋ ମତରେ ତମେ ହେଉଛ ଜଣେ ସାହସୀ ଯୁବକ । କଥା ଅଛି ଯେ, ମିଶରବାସୀମାନେ ଚତୁର । ମାତ୍ର ତମେ ସମସ୍ତ ମିଶରବାସୀଙ୍କ ମଧ୍ୟରେ ଚତୁରତମ । ଏଥର ମୋ କଥା ଅନୁସାରେ ତମେ ମୋର ଝିଅକୁ ବିବାହ କରିବ ।’

 

ପରିଶେଷରେ ସେ ରାଜକୁମାରୀଙ୍କୁ ବିବାହ କରି ସୁଖରେ ରହିଲା । ସେଥିପାଇଁ କଥାରେ ଅଛି, ‘ହିମତ୍ ବଡ଼ା ହେ ।’

★★★

 

ସିଂହଳ

ବଦମାସ ବାଜିକର

 

ଜଣେ ଖୁସ୍‍ମିଜାଜୀ ରାଜା ଥିଲେ । ତାଙ୍କର ଗୋଟିଏ ସୁନ୍ଦରୀ ରାଣୀ, ‘ସାତଟି ଝିଅ ଓ ଜଣେ ଚତୁର ସଚିବ ଥିଲେ ।

 

ରାଜା ଏବଂ ମନ୍ତ୍ରୀ ରାଜ୍ୟର ପ୍ରଜାମାନଙ୍କର ଦୁଃଖସୁଖ ସବୁ ଭଲଭାବେ ବୁଝୁଥିଲେ । ସମସ୍ତେ ଖୁବ୍ ଶାନ୍ତି ଓ ସୁଖରେ ଦିନ କଟାଉଥିଲେ । ଥରେ ଦେଶକୁ ଏକ ବିପଦ ପଡ଼ିଲା । ଲୋକମାନେ ବେମାର ପଡ଼ିଲେ ଓ ଅନେକ ମଧ୍ୟ ରୋଗରେ ପ୍ରାଣ ହରାଇଲେ ।

 

ଏଥିରେ ରାଣୀ ଓ ତାଙ୍କର ମୁଖ୍ୟମନ୍ତ୍ରୀ ମଧ୍ୟ ଇହଲୀଳା ସମ୍ବରଣ କଲେ । ଏଥିପାଇଁ ରାଜା ଓ ମନ୍ତ୍ରୀଙ୍କର ପରିବାର ବିଶେଷ ଦୁଃଖିତ ହେଲେ । ସେମାନେ ଖାଲି ରାଣୀ ଓ ମନ୍ତ୍ରୀଙ୍କ କଥା ଭାବିବାକୁ ଲାଗିଲେ ।

 

କେତେକ ମାସ ପରେ, ରାଜାଙ୍କର ଅନ୍ୟ ଅମାତ୍ୟଗଣ ତାଙ୍କ ନିକଟକୁ ଆସି କହିଲେ, “ମୁଖ୍ୟମନ୍ତ୍ରୀ ମରିଯିବାର କେତେ ମାସ ବିତିଗଲାଣି । ଏଥର ଆଉ ଜଣଙ୍କୁ ଆପଣ ବାଛନ୍ତୁ । କାରଣ ରାଜ୍ୟର କାମ ସବୁ ପଛେଇ ଗଲାଣି । ମୁଖ୍ୟମନ୍ତ୍ରୀ ବିନା ରାଜକାର୍ଯ୍ୟ ଚାଲି ନ ପାରେ ।’’

 

‘କାଲି ମୋର ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ଏଠିକି ଡାକ’–ରାଜା କହିଲେ ।

 

ପରଦିନ ରାଜା ଓ ତାଙ୍କର ମନ୍ତ୍ରୀଗଣ ଆଉ ଜଣେ ମୁଖ୍ୟମନ୍ତ୍ରୀ ବାଛିଲେ । ସେ ଭାରି ଭଲଲୋକ ଓ ଦେଶପାଇଁ ମଧ୍ୟ ସେ ଖୁବ୍ ଖଟିଲେ । ରାଜା ପୁଣି ସୁଖରେ ପ୍ରଜାପାଳି ଆନନ୍ଦିତ ହେଲେ । ତାଙ୍କର ସାତ ଝିଅଯାକ ମଧ୍ୟ ଏଥର କିଛି କିଛି କାମ କଲେ । ସେମାନେ ରାଜାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ–ରାଜପ୍ରାସାଦ ଓ ବଗିଚାର ଦେଖାଶୁଣା କଲେ । ସେମାନେ ମାଆ କଥା ଭୁଲି ପାରୁ ନ ଥିଲେ । ତଥାପି କିଛିଦିନ ସେମାନେ ବେଶ୍ ଆନନ୍ଦରେ କଟାଇଲେ ।

 

ତା' ପରେ ରାଜା ମୁଖ୍ୟମନ୍ତ୍ରୀଙ୍କ ବିଧବା ସ୍ତ୍ରୀଙ୍କୁ ବିବାହ କଲେ । ସେ ଦେଖିବାକୁ ଭାରି ସୁନ୍ଦରୀ; ମାତ୍ର ଗୋଟାଏ କଞ୍ଚା ଡାଆଣୀ । ତାର କେବଳ ଗୋଟିଏ ଝିଅ ଥିଲା ।

 

ବିବାହ ପରେ ସେ ନିଜକୁ ନିଜେ କହିଲା–ମୁଁ ଏଥର ରାଜାଝିଅମାନଙ୍କୁ ଏମିତି ପାନେ ଦେବି ଯେ, ସେମାନେ ସବୁଦିନ କାନ୍ଦୁଥିବେ ଓ ରାଜବାଟୀ ଛାଡ଼ି ପଳାଇଯିବେ । ଫଳରେ ମୋ ଝିଅ ରାଜାଙ୍କର ଗେଲ ବସରର ଅଲିଅଳି ଜେମା ହେବ ।”

 

ନୂଆରାଣୀ ତାର ସାବତ ଝିଅମାନଙ୍କ ପ୍ରତି ଖୁବ୍ କଦର୍ଯ୍ୟ ବ୍ୟବହାର କଲା । ଯଦି ରାଜବାଟୀରେ କିଛି ଟିକେ ଭୁଲ୍ ଭଟକା ବା ଅସନା –ମସନା ହେଉଥିବାର ସେ ଦେଖୁଥିଲା, ତେବେ କହୁଥିଲା ଯେ, ଏସବୁ କାଣ୍ଡ ହେଉଛି ସେହି ସାତ ଭଉଣୀଙ୍କ ଦ୍ଵାରା । ସେ ସେମାନଙ୍କୁ ଭଲ କରି ପେଟ ପୂରା ଖାଇବାକୁ କି ପିନ୍ଧିବାକୁ ଭଲ ଶାଢ଼ୀ ବା ଗହଣାପାତି ଦେଲାନି । ସେ ରାଜାଙ୍କ ଆଗରେ ସେମାନଙ୍କ ନାଁରେ ଖଚମିଛ କହିଲା । କିଛିଦିନ ପରେ ରାଜା ମଧ୍ୟ ସେ କଥାକୁ ବିଶ୍ୱାସ କଲେ ଏବଂ ସେମାନଙ୍କ ଉପରେ ଭାରି ରାଗିଲେ ।

 

ସାତ ଭଉଣୀଯାକ ଦିନକୁ ଦିନ ଅଧିକରୁ ଅଧିକ ହଇରାଣ ଓ ହନ୍ତସନ୍ତ ହେଲେ । ଦିନେ ବଡ଼ ଭଉଣୀ କହିଲା, ଚା’ଲ, ଆମ ମାମୁଁ ଘରକୁ ଚାଲିଯିବା । ଅନ୍ୟମାନେ ମଧ୍ୟ ସେଥିରେ ରାଜି ହେଲେ ।

 

ରାଜନଅରରୁ ସେମାନଙ୍କ ମାମୁଁ ଘର ଅନେକ ଦୂର । ବାଟରେ ଗୋଟିଏ ଜଙ୍ଗଲ ପଡ଼େ-। ଦିନେ ସକାଳୁ ସାତ ଭଉଣୀଯାକ ରାଜବାଟୀ ଛାଡ଼ି ସେମାନଙ୍କ ମାମୁଁ ଘର ଆଡ଼କୁ ଚାଲିଲେ-। ଯାଉ ଯାଉ ସେମାନେ ପହଞ୍ଚିଲେ ସେହି ଜଙ୍ଗଲରେ । ଅଗ୍ନାଗ୍ନୀ ବନସ୍ତ । କୁଆକୋଇଲିର ରାବ ନାହଁ କି ସୂର୍ଯ୍ୟ ଆଲୋକ ମଧ୍ୟ ଟିକେହେଲେ ସେଠି ପଡ଼ୁନି । ଚାରିଆଡ଼ କିଟିକିଟିଆ ଅନ୍ଧାର-। ପତ୍ରଟାଏ ପଡ଼ିଲେ କୁଲା ପଡ଼ିଲା ଭଳି ଶବଦ ହେଉଛି । ଏ ସବୁ ଦେଖି ସେମାନେ ଏକବାରେ ଛାନିଆ ହୋଇଗଲେ ଓ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ । ଆଉ ଜଣେ ରାଜାଙ୍କର ସାତଟି ପୁଅ ସେଠିକି ଯାଇଥିଲେ –ପାରିଧି କରି । ସେମାନେ ଝିଅମାନଙ୍କର କାନ୍ଦ ଶୁଣିଲେ । ସେମାନେ ଏ ସାତ ଭଉଣୀଙ୍କୁ ତାଙ୍କ ସାଙ୍ଗରେ ନିଜ ରାଜବାଟୀକୁ ଘେନିଗଲେ ।

 

ରାଜା ରାଣୀ ସେମାନଙ୍କୁ ଦେଖି ଖୁବ୍ ଖୁସି ହେଲେ । କାରଣ ଏ ଝିଅମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ଏବଂ ତାଙ୍କ ଚାଲିଚଳନ ଓ ଆଚାର ବ୍ୟବହାର ମଧ୍ୟ ଖୁବ୍ ଉତ୍ତମ ଥିଲା । ସେମାନେ ଏ ସାତ ଭଉଣୀଙ୍କୁ ତାଙ୍କର ସାତ ପୁଅଙ୍କୁ ବିବାହ କରାଇଦେଲେ । ପ୍ରତ୍ୟେକ ରାଜକୁମାର ଓ ରାଜକୁମାରୀ ନିଜ ନିଜ ଉଆସରେ ସୁଖରେ ରହିଲେ । ରାଜାରାଣୀ ମରିଯିବାରୁ ବଡ଼ ଯୁବରାଜ ରାଜା ହେଲେ । ଅନ୍ୟ ଭାଇମାନେ ତାଙ୍କୁ ରାଜକାର୍ଯ୍ୟ ବୁଝିବାରେ ବରାବର ସାହାଯ୍ୟ କଲେ ।

 

ଏତିକିବେଳକୁ ଜଣେ ବାଜିକର ସେ ଜଙ୍ଗଲରେ ଘର କରି ରହୁଥାଏ । ସେ ଭାରି ବଦମାସ୍ । ସେ ଲେକମାନଙ୍କୁ ଘୃଣା କରୁଥିଲା ଏବଂ ସେମାନଙ୍କ ଉପରେ ନାନାପ୍ରକାର ଜୁଲମ ଅତ୍ୟାଚାର କରୁଥିଲା । ସେ ଲୋକମାନଙ୍କୁ ଧରିନେଇ ତାର କୁହୁକ ବଳରେ ସେମାନଙ୍କୁ ପଥର କରି ଦେଉଥିଲା । ଏ କଥା ଶୁଣି ରାଜା ଓ ତାଙ୍କର ଅନ୍ୟ ଛଅ ଭାଇଯାକ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ । ସେମାନେ ଜଙ୍ଗଲ ଆଡ଼କୁ ଯାଇଥିବା ସବୁ ରାସ୍ତାରେ ଜଗୁଆଳୀ ରଖି ଲୋକଙ୍କୁ ସେବାଟେ ଯିବାପାଇଁ ବାରଣ କଲେ । ଜଗୁଆଳୀମାନେ କହିଲେ, ଏ କଙ୍ଗଲ ବାଟେ ଯାଅ ନି । ସେଠି ଗୋଟିଏ ବଦମାସ୍ ବାଜିକର ଅଛି । ସେ ତମକୁ ଧରିନେଇ ପଥର କରିଦେବ ।’ ଏ କଥା ଜାଣି ସେ ବାଜିକର, ରାଜା ଓ ତାଙ୍କ ଭାଇମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଠିକ୍ କଲା ।

 

ଥରେ ସାନ ଯୁବରାଜଙ୍କର ଗୋଟିଏ ପୁଅ ହେଲା । ପିଲାଟି ଦେଖିବାକୁ ଭାରି ସୁନ୍ଦର । ଯୁବରାଜ ଓ ଯୁବରାଜ୍ଞୀ ତାକୁ ଭାରି ଭଲ ପାଉଥିଲେ ଓ ଗେହ୍ଲା କରୁଥିଲେ । ଅନ୍ୟ ଛଅ ଭାଇଙ୍କର କିଛି ପିଲାଝିଲା ନ ଥିଲେ–

 

ତେଣୁ ସେମାନେ ଏଇ ପୁଅଟିକୁ ଖୁବ୍ ସ୍ନେହ ଓ ଆଦର କରୁଥିଲେ ।

 

ପୁଅଟି ଜନ୍ମହେବାର ଦି’ ବର୍ଷ ପରେ ସାନ ଯୁବରାଜ ଥରେ ବଣକୁ ଗଲେ । ସଂଧ୍ୟାସୁଦ୍ଧା ସେ ଆଉ ଘରକୁ ଲେଉଟିଲେ ନି । ତାଙ୍କର ଭାଇମାନେ ଏହା ଦେଖି କହିଲେ–‘ଆମେ ଯାଉଛୁ ତାକୁ କାଲି ସକାଳୁ ଖୋଜିଆଣିବୁ ।’

 

ତା ପରଦିନ ସେମାନେ ସକାଳୁ ବନକୁ ଗଲେ; ମତ୍ର ସେମାନେ ବି ସନ୍ଧ୍ୟାସୁଦ୍ଧା ଘରକୁ ଫେରିଲେ ନି । ସାତ ଭଉଣୀଯାକ ଭାରି ମନଦୁଃଖ କଲେ । ସାନଭଉଣୀ କହିଲା, ‘ବାଜିକର ଆମ ସ୍ଵାମୀଙ୍କୁ ଧରି ପଥର କରି ଦେଇଛି । ସେ ଭାରି ବଦମାସ । ତା’ କିମିଆ ଆଗରେ ଆମେ ବା କ'ଣ କରିପାରିବା ?’

 

ବଡ଼ ଭଉଣୀ କହିଲା, ‘ଆମେ ଏଠି ଗୋଟିଏ ଘରେ ବାସ କରିବା । ତା ହେଲେ ଆମେ ସାନ ଭଉଣୀ ଓ ତା’ ପୁଅକୁ ହେଲେ ଜଗି ପାରିବା ।”

 

ଦିନେ ଯାଦୁକର ଜଣେ ସାଧୁ ବେଶରେ ରାଜବାଟୀକୁ ଯାଇ ପ୍ରହରୀମାନଙ୍କୁ କିଛି ପଇସା ମାଗିଲେ । ସେମାନେ ତାକୁ ଅଳ୍ପ କିଛି ପଇସା ଦେଲେ । ମାତ୍ର ସେଥିରେ ସେ ସନ୍ତୁଷ୍ଟ ନ ହୋଇ କହିଲା, ‘ମୁଁ ଉଆସ ଭିତରକୁ ଯାଇ ଆଉ କିଛି ପଇସା ମାଗିପାରିବି କି ?

 

ସେ ତ ଗୋଟିଏ ଠକ, ବାହାରେ କେବଳ ସନ୍ୟାସୀ ସାଜିଥିଲା । କିନ୍ତୁ ପ୍ରହରୀମାନେ ତାକୁ ସନ୍ଦେହ ନ କରି ରାଜପ୍ରାସାଦ ଭିତରକୁ ଯିବାକୁ ବାଟ ଛାଡ଼ିଦେଲେ । ସେ ଭିତରକୁ ଯାଇ କୋଠରୀ ପରେ କୋଠରୀ ଖୋଜି ଆଖି ବୁଲେଇଗଲା । ଶେଷରେ ସେ, ସାନରାଣୀ ତାଙ୍କ ପୁଅକୁ ଗେଲ କରୁଥିବାର ଦେଖିଲା । ସେତେବେଳେ ସାନରାଣୀ ଭାରି ଭଲ ଦେଖା ଯାଉଥିଲେ । ଯାଦୁକର କହିଲା, ‘ତମେ ମୋତେ ବିବାହ କରିବ କି ? ତେବେ ମୋ ସାଙ୍ଗରେ ଆସ ।’

 

ସେ କହିଲେ, ‘ମୁଁ ତ ତମକୁ ଚିହ୍ନେ ନା । ତମକୁ ମୁଁ କାହିଁକି ବିବାହ କରିବି ? ମୋର ସ୍ଵାମୀ ଓ ତାଙ୍କର ଭାଇମାନେ ବଣକୁ ଯାଇଛନ୍ତି–ଏ ପର୍ଯ୍ୟନ୍ତ ଫେରି ନାହାନ୍ତି । ବଦମାସ୍‍ ଯାଦୁକର ସେମାନଙ୍କୁ ପଥର କରି ସେଠି ପକାଇ ରଖିଛି । ମୁଁ ଏଠି ମୋ ସ୍ଵାମୀଙ୍କ ପ୍ରତୀକ୍ଷାରେ ରହି ରହି ଏହି ପିଲାଟିକୁ ଦେଖାଶୁଣା କରୁଛି ।‘

 

ଯାଦୁକର ତାଙ୍କୁ ସାତ ଥର ସେହି ପ୍ରଶ୍ନ ପଚାରିଲା । ମାତ୍ର ପ୍ରତି ଥର ସାନରାଣୀ କହିଲେ, ‘ନା, ମୁଁ ତମକୁ ବିବାହ କରିବି ନି । ମୁଁ ତ ବିବାହିତା ।

 

ତା ପରେ ଯାଦୁକର ରାଗିଯାଇ ତାର ମନ୍ତ୍ରବଳରେ ତାଙ୍କୁ ଗୋଟିଏ କଳା କୁକୁର କରିଦେଲା । ସେ ତା ବେକରେ ଖଣ୍ଡେ ଦଉଡ଼ି ବାନ୍ଧି ରାଜପ୍ରସାଦ ଦ୍ଵାର ପାଖକୁ ଗଲା ।

 

ପ୍ରହରୀ ପଚାରିଲା , ‘ତମେ ଏ କୁକୁରଟି କେଉଁଠୁ ଆଣିଲ ? ’

 

‘ସାନରାଣୀ ମତେ ଏଇଟି ଦେଲେ’–-ସେ କହିଲା । ପ୍ରହରୀ ବାଟ ଛାଡ଼ିଦେବାରୁ ଛଦ୍ମବେଶୀ ଯାଦୁକର ଓ କୁକୁର ବାହାରି ଗଲେ ଜଙ୍ଗଲ ଆଡ଼କୁ ।

 

ଏଣେ ରାଜବାଟୀରେ ସାନରାଣୀଙ୍କ ପୁଅ କାନ୍ଦୁଥାଏ । ଅନ୍ୟ ରାଣୀମାନେ ତା' କାନ୍ଦ ଶୁଣି ସାନରାଣୀ ଘର ଆଡ଼କୁ ଦୌଡ଼ିଆସି ଦେଖିଲେ ଯେ, ସାନରାଣୀ ନାହିଁ । ସେମାନେ ତାକୁ ରାଜବାଟୀ ସାରା ଖୋଜିଲେ, ମାତ୍ର କେଉଁଠି ହେଲେ ପାଇଲେନି ।

 

ଜଣେ ରାଣୀ ପ୍ରହରୀକୁ ପଚାରିଲେ, ‘ତମେ କଣ ସାନରାଣୀଙ୍କୁ ଦେଖିଛ ??’

 

‘ନା, ମୁଁ କିନ୍ତୁ ଜଣେ ସନ୍ୟାସୀଙ୍କୁ ଦେଖିଛି’ ସେ ଉତ୍ତର ଦେଲା ।

 

“ସେ କାହାନ୍ତି ?’’ –ଆଉ ଜଣେ ରାଣୀ ପଚାରିଲେ ।

 

‘ସେ ଏଇ ଘଣ୍ଟାକ ପୂର୍ବରୁ ରାଜବାଟୀରୁ ବାହାରି ଗଲେ ।’ –ପ୍ରହରୀ ଜଣକ କହିଲା । ‘ତାଙ୍କ ସାଥିରେ ଗୋଟିଏ କାଳିଆ କୁକୁର ମଧ୍ୟ ଥିଲା । ସେ କହିଲେ ଯେ, ସାନରାଣୀ ତାଙ୍କୁ ସେ କୁକୁରଟି ଦେଇଛନ୍ତି । ସେ ଓ କୁକୁର ସେହି ଜଙ୍ଗଲ ଆଡ଼କୁ ଗଲେ ।’

 

ଛଅ ରାଣୀଯାକ କହି ଉଠିଲେ, “ସେ ବଦମାସ ବାଜିକର ଏଥର ଆମ ରାଜବାଟୀରୁ ଆଉ ଜଣକୁ କିମିଆ କରିନେଲା ।’’ ଏହାପରେ ସେମାନେ କେବେହେଲେ ସାନରାଣୀ ପୁଅକୁ କୁଆଡ଼େ ଟିକେ ହେଲେ ବି ଏକୁଟିଆ ଛାଡ଼ିଲେନି । ବରାବର ଦି’ ଜଣ ତା’ ପାଖେ ପାଖେ ଜଗି ରହିଲେ ।

 

ବର୍ଷ ଗଡ଼ି ଚାଲିଲା । ପିଲାଟି ମଧ୍ୟ ବଢ଼ିଗଲା । ତାର ବୁଦ୍ଧି ଶୁଦ୍ଧି ହେଲାରୁ ସେ ପଚାରିଲା–‘ମୋ ବାପା କାହାନ୍ତି ? ବୋଉ କାହିଁ ? ତମର ସ୍ଵାମୀମାନେ କାହାନ୍ତି ? ’

 

ସେମାନେ ତା’ ପ୍ରଶ୍ନର ଆଦୌ ଉତ୍ତର ଦିଅନ୍ତି ନି । ତାକୁ ଅଠର ବର୍ଷ ହେଲାରୁ ସେମାନେ ତାକୁ ସେ ବାଜିକର କଥା ଶୁଣାଇଦେଲେ । ସେମାନେ କହିଲେ, “ସେ ତୋର ବାପା-ବୋଉ ଓ ଆମର ସ୍ଵାମୀଙ୍କୁ ପଥର କରି ଦେଇଛି । ସେ ଭାରି ବଦମାସ–ଆମେ ତାର କିଛି କରିବାକୁ ସାହସ କରିପାରୁନୁ ।

 

ସାନରାଣୀ ପୁଅ କିଛି ସମୟ ଭାବି କହିଲା, ‘ମୁଁ ତ ଜଣେ ବଳବାନ ଯୁବକ । ଏତେ ଡରିବି କାହିଁକି ? ମୁଁ ସେ ବଣକୁ ଯାଇ ନିଶ୍ଚୟ ମୋର ବାପା, ବଡ଼ବାପାମାନଙ୍କୁ ମୁକୁଳାଇବି ।’

 

ତାର ବଡ଼ମାଆମାନେ କହିଲେ, ‘‘ସେ ବଣକୁ ମୋଟେ ଯାଆ ନା ସେ ବଦମାସ୍ ଯାଦୁକର ତତେ ବି ଧରିନେଇ ପଥର କରିଦେବ ।”

 

ମାତ୍ର କୁମାର ସେ କଥା ନ ଶୁଣି, ସେମାନଙ୍କୁ ଦଣ୍ଡବତ କରି ବାହାରିଗଲା । ସେ ଦି’ ଦିନ ସେ ବଣସାରା ଘୂରି ଘୂରି ତୃତୀୟ ଦିନ ଗୋଟିଏ ବଡ଼ ଘର ଓ ତା ପାଖରେ ଆଉ ଗୋଟିଏ ସାନ ଘର ଦେଖିଲା । ସେ ଛୋଟ ଘରଟିର ଦ୍ଵାରମୁହଁ ପାଖକୁ ଯିବାରୁ, ତା’ ମଧ୍ୟରୁ ଗୋଟିଏ ସ୍ତ୍ରୀଲୋକ ବାହାରି ଆସି କହିଲା, ‘ଆହା, ତମେ ଏଠିକି କାହିଁକି ଆସିଲ ? ସେ ବଡ଼ ଘରଟିର କଣେ ଗୁଣିଆ ରହେ । ସେଠି ଯେଉଁ ସବୁ ପଥର ପଡ଼ିଛି–ତାକୁ ଦେଖିଲଣି ନା ? ସେମାନେ ସମସ୍ତେ ଆମରି ଭଳି ମଣିଷ ଥିଲେ କିନ୍ତୁ ସେହି ଯାଦୁକର ସେମାନଙ୍କୁ ପଥର କରି ଦେଇଛି । ଏଠି ଜଣେ ସୁନ୍ଦରୀ ରାଣୀ ଅଛନ୍ତି । ଯାଦୁକର ତାଙ୍କୁ ସେ ବଡ଼ ଘରଟିର ଓପର ମହଲାରେ ତାଲା ପକାଇ ରଖିଛି । ସେ ତାଙ୍କୁ ସେଠି ଏମିତି ତାଲା ପକାଇ ବନ୍ଦୀକରି ରଖିବ–ଯେତେଦିନ ଯାଏ ସେ ଯାଦୁକରକୁ ବିବାହ ହେବାକୁ ରାଜି ନ ହୋଇଛନ୍ତି । ତମେ ଏଠୁ ଶୀଘ୍ର ପଳାଅ । ନଚେତ୍‍ ସେ ତମକୁ ବି ତାର କିମିଆ ବଳରେ ପଥର କରିଦେବ ।

 

‘ତମେ କିମିତି, ଏଠି ଅଛ ?’ –ରାଜାପୁଅ ପଚାରିଲା ।

 

‘ଆମେ ଗରିବ ଏବଂ ଆମର ଘରଦ୍ଵାର କିଛି ନ ଥିଲା’ ସେ ସ୍ତ୍ରୀ ଲୋକଟି କହିଲା । ‘ମୋର ସ୍ଵାମୀ ଜଣେ ମାଳୀ ଏବଂ ସେ ଏ ଯାଦୁକରର ପ୍ରାଣ ଓ ଗୁଣଥିବା ଶୁଆଟିକୁ ବଞ୍ଚାଇଥିଲା । ତେଣୁ ସେ ଖୁସିହୋଇ ଆମକୁ ଏ ଘରଟି ପୁରସ୍କାର ସ୍ଵରୂପ ଛାଡ଼ି ଦେଇଛି ।”

 

ରାଜାପୁଅ ସେ ମାଲିଆଣୀକି ତା’ ବାପା, ବୋଉ ଓ ବଡ଼ବାପାଙ୍କ କଥା ସବୁ ଶୁଣେଇଲା-

‘ତମର ବାପା-ବଡ଼ବାପାମାନେ ବୋଧହୁଏ ଏଠି ପଥର ହେଇ ପଡ଼ିରହିଛନ୍ତି ଏବଂ ତମ ବୋଉ ବୋଧ ହୁଏସେ ଦୋମହଲା ଉପରେ ଅଛି । ମୁଁ ତମକୁ ସାହାଯ୍ୟ କରିବି; କାରଣ ଏ ଯାଦୁକର ବଡ଼ ବଦମାସ । ତମେ ଗୋଟିଏ ବାଳିକା ବେଶ ପିନ୍ଧ । ଯାଦୁକର ପଚାରିଲେ, ତମେ କହିବ, ‘‘ମୁଁ ହେଉଛି ମାଲିଆଣୀର ବଡ଼ଝିଅ ।’’ ସେ ଏହା ଶୁଣିଲେ ତମକୁ ଆଉ ପଥର କରିବନି ।

ରାଜାପୁଅ ସେହିଭଳି କଲା । କିଛିଦିନ ଗଲା ଉତ୍ତାରୁ ସେ ସେହି ଯାଦୁକରକୁ ଭେଟିଲା-। ଯାଦୁକର ପଚାରିଲା, ତୁ କିଏ ? ତୁ ଏଠି ମୋ ବଗିଚାରେ କଣ କରୁଛୁ ?’

‘ମୁଁ ହେଉଛି ଏ ମାଳୀର ବଡ଼ଝିଅ । ମୁଁ ଏଠି ମୋ ବାପାମାଆଙ୍କ ସାଙ୍ଗରେ ରହିଛି ।’ –ରାଜାପୁଅ ଉତ୍ତର ଦେଲା ।

‘ତମେ ତ ବେଶ ଭଲ ଝିଅଟିଏ–ଯାଦୁକର କହିଲା । ‘ସେଠି ମୋ ଘରର ଉପର ମହଲାରେ ଜଣେ ସୁନ୍ଦରୀ ସ୍ତ୍ରୀ ଅଛି । ପ୍ରତିଦିନ ସକାଳୁ ମୁଁ ତାକୁ କିଛି ଫୁଲଦେଇ କହେ, ‘ତମେ ମତେ ବିବାହ କରିବ ?’ ସେ ବରାବର କହେ, “ନା” । ଏହା କହି ସେ ଫୁଲଗୁଡ଼ିକ ଫୋପାଡ଼ି ଦିଏ-। କାଲି ତମେ ମୋ ପାଇଁ ଫୁଲନେଇ ଯିବ । ମୋର ଆଶା, ସେ ତମକୁ ଦେଖିଲେ ଫୁଲଗୁଡ଼ିକ ବୋଧହୁଏ ଫୋପାଡ଼ି ଦେବ ନି ।’

ତା’ ପରଦିନ ସକାଳୁ ଯାଦୁକର କିଛି ଫୁଲଦେଇ କହିଲା, ‘ଏଗୁଡ଼ିକୁ ନେଇଯାଅ, ସେ ସୁନ୍ଦରୀ ଯୁବରାଜ୍ଞୀଙ୍କୁ ଦେଇଦବ ।’

ରଜାପୁଅ ପଥର ପାହାଚରେ ଚିଢ଼ି ଚଢ଼ି ଦୋମହଲା ଉପରକୁ ଗଲା । ସେ ତା ହାତରେ ଗୋଟିଏ ମୁଦି ନାଇଥିଲା । ସେଇଟି ହେଉଛି ତା’ ବାପାର ରାଣୀ ସେଇଟିକୁ ଦେଖି ହଠାତ୍ ପଚାରିଲେ, ‘ତୁ କିଏ ? ଏ ମୁଦି କେଉଁଠୁ ଆଣିଲୁ ?’

‘ତମେ ଏହାକୁ ତମର ସ୍ଵାମୀଙ୍କୁ ଦେଇଥିଲ’–ଛଦ୍ମବେଶୀ ମାଳୀଝିଅ ଉତ୍ତର ଦେଲା । ମୁଁ କେବଳ ଗୋଟିଏ ବାଳିକାର ପୋଷାକ ପିନ୍ଧଛି; ମାତ୍ର ପ୍ରକୃତରେ ମୁଁ ହେଉଛି ତମର ପୁଅ ।’

ରାଣୀ ତାଙ୍କ ପୁଅକୁ ଦେଖି ଭାରି ଖୁସିହେଲେ । ମାତ୍ର ଅଳ୍ପ ସମୟ ପରେ ସେ ଭୟଭୀତ ହୋଇ କହିଲେ, ‘ତୁ ଶୀଘ୍ର ଏଠୁ ପଳା । ଯାଦୁକର ଜାଣିଲେ ନିଶ୍ଚୟ ତତେ ପଥର କରିଦେବ ।’

ମୁଁ ତମକୁ ଏଠୁ ନ ମୁକୁଳାଇବା ଯାଏ ଆଦୁ ଯିବି ନି । ମୋ ବାପ-ବଡ଼ବାପାମାନଙ୍କୁ ମଧ୍ୟ ମୁକୁଳାଇବି । ମୁଁ ଗୋଟିଏ ଉପାୟ ସ୍ଥିର କରିଛି ; କାଲି ମୁଁ ତୁମକୁ ସେ କଥା କହିବି ।’ –ରାଜାପୁଅ କହିଲା ।

ତା’ ପରଦିନ ରାଜପୁତ୍ର ଯାଦୁକର ଠାରୁ ଆଉ କିଛି ଅଧିକ ଫୁଲ ଘେନି ଆସିଲା । ସେ କହିଲା, ‘ମୁଁ ଏହା ହିଁ ସ୍ଥିର କରିଛି । ତମେ କହିବ ଯେ ମୁଁ ତମକୁ ଏଇ ତିନି ମାସ ମଧ୍ୟରେ ତ ବିବାହ କରିବି । ମୋର ଏକ ବ୍ରତ ଅଛି । ତାହା ପୂରଣ ହେଉ ।’ ଏହି ସମୟ ମଧ୍ୟରେ ସେ ତମ ନିକଟକୁ ନିଶ୍ଚୟ କେତେଥର ଆସିବ । ତମେ ତା’ ସାଙ୍ଗରେ କଥାବାର୍ତ୍ତା କରି ତାର କୁହୁକ ଓ ମନ୍ତ୍ରବଳର ଗୁପ୍ତରହସ୍ୟ ଜାଣିବାକୁ ଚେଷ୍ଟା କରିବ ।’

 

ତା’ ପରଦିନ ଯାଦୁକର ରାଣୀ ନିକଟକୁ ଆସି କହିଲା, ‘ଆଚ୍ଛା, ତମେ ମତେ ବିବାହ କରିବ ?’

 

‘ହଁ, ମୁଁ ତମକୁ ଏଇ ତିନି ମାସ ମଧ୍ୟରେ ବିବାହ କରିବି ।’ –ସେ ଉତ୍ତର ଦେଲା ।

 

ଏ କଥା ଶୁଣି ଯାଦୁକର ଭାରି ଖୁସି ହୋଇଗଲା ଏବଂ ସେହିଦିନଠାରୁ ତାଙ୍କ ନିକଟକୁ ଦିନ ଦିନ ଆସିଲା । ରାଣୀ ଦିନେ ଯାଦୁକରକୁ ପଚାରିଲେ, ‘ଆଚ୍ଛା, ମତେ କହିଲେ–ଆପଣଙ୍କର ଜୀବନ-ରହସ୍ୟ କ’ଣ ? ଆଉ ଏ କୁହୁକର ଗୁପ୍ତତଥ୍ୟ ବା କ’ଣ ? କାରଣ ମୁଁ ତ ଅଳ୍ପଦିନେ ବିବାହ କରିବାକୁ ଯାଉଛି । ମତେ ଆଉ ଲୁଚାଇ ଲାଭ କ’ଣ ?

 

‘ତାହା ସତ ।’ ସେ କହିଲା । ତେବେ ଶୁଣ; ମୋର ମନ୍ତ୍ରବଳ ଗୋଟିଏ ଶୁଆଠେଇଁ । ସେଇଟି ଥିଲେ ମୁଁ ସବୁକିଛି କରିପାରେ । କିନ୍ତୁ ସେଇଟି ମୋ ହାତରୁ ଗଲେ ମୋ ମନ୍ତ୍ରଶକ୍ତି ଆଉ କାଟୁ କରେ ନା ।

 

‘ସେ ଶୁଆଟି କେଉଁଠି ଅଛି ?' –ରାଣୀ ପଚାରିଲେ ।

 

ଏଇ ବଣ ମଝିରେ ଛଅଟି ପାଣି ମାଠିଆ ଗୋଟିକ ପରେ ଗୋଟିଏ ରଖାଯାଇଛି । ଶେଷ ମାଠିଆତଳେ ଗୋଟିଏ ସୁନାପଞ୍ଜୁରି ଅଛି । ତାରି ଭିତରେ ମୋର ଆୟୁଷ ଓ କୁହୁକ ଶୁଆଟି ଅଛି ।

 

‘ତାକୁ ଜଗୁଛି କିଏ ?’ –ରାଣୀ ପଚାରିଲେ ।

 

‘ମୋର ଚାକରମାନେ’–ସେ କହିଲା । ସେମାନେ ଗଛଭଳି ଦେଖା ଯାଆନ୍ତି । ସେମାନେ ତାଙ୍କ ଡାଳ ମେଲି ଲୋକଙ୍କୁ ଧରିନିଅନ୍ତି । ମୁଁ ଆସିବା ଯାଏ ସେମାନେ ସେ ଲୋକମାନଙ୍କୁ ସେଠି ଧରି ରଖିଥାନ୍ତି । ମୁଁ ଆସିଲେ ତାଙ୍କୁ ପଥର କରିଦିଏ । ସେମାନେ ମୋର ସେ ଶୁଆଟିକି ବରାବର ଜଗିଥାନ୍ତି; କେହି ହେଲେ ତାକୁ ମୋ ପାଖରୁ ନେଇଯାଇ ପାରିବ ନି ।

 

ରାଣୀ ତାଙ୍କ ପୁଅ ଆଗରେ ଏ ସମସ୍ତ ଗୁପ୍ତକଥା ପ୍ରକାଶ କଲେ । ରାଜାପୁଅ ବେଶି କିଛି କଥା କହି ସମୟ ନଷ୍ଟ ନ କରି ସିଧାସଳଖ ଚାଲିଲା ବଣ ମଝିକି ।

 

ହଠାତ୍ କେତେକ ଚଢ଼େଇ କେଁ–କଟର କରି ଚିରି ଚିରି ହୋଇ ଉଠିଲେ । ରାଜାପୁଅ ମୁଣ୍ଡଟେକି ଚାହିଁ ଦେଖେ ତ ଗୋଏ ବଡ଼ ସାପ ଗଛ ଉପରେ ବଢ଼ି ଚଢ଼େଇବସା ଆଡ଼କୁ ଯାଉଛି । ସେ ଗୋଟିଏ ପଥର ମାରିବାରୁ ସାପଟି ଆଘାତ ପାଇ ପଳେଇଗଲା ଓ ଚଢ଼େଇ ଛୁଆଗୁଡ଼ିକ ବଞ୍ଚିଗଲେ ।

 

ଚଢ଼େଇ ଛୁଆମାନଙ୍କର ବାପ-ମାଆ ଆସି ରାଜାପୁଅ ପାଖରେ ଛିଡ଼ାହୋଇ ତାଙ୍କୁ ଧନ୍ୟବାଦ ଜଣାଇ କହିଲେ, ‘ଏଇ ସାପଗୁଡ଼ାକ ସେ ବଦମାସ୍ ଯାଦୁକରର । ଆମେ ଏମାନଙ୍କର କିଛି କରି ପାରୁନୁ । ଏ ଆମର ବହୁତ ଛୁଆଙ୍କୁ ଖାଇଲେଣି ।

 

‘ତମେ କ’ଣ ଏ ଯାଦୁକର ବିଷୟରେ କିଛି ଜାଣ ? –ରାଜକୁମାର ପଚାରିଲେ ।

 

ନା; ବେଶି କିଛି ଜାଣିନି । ମାତ୍ର ସେ ଯେଉଁ ବଡ଼ ବଡ଼ ଗଛଗୁଡ଼ାକ ଦେଖୁଛ, ସେ ସବୁ ତାରି ଚାକର । ସେମାନେ ସେଠି ଦିନରାତି ପହରା ଦେଉଛନ୍ତି । ସେମାନେ ତାଙ୍କର ଡାଳ ଲମ୍ବେଇ ଦେଇ ଲୋକଙ୍କୁ ଧରି ନିଅନ୍ତି ।’ –ମାଆ ଚଢ଼େଇଟି କହିଲା ।

 

‘ସେମାନେ ସୁନା ପଞ୍ଜୁରିରେ ଥିବା ଗୋଟିଏ ଶୁଆକୁ ଜଗିଛନ୍ତି ।’ –ବାପା ଚଢ଼େଇ କହିଲା ।

 

“ସେ ସୁନାପଞ୍ଜୁରୀଟି କ’ଣ ଛଅଟି ମାଠିଆ ତଳେ ଅଛି ?’–ରାଜକୁମାର ପଚାରିଲା ।

 

‘ହଁ’; –ମାଆ ଚଢ଼େଇଟି କହିଲା ।

 

‘ମୁଁ ଏଇ ଶୁଆଟିକୁ ହିଁ ଖୋଜୁଛି । ଏ ଯାଦୁକର ହେଉଛି ମୋର ଏବଂ ମୋ ବଂଶର ଏକ ଭୀଷଣ ଶତ୍ରୁ । ସେ ମୋ ମାଆଙ୍କୁ ଗୋଟାଏ ଘରେ ବନ୍ଦୀ କରି ରଖିଛି ଏବଂ ମୋର ବାପା-ବଡ଼ବାପାଙ୍କୁ ଏଇ ବଣରେ ପଥର କରି ପକେଇ ରଖିଛି । ଏଇ ଶୁଆଟି ହେଉଛି ତାର ସବୁ ଶକ୍ତିର ମୂଳ । ମୁଁ ସେଠି ପହଞ୍ଚି ତାକୁ ନେଇପାରିବି ତ ?’

 

‘ଆମେ ତମକୁ ଆମ ପିଠିରେ ବସେଇ ସେଠିକି ନେଇଯିବୁ । ମାତ୍ର ଆମେ ସେଠି ତଳକୁ ଓହ୍ଲାଇ ଭୂଇଁରେ ବସିବୁ ନି । କାରଣ ଗଛଡାଳ ଆମକୁ ଧରିନେବ ।’

 

‘ଆମେ ତଳକୁ ଓହ୍ଲେଇବା ନି’ ରାଜକୁମାର କହିଲା । ମୁଁ ଗୋଟାଏ ଲମ୍ବା ବାଡ଼ି ନେବି ? ସେ ଏହା କହି ପାଖ ଗଛରୁ ଖଣ୍ଡେ ଭଲ ଲମ୍ବାବାଡ଼ି କଟିଲା ।

 

ପକ୍ଷୀ ଯୋଡ଼ିକ ତାଙ୍କ ଡେଣାମେଲି ରାଜକୁମାରକୁ ପିଠିରେ ବସାଇ ଉଡ଼ିଗଲା । ସେ ମା'ଆ ଚଢ଼େଇର ବେକକୁ ବାଁ ହାତରେ କୁଣ୍ଢେଇ ଧରିଲା ଓ ଡାହାଣ ହାତରେ ବାଡ଼ିକୁ ଯାବୁଡ଼ି ଧରିଲା । ସେ ଦୁଇଟି ଭାରି ବଡ଼ ବଡ଼ ଚଢ଼େଇ । ଅକ୍ଳେଶରେ ସେମାନେ ରାଜ ପୁଅକୁ ପିଠିରେ ବସାଇ ଉଡ଼ିଗଲେ ।

 

ସେମାନେ ଉଡ଼ି ଉଡ଼ି ଯାଇ ସେ ମନ୍ତ୍ର-ମାଠିଆ ଥିବା ସ୍ଥାନର ଉପରେ ପହଞ୍ଚିଲେ । ମାତ୍ର ଆକାଶରୁ ତଳକୁ ଓହ୍ଲେଇଲେ ନି । ରାଜକୁମାର ନଇଁପଡ଼ି ସେ ବାଡ଼ି ସାହାଯ୍ୟରେ ଗୋଟାକ ପରେ ଗୋଟିଏ ମାଠିଆ ଗଡ଼େଇ ପକେଇଲେ । ଶେଷରେ ସେ ପିଞ୍ଜରାଟିକୁ ଉଠେଇ ନେଇ କହିଲେ, ‘ଏବେ ମତେ ମଳୀର ବଗିଚାକୁ ନେଇଚାଲ ।’ ସେମାନେ ତାକୁ ସେଠିକି ନେଇଗଲେ ।

 

‘ଆମେ ଆଉ କିଛି ଆପଣଙ୍କୁ ସାହାଯ୍ୟ କରିବୁ କି ?’ ସେ ଚଢ଼େଇ ଦୁଇଟି ପଚାରିଲେ ।

 

‘ନା, ଏଥିପାଇଁ ତୁମକୁ ଧନ୍ୟବାଦ ।’ –ରାଜକୁମାର କହିଲା । ତମେ ମତେ ଯେତିକି ସାହାଯ୍ୟ କରିଛ ସେଥିପାଇଁ ମୁଁ ତୁମ ନିକଟରେ ଋଣୀ । ସେ ଚଢ଼େଇ ଦୁଇଟି ତା ପରେ ସେଠୁ ଚାଲିଗଲେ । ଏଥର ରାଜକୁମାର ତା’ ହାତରେ ଶୁଆଟିକୁ ଧରି ଯାଇ ବସିଲା, ଯାଦୁକର ଘର ଦୁଆର ମୁହଁରେ ।

 

ଏହା ଦେଖି ଯାଦୁକର ଗର୍ଜି ଉଠି ପାଟିକଲା, ମତେ ସେ ଶୁଆଟା । ଦେଇ ଦେ ! ନଚେତ୍: …..

 

‘ଚୁପକର’–ରାଜକୁମାର କହିଲା । ମୋ ପାଖକୁ ଆଉ ପାଦେ ଆସିଲେ ମୁଁ ଏ ଶୁଆ ତଣ୍ଟି ଚିପିଦେବି । ଏ କଥା ଶୁଣି ଯାଦୁକର ସ୍ତମ୍ଭୀଭୂତ ହୋଇଗଲା ।

 

‘ଏଥର ତୁ ମୋ ମାଆଙ୍କୁ ମୁକୁଳାଇ ଦେ ଏବଂ ଏସବୁ ପଥରକୁ ମଣିଷ କରି ଦେ । ନଚେତ୍ ମୁଁ ଏ ଶୁଆଟିକୁ ମାରି ପକେଇବି ।’

 

ଯାଦୁକର କିଂକର୍ତ୍ତବ୍ୟବିମୁଢ଼ ହୋଇ ତା କଥା ମାନିଲା । ସେ ଗୁଣୁ ଗୁଣୁ ହୋଇ ନିଜେ ନିଜେ କ’ଣ ମନ୍ତ୍ର ପଢ଼ିଲା । ରାଜକୁମାର ସେ ଯାଦୁକରର ପ୍ରାସାଦରୁ ବାହାରକୁ ଚାଲି ଆସୁ ଆସୁ ସେଠାରେ ପଡ଼ିଥିବା ସମସ୍ତ ପଥର ପୂର୍ବପରି ପୁଣି ମଣିଷ ପାଲଟିଗଲେ ।

 

ସାନରାଣୀ ଏଥର ତାଙ୍କ ସ୍ଵାମୀ ଏବଂ ଅନ୍ୟାନ୍ୟ ଲୋକମାନଙ୍କୁ ଦେଖି ଖୁସି ହୋଇଗଲେ । ରାଜକୁମାର ସେଠି ବସି ଦେଖିଲା ଯେ, ତାଙ୍କର ସମସ୍ତ ଲୋକବାକ ବେଶ୍‍ ଆନନ୍ଦିତ ଦେଖାଯାଉଛନ୍ତି । କୌଣସିଠାରେ ଆଉ ଖଣ୍ଡିଏ ହେଲେ ବା ପଥର ମଣିଷ ହେବାକୁ ବାକି ନାହିଁ ।

 

ସେ ଆନନ୍ଦରେ ଏତେ ବିଭୋର ହେଇଗଲା ଯେ, ଶୁଆଟିକୁ ଧରି ରଖିବାକୁ ତାର ମନେନାହିଁ । ଏତିକିବେଳେ ଶୁଆଟି ତା’ ହାତରୁ ଖସି ଉଡ଼ିଗଲା ।

 

ଯାଦୁକର ଖୁବ୍ ରାଗିଯାଇ ରାଜାପୁଅ ଆଡ଼କୁ ଦୌଡ଼ିଲା । ଖଚଡ଼ା ପିଲାଟା ! ଶୁଆ ତ ଉଡ଼ିଗଲା । ମୁଁ ଆଉ କ’ଣ କରିବି ? ମୋ କୁହକ ଶକ୍ତି ତ ଗଲା–ସେ କହିଲା ।

 

‘ଆମେ ଭାରି ଖୁସି ! ଆମେ ଭାରି ଖୁସି ! ‘ସମସ୍ତେ ଚିତ୍କାର କରି ଉଠିଲେ । ରାଜକୁମାରଙ୍କର ମଙ୍ଗଳ ହେଉ । ସେ ଆମମାନଙ୍କୁ ମୁକ୍ତ କରି ବଞ୍ଚାଇଲେ । ସେ ବଦମାସ ଯାଦୁକରର ଦର୍ପ ଚୂର୍ଣ୍ଣକଲେ । ଈଶ୍ୱର ତାଙ୍କୁ ଦୀର୍ଘଜୀବୀ କରନ୍ତୁ ।

 

ଏହା ପରେ ସମସ୍ତେ ମନଖୁସୀରେ ରାଜ୍ୟକୁ ବାହୁଡ଼ିଲେ ।

★★★

 

ଆମେରିକା

ମତ୍ସ୍ୟ କୁମାରୀ

 

ନୀଳ-ସମୁଦ୍ରର ଅକାତକାତ ପାଣି ତଳେ ମତ୍ସ୍ୟରାଜାଙ୍କ ରାଇଜ । ସେ ରାଇଜରେ ଖାଲି ବାଲି ପାଣି ନ ଥାଏ । ଆମରି ଏ ପୃଥିବୀ ଭଳି ସେଠି ମଧ୍ୟ ଘରଦ୍ଵାର, ଫୁଲ-ଫଳ, ବାଗ-ବଗିଚା ଅଛି । ବଡ଼ ବଡ଼ ଜନ୍ତୁଜନ୍ତା ବି ଅଛନ୍ତି ।

 

ସେହି ସମୁଦ୍ରର ସାତ ତାଳ ପାଣି ତଳେ ଏକ ଶଙ୍ଖମଲମଲ ପଥର ନିର୍ମିତ ପ୍ରାସାଦରେ ମତ୍ସ୍ୟରାଜା ରହନ୍ତି । ତାଙ୍କ ଉଆସର କାନ୍ଥ ବାଡ଼ରେ ଦାମିକା ମଣି-ମୁକ୍ତା ଯଡ଼ୋଉ ହେଇଥାଏ । ବାଡ଼ି ବଗିଚାରେ ନାନା ଜାତିର ଫୁଲଫଳ ଲୋଟୁଥାଏ । ନାନାଜାତି ପକ୍ଷୀ ଗୀତ ଗାଉଥାନ୍ତି । ଯେ କେହି ସେ ରାଇଜ ଥରେ ଦେଖିବ, ସେ ଆଉ ସେଠୁ ଫେରି ଆସିବାକୁ ମନ କରିବ ନି ।

 

ମତ୍ସ୍ୟ ରାଜାଙ୍କର ଛ ଝିଅ । ପିଲାବେଳୁ ସେମାନେ ମାଆ ଛେଉଣ୍ଡ । ସେମାନଙ୍କୁ ତାଙ୍କ ସାଆନ୍ତ ମାଆ ଲାଳନ-ପାଳନ କରେ ।

 

ସେ ମତ୍ସ୍ୟ–ରାଇଜର ଲୋକ ଦେଖିବାକୁ ସ୍ଵର୍ଗ ଅପସରୀ ଭଳି ଦିବ୍ୟ ସୁନ୍ଦର ରୂପ । ହେଲେ କଣ ହେବ, ତାଙ୍କର ଅଣ୍ଟାଠୁଁ ତଳକୁ ମାଛ ପରି । ଗୋଡ଼ ନାହିଁ ।

 

ରାଜାଙ୍କ ସବା ସାନ ଝିଅକୁ ସମସ୍ତେ ଭାରି ଭଲପାଆନ୍ତି । ସେ ସାଆନ୍ତ ମା’ଠାରୁ ସବୁ ମାଛ ରାଇଜ କଥା ଶୁଣି ଖୁବ୍ ଖୁସୀ ହୁଏ । ମତ୍ସ୍ୟ ରାଇଜ କଥା ଶୁଣି, ତାକୁ ବୁଲିଦେଖି ଆସିବାକୁ ସେ ତା ସାଙ୍ଗରେ ଅଳିକରେ । ଏହା ଶୁଣି, ବୁଢ଼ୀ କହେ–“ତୁ ବଢ଼ିଯାଅ, ତତେ ପନ୍ଦର ବର୍ଷ ହେଇ ଯାଉ ତୁ ଯାଇ ସେ ରାଇଜ ବୁଲି ଦେଖି ଆସିବୁ । ସେଠି ଜହ୍ନ ଆଲୁଅରେ ରାତିରେ ପାହାଡ଼ ଉପରେ ବସି ସବୁ ଦେଖିବୁ ।

 

ବେଳେ ବେଳେ ସବା ସାନଝିଅ ଜ୍ୟୋତ୍ସ୍ନା ତା ଝରକା ପାଖରେ ଆକାଶକୁ ଚାହିଁ ଦେଖେ, ଏ ପୃଥିବୀର ଚନ୍ଦ୍ର ଓ ତାରାଙ୍କୁ । ସେ ସମୁଦ୍ର ପାଣିରେ ମାଟି ଉପରେ ଥିବା ଅନେକ ପଦାର୍ଥର ଛାଇ ଦେଖି ବହୁକଥା ଭାବେ । ତାର ବଡ଼ ଭଉଣୀମାନେ ମଞ୍ଚ ରାଇଜକୁ ଯାଇ ବୁଲିଆସି କହନ୍ତି । ଓହୋ ! କି ସୁନ୍ଦର ରାଇଜ ସେ, ଆମ ରାଇଜଠାରୁ ମଧ୍ୟ ଭଲ । ସେଠି ଅନେକ ଭଲ ମଣିଷ ଓ ଜିନିଷ ଅଛନ୍ତି ।

 

ଏ କଥା ଶୁଣି, ଜ୍ୟୋତ୍ସ୍ନାର ମନହୁଏ ସେ ଯାଇ ଟିକିଏ ସେ ସବୁ ଦେଖି ଆସନ୍ତା; ମାତ୍ର ତାର ପନ୍ଦର ବର୍ଷ ପୂରି ନ ଥାଏ । ସେ ମନମାରି ହେଇ ରହେ ।

 

ଜ୍ୟୋତ୍ସ୍ନାକୁ ଯେମିତି ପନ୍ଦର ବର୍ଷ ପୂରିଯାଇଛି, ସେ ମର୍ତ୍ତ୍ୟଭୁବନକୁ ଆସିଲା । ସୂର୍ଯ୍ୟ ବୁଡ଼ି ଯାଉଥାନ୍ତି, ଆକାଶରେ ତାରା–ଦୀପ ସବୁ, ଜଳି ଉଠୁଥାଏ । ସମୁଦ୍ରର ନୀଳପାଣି ସ୍ଥିର ନିଶ୍ଚଳ ଥାଏ । ଠିକ୍ ଏତିକିବେଳେ ସେ ଆସିଲା ।

 

ସେ ମତ୍ସ୍ୟ–ରାଜପୁରୀରୁ ପାଣି ଉପରକୁ ଆସି ପ୍ରଥମେ ଗୋଟିଏ ବୋଇତ ଦେଖିଲା । ବୋଇତରେ ଜଣେ ରାଜାପୁଅ ବୀଣା ବଜାଉଥାନ୍ତି । କି ସୁନ୍ଦର ଚେହେରା ! ଅପୂର୍ବ ସୁନ୍ଦର ରୂପ ଦେଖିଲେ ଯେ କେହି ମୋହିଯିବ !

 

ଏତିକିବେଳେ ସମୁଦ୍ରରେ ଏକ ଝଡ଼ ଉଠିଲା । ପାଣିସବୁ ଫୁଲି ଉଠିଲା । ଲହଡ଼ି ଧକ୍‍କାରେ ବୋଇତଟି ବୁଡ଼ିଗଲା । ରାଜାପୁଅ ବୁଡ଼ିଯିବା ଦେଖି ଜ୍ୟୋତ୍ସ୍ନା ମନେ ମନେ ଖୁସିହେଲା-। ଭାବିଲା ରାଜା ପୁଅ ନିଶ୍ଚୟ ଏଥର ଆମ ରାଇଜରେ ପହଞ୍ଚିବେ । ମୁଁ ଯାଇ ତାଙ୍କୁ ଭେଟିବି । ପୁଣି ଭବିଲା, ମଣିଷ କ’ଣ ପାଣିରେ ବଞ୍ଚିବେ ? ରାଜାପୁଅକୁ ସେ ପାଣି ଉପର ବାଲିକୁ ଆଣିଲା-

 

ବାଲିରେ ଶୁଆଇ ଦେଇ ସେ ପାଣିରେ ପହଁରି ପହଁରି ଦେଖୁଥାଏ ଜଣେ ସ୍ତ୍ରୀ ଲୋକ ଆସି ରାଜାପୁଅକୁ ଚେତା କରାଇଲା । ରାଜାପୁଅ ଆଖି ଖୋଲି ଚାହିଁଲା । ମାତ୍ର ସେ ଜ୍ୟୋତ୍ସ୍ନାକୁ ନ ଅନେଇବାରୁ ସେ ମନଦୁଃଖରେ ତାଙ୍କ ନିଜ ରାଇଜକୁ ଫେରିଗଲା ।

 

ତାକୁ ତାର ପାଞ୍ଚ ଭଉଣୀ ଓ ସାଙ୍ଗସାଥିମାନେ ମାଟି ଉପର କଥା ପଚାରିଲେ । ସେ କିନ୍ତୁ କିଛି କହିଲା ନି । ସେ ଅନେକ ଥର ରାଜାପୁଅକୁ ଭେଟିବା ଆଶାରେ ମଞ୍ଚ ରାଇଜକୁ ଆସେ, ମାତ୍ର ତାଙ୍କର ଭେଟ ପାଏ ନି । ଦିନେ ସେ ତାର ଜଣେ ସାଙ୍ଗକୁ ତା' ମନକଥା କହିବାରୁ ସେ ରାଜାପୁଅ ରହୁଥିବା କୋଠାଘରଟି ତାକୁ ଚିହ୍ନାଇଦେଲା । ସେଦିନ ଲୁଚି ଲୁଚି ରାଜାପୁଅକୁ ଦେଖି ତା ମନ ଆନନ୍ଦରେ ନାଚିଉଠେ ।

 

ଦିନ ସେ ବୁଢ଼ୀକୁ ପଚାରିଲା ‘ମାଆ, ମଣିଷ କ’ଣ ଅମର ? ବୁଢ଼ୀ କହିଲା, ‘ମଣିଷ ତ ଶୀଘ୍ର ମରି ଯାଆନ୍ତି । ଆମେ ସିନା ତିନିଶ ବରଷ ବଞ୍ଚୁ, ସେମାନେ କିନ୍ତୁ ଏତେଦିନ ବଞ୍ଚନ୍ତି ନାହିଁ ।’

 

ସେ କହିଲା, ‘ମାଆ, ମୁଁ ଦିନକ ପାଇଁ ମଣିଷ ହେଇ ପାରନ୍ତି ନି ?’

 

ଦିନେ ସେ ତା ଘରେ ବସି ରାଜକୁମାର କଥା ଭାବୁଛି; ଏତିକିବଳେ ବୀଣା ଶବ୍ଦ ଶୁଭିଲା-। ସେ ଜାଣିଲା; ରାଜାପୁଅ ସମୁଦ୍ରରେ ବୁଲିବାକୁ ଆସିଛି । ସେ କେମିତି ରାଜାପୁଅ ମନକୁ ଜିଣି ପାରିବ ଏଥିପାଇଁ ତାର କୁହୁକିନୀ ସାଙ୍ଗକୁ କହିଲା । ସେ କହିଲା, ଛି ତୁ ମାଛ ବଦଳରେ ମଣିଷ ହେବାକୁ ବସିଛୁ ? ତୁ ପୂରା ମଣିଷ ହେବାକୁ ହେଲେ ତତେ ଗୋଟିଏ କଥା କରିବାକୁ ପଡ଼ିବ-। ମାତ୍ର ଚାଲିଲେ ତୋ ପାଦକୁ କାଟିବ ।

 

ଜ୍ୟୋତ୍ସ୍ନା କହିଲା, ‘ମୁଁ ସେଥିପାଇଁ ପ୍ରସ୍ତୁତ ଅଛି । ତମେ ମତେ ଶୀଘ୍ର ମଣିଷ କରି ଦିଅ ନା !’

 

କୁହୁକିନି କହିଲା, ‘ତୁ ଥରେ ମଣିଷ ହେଲେ, ଆଉ ଶତଚେଷ୍ଟା କଲେ ବି ମାଛ ହେଇ ପାରିବୁ ନି । ତୁ ରାଜାପୁଅକୁ ବିବାହ ହେଲେ, ସେତେବେଳେ ତାଙ୍କର ବିଭାଘର ଦେଖି ତୋ ଛାତି ଫାଟିଯିବ । ତୁ ଏଇ ସମୁଦ୍ର ପାଣିରେ ମିଶିଯିବୁ ।’

 

ସେ ଏଥିରେ ରାଜି ହେଲା । କୁହୁକିନୀ ସାଙ୍ଗ ଜ୍ୟୋତ୍ସ୍ନାକୁ ତାର ଗଳାସ୍ଵର ମାଗିଲା ।

 

ସେ କହିଲା, ମୋର ସ୍ୱର ତ ତୁ କାଢ଼ିନବୁ । ମୋର ଆଉ କଣ ରହିବ ?’

 

କୁହୁକିନୀ କହିଲା, ‘ତୋର ସୁନ୍ଦର ମୁହଁ ଓ ନୀଳ ନୀଳ ଆଖି ଯୋଡ଼ିକ ଦେଖିବାକୁ ଭାରି ସୁନ୍ଦର ।’

 

ସେ ଔଷଧ ଦେବାରୁ ଜ୍ୟୋତ୍ସ୍ନା ପୂରା ମଣିଷ ହେଇଗଲା, କିନ୍ତୁ ତାର ପାଟି ଫିଟିଲାନି । ତାର ଚେତା ଆସିବାରୁ ସେ ଦେଖିଲା, ତା’ ଆଗରେ ରାଜାପୁଅ ବସିଛନ୍ତି । ସେ ପ୍ରଶ୍ନ କଲେ, ‘ତମେ କିଏ ? ଏଠିକି କେମିତି ଆସିଲ ? ତାର କଣ ପାଟି ଫିଟିଛି ଯେ, ସେ କିଛି କହିବ ? ରାଜାପୁଅ ତାକୁ ତାଙ୍କ ନଅରକୁ ନେଇଗଲେ । ନାନା ଆୟ ଅଳଙ୍କାର ଓ ବେଶ–ଭୂଷାରେ ସଜାଇ ଦେଲେ ତାକୁ । ସେ କିନ୍ତୁ ପଦେ ହେଲେ କଥା କହି ପାରୁନି କି ଗୀତ ଗାଇପାରୁନି । ଏଥିପାଇଁ ରାଜାପୁଅଙ୍କ ମନ ଭାରି ଦୁଃଖ । ହେଲେ ସେ ତାକୁ ଅତି ଭଲ ପାଇଲେ । ସମସ୍ତେ ଶୋଇଲେ ମତ୍ସ୍ୟ କୁମାରୀ ନଅରର ଶଙ୍ଖ ମହଲ ପାହାଚ ଉପରେ ଶୋଇପଡ଼େ । ଶୋଇ ସପନ ଦେଖେ ତା’ ନିଜ ବାପା, ସାଆନ୍ତ ମା’ ଓ ଭଉଣୀମାନଙ୍କ କଥା । ଦିନେ ସେ ଦେଖିଲା–ତା’ ଭଉଣୀମାନେ ସମୁଦ୍ର ପାଣି ଉପରକୁ ଆସୁଛନ୍ତି । ମାତ୍ର ସେମାନେ କହି ତାକୁ ଚିହ୍ନି ପାରିଲେ ନି । ତା’ ମନ ଦୁଃଖ ହେଲା-

 

ରାଜାପୁଅ ତାକୁ ଭଲ ପାଇଲେ, ମାତ୍ର ବିବାହ କଲେ ନି । ସେ ଦିନ ତାକୁ କହିଲେ, “ମୁଁ ଥରେ ଠିକ୍ ତମରି ପରି ଝିଅଟିଏ ଦେଖିଥିଲି ସେ ମତେ ପାଣିରେ ବୁଡ଼ି ଯାଉଥିବାବେଳେ ଉଦ୍ଧାର କରିଥିଲା । ତାର ଅଣ୍ଟାଠୁ ଗୋଡ଼ଯାଏ କିନ୍ତୁ ମାଛ ପରି । ତାକୁ କ’ଣ ମୁଁ ଆଉ ଦେଖିପାରିବି ନି ? ’

 

ଜ୍ୟୋତ୍ସ୍ନା ଭାବିଲା ସେ କହନ୍ତା, ‘ମୁଁ ସେଇ ଝିଅ । କିନ୍ତୁ ତାର ପାଟି ଫିଟୁନି ।

 

ଦିନେ ଖୁବ୍ ଜାକଜମକରେ ରାଜକୁମାରଙ୍କ ବିବାହ ଆୟୋଜନ ହେଲା । ସେ ଭାବିଲା, ଏଥର ମୋ ସମୟ ଆସିଗଲା । ସେ ମନ କଷ୍ଟରେ ଖୁବ୍ କାନ୍ଦିଲା ।

 

ସକାଳ ହେବାକ୍ଷଣି ଜ୍ୟୋତ୍ସ୍ନା ମରିଯିବ–ଏ କଥା ଭାବି ତା’ ହଲକ ଶୁଖିଗଲା । ଏତିକିବେଳେ ତାର ପାଞ୍ଚ ଭଉଣୀଯାକ ସମୁଦ୍ର ପାଣି ଉପରକୁ ଆସି ତାକୁ କହିଲେ, ତତେ ବଞ୍ଚାଇବା ପାଇଁ ଆମେ କୁହୁକିନୀ ସାଙ୍ଗକୁ ତୋର ସୁନ୍ଦର ସୁନେଲି ବାଳତକ ଦେଇ ଦେଇଛୁ । ସେ ଆମକୁ ଏଇ ଛୁରୀ ଦେଇଛି । ତୁ ସୂର୍ଯ୍ୟ ଉଇଁବା ପୂର୍ବରୁ ରାଜାପୁଅକୁ ମାରିଦେଲେ ପୁଣି ମତ୍ସ-କୁମାରୀ ହେଇଯିବୁ । ଯାଅ, ରାଜାପୁଅକୁ ମାରି ଆମ ରାଇଜକୁ ଫେରିଆସ । ସେମାନେ ଛୁରୀ ଦେଇ ପାଣି ଭିତରେ ଉଭେଇଗଲେ ।

 

ଜ୍ୟୋତ୍ସ୍ନା ରାଜାପୁଅକୁ ମାରିବାକୁ ଗଲା । ଥରେ ତାଙ୍କ ମୁହଁକୁ ଚାହିଁଲା ଓ ଥରେ ଛୁରୀ କୁ । ରାଜକୁମାରଙ୍କୁ ମାରିବାକୁ ତାର ହାତ ଚଳିଲାନି । ସେ କ’ଣ ଭାବି ସମୁଦ୍ର ମଧ୍ୟକୁ ଛୁରୀଟି ପକାଇଦେଲା ।

 

ସୂର୍ଯ୍ୟ ସମୁଦ୍ର ଭିତରୁ ଉଠି ଆସୁଥା’ନ୍ତି । ଜ୍ୟୋତ୍ସ୍ନା ଶେଷଥର ପାଇଁ ରାଜାପୁଅକୁ ଚାହିଁଲା-। ଦେଖୁ ଦେଖୁ ସମୁଦ୍ର ଢେଉ ମାଡ଼ିଆସି ତାକୁ ନୀଳ ଜଳ-ତରଙ୍ଗରେ ମିଶାଇଦେଲା ।

★★★

 

ତୁର୍କୀ

କୁହୁକ ଅଇନା

 

ଜଣେ ରାଜା ଥିଲେ । ତାଙ୍କର ତିନୋଟି ପୁଅ । ଯେତେବେଳେ ରାଜପୁତ୍ରମାନେ ବଡ଼ ହୋଇଗଲେ, ସେତେବେଳେ ରାଜା ଥରେ ଏକ ଶକ୍ତ ବେମାର ପଡ଼ିଲେ । ତାଙ୍କ ଆଖିକୁ କିଛି ଦେଖାଗଲା ନି । ଦେଶର ବିଜ୍ଞବ୍ୟକ୍ତି, ଡାକ୍ତର, ବୈଦ୍ୟମାନେ କହିଲେ–ରାଜାଙ୍କର ରୋଗ ଭଲ ହେବାକୁ କେବଳ ମାତ୍ର ଗୋଟିଏ ଉପାୟ ଅଛି । ତାହା ହେଉଛି, ଏକ ଅଭୁତ ଦୁଷ୍ପ୍ରାପ୍ୟ ମତ୍ସ୍ୟରୁ ପ୍ରସ୍ତୁତ ଔଷଧ । ଦେଶର ସବୁଠାରୁ ଜ୍ଞାନୀ ଲୋକେ ସେ ମାଛର ଏକ ଚିତ୍ର ଅଙ୍କନ କରି ରାଜପୁତ୍ରଙ୍କୁ ଦେଖାଇଲେ । ବାସ୍ତବିକ୍ ଏହା ଏକ ଅଦ୍ଭୁତ ଓ ବିଚିତ୍ର ମାଛ ! ଏହାକୁ ପୂର୍ବରୁ କେବେ ରାଜପୁତ୍ର ଦେଖି ନ ଥିଲେ ।

 

ଯାହାହେଉ, ତିନି ଜଣଯାକ ରାଜକୁମାର ଏହି ମତ୍ସ୍ୟର ଅନୁସନ୍ଧାନରେ ବାହାରି ଗଲେ । ବଡ଼ଭାଇ ଉତ୍ତର ଦିଗକୁ ଏବଂ ମଝିଆ ଭାଇ ପଶ୍ଚିମ ଦିଗକୁ ଗଲେ । ସେମାନେ ସମସ୍ତ ନଦୀ ସମୁଦ୍ର ଖୋଜି ଖୋଜି ବି ସେ ଅଦ୍ଭୁତ ମାଛଟିକୁ ପାଇଲେ ନି । ଫଳରେ ମନଦୁଃଖରେ ଘରକୁ ଫେରିଲେ ।

 

ସବା ସାନଭାଇ ‘ଆଲୀ’ ତାର ଜଣେ ସାଥିଙ୍କୁ ସାଙ୍ଗରେ ନେଇ ଦକ୍ଷିଣ ଦିଗକୁ ବାହାରିଲା । ସେମାନେ ତାଙ୍କ ନିଜ ଦେଶ ଠାରୁ ଅନେକ ଦୂରକୁ ଚାଲିଗଲେ । ଆଲୀ ବଡ଼ ଚତୁର । ସେ ତା ସାଙ୍ଗକୁ କହିଲା, ‘ଦେଖ, ଆମେ ଏ ସମୁଦ୍ରରେ ଥିବା ସବୁ ମାଛଙ୍କୁ ଖଇବାକୁ ଦେବା । ସେମାନଙ୍କୁ ରୁଟି, ପିଠା ପ୍ରଭୃତି ଦେଲେ ହୁଏତ ସେମାନେ ଆମକୁ ସାହାଯ୍ୟ କରିପାରନ୍ତି । ସେ ପାଉଁରୁଟି ଓ ପିଠାସବୁ ଖଣ୍ଡ ଖଣ୍ଡ କରି ସମୁଦ୍ରକୁ ପକାଇଲା । ମାଛସବୁ ଆସି ପିଠା ଖାଇଲେ ଓ ପରସ୍ପର କଥାବାର୍ତ୍ତା ହେଲେ, ‘ଚାଲ; ଆମେ ଏ ଯୁବକଙ୍କୁ ସାହାଯ୍ୟ କରିବା, କାରଣ ସେ ଆମମାନଙ୍କୁ ଭାରି ଦୟା ଦେଖାଇଛନ୍ତି ।

 

ଏଥର ଆଲୀ ସମୁଦ୍ରରେ ଏ ଜାଲ ପକାଇବାକ୍ଷଣି ସେହି ଅଦ୍ଭୁତ ମାଛଟିକୁ ଧରିଲା । ଆନନ୍ଦରେ ଅଧୀର ହେଇ ସେ ମାଛଟିକୁ ମୁଣିରେ ପୂରାଇ ତା’ ସାଙ୍ଗ ସହ ଘରକୁ ଫେରିଲା । କିଛି ବାଟ ଯିବା ପରେ, ଆଲୀ ଶୁଣିଲା, ‘ହେ ରାଜକୁମାର, ମୁଁ ମରିଗଲି ।’ ସେ ଏହା ଶୁଣି ବିସ୍ମିତ ହୋଇ ଚାରିଆଡ଼କୁ ଚାହିଁଲା । ମାତ୍ର କିଛି ବୁଝିପାରିଲା ନି । ପରେ ସେ ଜାଣିଲା ଯେ, ସେ ମାଛଟି ଏମିତି କହୁଛି । ସେ ମୁଣିଟି ଫିଟେଇ କହିଲା, ଆଚ୍ଛା, ମାଛ ! ତୁ କ’ଣ ଚାହୁଁ ?

 

ମାଛ କହିଲା, ‘ମତେ ତମେ ପାଣିରେ ଛାଡ଼ିଦିଅ । ମୁଁ ଅଣନିଶ୍ୱାସୀ ହୋଇଗଲିଣି । ଦିନେହେଲେ ତମେ ମତେ ପୁଣି ଖୋଜିବ ଓ ମୁଁ ତମକୁ ସେତେବେଳେ ସାହାଯ୍ୟ କରିବି ।’

 

ତେଣୁ ଆଲୀ ମାଛଟିକୁ ପୁଣି ସମୁଦ୍ରରେ ଛାଡ଼ିଦେଲା ଓ ତା’ ସାଙ୍ଗକୁ କହିଲା, ‘ମୁଁ ଆଶା କରୁଛି, ତମେ ଏ କଥା ମୋ ବାପାଙ୍କୁ କହିବ ନି ।’ ତତ୍‍ପରେ ସେମାନେ ରାଜବାଟୀକୁ ଫେରିଗଲେ ଏବଂ ଆଲୀ ରାଜାଙ୍କୁ କହିଲା ଯେ , ସେ ନିର୍ଦ୍ଦିଷ୍ଟ ମାଛଟିକୁ ପାଇଲା ନି ।

 

କିଛିଦିନ ବିତିଗଲା । ଭାଗ୍ୟକୁ ଜଣେ ଡାକ୍ତରଙ୍କଦ୍ଵାରା ରାଜାଙ୍କ ଆଖି ଭଲ ହେଲା । ଏହା ଦେଖି ସମସ୍ତେ ଆନନ୍ଦିତ ହେଲେ । ହଠାତ୍ ଦିନେ ଆଲୀର ତା’ ବନ୍ଧୁ ସହ କଜିଆ ଲାଗିଲା । ସେ ବନ୍ଧୁଟି ରାଜାଙ୍କ ଆଗରେ ସବୁ କଥା କହିଦେଲା । ରାଜା ଏ କଥା ଶୁଣି ରାଗି ପଞ୍ଚମ !

 

‘ଏ କଥା ସତ ଯେ ମୁଁ ଏବେ ମୋର ଦୃଷ୍ଟିଶକ୍ତି ଫେରିପାଇଛି ଓ ଭାଗ୍ୟକୁ ମୋର ଆଖିବି ଭଲହେଇ ଯାଇଛି ।’ ସେ ଆଲୀକୁ କହିଲେ । ‘କିନ୍ତୁ ତୁ ସେ ମାଛଟିକୁ ଆଣି ଦେଇଥିଲେ ବହୁଦିନ ଆଗରୁ ଭଲହେଇ ସାରନ୍ତିଣି ।’ ଏହା କହି ସେ ତାଙ୍କର ସୈନ୍ୟମାନଙ୍କୁ, ଆଲୀକୁ ଜଙ୍ଗଲକୁ ନେଇ ହତ୍ୟା କରିବାକୁ ହୁକୁମ ଦେଲେ ।

 

ସୈନ୍ୟଗଣ ଆଲୀକୁ ଧରି ନେଇଗଲେ; ମାତ୍ର ସେ ସେମାନଙ୍କୁ ଅନୁନୟ ବିନୟ କରି ତାକୁ ନ ମାରି ଛାଡ଼ି ଦେବାକୁ ବହୁତ ଅନୁରୋଧ କଲା । ମୁଁ ସବୁଦିନ ପାଇଁ ଏ ରାଜ୍ୟ ଛାଡ଼ି ଚାଲି ଯିବି । ମୁଁ ପ୍ରତିଜ୍ଞା କରୁଛି, ଆଉ କେବେ ଫେରିବି ନି । ମତେ ଦୟାକରି ଛାଡ଼ିଦିଅ–ସେ କହିଲା ।

 

ସୈନ୍ୟମାନେ ସାନ ରାଜକୁମାରଙ୍କ ସୁନ୍ଦର ଚେହେରା ଓ ବ୍ୟବହାରରେ ମୁଗ୍ଧ ହୋଇଥିଲେ । ପ୍ରକୃତରେ ସେମାନେ ବି ତାଙ୍କ ପାଇଁ ଦୁଃଖିତ ହୋଇଥିଲେ, ସୁତରାଂ ସେମାନେ ତାଙ୍କୁ ନ ମାରି ଛାଡ଼ିଦେଲେ । ଆଲୀ ସେମାନଙ୍କୁ ଧନ୍ୟବାଦ ଦେଇ ଖୁବ୍ ଦୂର ଦେଶକୁ ଯାତ୍ରାକଲା-। ଦିନ ଦିନ ଧରି ସେ ଚାଲିଲା, ଖାଲି ଚାଲିଲା । ଅସରନ୍ତି ବାଟ । ରାତିରେ ଗଛମୂଳେ ରାସ୍ତାକଡ଼ରେ ବିଶ୍ରାମ ନିଏ, ସକାଳୁ ଉଠି ପୁଣି ଚାଲେ । ଲୋକଙ୍କଠାରୁ ମଧ୍ୟ ସେ ମାଗି ମୁଗି କିଛି ଖାଇବା ଜିନିଷ ଓ ପଇସା ଆଣେ । କାରଣ ତା' ପାଖରେ ଫଟା ପହୁଲାଟାଏ ବି ନ ଥିଲା-

 

ଶେଷରେ ସେ ଆସି ପହଞ୍ଚିଲା ଏକ ଭୀଷଣ ଜଙ୍ଗଲରେ । ସେଠି ସେ ଏକ ହରିଣକୁ ଭେଟିଲା । ବିଚରା ହରିଣଟି ପ୍ରାଣ ବିକଳରେ ବାଣୁଆଁଠୁ ଦୂରକୁ ଦୌଡ଼ି ପଳାଉଥାଏ । ଭାରି କ୍ଲାନ୍ତ ଓ ଅବଶ ହେଇ, ଛାନିଆରେ କୁଦା ମାରୁଥାଏ । ମତେ ରକ୍ଷାକର ! ସେ କହିଲା । ତେଣୁ ଆଲୀ ତା’ ମୁଣ୍ଡ ଉପରେ ହାତ ରଖି ତା ପିଠି ଆଉଁସି ଦେଲା । ସେମାନେ ଉଭୟେ ସେ ଜଙ୍ଗଲ ଭିତର ଆଗେଇ ଚାଲିଲେ । ଅଳ୍ପ ସମୟ ପରେ ସେମାନେ ଶିକାରୀକୁ ଭେଟିଲେ । ଶିକାରୀ ପଚାରିଲା, ତମେ କୁଆଡ଼େ ଏ ହରିଣକୁ ନଉଛ ?

 

‘ଏଇଟିକୁ ଆମ ରାଜା ତମ ରାଜାଙ୍କ ନିକଟକୁ ଭେଟି ଦେଇଛନ୍ତି ।’-ଆଲୀ ଉତ୍ତର ଦେଲା । ମୁଁ ଏହାକୁ ରାଜବାଟୀକୁ ନେଉଛି । ଶିକାରୀ ସେମାନଙ୍କୁ ଛାଡ଼ିଦେଲା । ହରିଣଟି ଯାହା ହେଉ ବଞ୍ଚିଗଲା ।

 

ହରିଣ ଆଲୀକୁ ଧନ୍ୟବାଦ ଦେଇ ବିଦାୟ ନେଲାବେଳେ କହିଲା, ଏମିତି ବେଳ ଆସିବ ଯେତେବେଳେ କି ମୁଁ ବି ତମର ଜୀବନରକ୍ଷା କରିବି ଏହା କହି ସେ ଦୌଡ଼ି ପଳାଇଗଲା ।

 

ଆଲୀ ପୁଣି ଚାଲିଲା । ସଞ୍ଜ ହେଲାରୁ ସେ ଗୋଟିଏ ନଈକୂଳେ ଥକ୍‍କା ମାରି ବସି ପଡ଼ିଲା । ଏତିକିବେଳେ ଗୋଟିଏ ବିଲୁଆ ତା’ ନିକଟକୁ ଦୌଡ଼ି ଆସି କହିଲା, ‘ଦୟାକରି ମତେ ରକ୍ଷା କର । ଯୁବରାଜ ଏବଂ ତାଙ୍କର ସୈନ୍ୟସାମନ୍ତ ମତେ ଧରିବାକୁ ଗୋଡ଼େଇଛନ୍ତି ।’

 

ଆଲୀ ବିଲୁଆ ଉପରକୁ ତାର କୋଟଟି ପକେଇଦେଲା । ଯୁବରାଜ ଓ ସୈନ୍ୟମାନେ ସେଇବାଟେ ଚାଲିଗଲେ; ମାତ୍ର ବିଲୁଆଟିକୁ ଦେଖି ପାରିଲେ ନି । ବିଲୁଆ ଆଲୀକୁ ସାବାସ୍ ସାବାସ୍ କହି, ତା ଠାରୁ ବିଦାୟ ନେଲା ବେଳେ କହିଲା, ‘ତମେ ବିପଦରେ ପଡ଼ିଲାବେଳେ ମୁଁ ନିଶ୍ଚୟ ତମକୁ ସାହାଯ୍ୟ କରିବି ।’ –ଏହା କହିକରି ସେ ଦୌଡ଼ି ପଳେଇଲା ।

 

ଆଲୀ ସେ ରାତିଟି ସେଇଠି କଟେଇଲା । ସକାଳୁ ଉଠି ପୁଣି ସେ ତା’ ବାଟରେ ଆଗେଇଲା । ଜଙ୍ଗଲକୁ ବହୁ ପଛରେ ପକାଇ ସେ ଅନେକ ବାଟ ଆଗେଇ ଯାଇଥିଲା । ଏମିତି ଆଉ କିଛିଦିନ ଚାଲିଚାଲି ସେ ଆସି ପହଞ୍ଚିଲା ଏକ ବଡ଼ ସହରରେ । ସହର ମଝିରେ ସେ ଏକ ଉଆସ ଦେଖିଲା । ଉଆସଟି ଆଇନାରେ ତିଆରି । ସେ ଉଆସ ଚାରିପଟେ କେତେକ ଯୁବକ ଭୂମିରେ ଶୋଇଥିବାର ମଧ୍ୟ ସେ ଦେଖିଲା । ସେମାନଙ୍କ ମଧ୍ୟରୁ କେତେକ ମୃତ ଓ ଆଉ କେତେକ ମଲା ପରି ପଡ଼ି ରହିଥିଲେ ।

 

‘ଘଟଣା କ’ଣ ?’ –ଆଲୀ ‘ରାଜବାଟୀ ଫାଟକ ପାଖରେ ଥିବା ଦରୱାନକୁ ପଚାରିଲା । ‘ଏ ଯୁବକମାନଙ୍କର କ'ଣ ହେଇଛି ?’

 

‘ଏ ଦେଶ ରାଜାଙ୍କର ଗୋଟିଏ ଅପୂର୍ବ ସୁନ୍ଦରୀ କନ୍ୟା ଅଛି ।’ –ଲୋକଟି କହିଲା । ‘ଯିଏ ତାକୁ ଦେଖୁଛି, ତାଙ୍କୁ ବିବାହ କରିବାକୁ ଇଚ୍ଛା କରୁଛି । ମାତ୍ର, ରାଜକୁମାରୀ କହନ୍ତି ଯେ ସେ ତାକୁ-ଇ କେବଳ ବିବାହ କରିବେ, ଯିଏ ତାଙ୍କଠାରୁ ନିଜକୁ ଲୁଚାଇ ରଖିପାରିବ ।’

 

‘‘ନିଶ୍ଚୟ । ଏ ତ ଭାରି ସହଜ ! ନୁହେଁ କି ?’’ ଆଲୀ ପଚାରିଲା ।

 

‘ନା, ଏହା ଏତେ ସହଜ ନୁହେଁ । ବଡ଼ କାଠିକର ପାଠ ।’ –ଲୋକଟି କହିଲା । କାରଣ ରାଜକୁମାରୀଙ୍କ ପାଖରେ ଏକ କୁହୁକ ଆଇନା ଅଛି । ସେ ତାକୁ ଅନେଇଲେ ଲୋକଟି ଯେଉଁଠି ଲୁଚିଲେ ମଧ୍ୟ ଜାଣିପାରିବେ । ଯେଉଁମାନେ ଏ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ନିଜକୁ ଲୁଚେଇ ପାରିଲେ ନି, ସେମାନଙ୍କୁ ରାଜପ୍ରାସାଦ ଉପରୁ ତଳକୁ ଗଡ଼େଇ ପକାଇ ଦିଆ ଯାଉଛି ।’

 

ରାଜକନ୍ୟା ତାଙ୍କ ପ୍ରାସାଦ ଝରକା ଦେଇ ରହୁଥିବାର ଆଲୀ ଦେଖିଲା । ସେ ଏଡ଼େ ସୁନ୍ଦରୀ ଯେ, ଆଲୀ ତାଙ୍କୁ ଦେଖୁ ଦେଖୁ ତାଙ୍କ ରୂପରେ ମୋହିତ ହୋଇଯାଇ ଭଲପାଇ ବସିଲା । ସେ ତାଙ୍କ ନିକଟକୁ ଯାଇ ବିବାହ ହେବାକୁ କହିଲା । ରାଜକୁମାରୀ କହିଲେ, ‘ମୁଁ ତମକୁ କେବଳ ଗୋଟିଏ ସର୍ତ୍ତରେ ବିବାହ କରିପାରେ । ତମେ ମୋ ଠାରୁ ତମ ନିଜକୁ ଲୁଚାଇ ରଖ । ମୁଁ ଯେମିତ ତମକୁ ନ ପାଏଁ ବା ତମେ କେଉଁଠି ଲୁଚିଛ ତାହା ନ ଜାଣେ । ଯଦି ମୁଁ ତୁମକୁ ଏ କୁହୁକ ଅଇନାରେ ଦେଖିଦିଏ, ତା’ ହେଲେ ତୁମ ଦଶା ମଧ୍ୟ ଅନ୍ୟ ଯୁବରାଜମାନଙ୍କ ଭଳି ହେବ ।’

 

ଆଲୀ ସେଠୁ ଚାଲି ଆସିଲା ସମୁଦ୍ର ତଟକୁ । ସେଠାକୁ ଆସି ସେ ସେହି ଅଭୁତ ବିଚିତ୍ର ମାଛଟିକୁ ଡାକିଲା ତାକୁ ସାହାଯ୍ୟ କରିବାକୁ । ସାଙ୍ଗେ ସାଙ୍ଗେ ଗୋଟାଏ ବଡ଼ ମାଛ ଆସି ତାକୁ ଗିଳିଦେଇ ସମୁଦ୍ର ମଝିକୁ ଚାଲିଗଲା ।

 

ରାତି ଅଧରେ ରାଜକନ୍ୟା ତାଙ୍କ ଅଇନା ନେଇ ତାକୁ ଚାହିଁ ଦେଖିଲେ । ସେ ସେଥିରେ ଆକାଶକୁ ଚାହିଁ ଦେଖିଲେ–ସେଠି ଆଲୀ ନାହିଁ । ସେ ମର୍ତ୍ତ୍ୟର ପାହାଡ଼ ପର୍ବତକୁ ଚାହିଁ ଦେଖିଲେ ମଧ୍ୟ ସେଠାରେ ଆଲୀର କୌଣସି ଟେର ପାଇଲେ ନି । ତା’ ପରେ ସେ ଗଭୀର ନୀଳ ସମୁଦ୍ରକୁ ଚାହିଁଲେ । ଏଥର ସେ ଆଲୀକୁ ଗୋଟିଏ ମାଛ ପେଟ ଭିତରେ ଲୁଚି ଥିବାର ଦେଖିଲେ ।

 

ସକାଳେ ଆଲୀ ରାଜକୁମାରୀଙ୍କ ଉଆସଙ୍କୁ ଆସିବାରୁ ରାଜାଝିଅ କହିଲେ, ‘ତମେ ଗୋଟିଏ ମାଛ ପେଟ ଭିତରେ ସମୁଦ୍ର ମଧ୍ୟରେ ଲୁଚିଥିବାର ମୁଁ ଦେଖିଛି । କିନ୍ତୁ ମୁଁ ଏଥରକ ତମକୁ ଛାଡ଼ି ଦେଉଛି, କାରଣ ତମେ ବଡ଼ ଚତୁର । ହେଲେ, ତମେ ଆଜି ରାତିରେ ପୁଣି ଲୁଚ ।’

 

ସେଦିନ ରାତିରେ ଆଲୀ ରାଜବାଟୀଠାରୁ ଦୂରରେ ଥିବା ଖେଲା ପଡ଼ିଆକୁ ଯାଇ ତାକୁ ସାହାଯ୍ୟ କରିବା ପାଇଁ ହରିଣକୁ ଡାକିଲା । ହରିଣ ଆସି ସେଇକ୍ଷଣି ସେଠି ପହଞ୍ଚିଗଲା ଓ କହିଲା, ତମେ ମୋ ପିଠିରେ ବସ ମୁଁ ତମକୁ ଲୁଚାଇ ରଖିବି ।’ ସେ ଆଲୀକୁ ବହୁ ଦୂରର ଏକ ପାହାଡ଼ ଜଙ୍ଗଲପୂର୍ଣ୍ଣ ଅଞ୍ଚଳକୁ ନେଇଗଲା । ସେଠି ପାହାଡ଼ର ଅନ୍ଧାରୁଆ ଗୁମ୍ଫା ମଧ୍ୟରେ ସେମାନେ ଯାଇ ଲୁଚିଲେ ।

 

ଅଧରାତିରେ କୁମାରୀ ତାଙ୍କର କୁହୁକ ଅଇନାକୁ ଚାହିଁଲେ । ସେ ତା’ ଭିତର ଦେଇ ସମୁଦ୍ର ମଧ୍ୟକୁ ଅନାଇଲେ । ମାତ୍ର କିଛି ପାଇଲେ ନାହିଁ । ସେ ପୁଣି ଆକାଶକୁ ଚାହିଁଲେ ଏବଂ ସେଠି କିଛି ପାଇଲେ ନି । ତା' ପରେ ସେ ପର୍ବତଗୁଡ଼ିକୁ ଖୋଜି ଦେଖିଲେ ଯେ ଆଲୀ ହରିଣ ସାଥିରେ ଏକ ଅନ୍ଧାରୁଆ ଗୁମ୍ଫା ମଧ୍ୟରେ ଲୁଚିଛି ।

 

‘ଆଲୀ ରାଜବାଟୀକୁ ଫେରିଆସିବାରୁ ରାଜକନ୍ୟା କହିଲେ, ତମେ କାଲି ହରିଣ ସହ ଗୁମ୍ଫାରେ ଲୁଚିଥିବାର ମୁଁ ଦେଖିଛି । ମୁଁ ଦେଖୁଛି, ତମର ମଧ୍ୟ କେତେକ ଅଜବ୍ ବନ୍ଧୁ ଅଛନ୍ତି । ହେଲେ, ତମେ ମୋଠାରୁ ତୁମକୁ କେଉଁଠି ହେଲେ ଲୁଚାଇ ରଖି ପାରିବ ନି । ତମେ ବଡ଼ ଚତୁର, ସୁତରାଂ ଏଥରକ ବି ମୁଁ ତମକୁ ଛାଡ଼ି ଦେଉଛି । ମାତ୍ର ଆଜି ରାତିକି ପୁଣି ତମେ ଲୁଚ |

 

ଆଲୀ ଏଥର ମନ ଦୁଃଖରେ ଜଙ୍ଗଲ ମଧ୍ୟକୁ ଯାଇ ସେହି ବିଲୁଆଟିକୁ ଡାକିଲା । ମୁହୂର୍ତ୍ତକ ମଧ୍ୟରେ ବିଲୁଆ ଆସି ତା’ ଆଗରେ ହାଜର । ବିଲୁଆଟି କହିଲା, ‘ତମେ ମୋଟେ ଭୟ କର ନା, ଆଲୀ ! ତମକୁ ରାଜକୁମାରୀ ଆଦୌ ନ ଦେଖି ପାରିବା ଭଳି ସ୍ଥାନରେ ମୁଁ ଲୁଚାଇଦେବି-।’

 

ସେ ଗୋଟିଏ ଖୁବ୍ ଗହିରିଆ ଗାତ ଖୋଜିଲା । ସତେ କି ତାହା ପୃଥିବୀର କେନ୍ଦ୍ରଯାଏ ଲମ୍ବି ଅଛି । ସେ ରାଜକୁମାରୀଙ୍କ କାଚ ଉଆସ ତଳେ ଠିକ୍ ରାଜକୁମାରୀ ଯେଉଁଠି ଠିଆ ହୋଇଥିଲେ, ସେଇଯାଏ ଗାତଟି ଖୋଳିଲା ।

ତା' ପରେ ସେ ଆଲୀକୁ କହିଲା, ‘ଏଇଠି ରୁହ । ସେ ଆକାଶ, ପାହାଡ଼ ଓ ପର୍ବତ ଏବଂ ସମୁଦ୍ର ଚାରିଆଡ଼େ ଅନାଇବ; ମାତ୍ର ଠିକ୍ ତାର ପାଦ ତଳକୁ ଅନାଇବାକୁ ଭୁଲିଯିବ । ଯେତେବେଳେ ସେ ତମକୁ ନ ପାଇବ, ଅଇନାଟି ଫୋପାଡ଼ି ଭାଙ୍ଗିଦବ । ତା’ ପରେ ତୁମେ ଏକବାର ନିରାପଦ ହେବ । କାରଣ ଏଣିକି ଆଉ ସେ ତମେ ଯେଉଁଠି ଲୁଚିଲେ ବି ଦେଖି ପାରିବେ ନି ।

 

ରାତି ଅଧରେ ରାଜକୁମାରୀ ତାର କୁହୁକ ଅଇନା ନେଇ ତା’ ଭିତର ଦେଇ ଚାରିଆଡ଼େ ଚାହିଁଲା । ସେ ପାହାଡ଼-ପର୍ବତ, ନଦୀ-ସମୁଦ୍ର ଆକାଶ-ପବନ ଚାରିଆଡ଼େ ଖୋଜିଲା; ମାତ୍ର କେଉଁଠି ହେଲେ ବି ଆଲୀ ପତ୍ତା ପାଇଲାନି । ସେ ତାର ନିଜର ପାଦତଳକୁ ଚାହିଁବାକୁ ଭୁଲି ଯାଇଥିଲା । ସେ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ କେଉଁଠି ଆଲୀକୁ ନ ପାଇ ରାଗରେ ଅଇନାଟିକୁ ଫୋପାଡ଼ି, ଭାଙ୍ଗିଦେଲା ।

 

ଏଥର ଆଲୀ ଆସିଲାରୁ ସେମାନଙ୍କର ବିବାହ ହେଲା ଏବଂ ଆଲୀ ରାଜକୁମାରୀଙ୍କ ସହ ସୁଖରେ ରହିଲେ । ରାଜକୁମାରୀଙ୍କ ପିତାଙ୍କ ମୃତ୍ୟୁ ପରେ ଆଲୀ ସେଠାକାର ରାଜା ହୋଇ ସୁରୁଖୁରୁରେ ଅନେକ ଦିନଯାଏ ସେ ଦେଶ ଶାସନ କଲେ ।

★★★

 

*ଆରବ

କବିଙ୍କ ପୁରସ୍କାର

 

ଆରବମାନଙ୍କ ପରି ପୃଥିବୀରେ ପ୍ରାୟ ଏପରି କୌଣସି ଜାତି ନାହାନ୍ତି, ଯେଉଁମାନେ କି କଳା ଓ ସାହିତ୍ୟର ଏତେ ଆଦର ଓ ଚର୍ଚ୍ଚା କରନ୍ତି । ସେ ଦେଶର ରାଜା ମହାରାଜା ଓ ବଡ଼ଲୋକମାନେ ଅତୀତରେ କବି, କଳାକାର ଓ ସହିତ୍ୟିକମାନଙ୍କୁ ଯଥେଷ୍ଟ ସମ୍ମାନ-ସମ୍ବର୍ଦ୍ଧନା ପ୍ରଦର୍ଶନ ଓ ପୁରସ୍କୃତ କରିଥିବାରୁ ବେଶ ଖ୍ୟାତି ଓ ପ୍ରସିଦ୍ଧି ଲାଭ କରିଛନ୍ତି । ଏମିତିକି ବେଳେ ବେଳେ ଏକ ସହସ୍ର ସ୍ଵର୍ଣ୍ଣମୁଦ୍ରା ବା ଦଶ ବା ପଚିଶ ସହସ୍ର ସ୍ଵର୍ଣ୍ଣମୁଦ୍ରା ବା ତତୋଽଧିକ ମୁଦ୍ରା ଜଣେ ଜଣେ କବିଙ୍କର ଗୋଟିଏ ଗୋଟିଏ କବିତା ବା ପଦେ ପଦେ କବିତା ପାଇଁ ପୁରସ୍କାର ଦିଆଯାଉଥିଲା ।

କଥା ଅଛି ଯେ, ଜଣେ ଖିଆଲୀ ରାଜା କବି-କଳାକାର ସାହିତ୍ୟିକମାନଙ୍କୁ ଏ ରୀତି ଓ ପରମ୍ପରା ପ୍ରଚଳିତ ପ୍ରଥାରୁ ବଞ୍ଚିତ କରିଥିଲେ । ଏହି ରାଜା ଯାହାଙ୍କ ନାମ ଜଣାନାହଁ କୌଣସି ପଦ୍ୟ ବା କଥା ଥରେ ଶୁଣିଲେ ମନେରଖି ଦେଉଥିଲେ । ତାଙ୍କର ଜଣେ ଚାକର କୌଣସି ପଦ୍ୟ ବା କଥାକୁ ଦି’ ଥର ଶୁଣିବା ପରେ ଅବିକଳ ମନେରଖି ଦେଉଥିଲେ ଓ ତାଙ୍କର ଗୋଟିଏ ଚାକରାଣୀ ତିନି ଥର ଶୁଣିଲା ପରେ ସମ୍ପୂର୍ଣ୍ଣ ମନେରଖି ଦେଉଥିଲା ।

ଯେତେବେଳେ କୌଣସି କବି ରାଜାଙ୍କ ନିକଟକୁ କାବ୍ୟ-କବିତା ଧରି ତାଙ୍କର ଯଶୋକୀର୍ତ୍ତି ଗାନ ପୂର୍ବକ ଉପହାର ନେବାକୁ ଯାଉଥିଲେ, ସେତେବେଳେ ରାଜା ତାଙ୍କୁ କହୁଥିଲେ ଯେ ଯଦି ରଚନାଟି ତାଙ୍କର ନିଜସ୍ଵ ହୋଇଥାଏ, ତା’ ହେଲେ ସେ ତାଙ୍କୁ ଏହି କାଗଜ ଓଜନର (ଯେଉଁ କାଗଜରେ ଲେଖା) ସ୍ଵର୍ଣ୍ଣମୁଦ୍ରା ଉପହାର ଦେବେ । ଯେଉଁ କବି, ଏଥିରେ ରାଜି, ସେ ତାଙ୍କ କବିତା ପଢ଼ି ଶୁଣାଇଲେ । ରାଜା କହୁଥିଲେ, ମୁଁ ୟାକୁ ବହୁ ବର୍ଷ ପୂର୍ବରୁ ଜାଣେ । ଏବଂ ସେ ସାଙ୍ଗେ ସାଙ୍ଗେ ତାହା ମଧ୍ୟ ଆବୃତ୍ତି କରି ଶୁଣାଇ ଦେଉଥିଲେ ।

ଏହା ପରେ ସେ ଆହୁରି କହୁଥିଲେ, ‘ଏ ଚାକରଟି ମଧ୍ୟ ୟାକୁ ମନେ ରଖିଛି । ସେ ଚାକରକୁ ତାହା ବୋଲି ଶୁଣାଇ ଦେବାକୁ ଆଦେଶ ଦେଉଥିଲେ । ସେ ମଧ୍ୟ କବି ଓ ରାଜା ଏମିତି ଦି’ ଜଣଙ୍କଠାରୁ ଦି’ ଥର ଶୁଣି ବେଶ ସହଜରେ ବୋଲି ଶୁଣାଇ ଦେଉଥିଲା । ତା' ପରେ ରାଜା କବିଙ୍କୁ କହୁଥିଲେ, ‘ମୋର ମଧ୍ୟ ଜଣେ ଦାସୀ ଅଛି । ସେ ସେବି ଏହାକୁ ଶିଖିଛି ।’ ସେ ଉକ୍ତ ଦାସୀକୁ ତାହା ବୋଲିବାକୁ ଆଦେଶ ଦେବାମାତ୍ରେ ସେ ତାହା ସହଜରେ ବୋଲି ଶୁଣାଇ ଦେଉଥିଲେ । ତେଣୁ କବିଙ୍କୁ ସେଠୁ ରିକ୍ତ ହସ୍ତରେ ଫେରିବାକୁ ପଡ଼ୁଥିଲା ।

ଖ୍ୟାତନାମା କବି ଏଲ୍ଆସମାଇ ଏ କଥା ଶୁଣି ଓ ସମସ୍ତ ରହସ୍ୟ ଜାଣିପାରି ରାଜାଙ୍କୁ ଜିଣିବାକୁ ମନସ୍ଥ କଲେ । ସେହି ଅନୁସାରେ ସେ ବି ଖୁବ୍ କ୍ଲିଷ୍ଟ ଶବ୍ଦସବୁ ସଂଯୋଜନା କରି ଏକ କବିତା ରଚନା କଲେ । କିନ୍ତୁ ସେ କେବଳ ଏତିକି ପ୍ରସ୍ତୁତ ହେଇ ରାଜାଙ୍କ ନିକଟକୁ ବାହାରି ନ ଥିଲେ, ଅନ୍ୟ ପ୍ରକାରେ ମଧ୍ୟ ପ୍ରସ୍ତୁତ ହେଇଥିଲେ । ତୃତୀୟ ପ୍ରସ୍ତୁତି ପ୍ରଣାଳୀ ହେଉଛି, ତାଙ୍କର ବେଶ ପରିବର୍ତ୍ତନ । ସେ କେବଳ ଆଖି ଦିଓଟିକି ଛାଡ଼ି ତାଙ୍କର ଶରୀରର ସମସ୍ତ ଅଂଶ ଆବରଣ ଦ୍ଵାରା ଆଚ୍ଛାଦିତ କରିଥିଲେ ଆରବୀୟ ରୀତିରେ ।

ଏହିପରି ଭାବେ ସେ ଛଦ୍ମବେଶ ଧାରଣ କରି ରାଜଉଆସକୁ ଚାଲିଲେ । ରାଜାଙ୍କ ଅନୁମତି ନେଇ ଭିତରକୁ ଯାଇ ସଲାମ କରି ଦଣ୍ଡାୟମାନ ହେବାରୁ ରାଜା ପଚାରିଲେ, ‘କୁଆଡ଼ୁ ଆସିଲେ ଭାଇ ? ତମ କ’ଣ ଚାହଁ ?’

 

କବି ଉତ୍ତର ଦେଲେ–ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । ଆପଣଙ୍କ ଧନ-ଜନ-ଗୋପ-ଲକ୍ଷ୍ମୀ ଓ ଶକ୍ତି ବର୍ଦ୍ଧିତ ହେଉ । ମୁଁ ଜଣେ ଏମିତିକା ଗୋଷ୍ଠୀର କବି ଯେ, ଖାଲି ଆମ ରାଜା (ସୁଲତାନ ବାହାଦୁରଙ୍କ) ଯଶୋଗାନ କରି ଏକ କବିତା ଲେଖି ଆଣିଛି ।’

‘ଆଛା ଭାଇ’ ରାଜା କହିଲେ, ‘ଆପଣ ଆମର ସର୍ତ୍ତ ଶୁଣିଲେଣି ତ ?’

‘‘ନା’–କବି ଉତ୍ତର ଦେଲେ, ‘ସେ ସର୍ତ୍ତ କ’ଣ ମହାରାଜ ?’

ରାଜା କହିଲେ, ‘ଯଦି କବିତାଟି ତମ ନିଜର ନ ହୋଇଥିବ, ତେବେ ତମେ କିଛି ପୁରସ୍କାର ପାଇବ ନି । ଆଉ ଯଦି କବିତାଟି ତମ ନିଜର ହୋଇଥାଏ, ତା’ ହେଲେ ସେ ଯେଉଁ କାଗଜରେ ଲେଖାହୋଇଥିବ, ସେହି କାଗଜ ଓଜନର ମୋହର ତୁମକୁ ପୁରସ୍କାର ଦିଆଯିବ ।’

‘ୟା କେମିତି ହେଇପାରେ ? ଯାହା ଅନ୍ୟ ଜଣଙ୍କର, ତାକୁ ମୁଁ ମୋ ନିଜର କହିବି, ଆଉ ଜାଣିଶୁଣି ରାଜାଙ୍କ ଛାମୁରେ ମିଛ କହି କ’ଣ...ସେ ଯାହାହେଉ, ମୁଁ କିନ୍ତୁ ଏସବୁ ସର୍ତ୍ତରେ ରାଜୀ-' କବି କହିଲେ ।

ତେଣୁ ସେ ତାଙ୍କ ରଚିତ କବିତା ପାଠକଲେ । ରାଜା ବିରକ୍ତ ହୋଇ ସୁଦ୍ଧା ସେ କବିତାର ଗୋଟିଏ ହେଲେ ଧାଡ଼ି ବି ମନେରଖି ପାରିଲେ ନି । ସେ ଚାକରକୁ ଇଙ୍ଗିତ ଦେଲେ, ମାତ୍ର ସେ ବି ଗୋଟିଏ ହେଲେ ଶବ୍ଦ ମନେରଖି ପାରିଲା ନି । ଦାସୀଟି ବି’ ଗୋଟିଏ ହେଲେ ଶବଦ ମନେ ରଖି ନ ଥିଲା । ଦାସୀକି ଡକାଗଲା; ମାତ୍ର ସେ ଆଦୌ କିଛି ମନେରଖି ନ ଥିଲା ।

‘ଆଚ୍ଛା ଭାଇ’ ସେ କହିଲେ, ‘ତମେ ଠିକ୍ ସତ କଥା କହିଛ । ଗୀତଟି ପ୍ରକୃତରେ ତମର ନିଜର ରଚନା, ମୁଁ ଏହାକୁ କେବେ ପୂର୍ବରୁ ଶୁଣି ନ ଥିଲି । ତା’ହେଲେ ଆମ ସର୍ତ୍ତ ଅନୁସାରେ ତମେ ଏହା ଯେଉଁଥିରେ ଲେଖିଚ, ତାହା ଆଣିଦିଅ । ସେଇ ଅନୁସାରେ ମୋର ପ୍ରତିଜ୍ଞାନୁସାରେ ମୋହର ପାଇବ ।’

‘ହଜୁର ସତରେ ଦେବେ ?’ –କବି କହିଲେ, ‘ଛାମୁଙ୍କର କଣେ ଚାକରଙ୍କୁ ପଠାନ୍ତୁ ।’

“କଣ ଆଣିବାକୁ ? ରାଜା ପଚାରିଲେ, “ସେ ଯେଉଁ କାଗଜରେ ଲେଖା, ତାହା କ'ଣ ଏଠି ଆପଣଙ୍କ ପାଖରେ ନାହିଁ ?’

‘ନା, ସୁଲତାନ’-–କବି ଉତ୍ତର ଦେଲେ, ‘ଯେତେବେଳେ ମୁଁ ଏହା ରଚନା କଲି, ସେତେବେଳେ ମୁଁ ଯେତେ ଖୋଜିଲେ ସୁଦ୍ଧା ଖଣ୍ଡେ ହେଲେ କାଗଜ ପାଇଲି ନି ଲେଖି ଆଣିବାକୁ । କିନ୍ତୁ ଗୋଟିଏ ପଥର ଖୁଣ୍ଟ ହିଁ କେବଳ ଯୁଟିଲା ଯାହା କି ମୋ ବାପାଙ୍କ ଅମଳରୁ ଥିଲା । ତେଣୁ ମୁଁ ତାହାରି ଉପରେ ଏ ଗୀତକୁ ଖୋଳାଇ ଲେଖାଇ ଦେଇଛି, ଆଉ ଏହା ଆମ ଘରେ ଅଛି ।’

ସେ ତାକୁ ଘୋଡ଼ାଇ ଓଟ ପିଠିରେ ନଦି ଆଣିଲେ । ରାଜା, ତାଙ୍କର ପ୍ରତିଜ୍ଞା ରକ୍ଷା କରିବାକୁ ନିଜର ରାଜକୋଷ ମଧ୍ୟ ଖାଲିକରି ଦେବାପାଇଁ ପ୍ରସ୍ତୁତ ହେଇଗଲେ । ଏମିତି କୌଶଳ (ଯାହା କି ଏଲ୍ ଆସାମୀ, କରି ଲେଖକ ବିବେଚିତ ହେଲେ ଭବିଷ୍ୟତରେ ଆଉ ପୁନରାବୃତ୍ତି ନ ହେବା ପାଇଁ ସେ ଏଣିକି କବି, କଳାକାର ଓ ସାହିତ୍ୟିକମାନଙ୍କୁ ରୀତିମତେ ପରମ୍ପରାନୁଯାୟୀ କୌଳିକ ପ୍ରଥାନୁସାରେ ପୂର୍ବଭଳି ପୁରସ୍କୃତ କଲେ ।)

★★★

 

ରୁଷଦେଶର ରୂପକାହାଣୀ

ବେଙ୍ଗରାଣୀ

 

ବହୁଦିନ ତଳେ ରୁଷଦେଶରେ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ତିନି ପୁଅ । ଯେତେବେଳେ ସେମାନେ ବଢ଼ିଗଲେ, ରାଜା ଦିନେ ସେମାନଙ୍କୁ ତାଙ୍କ ନିକଟକୁ ଡାକି କହିଲେ, ‘ମୁଁ ଏବେ ତୁମମାନଙ୍କୁ ବିବାହ କରାଇ ଦେବାକୁ ଚାହେଁ । କାରଣ ମୋର ଆସି ବେଳ ହୋଇଗଲାଣି । ପାକଲା ତାଳ । ଆଜି ଅଛି, କାଲିକି କ’ଣ ହେବ, କହି ହେବ ନି । ମୁଁ ବୋହୂ ଓ ନାତିନାତୁଣୀଙ୍କୁ ହେଲେ ଟିକେ ଦେଖି ମରିବି ।’

ରାଜପୁତ୍ରମାନେ କହିଲେ, ‘ଆଚ୍ଛା ବାପା, ଆପଣ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ । ଆମେ ଆପଣଙ୍କ ନାଁ ରଖୁ । ଆପଣ ଆମ ଭିତରୁ କିଏ ବିବାହ ହେବା କଥା ଚାହାନ୍ତି ଓ କାହାକୁ ?’

‘ତମେ ପ୍ରତ୍ୟେକେ ଏକ ଏକ ଶର ନେଇଯାଅ । ସେଇ ଖୋଲା ପଡ଼ିଆକୁ ଯାଇ ଶର ବିନ୍ଧ । ଯାହାର ଶର ଯେଉଁଠି ପଡ଼ିବ, ସେ ସେଇଠି ବିବାହ କରିବ ।’

ତେଣୁ ପୁଅମାନେ ରାଜାଙ୍କୁ ପ୍ରଣାମ କରି, ଗୋଟିଏ ଗୋଟିଏ ଶର ଧରି ପଡ଼ିଆକୁ ବାହାରି ଗଲେ । ସେଠି ଧନୁରେ ଶର ଯେଖି ଯେଝା ଯେଝା ବିନ୍ଧିଲେ ।

ବଡ଼ ପୁଅର ଶର ଯାଇ ପଡ଼ିଲା ଜଣେ ସମ୍ଭ୍ରାନ୍ତଙ୍କ ଦୁଆରେ । ସେ ଶରଟିକି ସମ୍ଭ୍ରାନ୍ତଙ୍କ ଝିଅ ଉଠାଇନେଲେ । ମଝିଆ ପୁଅର ଶର ଯାଇ ପଡ଼ିଲା ଗୋଟିଏ ବଣିକଙ୍କ ଘରେ । ତାକୁ ମଧ୍ୟ ସୌଦାଗର-କନ୍ୟା ସାଇତି ରଖିଲେ । କିନ୍ତୁ ସବା ସାନପୁଅ ଆଇଭାନର ଶର ଏତେ ଉଚ୍ଚକୁ ଯାଇଥିଲା ସେ ତାହା ମୋଟେ ଦେଖାଗଲାନି । ଶର କେଉଁଠି ପଡ଼ିଲା ତାହା ଖୋଜି ଖୋଜି ଯାଇ ଏକ ସନ୍ତସନ୍ତିଆ ଜାଗାରେ ଗୋଟିଏ ସାରୁ ଗଛମୂଳେ ବେଙ୍ଗଟିଏ ପାଟିରେ ଉକ୍ତ ଶରଟି କାମୁଡ଼ି ବସିଥିବାର ଦେଖିଲା ।

 

ରାଜାପୁଅ ଆଇଭାନ କହିଲା–“ଆଛା ବେଙ୍ଗୁଲି ! ତୁ ମୋ ଶରଟା ଦେ ।’

 

ବେଙ୍ଗୁଲି କହିଲା–‘(ତମେ ମତେ) ବିବାହ ହେବ ନା କୁହ ନି ?’

 

ମୁଁ ଗୋଟାଏ ବେଙ୍ଗକୁ କେମିତି ବାହାହେବି ?’

 

‘ମତେ ବିବାହ କର’ ତୁମ ଭାଗ୍ୟରେ ଯାହା ଅଛି ।

 

ଆଇଭାନ ଭାରି ଦୁଃଖିତ ଓ ବିଷାଦିତ ହୋଇ କ’ଣ କରିବ, କିଛି ଠିକକରି ନ ପାରି ସେ ବେଙ୍ଗଟିକୁ ଧରି ଘରକୁ ଫେରିଲା । ରାଜା ତାଙ୍କର ତିନି ପୁଅଙ୍କର ବିବାହ କରାଇଦେଲେ । ବଡ଼ପୁଅ ସମ୍ଭ୍ରାନ୍ତଙ୍କ ଝିଅକୁ, ମଝିଆ ପୁଅ ସୌଦାଗର କନ୍ୟାକୁ ଓ ବିଚରା ସାନପୁଅ ବେଙ୍ଗକୁ ବିବାହ କଲା ।

 

ଦିନେ ରାଜା ତିନି ପୁଅଙ୍କୁ ଡାକି କହିଲେ, ‘ମୁଁ ଜାଣିବାକୁ ଚାହେଁ, ତୁମମାନଙ୍କ ପତ୍ନୀଙ୍କ ମଧ୍ୟରୁ କିଏ ଭଲ ସିଲେଇ କାମ ଜାଣେ ? କାଲି ସକାଳ ସୁଦ୍ଧା ସେମାନେ ପ୍ରତ୍ୟେକେ ମୋ ପାଇଁ ଖଣ୍ଡେ ଖଣ୍ଡେ ଜାମା ତିଆରି କରି ଦିଅନ୍ତୁ ।’

 

ପୁଅମନେ ପ୍ରଣାମ କରି ଚାଲିଗଲେ ।

 

ଆଇଭାନ୍ ଘରକୁ ଯାଇ ଘରର ଗୋଟିଏ କଣରେ ତଳକୁ ମୁହଁ ମାଡ଼ି ମନ ଦୁଃଖରେ ବସି ରହିଲା । ବେଙ୍ଗଟି ଡେଇଁ ଡେଇଁକା ଆସି ପଚାରିଲା, ‘ତମେ ଏତେ ମନଦୁଃଖ କରିଛ କାହିଁକି-? କ’ଣ କିଛି ଅଡ଼ୁଆରେ ପଡ଼ିଛ କି ?’

 

‘ବାପା କାଲି ସକାଳ ସୁଦ୍ଧା ତାଙ୍କ ପାଇଁ ତମେ ଗୋଟିଏ ଜାମା ତିଆରି କରିଦେବାକୁ ଚାହାଁନ୍ତି ।’

 

ବେଙ୍ଗ କହିଲା–

 

‘ଏଇଥି ପାଇଁ ଏତେ ମନଦୁଃଖ ? ଯାଅ ! ତମେ ମନ ଆନନ୍ଦ କରି ଶୁଅ । ରାତିସାରା ତ ଅଛି, ଦେଖିବା ।’

 

ତେଣୁ ଆଇଭାନ୍ ଶୋଇବାକୁ ଗଲାରୁ, ବେଙ୍ଗ ପଦାକୁ ଯାଇ ତାର ଖୋଳକାଢ଼ି ପକେଇ ଗୋଟିଏ ଅପରୂପ ରୂପସୀ ଯୁବତୀକନ୍ୟାରେ ପରିଣତ ହୋଇ ସେଠି ତାଳିମାରି ଡାକିଲା, ‘ଦାସ-ଦାସୀ ! ଯିଏ ଯେଉଁଠି ଅଛ, ଆଜି ରାତା ରାତି ଠିକ୍‍ ମୋ ବାପାଙ୍କ ଜାମା ଭଳି ଗୋଟିଏ ଜାମା ତିଆରି କରି ମତେ ଦିଅ ।’

 

ଆଇଭାନ୍‍ ସକାଳୁ ଉଠି ଦେଖେ ତ ବେଙ୍ଗଟି ସେମିତି ଘରେ ଏଠି ସେଠି ଖୁପୁରୁ ଖୁପୁରୁ ହେଇ ଡେଉଁଛି । ଆଉ ଟେବୁଲ ଉପରେ ତଉଲିଆ ଗୁଡ଼ାହେଇ ଏକ ସୁନ୍ଦର ରେଶମୀ ଜାମା ଥୁଆହୋଇଛି । ସେ ଆନନ୍ଦରେ ଅଧୀର ହୋଇଗଲା । ତାକୁ ଦେଖି ସାଙ୍ଗେ ସାଙ୍ଗେ ସେ ଜାମାଟି ନେଇ ରାଜାଙ୍କ ପାଖରେ ପହଞ୍ଚିଲା । ସେ ଦେଖିଲା ଯେ, ତାହାର ବଡ଼ଭାଇ ଆଣିଥିବା ଜାମା ଦେଖି ରାଜା କହୁଛନ୍ତି–

 

‘ଏଇଟି ମୋର ଗୋଟିଏ ଚାକରର ଉପଯୁକ୍ତ ହେଇଛି ।’

 

ମଝିଆ ଭାଇ ଜାମାଟି ବଢ଼େଇ ଦେଲାରୁ, ରଜା କହିଲେ, ‘ଏଇଟି କେବଳ ଗାଧୁଆଘର ଜାମା ପରି ହୋଇଛି । ୟାକୁ ତ ପିନ୍ଧି ଦରବାରକୁ ଯାଇ ହବନି ।’

 

ଆଇଭାନ୍‍ ସୁନା-ରୂପା ଜରିକାମ ହେଇଥିବା ତା’ ଜାମାଟି ରାଜାଙ୍କ ଆଡ଼କୁ ବଢ଼େଇ ଦେଲା । ରାଜା ତାକୁ ଚାହିଁ କହିଲେ–

 

‘ଏଇଟି ଠିକ୍‍ ମୋ ମନ ମୁତାବକ ହୋଇଛି । ୟାକୁ ମୁଁ ପର୍ବ–ପର୍ବଣୀ ଓ ଦରବାର ସମୟରେ ପିନ୍ଧବି ।’

 

ବଡ଼ ଦି’ ଭାଇଯାକ ଘରକୁ ଫେରିଆସିଲେ । ସେମାନେ ବାଟରେ କୁହାକୁହି ହେଲେ–

 

‘ଆମେ କ’ଣ ଆଇଭାନର ସ୍ତ୍ରୀକୁ ହସି ଉଡ଼େଇ ଦେଉଥିଲେ ! ଜଣାଯାଉଛି, ସେ ପ୍ରକୃତରେ ଗୋଟାଏ ବେଙ୍ଗ ନୁହେଁ ‘ଜଣେ ଯାଦୁକରୀ ବା ପରୀ ବା ଅପସରୀ ।

 

ଆଉ ଥରେ ରାଜା ତାଙ୍କର ପୁଅମାନଙ୍କୁ ଡକାଇଲେ । ‘କାଲି ସକାଳ ସୁଦ୍ଧା ତମର ପତ୍ନୀମାନେ ମୋ ପାଇଁ ଭଲ ଭଲ ପିଠାକରି ଦିଅନ୍ତୁ । ମୁଁ ଜାଣିବାକୁ ଚାହେଁ, ମୋର କୋଉ ବୋହୂ ଭଲ ରନ୍ଧା ଜାଣେ ।

 

ଆଇଭାନ୍‍ ପୁଣି ମୁହଁ ସୁଖେଇ ଘରକୁ, ଲେଉଟିଲା । ବେଙ୍ଗ ପଚାରିଲା–ପୁଣି କାହିଁକି ମନକଷ୍ଟ !’

 

‘ରାଜା କହନ୍ତି ଯେ, ତମେ କାଲି ସକାଳ ସୁଦ୍ଧା ତାଙ୍କ ପାଇଁ ଭଲ ଭଲ ପିଠା କରିଦେବ-।’ –ଆଇଭାନ ଉତ୍ତର ଦେଲା ।

 

‘ଏଇଥି ପାଇଁ ଏତେ ମନକଷ୍ଟ ! ଯାଅ, ତମେ ଆରାମରେ ଶୁଅ । ରାତିସାରା ତ ଅଛି । ଦେଖାଯିବ ।’

 

ଏଥର ବଡ଼ବୋହୂ ଦି’ ଜଣ ମନେ ମନେ ଭାରି ଖୁସୀହେଲେ । ପ୍ରଥମେ ତ ସେମାନେ ବେଙ୍ଗରାଣୀକୁ ହସି, ଉଡ଼େଇଦେଲେ । ମାତ୍ର ଚାଲାକୀ କରି ଗୋଟିଏ ବୁଢ଼ୀ ଦାସୀକୁ, ଆଇଭାନ୍‍ ଘରକୁ, ପଠେଇଲେ–ବେଙ୍ଗରାଣୀ କିମିତି ପିଠା କରୁଛି ଦେଖି ଆସିବା ପାଇଁ ।

 

ବେଙ୍ଗ କିନ୍ତୁ ତହୁଁ ଚାଲାକ । ସେ ଏ କଥା ଆଗରୁ ଜାଣିପାରି, ମଇଦା ଦଳି ଖାଲି ବାଟୁଳା ବାଟୁଳା କରି ଚୁଲୀରେ ପକେଇଲା । ଦାସୀ ଏ କଥା ଦେଖି ଦୌଡ଼ି ଯାଇ ସେ ଦି ବୋହୂଙ୍କୁ କହିଲା । ସେମାନେ ମଧ୍ୟ ତଦ୍ରୂପ କଲେ ।

 

ବେଙ୍ଗ ବାହାରକୁ ଯାଇ ଗୋଟିଏ ସୁନ୍ଦରୀ ଯୁବତୀରେ ପରିଣତ ହୋଇ ତାଳି ମାରି ତାର ଦାସୀମାନଙ୍କୁ ଡାକି କହିଲା–‘ଦେଖ, ତମେମାନେ ଏଥର ପ୍ରସ୍ତୁତ ହୁଅ । ଆଜି ରାତିରେ ମତେ ଭଲ ଭଲ ପିଠା କରିଦିଅ–ଯେମିତିକା ପିଠା ମୁଁ ଘରେ ଥିଲାବେଳେ ଖାଇବାକୁ ଭଲ ପାଉଥିଲି । ଏବେଠୁ କାମରେ ଲାଗିଯାଅ । ଢିଲାକଲେ ଚଳିବ ନି ।’

 

ସକାଳୁ ଆଇଭାନ୍‍ ଉଠି ଦେଖେ ତ ଟେବୁଲ ଉପରେ ଗୋଟିଏ ସୁନ୍ଦର ଥାଳିରେ ବିଭିନ୍ନ ରକମର ପିଠା ସଜାହୋଇ ଥୁଆହୋଇଛି ।

 

ଏହା ଦେଖି ତାର ଆନନ୍ଦ କହିଲେ ନ ସରେ । ସେ ତାକୁ ଖଣ୍ଡିଏ ସଫା ତଉଲିଆ ଘୋଡ଼ାଇ ବାପାଙ୍କ ନିକଟକୁ ନେଲା । ଠିକ୍ ସେତିକିବେଳେ ବଡ଼ ଭାଇ ଦୁହେଁ ରାଜାଙ୍କୁ ପିଠା ଦେଉଥାନ୍ତି । ସେମାନଙ୍କ ସ୍ତ୍ରୀମାନେ ଦାସୀ କହିଲା ପରି ମେଞ୍ଚାଏ ଲେଖା ଦଳା ମଇଦା ଚୁଲୀରେ ପୋଡ଼ି ପଠେଇଥାନ୍ତି । ସେଥିରୁ ବି ପାଉଁଶ ଝଡ଼ି ନ ଥାଏ । ରାଜା ସେମାନଙ୍କ ପିଠା ଦେଖି କୁକୁରକୁ ଫିଙ୍ଗିଦେଲେ । କିନ୍ତୁ ଯେତେବେଳେ ଆଇଭାନ୍ ତାର ପିଠା ଥାଳୀ ବଢ଼େଇ ଦେଲା, ସେ କହିଲେ ଏଗୁଡ଼ିକ ବେଶ୍‍ ହେଇଛି । ଠିକ୍‍ ମୋ ମନଲାଖି ।’

 

ରାଜା ତା’ପରେ ତାଙ୍କ ତିନି ପୁଅକୁ କହିଲେ, ‘କାଲିକି ତୁମେମାନେ ସସ୍ତ୍ରୀକ ଏଠି ଆସି ମୋର ଏକ ଭୋଜିରେ ଯୋଗଦେବ ।’

 

ଏଥର ମଧ୍ୟ ଯୁବରାଜ ଆଇଭାନ୍ ବିଷାଦ ମନରେ ଘରକୁ ଫେରିଲେ । ବେଙ୍ଗ ପଚାରିଲା–‘ଆଜି ପୁଣି ମନଦୁଃଖ କାହିଁକି ? କ’ଣ ତମ ବାପା ତମକୁ ଗାଳିଦେଇଛନ୍ତି କି ?’

 

‘ମୁଁ ବା ମନଦୁଃଖ ନ କରନ୍ତି କେମିତି ? ବାପା ଚାହାଁନ୍ତି ଯେ, ତମେ କାଲି ମୋ ସାଥିରେ ତାଙ୍କ ଭୋଜିରେ ଯୋଗଦେବ । ମୁଁ ବା ତମକୁ ମୋ ସ୍ତ୍ରୀ ଭାବେ ଏମିତି ଏତେ ଲୋକଙ୍କ ସାମ୍‍ନାରେ ନେଇ କେମିତି ପରିଚୟ କରାଇବି ?’

 

‘ବୃଥାରେ ମନକଷ୍ଟ କର ନା । କାଲି ତମେ ଏକା ଭୋଜିକୁ ଯାଅ । ମୁଁ ପଛରେ ଯିବି । ଆଉ ଯେତେବେଳେ ଘଣ୍ଟି ଶବ୍ଦ ଶୁଣିବ, ଯଦି କେହି ପଚାରନ୍ତି କହିବ, ମୋର ସ୍ତ୍ରୀ ବେଙ୍ଗରାଣୀ ଆସୁଛି ।’

 

ସୁତରାଂ ଆଇଭାନ୍ ଏକାକୀ ଭୋଜିକୁ ଗଲା । ଭଲ ବେଶ-ପୋଷାକ ହୋଇ ତାର ବଡ଼ଭାଇମାନେ ଘୋଡ଼ାଗାଡି ଚଢ଼ି ସେମାନଙ୍କ ସ୍ତ୍ରୀମାନଙ୍କ ସହ ଭୋଜିକୁ ଆସିଲେ । ସେମାନେ ସେଠି ପହଞ୍ଚି ଆଇଭାନଙ୍କୁ ଭାରି ଥଟ୍ଟାକଲେ ।

 

‘ତୁ କାହିଙ୍କି ତୋ ସ୍ତ୍ରୀକୁ ସାଙ୍ଗରେ ଆଣିଲୁ ନି ? ତୁ ତ ତାକୁ ଖଣ୍ଡେ ରୁମାଲରେ ପୂରେଇ ଆଣିପାରିଥାନ୍ତୁ ! ତୁ ସତରେ ଏମିତି ସୁନ୍ଦରୀ ବୋହୂଟିଏ କୋଉଠୁ ପାଇଲୁ । ନିଶ୍ଚୟ ତୁ ତା’ ପାଇଁ ସବୁ ଗାଡ଼ିଆ-ପୋଖରୀ ଓ ସନ୍ତସନ୍ତିଆ ବିଲବାଡ଼ି ଧୁନ୍ଦାଳିଥିବୁ ।’

 

ରାଜା, ତାଙ୍କର ପୁଅ, ବୋହୂ ଓ ଆମନ୍ତ୍ରିତ ଅତିଥି ଠାଆରେ ବସିଲେ । ଠିକ୍ ଏତିକିବେଳେ ଘଣ୍ଟି, ଶବ୍ଦ ଶୁଣାଗଲା । ସେ ଶବ୍ଦରେ ସାରା ରାଜବାଟୀ ବି ଥରିଗଲା । ଭଦ୍ରଲୋକମାନେ ଭୟରେ ଜାଗାଛାଡ଼ି ଠିଆହେଲେ; ଆଇଭାନ୍‍ କହିଲା–

 

‘ଭୟ କରନ୍ତୁ ନି ଆଜ୍ଞା, ମୋର ସ୍ତ୍ରୀ ବୋଧହୁଏ ଆସୁଛି ।’

 

ଛଅଟି ଘୋଡ଼ା ଯୋଚା ହୋଇଥିବା ଏକ ଘୋଡ଼ାଗାଡ଼ି ଆସି ଉଆସ ଦୁଆର ମୁଁହରେ ଲାଗିଲା । ତା’ ଭିତରୁ ବେଙ୍ଗବତୀ କନ୍ୟା ନୀଳ ସିଲ୍‍କ ଶାଢ଼ୀ ପିନ୍ଧି ବାହାରି ଆସିଲା । ଦେଖିବାକୁ ଅନିନ୍ଦ୍ୟ ସୁନ୍ଦରୀ । ଗୋଟିଏ ଚାଉଳରେ ଗଢ଼ା । ଏ ପୃଥିବୀରେ ତା'ର ଆଉ ଦ୍ୱିତୀୟ ନାହିଁ । ସକାଳ ଆକାଶ ନିର୍ମଳ ଆଭା ଭଳି ତାର କାନ୍ତି । ସେ ଆଇଭାନ୍ ହାତଧରି ନେଇଯାଇ ଭୋଜୀ ଠାଆରେ ବସିଲା ।

 

ଭଦ୍ରଲୋକମାନେ ଖାଇ, ପିଇ ମନ ଆନନ୍ଦର ଆଳାପରେ ମାତିଲେ । ବେଙ୍ଗବତୀ କନ୍ୟା ତା ପାତ୍ରରୁ କିଛି ସୁରାପାନ କରି ବାକିତକ ତାର ବାଁ ହାତ ଜାମା ଉପରେ ଢାଳିଦେଲା ଓ ମାଂସସବୁ ଖାଇ ହାଡ଼ଯାକ ତାର ଡାହାଣ ହାତ ଜାମାରେ ପୂରେଇଲା ।

 

ବଡ଼ବୋହୂ ଦି’ ଜଣ ଏହା ଦେଖୁଥିଲେ । ସେମାନେ ବି ସେମିତି କଲେ ।

 

ସେ ଦେଶରେ ଭୋଜୀଭାତ ହେଲେ ପୁରୁଷ-ସ୍ତ୍ରୀମାନେ ନାଚକରନ୍ତି । ତା' ପରେ ସୁରାପାନ ଶେଷ ହେବାରୁ ବେଙ୍ଗରାଣୀ ଆଇଭାନକୁ ଧରି ନାଚିଲା । ସେ ଏଡ଼େ ସୁନ୍ଦର ନାଚ ନାଚିଲା ଯେ, ସମସ୍ତେ ଅବାକ୍ ହୋଇ ତା'ଆଡ଼େ ଚାହିଁଲେ । ରାଜା ‘ବଢ଼ିଆ ବଢ଼ିଆ’ କହି ପ୍ରଶଂସା କଲେ । ସେ ଚକରୀ ଭଳି ଘୂରି ନାଚୁଥାଏ । ନାଚ ମଝିରେ ସେ ତାର ହାତ ହଲେଇ ଦେବାରୁ ସେଠି ଗୋଟିଏ ହ୍ରଦ ସୃଷ୍ଟି ହେଲା ଏବଂ ଡାହାଣ ହାତ ହଲେଇ ଦେବାରୁ ସେହି ହ୍ରଦରେ କେତେକ ହଂସ ପହଁରିଲେ । ରାଜା ଏବଂ ଅତିଥି ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

 

ଅନ୍ୟ ବୋହୂମାନେ ମଧ୍ୟ ନାଚିଲେ । ସେମାନେ ତାଙ୍କ ହାତ ହଲେଇବାରୁ ପଚା-ବାସୀ ମଦ ଛିଟିକି ଅତିଥିମାନଙ୍କ ଉପରେ ପଡ଼ିଲା ଏବଂ ହାଡ଼ସବୁ ଯାଇ ବାଜିଲା ରାଜାଙ୍କ ମୁହଁରେ । ସେ ଭୀଷଣ ରାଗି ଉଠି ସେମାନଙ୍କୁ ସେଠୁ ତଡ଼ିଦେଲେ ।

 

ଇତ୍ୟବସରରେ ଆଇଭାନ୍ ସେଠୁ ଖସି ପଳେଇଲା ତା’ ଘରକୁ । ସେଠି ସେ ବେଙ୍ଗଚମଡ଼ା ପାଇ ତାକୁ ପୋଡ଼ିଦେଲା ।

 

ବେଙ୍ଗରାଣୀ ଘରକୁ ଫେରି ଦେଖିଲା ଯେ, ବେଙ୍ଗଖୋଳଟି ନାହିଁ । ସେ ଅତ୍ୟନ୍ତ ଦୁଃଖିତ ହୋଇ କହିଲା–ଆଃ ! ତମେ କ’ଣ କଲ ! ତମେ ଯଦି ଆଉ ତନୋଟି ଦିନ ଅପେକ୍ଷା କରିଥାନ୍ତ, ତାହେଲେ ମୁଁ ସବୁଦିନ ପାଇଁ ତମର ହୋଇଥାନ୍ତି । ମାତ୍ର ଏବେ ମୁଁ ଆଉ ରହିପାରିବି ନି । ଯାଉଛି; ବିଦାୟ । ମତେ ତମେ ଖୋଜିବ ସାତ ସମୁଦ୍ର ତେର ନଈ ଆର ପାରିରେ ।

 

ଏହା କହି ସେ ଗୋଟିଏ କଳାକୋଇଲି ହୋଇ ଝରକା ଦେଇ ଉଡ଼ିଗଲା । ଆଇଭାନ୍ ବହୁତ କାନ୍ଦିଲା । ଶେଷରେ ସେ ଚାରି ଦିଗକୁ ନମସ୍କାର ହୋଇ ତାର ସ୍ତ୍ରୀକୁ ଖୋଜି ବାହାରିଲା ।

 

ସେ କୁଆଡ଼େ ବାହାରିଲା, ତାକୁ ଜଣାନାହିଁ । ସେ ତାର ସ୍ତ୍ରୀକି ଖୋଜି ଖୋଜି କେତେବାଟ ଚାଲିଲା ତାହା କୁହାଯାଇ ପାରିବ ନି; କିନ୍ତୁ ଏହା ଭିତରେ ତା’ ଯୋତା ଛିଣ୍ଡିଗଲା, ତାର ଜାମା ଚିରିଗଲା ଓ ଟୋପି ମଇଳା ହୋଇଗଲା । ଶେଷରେ ସେ ଗୋଟିଏ ବୁଢ଼ା ବାମନକୁ ଭେଟିଲା ।

 

ବାମନ ପଚାରିଲା–କୁଆଡ଼େ ଯାଉଛୁ ପୁଅ ! ଏତେ ବ୍ୟସ୍ତ ଓ ବିଷାଦ କାହିଙ୍କି ?

 

ଆଇଭାନ୍ ତା’ ଆଗରେ ସବୁ ଦୁଃଖ କହିଲା ।

 

ଆଃ, ତମେ କ'ଣ କଲ ? ବେଙ୍ଗଚମଡ଼ାଟିକୁ ତୁମେ ପୋଡ଼ିଦେଲ କାହିଙ୍କି ? ବାମନ କହିଲା । ସେ ତ ତମର କିଛି ଅଡୁଆ କରୁ ନ ଥିଲା । ବେଙ୍ଗବତୀ କନ୍ୟା ତା’ ବାପଠାରୁ ବି ଆହୁରି ବୁଦ୍ଧିଆ । ତେଣୁ ତା’ ବାପା ତା ଉପରେ ରାଗିଯାଇ ଏକ ବେଙ୍ଗ କରି ଘରୁ ତିନି ବର୍ଷ ପାଇଁ ବାହାର କରି ଦେଇଥିଲେ । ଏବେ ଆଉ କ’ଣ କରାଯାଇପାରେ ? ତେବେ ଏ ସୂତା–ନଟୀଟା ନେଇଯାଅ । ଏ ଯୁଆଡ଼େ ଗଡ଼ି ଗଡ଼ି ଯିବ, ତୁମେ ନିର୍ଭୟରେ ୟା ପଛେ ପଛେ ଯିବ ।

 

ଆଇଭାନ୍ ବୁଢ଼ାକୁ ଧନ୍ୟବାଦ ଜଣାଇ ସୂତାନଟୀ ପଛେ ପଛେ ଚାଲିଲା । ବାଟରେ ସେ ଗୋଟିଏ ଭାଲୁକୁ ଭେଟିଲା । ସେ ତାକୁ ମାରିବାକୁ ଉଦ୍ୟତ ହେଉଥିବାବେଳେ ଭାଲୁଟି ମଣିଷ ଭଳି କହିଲା–ମତେ ମାର ନା, ମାର ନା ଆଇଭାନ୍ ! ମୁଁ ତମକୁ ଦରକାରବେଳେ ସାହାଯ୍ୟ କରିବି ।

 

ସେ ଭାଲୁକୁ ନ ମାରି ଆଗେଇବାକୁ ଲାଗିଲା । ହଠାତ୍ ସେ ଆକାଶରେ ଏକ ବାଜପକ୍ଷୀ ଉଡ଼ୁଥିବାର ଦେଖି ମାରିବାକୁ ବାହାରିଲାରୁ ସେ ମଧ୍ୟ ମଣିଷ ଭଳି କହିଲା–ମତେ ମାର ନା, ମୁଁ ତମର କାମରେ ଆସିପାରେ ?

 

ତାକୁ ଛାଡ଼ି ଆଇଭାନ୍ ପୁଣି ଆଗେଇଲା । ଏମିତ ବାଟରେ ଯାଉଁ ଯାଉଁ ସେ ଗୋଟିଏ ଠେକୁଆକୁ ମଧ୍ୟ ଭେଟିଲା । ସେ ତାକୁ ମରିବାକୁ ଧନୁରେ ଶର ଯୋଖିଲା ବେଳକୁ ସେ ବି ମଣିଷ ଭଳି କହିଉଠିଲା–କୁମାର ଆଇଭାନ୍ ! ମୋତେ ମାର ନା । ତମେ ଦିନେ ମୋର ସାହାଯ୍ୟ ଲୋଡ଼ିପାର ।

 

ସୁତରାଂ ସେ ତାକୁ ନ ମାରି ପୁଣି ଚାଲିଲା ଆଗକୁ ଆଗକୁ । ଶେଷରେ ସେ ଆସି ଏକ ନୀଳସମୁଦ୍ର କୂଳରେ ପହଞ୍ଚିଲା । ସେଠି ବାଲି ଉପରେ ଗୋଟିଏ ରୋହିମାଛ ଅଣନିଶ୍ୱାସୀ ହୋଇ ପଡ଼ି ପାଟିକୁ ପାକୁପାକୁ କରୁଥିବାର ଦେଖିଲା । ତା' ମନରେ ଦୟା ହେଲା । ସେ ତାକୁ ଟେକିନେଇ ପାଣିରେ ଛାଡ଼ିଦେଲାବେଳେ ମାଛ କହିଲା-ଭଗବାନ ତମର ମଙ୍ଗଳ କରନ୍ତୁ । ମୁଁ ତମର ଏ ଉପକାର କିମିତି ଶୁଝିବି ? ଦରକାର ପଡ଼ିଲେ ମୋତେ ଖୋଜିବ । ଏହା କହି ସେ ପାଣି ଭିତରକୁ ଚାଲିଗଲା ।

 

ଏହାପରେ ଆଇଭାନ୍ ସୂତାନଟୀ ପଛେ ପଛେ ସେହି ସମୁଦ୍ର କୁଳେ କୂଳେ ଚାଲିଲା । ସମୁଦ୍ରକୂଳରେ ଗୋଟିଏ ଭୀଷଣ ଜଙ୍ଗଲ । ନଟୀଟି ତା’ ଭିତରକୁ ଗଡ଼ିଗଲା । ସେ ବଣ ଭିତରକୁ ପଶି ଦେଖେ ଯେ ଗୋଟିଏ କୁଡ଼ିଆ ଘର, ଗୋଟିଏ କାଣି ଆଙ୍ଗୁଠି ମୋଟର କଣି ଉପରେ ରହି ଘୂରୁଛି । ସେ କହିଲା–ଛୋଟ କୁଡ଼ିଆ, ଛୋଟକୁଡ଼ିଆ, ତୁ ଟିକେ ମୋ ଆଡ଼କୁ ମୁହଁ ବୁଲା ।’’

 

କୁଡ଼ିଆର ମୁହଁ ତା’ ଆଡ଼କୁ ହୋଇଗଲା । ସେ ତା’ ଭିତରକୁ ଯାଇ ଦେଖେ ତ ଗୋଟିଏ ବୁଢ଼ୀ ଅସୁରୁଣୀ ଚୁଲୀ ପାଖରେ ବସି ଚୁଲୀରେ ଗୋଡ଼ ପୂରେଇ ସେକି ହେଉଛି । ଭାରି ପାମ୍ପରା ବୁଢ଼ୀ । ଦିହଯାକ ହାଡ଼ ଗଣି ହୋଇ ଯାଉଛି । ନାଟକ ଖଣ୍ଡା ପରି ଠିଆ ହୋଇଛି । ତା ପାଖରେ ମୁଠାଏ ପହଁରା ଓ ଗୋଟିଏ ଦିଆସିଲି ଥୁଆ ହୋଇଛି । ବୁଢ଼ୀ ତାକୁ ଦେଖି କହିଲା, କେଉଁଠୁ ମଣିଷ ବାସନା ଆସିଲାଣି ! କିଏ ଆସୁଛି ! କେଉଁଠୁ ଆଇଲା ? ଯିବ କୁଆଡ଼େ ?

 

ବଡ଼ ବଦମାସ୍ ମାଇକିନିଆ ଦେଖୁଛି ! ଆଇଭାନ୍ କହଲା –ଚାଲି ଚାଲି ଭୋକରେ ମୋ ପେଟ ଜଳିଲାଣି, ଶୋଷରେ ତଣ୍ଟି ଶୁଖିଗଲାଣି ଆଉ ଶୀତରେ ମୋ ଦେହ କୋହ୍ଲ ମାରି ନେଇ ଗଲାଣି । ପଚାରୁଛି କିଏ ? ମଦ–ମାଂସ ଆଗେ ଖାଇବାକୁ ଦେଇ ନିଆଁ କର, ମୁଁ ସେକିସାକି ହୋଇ କହୁଛି । ନଚେତ୍ ଏ ସୂତାରେ ତତେ ବାନ୍ଧି ପକେଇବି ।–ଖୁବ୍ ସାହାସ ସହକାରେ ଆଇଭାନ୍ ଏତିକି କହିଲା ।

 

ବୁଢ଼ୀ ଏହା ଶୁଣି ଏକବାରେ ଛାନିଆ । ଏ ସୂତା ତମେ କେମିତି ପାଇଲ ? –ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଓ ସାଙ୍ଗେ ସାଙ୍ଗେ ତାର ଖାଇବା ପିଇବା ଶୋଇବାର ବନ୍ଦୋବସ୍ତ କରିଦେଲା ।

 

ଆଇଭାନ୍ ସବୁକଥା କହିଗଲା । ସେ ସବୁ ଶୁଣି କହିଲା, ମୁଁ ସବୁ ଜାଣେ ତମର ସ୍ତ୍ରୀ ବର୍ତ୍ତମାନ ବଳବାନ୍ ଗଜାସୁର କବଳରେ । ସେଠୁ ମୁକୁଳିବା କିଛି ସହଜ କଥା ନୁହେଁ । ସେ ତମକୁ ଦେଖୁ ଦେଖୁ ମାରି ପକାଇବ । କିନ୍ତୁ ତମେ କ’ଣ ଜାଣ, ତାର ମରଣ ରହସ୍ୟ କ’ଣ ? ଗୋଟିଏ ଛୁଞ୍ଚି ଅଗରେ ତା’ ଜୀବନ । ସେ ଛୁଞ୍ଚିଟି ଅଛି ଗୋଟିଏ ଅଣ୍ଡା ଭିତରେ । ଅଣ୍ଡାଟି ଗୋଟିଏ ବତକ ପେଟରେ । ବତକଟି ଗୋଟିଏ ଠେକୁଆ ପାଟିରେ । ଠେକୁଆଟି ଗୋଟିଏ ପଥର ବାକସରେ । ବାକ୍‍ସଟି ଗୋଟିଏ ଦେବଦାରୁ ଗଛ ଅଗରେ । ସେ ଗଛଟିକୁ ଗଜାସୁର ସବୁବେଳେ ନଜର ରଖିଥାଏ ।

 

ଆଇଭାନ୍ ସେଠି ରାତିଟି କଟାଇ ସକାଳୁ ପୁଣି ବାହାରିଲା । ବୁଢ଼ୀ ତାକୁ ସେ ଗଛ ପାଖକୁ ବାଟ ବତେଇଦେଲା । ସେ ଚାଲି ଚାଲି ଶେଷରେ ଆସି ସେହି ଗଛମୂଳେ ପହଞ୍ଚିଲା । ମାତ୍ର ସେ ତା’ ଉପରକୁ ଚଢ଼ି ଅଗଯାକେ ଯାଇ ପାରିଲା ନି କି ବାକ୍‍ସ ଆଣି ପାରିଲା ନି । ଖଣ୍ଡେ ଦୂର ଚଢ଼ିଛି, ହାଲିଆ ହୋଇଗଲା ।

 

ଠିକ୍ ସେତିକିବେଳେ ସେ ଭାଲୁଟି ଆସି ଗଛଟିକୁ ମୂଳରୁ ଓପାଡ଼ି ଦେଲା । ବାକ୍ସଟି ପଡ଼ି ଛାଏଁ ଖୋଲିଗଲା । ତା' ଭିତରୁ ଠେକୁଆଟି ବାହାରି ଖୁବ୍ ଜୋରରେ ଦୌଡ଼ି ପଳେଇଲା । ଠିକ୍ ସେତିକିବେଳେ ସେହି ପୂର୍ବ ପରିଚିତ ଠେକୁଆଟି ଆସି ତାକୁ ଧରି ମାରିଦେଲା । ବତକ ସେଠୁ ଉଡ଼ି ପଳେଇ ଯାଉଥିଲା, ମାତ୍ର ଆଖି ପିଛୁଳାକେ ବାଜପକ୍ଷୀ ଆସି ତାକୁ ଖୁମ୍ପି ଦେବାରୁ ସେ ତଳେ ପଡ଼ିଗଲା । ତା’ ଭିତରୁ ସେ ଅଣ୍ଡାଟି ବାହାରି ସମୁଦ୍ରରେ ଗଡି ପଡ଼ିଲା ।

 

ଆଇଭାନ୍ ଏହା ଦେଖି ଭାରି ଦୁଃଖିତ ହେଲା । ବହୁତ କାନ୍ଦିଲା । ସେ ସମୁଦ୍ର ଭିତରୁ କେମିତି ଅଣ୍ଡା ଆଣିବ ? କିନ୍ତୁ ସେତିକିବେଳେ ସେ ରୋହି–ମାଛଟି ପାଟିରେ ଅଣ୍ଡାଟି କାମୁଡ଼ି ଧରି ଆସି ତା ପାଖରେ ପହଞ୍ଚିଲା ।

Unknown

 

ଆଇଭାନ୍ ଅଣ୍ଡା ଭାଙ୍ଗି ଛୁଞ୍ଚିଟି ନେଇ ତା’ ମୁନ ଭାଙ୍ଗିଦବାକୁ ଗୋଟିଏ ପଥରରେ ମାଡ଼ିଦେଲା । ତେଣେ ଗଜାସୁର ଏକ, ଘୋର ଗର୍ଜ୍ଜନ କରି ଦାଲୁ କିନା କଚାଡ଼ି ହୋଇ ମରି ପଡ଼ିଲା-। ଛୁଞ୍ଚିମୁନ ତ ଭାଙ୍ଗିଗଲା ।

 

ତା' ପରେ ଆଇଭାନ୍ ଗଜାସୁରର ଶଙ୍ଖମର୍ମର ପଥର ନିର୍ମିତ ରାଜବାଟୀ ଭିତରକୁ ପ୍ରବେଶ କଲା । ବେଙ୍ଗବତୀ କନ୍ୟା ତାକୁ ଦେଖି ମନ ଆନନ୍ଦରେ ଦୌଡ଼ି ଆସି ତାର ମୁଖ ଚୁମ୍ବନ କଲା । ସେମାନେ ସାଥି ହୋଇ ତାଙ୍କ ନିଜ ରାଜ୍ୟକୁ ଫେରିଲେ । ରାଜା ତାଙ୍କୁ ଦେଖି ଖୁବ୍ ଆନନ୍ଦିତ ହୋଇ କହିଲେ–ମୋ ପରେ ଆଇଭାନ୍ ରାଜା ହେବ । ଯଦିଓ ସେ ସବା ସାନ, ତଥାପି ତାର ଭାରି ବୁଦ୍ଧି, ଅକଲ ସାହସ ଓ ଏକାଗ୍ରତା ତାକୁ ପ୍ରଜା ପାଳନରେ ନିଶ୍ଚୟ ସାହାଯ୍ୟ କରିବ ।

 

ରାଜାଙ୍କ ମୃତ୍ୟୁ ପରେ ଆଇଭାନ୍ ରାଜା ହୋଇ, ବେଙ୍ଗରାଣୀ ସହ 'ମହାଆନନ୍ଦରେ ସୁଖ-ଶାନ୍ତିରେ ରାଜ୍ୟ ପାଳନ କଲା । ତାର ଭାଇ-ଭାଉଜମାନେ ସେମାନଙ୍କ ଅପକର୍ମ ଓ ଥଟ୍ଟା ପାଇଁ ତାଠୁ କ୍ଷମାଭିକ୍ଷା କଲେ । ସେ ମଧ୍ୟ ସେମାନଙ୍କୁ କ୍ଷମା ଦେଇ ଖୁବ୍ ଆନନ୍ଦରେ ତା ପାଖରେ ରଖାଇ ସେମାନଙ୍କର ସମସ୍ତ ଖବର ବୁଝିଲେ ।

★★★

 

* ପାରସ୍ୟ

ବଗ ବାଦଶାହ

 

ଦିନେ ବାଗବାଦର ଖଲିଫା କାଶିମ୍ ସଂଧ୍ୟା ସମୟରେ ନିଜ ଆରାମ–ଚୌକିରେ ବସି କ୍ଳାନ୍ତି ମେଣ୍ଟାଉଥିଲେ । ସେତେବେଳେ ସେ ତମାଖୁ ଟାଣୁଥିଲେ ଆଉ ମଝିରେ ମଝିରେ ତାଙ୍କୁ ଗୋଟିଏ ଚାକର ବଢ଼ାଇ ଦେଉଥିବା କପ ପିଆଲାରୁ ଟିକିଏ ଟିକିଏ କଫି ପିଉଥିଲେ । ଢୋକେ ଲେଖା ପିଇସାରିଲା ପରେ ସେ ତାଙ୍କର ଲମ୍ବ ଦାଢ଼ିକୁ ମନ ଆନନ୍ଦରେ ସାଉଁଳାଉ ଥିଲେ । ମୋଟ ଉପରେ, ସେ ସେତେବେଳେ ବେଶ ଆନନ୍ଦିତ ଥିଲେ । ଏତିକିବେଳେ ବାଦଶାହାଙ୍କ ସାଥିରେ କଥାବାର୍ତ୍ତା କରିବାର ଉପଯୁକ୍ତ ସମୟ ଓ ଏହା ହିଁ ତାଙ୍କ ଅନୁଗ୍ରହ ପ୍ରାର୍ଥନାର ପ୍ରକୃଷ୍ଟ ବେଳ । ଏହା ଜାଣି ତାଙ୍କର ପ୍ରଧାନମନ୍ତ୍ରୀ ମନସୁର ପ୍ରତ୍ୟହ ଠିକ୍ ଏଇ ସମୟରେ ହିଁ ବାଦଶାହଙ୍କ ଛାମୁକୁ ଆସି କଥାବାର୍ତ୍ତା କରି ଦେଶର ଭଲମନ୍ଦ ଖବର-ଅନ୍ତର ଜଣାନ୍ତି ।

 

ମନସୁର ସେଦିନ ବଡ଼ ଆଗ୍ରହାନ୍ୱିତ ହୋଇ ଆସିଥିବାର ଦେଖାଯାଉଥିଲେ । ଖଲିଫା ପଚାରିଲେ, ଖବର କ’ଣ ? ତମେ ଏଡ଼େ ଆଗ୍ରହୀ ଦେଖାଯାଉଛ କେଉଁଥିପାଇଁ ?

 

ମନ୍ତ୍ରୀ ନିଜ ବକ୍ଷ ଉପରେ ତାଙ୍କର ହସ୍ତ ଦ୍ଵୟକୁ ରଖି ମସ୍ତକ ନତ କରି ଜଣାଇଲେ, ଜାହାଁପନା ! ମୋ ମୁହଁରୁ ଏ ଢଙ୍ଗ ଓ ଭାବ ପ୍ରକାଶ ପାଉଛି ବୋଲି ମୁଁ ଜାଣେ ନି । ଏଇ ରାଜନବରର ଦରବାର ତଳକୁ ବାହାରେ ଗୋଟିଏ ଲୋକ ଖୁବ୍ ସୁନ୍ଦର ସୁନ୍ଦର ଜିନିଷ ବିକୁଛି । ମାତ୍ର ମୋ ପାଖରେ ଗୋଟିଏ ହେଲେ ଟଙ୍କା କି ପଇସା ନାହିଁ–ସେ ଚିଜ ମୂଲେଇବାକୁ ।

 

ବାଦଶାହା ପୂର୍ବରୁ ତାଙ୍କର ପ୍ରଧାନମନ୍ତ୍ରୀଙ୍କୁ ଏକ ଉପହାର ଦେବେ ବୋଲି ସ୍ଥିର କରିଥିଲେ । ତେଣୁ ସେ ତାଙ୍କର ଚାକର ପଠାଇ ସେ ଲୋକଟିକୁ ଡକାଇନେଲେ । ଲୋକଟିର ବାକସରେ ସୁନାରୂପାର ସୁନ୍ଦର ସୁନ୍ଦର ଅଳଙ୍କାର, ଅଷ୍ଟରତ୍ନ ଖଚିତ ମୁଦ୍ରିକା, ଅନେକ ମଣିମୁକ୍ତା ଓ ବୈଦୁର୍ଯ୍ୟ ଆଦି ଥିଲା । ସେ ଗୁଡ଼ିକ ଖୁବ୍ ମୂଲ୍ୟବାନ । ଖଲିଫା ଓ ମନ୍ତ୍ରୀ ସେଥିରୁ କେତେକ ଭଲ ଭଲ ଜିନିଷ ଦେଖିଲେ । ଖଲିଫା ତାଙ୍କ ନିଜ ପାଇଁ, ମନ୍ତ୍ରୀଙ୍କ ପାଇଁ ଓ ମନ୍ତ୍ରୀଙ୍କ ସ୍ତ୍ରୀଙ୍କ ସକାଶେ ଏମିତି ତିନୋଟି ଜିନିଷ ବାଛିଲେ ।

 

ବଣିକଟି ତାର ବାକସ ବନ୍ଦକରି ଦେବାକୁ ଯାଉଛି–ଠିକ୍ ଏତିକି ବେଳେ ଖଲିଫା ତା ଭିତରୁ ଗୋଟିଏ ଚୋରାକୋଠୀ ଦେଖିଲେ । ସୌଦାଗର ସେଇଟି ଖୋଲି ତା’ ଭିତରୁ ଏକ ପ୍ୟାକେଟ୍ କଳାଚୁର୍ଣ୍ଣ ଓ ଖଣ୍ଡେ ଖୁବ୍ ପୁରୁଣା ବହି ବାହାର କରି ସେମାନଙ୍କୁ ଦେଖାଇଲା । ସେ ବହିରେ ଯାହା ଲେଖା ହୋଇଥିଲା, ତାକୁ ବାଦଶାହ କି ତାଙ୍କ ମନ୍ତ୍ରୀ ବି ପଢ଼ି ପାରିଲେ ନି ।

 

ସୌଦାଗର କହିଲେ, ମୁଁ ଏ ଦୁଇଟି ଜିନିଷ ମକକାର ଜଣେ ବଣିକଙ୍କ ଠାରୁ ଆଣିଥିଲି । ସେ ସବୁ କ’ଣ ବା ସେ ବହିରେ କ’ଣ ଲେଖା ହୋଇଛି ମୁଁ କିଛି ଜାଣେ ନା । ସେ ତ ମୋର କିଛି ଦରକାରରେ ଆସିବ ନି । ଏଣୁ ଆପଣ ତାକୁ ସେମିତି ନେଇ ପାରନ୍ତି ।

 

ଖଲିଫା ଭାବିଲେ ଯେ, ସେ ସେହି ବହିଟି ତାଙ୍କ ପୁସ୍ତକାଗାର ପାଇଁ ନେବେ । ତେଣୁ ସେ ଅଳ୍ପ ପଇସାରେ ତା’ଠାରୁ ତାକୁ କଣିନେଲେ । ସେ ମନ୍ତ୍ରୀଙ୍କୁ ପଚାରିଲେ, ଆପଣ ଏଥିରେ କ’ଣ ଲେଖାହୋଇଛି–ପଢ଼ି ପାରବେ ନି ?

 

ମନ୍ତ୍ରୀ କିନ୍ତୁ ତାହା ପଢ଼ି ପାରିଲେ ନି ।

 

ମନ୍ତ୍ରୀ (ଉଜୀର) କହିଲେ, ହଜୁର, ଏ ଯେଉଁ ଭାଷାରେ ଲେଖା ଯାଇଛି- ତାହା ଏଠି ଆମ କାହାରିକୁ ଜଣା ନାହିଁ । ବଡ଼ ମସଜିଦ ନିକଟରେ ସେଲିମ ବୋଲି ଜଣେ ବୃଦ୍ଧବ୍ୟକ୍ତି ରହନ୍ତି । ତାଙ୍କୁ ବହୁତ ଭାଷା ମାଲୁମ । ତାଙ୍କୁ ଡକାଇ ପଠାଇଲେ, ବୋଧହୁଏ ସେ ଏହା ପଢ଼ିପାରିବେ ।

 

ସାଙ୍ଗେ ସାଙ୍ଗେ ସେହି ବୁଢ଼ାଙ୍କୁ ଡକାଗଲା । ଖଲିଫା କହିଲେ, ସେଲିମ, ମୁଁ ଶୁଣିଛି ଯେ ତମେ ଜଣେ ବିଜ୍ଞ ଓ ପଣ୍ଡିତ ଲୋକ । ତମକୁ ବହୁତ ଭାଷା ଜଣା ଅଛି । ତୁମେ ଏ ବହିଟିକୁ ଭଲ କରି ଦେଖ, ଏଥିରେ କ’ଣ ଲେଖାହୋଇଛି । ଯଦି ତମେ ଏହାକୁ ପଢ଼ିଦେବ–ତା’ ହେଲେ ମୁଁ ତମକୁ ଉପଯୁକ୍ତ ପୁରସ୍କାର ଦେବି । ଯଦି ତମେ ନ ପାରିବ, ତା ହେଲେ ମୁଁ ତମ ଗାଲରେ ପାଞ୍ଚ ଚାବୁକ ଓ ପିଠିରେ ପଚିଶ ଚାବୁକ ଦେବାକୁ ଆଦେଶ ଦେବି । କାରଣ ତମେ ମିଛକୁ ଖାଲି ପଣ୍ଡିତ ବୋଲାଉଛ ।

 

ସେଲିମ୍ ସେ ବହିଟିକୁ ଖୁବ୍‍ ଭଲକରି ଦେଖିଲା ଏବଂ ଏହା ଯେଉଁ ଭାଷାରେ ଲେଖା, ତାହା ସେ ପଢ଼ିପାରିଲା । ସେ ତାକୁ ପଢ଼ି ବୁଝାଇଦେଲା । ସେଥିରେ ଏହା ହିଁ ଲେଖା ଥିଲା, ଯେ ୟାକୁ ପାଇବ, ସେ ଆଲ୍ଲାଙ୍କୁ ସଲାମ ଜଣାଇ ତାଙ୍କର ଯଶୋଗାନ କରିବ । ଏ କଳାଗୁଣ୍ଡରୁ ଯେ ଟିପେ ଶୁଙ୍ଘିବ ଏବଂ ତା’ ସାଥେ ସାଥେ ‘ମୁତାବର’ ବୋଲି କହିବ, ସେ ଯେ କୌଣସି, ପ୍ରାଣୀ ହେବାକୁ ଇଚ୍ଛାକଲେ, ତାହା ହୋଇ ପାରିବ ଏବଂ ପଶୁପକ୍ଷୀଙ୍କ ଭାଷା ମଧ୍ୟ ବୁଝିପାରିବ; ପୁଣି ସେ ତାର ପୂର୍ବ ରୂପ ଫେରି ପାଇବାକୁ ଇଚ୍ଛା କଲେ ପୂର୍ବଦିଗକୁ ତିନି ଥର ମୁଣ୍ଡିଆ ମାରି ଏହି ଶବ୍ଦକୁ ତିନି ଥର ଉଚ୍ଚାରଣ କଲେ ସେ ପୂର୍ବପରି ହୋଇଯିବ ମାତ୍ର । ବଡ଼ ସାବଧାନ ! ଯେମିତି ସେ ସେତେବେଳେ ନ ହସେ । କାରଣ ଯଦି ସେ ରୂପ ପରିବର୍ତ୍ତନ କରିଥିବା ସମୟରେ ହସିଦିଏ, ତା’ହେଲେ ସେ ଏ ଶବ୍ଦଟି ଭୁଲିଯିବ ଓ ଫଳରେ ସବୁଦିନ ପାଇଁ ସେଇ ପଶୁ ବା ପକ୍ଷୀ ହୋଇ ରହିଯିବ ।

 

ଖଲିଫା । ଏକଥା ଶୁଣି ଆନନ୍ଦିତ ହେଲେ । ତା’ ପରେ ଏକଥା ଅନ୍ୟକୁ ପ୍ରକାଶ ନ କରିବାକୁ ସେ ସମସ୍ତଙ୍କୁ କହିଲେ । ସେ ସେହି ବଣିକଟିକୁ ଉପଯୁକ୍ତ ପୁରସ୍କାର ଦେଇ ବିଦାୟ ଦେଲେ । ତା ପରେ ସେ ମନ୍ତ୍ରୀଙ୍କୁ କହିଲେ, ଏ ତ ଭାରି ଭଲ କଥା ! ମୁଁ ସେହି ମୁହୂର୍ତ୍ତକୁ ହିଁ ଅପେକ୍ଷା କରିଛି–ଯେତେବେଳେ ମୁଁ ଗୋଟିଏ ପଶୁ ବା ପକ୍ଷୀ ପାଲଟି ଯିବି । କାଲି ସକାଳୁ ଆସ, ଆମେ ଦେଶ ବୁଲିଯିବା । ଆମ ସାଙ୍ଗରେ ଏଥିରୁ କିଛି ଗୁଣ୍ଡ ମଧ୍ୟ ନେଇଯିବା । ତା’ପରେ ଜଳ-ସ୍ଥଳ-ଆକାଶ କୁଆଡ଼େ କଣ ହେଉଛି ଓ ଜୀବମାନେ କ’ଣ କଥାବାର୍ତ୍ତା ହେଉଛନ୍ତି, ତାହା ଶୁଣିବା ।

 

ପରଦିନ ଭୋରରୁ ଖଲିଫା ତାଙ୍କର ମନ୍ତ୍ରୀଙ୍କ ସହ ଦେଶ ଭ୍ରମଣରେ ବାହାରିଗଲେ । ସେମାନେ ରାଜନଗରୀର ବାହାରେ ଥିବା ଏକ ପୁଷ୍କରିଣୀ ନିକଟକୁ ଗଲେ । ସେଠି ସେମାନେ ଅନେକ ଜୀବଜନ୍ତୁ ଦେଖିଲେ, ବିଶେଷକରି ରାଜା ଓ ମନ୍ତ୍ରୀ ବଗମାନଙ୍କର କେଁ-କଟର ଧ୍ୱନି ଓ ଚାଲି ଦ୍ଵାରା ଆକୃଷ୍ଟ ହେଲେ ।

 

ଖଲିଫା କହିଲେ, “ବାଃ, ଏ ଏକ ବଢ଼ିଆ କଥା’ । ମନ୍ତ୍ରୀ କହିଲେ, ‘ଚାଲ, ଆମେ ଏଥର ବଗ ହେଇଯିବା, କିନ୍ତୁ ଖଲିଫା କହିଲେ, ପ୍ରଥମେ ଆମେ ମନେ ରଖିବା ଉଚିତ ଯେ, ଆମେ ଯେମିତି ପୁଣି ମଣିଷ ହେବାକୁ ଭୁଲି ନ ଯିବା । ସତରେ ମନେ ରଖ ଆମେ ପୂର୍ବଆଡ଼କୁ ତିନି ଥର ମୁଣ୍ଡ ନୂଆଁଇ ‘ମୁତାବର ମୁତାବର’ କହିବା–ମୁଁ ଯେଉଁ ବାଦଶାହାକୁ ସେଇ ବାଦଶାହ ଓ ତମେ ପୁଣି ମୋର ମନ୍ତ୍ରୀ ହୋଇ ଯିବ । ଦେଖ, ତମେ ଆଲ୍ଲାଙ୍କ ନାମ ନେଇ କୁହ ଯେ, ତମେ କେବେହେଲେ ହସିବ ନି; ନଚେତ୍ ଆମେ ମରିଯିବା । ତତ୍‍ପରେ ସେ ନିଜେ କିଛି ନାଶ ଶୁଙ୍ଗି ଆଉ ଟିପେ ମନ୍ତ୍ରୀଙ୍କୁ ଦେଲେ । ସେ ତାହା ଶୁଙ୍ଗି ସାରିବା ପରେ ଉଭୟେ ଏକାଥରେ ପୂର୍ବକୁ ମୁଁହ କରି ଚିତ୍କାର କଲେ–‘ମୁତାବର', ‘ମୁତାବର’ ।

 

ତାଙ୍କର ଗୋଡ଼ ସରୁ ଓ ଲମ୍ବ ହେଇଗଲା । ହାତ ଦୁଇଟି ଡେଣାରେ ପରିଣତ ହେଲା । ସେମାନଙ୍କର ଦାଢ଼ି ଉଭେଇଗଲା ଓ ତାଙ୍କର ସର୍ବାଙ୍ଗ ଲୋମାବୃତ ହେଲା । ସେମାନେ ବଗ ପାଲଟିଗଲେ ।

 

ଖଲିଫା କହିଲେ; ବାଃ, ଭାରି ବଢ଼ିଆ !

 

ମନ୍ତ୍ରୀ କହିଲେ, ଛାମୁ ଏବେ ବଗ ହେବାରୁ ପୂର୍ବାପେକ୍ଷା ଅଧିକ ସୁନ୍ଦର ଦେଖାଯାଉଛନ୍ତି-। ଏଥର ଆପଣ ଆସନ୍ତୁ–ବଗମାନେ କି କଥାବାର୍ତ୍ତା କରୁଛନ୍ତି ଶୁଣି ତାହା ବୁଝିବାକୁ ଚେଷ୍ଟାକରିବା-

 

ଠିକ୍ ସେତିକିବେଳେ ଗୋଟିଏ ବଗ ଆସି ଗାଡ଼ିଆ କୂଳରେ ଆଉ ଗୋଟିଏ ବଗ ପାଖରେ ବସିଲା । ଆର ବଗଟି ଗୋଡ଼ରେ ତାର ଥଣ୍ଟ ଘଷି ଡେଣାରୁ ପର ଝଡ଼ଉଥିଲା । ନୂଆ ବଗ ଦୁଇଟି ସେମାନଙ୍କ ନିକଟକୁ ଯାଇ ତାଙ୍କର ଏହିପରି କଥା ଶୁଣିଲେ ।

 

ସୁପ୍ରଭାତ ଡେଙ୍ଗେଇ ଗୋଡ଼ୀ ! ତମେ ଏତେ ସକାଳୁ ଆସିଲଣି ?

 

ହଁ, ପ୍ରିୟ ଦୀର୍ଘଚଞ୍ଚୁ ! ମୁଁ ପ୍ରାତଃ ଭୋଜନ ସକାଶେ ଟିକେ ସଅଳ ବାହାରି ଆସିଛି । ମୁଁ ତମକୁ ଖଣ୍ଡେ ବେଙ୍ଗ ଗୋଡ଼ ବା ଏକ ସରୀସୃପ ଦେଇ ପାରେ କି ?

 

ଅଶେଷ ଧନ୍ୟବାଦ ! ମାତ୍ର ମୋର ଆଦୌ ଖାଇବାର ଇଚ୍ଛା ନାହିଁ । ମତେ ଆଜି ବାପାଙ୍କ ଅତିଥିମାନଙ୍କ ଆଗରେ ନାଚିବାକୁ ହେବ । ସେଥିପାଇଁ ମୁଁ ଟିକେ ଆଗରୁ ଅଭ୍ୟାସ କରିବାକୁ ପଡ଼ିଆକୁ ଚାଲିଆସିଲି ।

 

ତା'ପରେ ସେ ବଗଟି ବିଚିତ୍ର ଭଙ୍ଗୀରେ ଗୋଡ଼ ପକାଇ ଚାଲିଲା । ଖଲିଫା ଓ ତାଙ୍କ ମନ୍ତ୍ରୀ କେତେ ସମୟ ଯାଏ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଲେ । କିନ୍ତୁ ଯେତେବେଳେ ସେ ଗୋଟିଏ ଗୋଡ଼ରେ ଛିଡ଼ା ହେଇ ଏକ ମନୋହର ଭଙ୍ଗୀରେ ତାର ଡେଣା ଫଡ଼ ଫଡ଼ କଲା; ସେମାନେ ଆଉ ସମ୍ଭାଳି ନ ପାରି ହସିଦେଲେ । ଖଲିଫା ଆଗେ ହସ ବନ୍ଦ କଲେ । ବାଃ । ମୋ ଜୀବନରେ ମୁଁ ଏଭଳି ବଢ଼ିଆ ଦୃଶ୍ୟ କେବେ ଦେଖି ନ ଥିଲି–ସେ କହିଲେ । ଦୁଃଖର କଥା, ବୋକା ଚଢ଼େଇ ଦି ଟା ଏ ହସ ଶୁଣି ଫିଡ଼କି ଗଲେ; ନଚେତ୍ ସେମାନେ ୟା ପରେ ଗୀତ ଗାଇଥାନ୍ତେ ।

 

ହଠାତ୍ ମନ୍ତ୍ରୀଙ୍କର ମନେ ପଡ଼ିଗଲା ସେମାନଙ୍କୁ ହସିବାକୁ ବାରଣ କରାଯାଇଥିଲା ବୋଲି । ସେ ଭୟରେ ଖଲିଫାଙ୍କୁ କହିଲେ, ‘ତୋବା, ତୋବା ! ଏ ତ ବଡ଼ ଖରାପ କଥା ହେବ । ଆମେ ଏମିତି ବଗ ହୋଇ ରହିଗଲେ । ଆଲ୍ଲା କସମ୍, ମୋର ତ ସେ ବଦମାସ ଶବ୍ଦଟା ମନେ ପଡ଼ୁନି ।”

 

ଆମେ ପୂର୍ବକୁ ନଇଁ ତିନି ଥର କହିବା, ମୁଁ–ମୁଁ-ମୁଁ । ସେ ଆଉ ଅଧିକ କିଛି ଉଚ୍ଚାରଣ କରିପାରିଲେ ନି ।

 

ସେମାନେ ପୂର୍ବଦିଗକୁ ମୁହଁ କରି ନଇଁ ଜୁହାର ହେଲେ । ସେମାନଙ୍କର ଥଣ୍ଟ ଭୂଇଁରେ ଲାଗିଲେ, ମାତ୍ର ତାଙ୍କର ସେ ଶବ୍ଦ ଆଦୌ ମନେପଡ଼ିଲା ନି । ଖଲିଫ ଓ ମନ୍ତ୍ରୀ ବଗ ହୋଇ ରହିଲେ ।

 

ଏଇ ନୂଆ ବଗ ଦୁଇଟି ମନ ଦୁଃଖରେ ଘାସ ପଡ଼ିଆରେ ଏଣେ ତେଣେ ବୁଲିଲେ । ତାଙ୍କର ଦୁଃଖ ଓ ବିଷାଦର ମାତ୍ରା ଏତେ ଅଧିକ ହୋଇ ଗଲା ଯେ, ତା ପରେ ସେମାନେ ଆଉ କଣ କରିବେ, କିଛି ଜାଣି ପାରିଲେ ନି । ସହରକୁ ଯାଇ ସେମାନେ କିଏ ବୋଲି ପରିଚୟ ଦେବାଟା ଉଚିତ ହବ ନି ବୋଲି ଭାବିଲେ । କାରଣ କିଏ ବା ବିଶ୍ୱାସ କରିବ ଯେ ଗୋଟାଏ ବଗ ହେଉଛି ତାଙ୍କର ବାଦଶାହା ! ଯଦିଚ ସେମାନେ ସେ କଥାକୁ ବିଶ୍ୱାସ କରନ୍ତି; ତଥାପି ବାଗଦାଦର ଲୋକେ କଣ ଗୋଟିଏ ବଗ-ବାଦଶାହା ଦ୍ଵାରା ଶାସିତ ହେବାକୁ ପସନ୍ଦ କରିବେ ? ସେମାନେ ତାଙ୍କୁ ମନକୁ ସାନ୍ତ୍ଵନା, ଦେବାକୁ ବାଗଦାଦର ପ୍ରତି ଘର ଉପରେ ଉଡ଼ି ବୁଲି, କଣ କେଉଁଠି ହେଉଛି, ଦେଖିଲେ ।

 

ପ୍ରଥମ କେତେ ଦିନ ପରେ ସେମାନେ ରାସ୍ତାଘାଟରେ ଗଣ୍ଡଗୋଳ ଓ ପାଟିତୁଣ୍ଡ ହେଉଥିବାର ଦେଖିଲେ । ଚତୁର୍ଥ ଦିନ ସେମାନେ ରାଜବାଟୀର ଛାତ ଉପରେ ବସିଥାନ୍ତି । ଏତିକିବେଳେ ଖୁବ୍ ଜାକଜମକରେ ଏକ ପଟୁଆର ଭେରୀ, ତୁରୀ ଡ୍ରମ ବଜାଇ ସେ ବାଟେ ଗଲା । ଜଣେ ଲୋକ ଖୁବ୍ ଦାମୀ ପୋଷାକ ପିନ୍ଧି ଗୋଟିଏ ସୁସଜ୍ଜିତ ଘୋଡ଼ା ଉପରେ ବସି ଦାସ-ଦାସୀଙ୍କ ଦ୍ଵାରା ପରିବେଷ୍ଟିତ ହୋଇ ଯାଉଥିବାର ସେମାନେ ଦେଖିଲେ । ପ୍ରାୟ ବାଗଦାଦ ସହରର ଅର୍ଦ୍ଧେକ ଲୋକ ତାଙ୍କ ପଛେ ପଛେ ସେ ଶୋଭଯାତ୍ରାରେ ଯୋଗ ଦେଇ, ସ୍ଵାଗତ ମୀର୍ଜା, ବାଗଦାଦ୍ ଶାସକଙ୍କର ଜଯଧ୍ଵନି କରୁଥିଲେ ।

 

ରାଜପ୍ରାସାଦ ଛାତ ଉପରେ ବସିଥିବା ବଗ ଦୁଇଟି ପରସ୍ପରକୁ ଚାହାଁଚାହିଁ ହେଲେ । ଖଲିଫା କହିଲେ, ‘ତମେ ଏଥର ଜାଣିପାରୁଛ ନା–କାହିଙ୍କି ମୁଁ ଏମିତି ବଗ ହେଲି ? ଏଇ ମୀର୍ଜା ହେଉଛି ମୋର ଚିର ଶତ୍ରୁ । ଯାଦୁକର କାସଚନୁରର ପୁଅ । ସେ ସଦାସର୍ବଦା ମୋର ଅମଙ୍ଗଳ ଚିନ୍ତା କରୁଥିଲା ଏବଂ ମୋର କ୍ଷତି କରିବାକୁ ଚାହୁଁଥିଲା । ତଥାପି ମୁଁ ଅଧୈର୍ଯ୍ୟ ହେଇନି ବା ଆଶା ଛାଡ଼ିନି । ହେ ମୋର ବିଶ୍ଵସ୍ତ ବନ୍ଧୁ ! ତମେ ମୋ ସାଙ୍ଗରେ ଆସ । ଆସ, ଆମେ ଏଥର ଧର୍ମପ୍ରଚାରକ ଅବତାର ମହମ୍ମଦଙ୍କ ସମାଧି ପୀଠକୁ ଯିବା । ହୁଏ ତ ସେ ପବିତ୍ର ସ୍ଥାନରେ ଏ ମନ୍ତ୍ରର ଗୁଣ ଆଉ କିଛି ରହିବ ନି ବା ଆମର ସେ ଶବ୍ଦଟା ମନେ ପଡ଼ିବ ।’

 

ସେମାନେ ସେଠୁ ମଦିନା ଆଡ଼କୁ ଯିବାକୁ ଉଡ଼ିଗଲେ । ମାତ୍ର ପୂର୍ବରୁ ଉଡ଼ିବା ଅଭ୍ୟାସ ନ ଥିବାରୁ ସେମାନଙ୍କୁ ଭାରି କଷ୍ଟ ହେଲା ।

 

ଦି’ ଘଣ୍ଟା ପରେ ବହୁ କଷ୍ଟରେ ମନ୍ତ୍ରୀ କହିଲେ, ହଜୁର ! ମୁଁ ଆଉ ଉଡ଼ିପାରିବିନି । ଆପଣ ଖୁବ୍ ଶୀଘ୍ର ଉଡ଼ି ଯାଉଛନ୍ତି । ତା’ ଛଡ଼ା ଏବେ ସନ୍ଧ୍ୟା ହେଲାଣି । ଆଜି ରାତିଟା କଟେଇ ଦେବାକୁ ଆମେ ଏଠି ଟିକିଏ ଜାଗା ଦେଖିବା ଦରକାର ।’

 

ଖଲିଫା କାଶିମ ଏ ପ୍ରସ୍ତାବକୁ ଗ୍ରହଣ କଲେ । ସେମାନେ ତଳେ ଉପତ୍ୟକା ମଧ୍ୟରେ ଗୋଟିଏ ସ୍ଥାନରେ ବହୁ ଦିନରୁ ଅବ୍ୟବହୃତ ରହିଥିବା ଏକ ପୁରୁଣା କୋଠା ଦେଖି ତାରି ଆଡ଼େ ଉଡ଼ି ଚାଲିଲେ । ଏଇଟି ସେମାନଙ୍କ ବିଶ୍ରାମ ପକ୍ଷେ ଉପଯୁକ୍ତ ହେବ ବୋଲି ସେମାନେ ଭାବିଲେ । ସେଇଟି ପୂର୍ବେ ଏକ ଦୁର୍ଗ ଥିଲା, ମାତ୍ର ଏବେ ଭାଙ୍ଗିରୁଜି ଗଲାଣି । କେତେକ ସ୍ତମ୍ଭ ସେମିତି ଠିଆ ହୋଇଥାଏ । କେତୋଟି ପ୍ରକୋଷ୍ଠ ମଧ୍ୟ ନିଖୁଣ ଥାଏ । ସେଥିରୁ ଜଣାଯାଉଥାଏ, ଏହା ପୂର୍ବେ ଏକ ସୁନ୍ଦର, ମନୋହର ଓ ସୁଦୃଢ଼ ଦୁର୍ଗ ଥିଲା । ସେ ଦୁହେଁ ତା' ଭିତରକୁ ଯାଇ ଏକ ଶୁଖିଲା ଜାଗା ଖୋଜୁ ଖୋଜୁ ହଠାତ୍ ମନ୍ତ୍ରୀ ଅଟକିଗଲେ ।

 

ଜାହାଁପନା ପ୍ରଭୁ ! ସେ ଚୁପ୍ ଚୁପ୍ କରି କହିଲେ, ମତେ ଆଉ ଆଗକୁ ଯିବାକୁ ଭୟ ଲାଗୁଛି । ଏଠି ଭୂତ ଥାଇ ପାରନ୍ତି । ମୋର ନିକଟରେ ଯେମିତି କିଏ କଣ ଗୋଟିଏ ଶବ୍ଦ କଲା । ମୁଁ ନିଶ୍ଚୟ ଶୁଣିଛି ।

 

ଖଲିଫା ଛିଡ଼ା ହୋଇ କାନ ଡେରିଲେ । ସେ କେହି ଆସ୍ତେ ଆସ୍ତେ କଇଁ କଇଁ ବାହୁନି ହେଇ କାନ୍ଦୁଥିବାର ଶୁଣିଲେ । ଏହି କ୍ରନ୍ଦନଧ୍ୱନି କୌଣସି ପଶୁପକ୍ଷୀଙ୍କର ନ ହୋଇ ମନୁଷ୍ୟର ବୋଲି ସେ ଅନୁମାନ କଲେ । ସେ ତତକ୍ଷଣାତ୍ ସେହି ସ୍ଥାନଆଡ଼କୁ ଦୌଡ଼ି ଯିବାକୁ ବସିଥିଲେ, ମାତ୍ର ମନ୍ତ୍ରୀ ନିଜ ଥଣ୍ଟରେ ତାଙ୍କ ଡେଣାକୁ ଧରି ଅଟକାଇ ଦେଲେ । ସେ ବାଦଶାହାଙ୍କୁ ଉକ୍ତ ବିପଦ ସ୍ଥଳକୁ ନ ଯିବା ପାଇଁ ପ୍ରାର୍ଥନା କଲେ; ମାତ୍ର ଖଲିଫା ତାଙ୍କର ଦୃଢ଼ ମନ ଓ ସାହସ ସହ ଟାଣି ହୋଇ ଏକ ଅନ୍ଧାରିଆ ଗଳି ବାଟ ଦେଇ ସେଠାକୁ ଚାଲିଗଲେ । ସେ ସେଠାରେ ଗୋଟିଏ କବାଟ ଅଧା ଖୋଲାଥିବାର ଦେଖିଲେ । ସେହି କୋଠରୀ ମଧ୍ୟରୁ ହିଁ କ୍ରନ୍ଦନଧ୍ୱନି ଆସୁଥିବାର ସେ ଶୁଣିଲେ-। ସେ ନିଜ ଥଣ୍ଟ ସାହାଯ୍ୟରେ କବାଟକୁ ଠେଲି ଖୋଲିଦେଲେ; ମାତ୍ର ଭିତରକୁ ନ ଯାଇ ସେହି ଦ୍ଵାରମୁହଁରେ ରହି ଭିତରେ ଯାହା ଦେଖିଲେ, ସେଥିରେ ବିସ୍ମିତ ନ ହୋଇ ରହିପାରିଲେ ନି-

 

ସେହି ଭଗ୍ନ ପ୍ରକୋଷ୍ଠଟି ଗୋଟିଏ ଝରକା ଦ୍ଵାରା ଅଳ୍ପ ଆଲୋକିତ ହେଉଥିଲା । ସେ ଘରେ ଗୋଟିଏ ପେଚା ବସିଥିଲା । ତାର ଚକା ଚକା ଡିମା ଡିମା ଆଖି ଦି’ଟାରୁ ଲୁହର ଧାର ଛୁଟୁଥିଲା ଚଞ୍ଚୁରୁ ଏକ କ୍ଷୀଣ କ୍ରନ୍ଦନଧ୍ୱନି ବାହାରୁଥିଲା । ଇତ୍ୟବସରରେ ମନ୍ତ୍ରୀ ମଧ୍ୟ ବାଦଶାହାଙ୍କ ନିକଟକୁ ଚାଲି ଯାଇଥିଲା । ସେ ଖଲିଫା ଓ ମନ୍ତ୍ରୀଙ୍କୁ ଦେଖିବା ମାତ୍ରେ ଆନନ୍ଦଧ୍ୱନି କରି ଉଠିଲା । ସେ ତା ଡେଣାରେ ଲୁହ ପୋଛି ଏ ଦୁଇ ଦର୍ଶକଙ୍କୁ ମଣିଷ ଭଳି ଆରବୀ ଭାଷାରେ ସ୍ଵାଗତ ସମ୍ଭାଷଣ ଜଣାଇଲା ।

 

ସ୍ଵାଗତ ବଗଯୁଗଳ ! ମୁଁ ତୁମକୁ ଏଠି ଆଜିଯାଏ ଅପେକ୍ଷା କରି ବସିଛି । ତମକୁ ଦେଖି ମୁଁ ଭାବୁଛି, ଏଥର ମୁଁ ରକ୍ଷା ପାଇଯିବି । ମୁଁ ଶୁଣିଛି ଯେ, ଗୋଟିଏ ବଗ ଯୋଗୁ ହିଁ ମୋର ଭାଗ୍ୟୋଦୟ ହେବ ।

 

ୟା ପରେ ଖଲିଫା କହିଲେ–

 

‘ହେ ପେଚକ ! ମୁଁ ତମ କଥାରୁ ଜାଣୁଛି ଯେ, ତମେ ଆମରି ଭଳି ସମଦୁଃଖୀ । କିନ୍ତୁ ଆମ ଯୋଗୁଁ ତମେ ଉଦ୍ଧାର ପାଇବା ଆଶା ବୃଥା । ତମେ ଆମ କଥା ଶୁଣିଲେ, ଆମେ କିପରି ହତଭାଗ୍ୟ ଓ ନିଃସହାୟ, ତାହା ଜାଣି–ପାରିବ ।

 

ପେଚା ଖଲିଫାଙ୍କୁ ତାହା କହିବାକୁ ଅନୁରୋଧ କଲା ଏବଂ ଖଲିଫା ଯାହା ଘଟିଥିଲା, କହି ଶୁଣାଇଲେ ।

 

ଖଲିଫା ତାଙ୍କ କଥା ଶେଷ କଲାରୁ ପେଚା ତାଙ୍କୁ ଧନ୍ୟବାଦ ଦେଇ କହିଲା, ତମେ ମୋ କଥା ଶୁଣିଲେ ନିଶ୍ଚୟ କହିବ ଯେ ମୁଁ ତମ ଅପେକ୍ଷା କୌଣସି ଗୁଣରେ କମ୍ ହତଭାଗା ନୁହେଁ । ମୋ ବାପା ଦୀପପୁଞ୍ଜର ରାଜା । ମୁଁ ହେଉଛି ତାଙ୍କର ଏକ ମାତ୍ର କନ୍ୟା ନରୁସା । ସେହି କୁହୁକିଆ କାସଚନୁର ଯେ କି ତମକୁ ବଗ କରି ଦେଇଛି, ମୋର ଦୁଃଖ-ଦୁର୍ଦ୍ଦଶାର କାରଣ ଅଟେ । ଦିନେ ସେ ମୋ ବାପାଙ୍କ ନିକଟକୁ ଆସି ମତେ ତା ପୁଅ ମିର୍ଜା ସହିତ ବିବାହ କରିବାକୁ କହିଲା । ମୋ ବାପା ଏ କଥା ଶୁଣି ଆଦେଶ ଦେଲେ, ତାକୁ ତଳକୁ ଗଳେଇ ପକେଇବାକୁ । ସେ ବଦମାସ ତା'ପରେ ଗୋଟିଏ ଚାକର ବେଶରେ ଆସି ଥରେ ମତେ ସୁରାପାନ କରିବାକୁ ଦେଇ ଗଲା । ମୁଁ ତାହା ପିଇ ସାରିବା ପରେ ଏଭଳି ଏକ କୁତ୍ସିତ କଦର୍ଯ୍ୟ ରୂପ ଲାଭ କରି ରହିଛି । ତା'ପରେ ସେ ମତେ ଏଠିକି ଘେନି ଆସି ଖୁବ୍‍ ଚିତ୍କାର କରି କହିଲା, ‘ଏଠି ତୁ ଏମିତି ମଲାଯାଏ ରହି ଥାଆ । ଯଦି କେହି ନିଜ ଇଚ୍ଛାରେ ତତେ ବିବାହ କରିବାକୁ କହେ, ତା' ହେଲେ ତୁ ପୁଣି ତୋର ପୂର୍ବରୂପ ଲାଭ କରିବୁ । ମୁଁ ଏଥର ଦେଖିବି, ତୁ ଓ ତୋର ବାପା କେଡ଼େ ଗର୍ବୀ !’

 

ସେହିଦିନୁ ଅନେକ ମାସ ବିତିଗଲାଣି । ଦୁଃଖ ଓ ଶୋକରେ ଜର୍ଜରିତ ହୋଇ ମୁଁ ଏଠି ଏକୁଟିଆ ଏହି ଭଙ୍ଗା କୋଠରୀରେ ପଡ଼ିରହିଛି । ଏମିତିକି କେହି ପଶୁପକ୍ଷୀ ମଧ୍ୟ ମୋ ନିକଟକୁ ଆସିବାକୁ ଭୟ କରନ୍ତି । ମୁଁ ମଧ୍ୟ ସଂସାରର ସମସ୍ତ ସୌନ୍ଦର୍ଯ୍ୟ ଉପଭୋଗ କରିବାରୁ ବଞ୍ଚିତ; କାରଣ ଦିବା ସମୟରେ ମତେ କିଛି ଦେଖାଯାଏ ନା । କେବଳ ରାତ୍ରିରେ ଚନ୍ଦ୍ରାଲୋକରେ ମୁଁ ଟିକେ ଯାହା ଦେଖିପାରେ ।

 

ଏତିକି କହି ପେଚାଟି ନୀରବ ରହିଲା । ଖଲିଫା ରାଜକୁମାରୀର ଏ ଗଭୀର ଦୁଃଖ କାହାଣୀ ଶୁଣି ଖୁବ୍ ଚିନ୍ତିତ ହେଲେ ।

 

ମୁଁ ଯଦି କିଛି ଭୁଲ କରୁ ନ ଥାଏ–ସେ କହିଲେ, ତେବେ ଆମ ଦଶାର ସାମଞ୍ଜସ୍ୟ ଅଛି; କିନ୍ତୁ ଆମେ ବା କେମିତି ଏ ରହସ୍ୟର ସମାଧାନ କରିପାରିବା ?

 

ପେଚାଟି ଉତ୍ତର ଦେଲା, ‘ହେ ଭଗବାନ ! ମୁଁ ମଧ୍ୟ ଭାବୁଥିଲି ଯେ, ଆମେ କେମିତି ଏ କିମିଆ କବଳରୁ ଉଦ୍ଧାରିଯିବା, ସେ କଥା କାହାକୁ କହନ୍ତି ।’

 

ଖଲିଫା ଆଶ୍ଚର୍ଯ୍ୟ ହୋଇ ତାକୁ ସବୁକଥା କହିବାକୁ ଅନୁରୋଧ କଲେ ।

 

ସେ ଗୁଣିଆ ମାସକୁ ଥରେ ଏଠିକି ଆସେ–ସେ କହିଲା । ଏ ଘରଠାରୁ ଅଳ୍ପ ଦୂରରେ ଥିବା ସେ ଲମ୍ବା ଘରେ ସେ ତାର ସାଙ୍ଗସାଥିମାନଙ୍କୁ ଭୋଜିଭାତ ଦିଏ ଓ ସେମାନେ ସେଠି ପରସ୍ପର ଯାହା ଯିଏ ମନ୍ଦକାର୍ଯ୍ୟ କରିଥାନ୍ତି । କଥାବାର୍ତ୍ତା ହେବାର ମୁଁ ନିରୀକ୍ଷଣ କରିଛି ଓ ଶୁଣିଛି ମଧ୍ୟ । ବୋଧହୁଏ ସେମାନେ ତାଙ୍କ କଥାବାର୍ତ୍ତା ଭିତରେ ତମେ ଭୁଲି ଯାଇଥିବା କୁହୁକ ଶବ୍ଦ ବିଷୟ ଆଲୋଚନା କରିବେ ।

 

ହେ ମୋର ପ୍ରିୟା ରାଜକୁମାରୀ- ଖାଲିଫାଙ୍କ ପାଟିରୁ ବାହାରିଗଲା । ଦୟାକରି ମତେ କୁହ ତ, ସେ କେବେ ଆସିବେ ଓ କେଉଁଠି ସେ ଲମ୍ବା ଘରଟି ?

 

ମୁହୂର୍ତ୍ତେ ଯାଏ ପେଚାଟି ନୀରବ ରହି କହିଲା, ମତେ ଆପଣ ଦୟାହୀନା ବୋଲି ଭାବନ୍ତୁ ନି, ମାତ୍ର ମୁଁ ଆପଣଙ୍କୁ ଏସବୁ କଥା ଗୋଟିଏ ସର୍ତ୍ତ ବତାଇ ଦେଇପାରେ ।

 

କୁହ, କୁହ–କାସିଦ୍‍ କହିଲେ । ତମେ ଯାହା ଆଦେଶ କରିବ, ମୁଁ ତାହା ନିଶ୍ଚୟ ମାନିବି-

 

ଆଛା, ମୁଁ ମଧ୍ୟ ଏ କିମିଆ ଓ ପେଚା ରୂପରୁ ମୁକ୍ତ ହେବାକୁ ଚାହୁଁଛି । ମାତ୍ର ଏହା କେବଳ ତୁମ ଦୁହିଁଙ୍କ ମଧ୍ୟରୁ କେହି ଜଣେ ମତେ ବିବାହ କରିବାକୁ ରାଜି ହେଲେ ହିଁ ହୋଇ ପାରିବ-। ମୁଁ ଶୁଣିଛି ଯେ, ବଗଟିଏ ମତେ ଏଥିରୁ ଉଦ୍ଧାର କରିବ ।

 

ବଗ ଦୁଇଟି ଏକଥା ଶୁଣି ବିସ୍ମିତ ହେଲେ । ଖଲିଫା ଏବଂ ମନ୍ତ୍ରୀ ଏହି ବିଷୟ ଚିନ୍ତା କରିବାକୁ ଟିକିଏ ବାହାରକୁ ଆସିଲେ । ଖଲିଫା କହିଲେ–

 

ମନ୍ତ୍ରୀ ମହାଶୟ ! ଆପଣ ତାକୁ ବିବାହ କରୁ ନାହାଁନ୍ତି ? ଏହା ମୋ ପକ୍ଷରେ ଏକ କାଠିକର ପାଠ ।

 

ବାସ୍ତବକ-ମନ୍ତ୍ରୀ କହିଲେ । ତା ନ ହେଲେ ଯେତେବେଳେ ମୁଁ ଘରକୁ ଫେରିବି, ମୋ ସ୍ତ୍ରୀ ମୋର ଏ ଆଖି ଦୁଇଟା ଫୁଟାଇ ନ ଦେଇ ରଖିବ ତ ! ତା’ ଛଡ଼ା ମୁଁ ତ ବୁଢ଼ା ହେଲିଣି । ଆପଣ ହଜୁର ଯୁବକ ଲୋକ ଏବଂ ଅବିବାହିତ । ଏଣୁ ଆପଣ ତା’ ଭଳି ସୁନ୍ଦରୀ ରାଜକନ୍ୟାର ଉପଯୁକ୍ତ ବର ହୋଇ ପାରିବେ ।

 

ସେ ପେଚାଟି ତ ଯେଉଁଠି ସେଇଠି ବସିଛି । ତମେ କିମିତି ଜାଣିଲ ଯେ ସେ ଏକ ସୁନ୍ଦରୀ ଯୁବତୀ ରାଜକନ୍ୟା ? ମୁଁ ମଧ୍ୟ ଘଟଣାଟା କିଛି ନ ଜାଣି କିପରି କଥାଟା ଠିକ୍ କରିବି ତାକୁ ବିବାହ ହେବି କି ନାହିଁ ? –ବାଦ୍‍ଶାହ କହିଲେ ।

 

ଉଭୟେ ପରସ୍ପର ମଧ୍ୟରେ କିଛି ସମୟ ପାଇଁ ଯୁକ୍ତି କଲେ । ପରିଶେଷରେ ଖଲିଫା ଦେଖିଲେ ଯେ ମନ୍ତ୍ରୀ ତାକୁ ବିବାହ କରିବା ଅପେକ୍ଷା ଏହି ବଗ ହୋଇ ରହି ମରିବାକୁ ଚାହାନ୍ତି । ସେ ନିଜେ ତାର ସେ ସର୍ତ୍ତ ପୂର୍ଣ୍ଣ କରିବାକୁ ପ୍ରସ୍ତୁତ ହେଲେ । ପେଚାଟି ଆନନ୍ଦିତ ହେଲା । ସେ କହିଲା, ଆଜି ରାତିରେ କୁହୁକିଆ, ଗୁଣିଆ ଓ ବଦମାସ ଯାଦୁକରମାନେ ସେଠି ଏକତ୍ରିତ ହେବେ ।

 

ତା’ପରେ ସେ ସେହି ଅନ୍ଧାରିଆ ଲମ୍ବା ବାରଣ୍ଡା ଦେଇ ସେ ବଗ ଦି’ଟିଙ୍କୁ ଆଗେ ଆଗେ ବାଟ କଢ଼େଇ ନେଲା । ଶେଷରେ ସେମାନେ ସେହି ଭଙ୍ଗା କାନ୍ଥ ଦେଇ ଆଲୋକ ଆସୁଥିବା ସ୍ଥାନରେ ଆସି ପହଞ୍ଚିଲେ । ସେଠି ସେମାନେ ପହଞ୍ଚିଲା ପରେ ପେଚା କହିଲା, ଆପଣମାନେ ଚୁପଚାପ ରହିବେ, ମୋଟେ ପାଟି ଫିଟେଇବେ ନି । କଣା ଦେଇ ସେମାନେ ସେ ବଡ଼ ଲମ୍ବା ଘରଟିକୁ ଦେଖି ପାରୁଥିଲେ । ସେଠି ବିଭିନ୍ନ ରଙ୍ଗର ଦୀପସବୁ ଜଳୁଥିଲା । ସେ ଘର ମଝିରେ ଗୋଟିଏ ଗୋଲଟେବୁଲ ଉପରେ ସୁନ୍ଦର ସଫା ଚାଦର ବିଛାଯାଇ ନାନାପ୍ରକାର ଖାଦ୍ୟଦ୍ରବ୍ୟ ବିଭିନ୍ନ ରକମର ପାତ୍ରରେ ବଢ଼ାଯାଇଥିଲା । ତା ପାଖରେ ଆଠ ଜଣ ଲୋକ ତାକୁ ଘେରି ଚୌକିରେ ବସିଥିଲେ । ସେହି ବଦମାସ ଦଳ ମଧ୍ୟରେ ବଗ-ବାଦଶାହ ଓ ମନ୍ତ୍ରୀ ସେମାନଙ୍କୁ ସେହି କୁହୁକ-ଚୂର୍ଣ୍ଣ ବିକିଥିବା ସୌଦାଗରକୁ ଚିହ୍ନି ପାରିଲେ । ସେହି ଲୋକଟିର ପାଖଲୋକ ତାକୁ ଅନୁରୋଧ କଲା, ସେ କ'ଣ କ'ଣ କରିଛି କହିବାକୁ । ସେ ମଧ୍ୟ ସେମାନଙ୍କୁ ଖଲିଫା ଏବଂ ମନ୍ତ୍ରୀଙ୍କ ବଗ ହୋଇ ଯିବା କଥା ଶୁଣାଇଲା ।

 

ତମେ ତାଙ୍କୁ କେଉଁ ମନ୍ତ୍ର ଦେଇଛ ? –ଆଉ ଜଣେ ବୃଦ୍ଧ ଯାଦୁକର ପଚାରିଲା ।

 

ଖୁବ୍‍ କଠିନ ଶବ୍ଦ–‘ମୁତାବର' ।

 

ବଗ ଦୁଇଟି ଏ କଥା ଶୁଣିବା ମାତ୍ରେ ସେମାନଙ୍କର ଆନନ୍ଦର ସୀମା ରହିଲା ନି । ସେମାନେ ସେହି ଦୁର୍ଗର ଫାଟକ ପାଖକୁ ଏତେ ଶୀଘ୍ର ଦୌଡ଼ି ପଳାଇଗଲେ ଯେ, ସେମାନଙ୍କ ସଙ୍ଗେ ତାଳ ଦେଇ ସେ ପେଚାଟି ଯାଇ ପାରିଲା ନି । ସେଠି ପହଞ୍ଚିବା ପରେ ଖଲିଫା ବୁଲି ପଡ଼ି ପେଚାଟିକୁ କହିଲେ, ‘ହେ ମୋର ଓ ମୋ ବନ୍ଧୁଙ୍କ ଆତ୍ମରକ୍ଷାକାରିଣୀ, ମୁଁ ବା କିମିତି ତମର ଋଣ ଓ ଉପକାର ଶୁଝିବି ? ତମେ ମୋତେ ଏଥର ତୁମର ସ୍ଵାମୀ ରୂପେ ଗ୍ରହଣ କର ।’

 

ତା'ପରେ ସେମାନେ ପୂର୍ବକୁ ମୁହଁ କରି ‘ମୁତାବର’ ‘ମୁତାବର’ ‘ମୁତାବର’ ତିନି ଥର ଉଚ୍ଚାରଣ କଲେ । ସାଙ୍ଗେ ସାଙ୍ଗେ ସେମାନେ ପୁଣି ସେମାନଙ୍କର ପୂର୍ବ ରୂପ ଫେରିପାଇଲେ । ସେମାନେ ଆନନ୍ଦରେ ବିହ୍ଵଳ ହୋଇ ପରସ୍ପରକୁ ଆଲିଙ୍ଗନ ପୂର୍ବକ ହସ-କାନ୍ଦର ସୁଅ ଛୁଟାଇଦେଲେ । ସେମାନେ ବୁଲି ପଡ଼ି ଦେଖନ୍ତି ତ ସେମାନଙ୍କ ସମ୍ମୁଖରେ ଜଣେ ସୁନ୍ଦରୀ ସୁବେଶା ଯୁବତୀକନ୍ୟା ଦଣ୍ଡାୟମାନ ହୋଇଛି । ଏହା ଦେଖି ସେମାନେ ଅବାକ୍ ହୋଇଗଲେ ।

 

ସ୍ମିତହାସ୍ୟ କରି ସେ ତାର ହାତ ଖଲିଫାଙ୍କ ଆଡ଼କୁ ବଢ଼ାଇ ଦେଇ ପଚାରିଲା, ‘ଆପଣ କ'ଣ ମତେ ଚିହ୍ନି ପାରୁ ନାହାନ୍ତି ? ମୁଁ ସେହି ପେଚା ।’

 

ରାଜକୁମାରୀର ସୌନ୍ଦର୍ଯ୍ୟ, ସତବ୍ୟବହାର ଓ ସହୃଦୟତାରେ ଖଲିଫା ଏତେ ମୁଗ୍ଧ ହୋଇଗଲେ ଯେ, ସେ ଘୋଷଣା କଲେ–ବଗ ହୋଇ ମୋର ଭାଗ୍ୟ ଉଦୟ ହେଲା । ତତପରେ ସେ ତିନିଜଣଯାକ ବାଗଦାଦ୍ ଅଭିମୁଖେ ଯାତ୍ରାକଲେ ।

 

ବାଗଦାଦରେ ଖଲିଫା ପହଞ୍ଚିବାରୁ ସେଠାରେ ଗୋଟଏ ଉତ୍ତେଜନା ଓ ଆନନ୍ଦର ଢେଉ ଖେଳିଗଲା । ଲୋକେ ତାଙ୍କୁ ମଲାରେ ଗଣିଥିଲେ; ମାତ୍ରା ପୁନର୍ବାର ଦେଖି ଖୁବ୍ ଖୁସି ହେଲେ । ସେମାନେ ଦୁଷ୍ଟ ମୀର୍ଜା, ଯେ କି ଅସଦ୍‍ ଉପାୟରେ ସିଂହାସନରେ ବସିଥିଲା, ତା ଆଡ଼କୁ ମାଡ଼ି ଯାଇ ତାକୁ ଓ ତା ବାପା ସେ କୁହୁକିଆକୁ ବନ୍ଦୀ କରି ଆଣିଲେ । ଖଲିଫା ସେ ଯାଦୁକରକୁ, ଯେଉଁଠି ରାଜକୁମାରୀ ପେଚା ରୂପରେ ବନ୍ଦୀ ହୋଇଥିଲେ, ସେଇଠିକି ପଠାଇ ଫାଶି ହୁକୁମ କଲେ । ତା ପୁଅ ତା ବାପାଙ୍କ ଗୁଣୀ-ଗାରୁଡ଼ି, ମନ୍ତ୍ର–ଯନ୍ତ୍ର-ତନ୍ତ୍ର ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଓ ଅଜ୍ଞାନ ଥିବାରୁ ତାକୁ ମୃତ୍ୟୁ ଓ ଟିପେ କୁହୁକଚୂର୍ଣ୍ଣ ମଧ୍ୟରୁ କୌଣସି ଗୋଟିକୁ ବାଛିନେବାକୁ କହିଲେ । ସେ କୁହୁକଚୂର୍ଣ୍ଣ ପସନ୍ଦ କରିବାରୁ ମନ୍ତ୍ରୀ ତା’ ଆଡ଼କୁ ସେ ପୂରା ବାକ୍ସଟି ବଢ଼ାଇଦେଲେ । ଟିପେ ଶୁଙ୍ଘିଲା ପରେ ସେ ବଗ ପାଲଟି ଗଲା । ଖଲିଫା ତାକୁ ଗୋଟିଏ ଲୌହ ପିଞ୍ଜରାରେ ପୂରାଇ ରାଜବାଟୀର ଉଦ୍ୟାନରେ ଟଙ୍ଗାଇ ରଖିବାକୁ ଆଦେଶ ଦେଲେ ।

 

ଖଲିଫା ସୁଖ ଶାନ୍ତିରେ ଅନେକଦିନ ଯାଏ ରାଜକୁମାରୀଙ୍କ ସହ ଦାମ୍ପତ୍ୟ ଜୀବନ ଯାପନ କରି ଦେଶ ଶାସନ କଲେ । ପ୍ରତ୍ୟହ ଅପରାହ୍ନରେ ମନ୍ତ୍ରୀ ତାଙ୍କ ସହ ସାକ୍ଷାତ କରିବାକୁ ଆସିଲେ । ସେ ପୂର୍ବ କଥାମାନ ସ୍ମରଣ କରି ଖୁବ୍ ଆନନ୍ଦିତ ଓ ପ୍ରଫୁଲ୍ଲିତ ହୁଅନ୍ତି । ସେ ଯେତେବେଳେ ଖୁବ୍ ଖୁସ୍ ମିଜାଜରେ ଥା’ନ୍ତି, ସେ ପିଲାଙ୍କ ପରି ମନ୍ତ୍ରୀଙ୍କ ବଗ ହୋଇଥିବା ଅବସ୍ଥାର ଅଭିନୟ କରି ବ୍ୟଙ୍ଗ କରନ୍ତି । ଖଲିଫାଙ୍କ ବିବି ଓ ପିଲାମାନେ ତାଙ୍କର ଏ ଅଭିନୟ ଦେଖି ବେଶ ପ୍ରସନ୍ନ ହୁଅନ୍ତି ।

 

ଯେତେ ଚାଲାକ ଚତୁର ହୋଇ ଖରାପ କାମଟାଏ କଲେ ମଧ୍ୟ ଫଳ ଭଲ ନ ହୋଇ ମନ୍ଦ ହିଁ ହୋଇଥାଏ ।

★★★

 

ଆରବ

ନୀଳଦାଢ଼ି

 

ଏକଦା ଜଣେ ଧନୀଲୋକ ବାସ କରୁଥିଲେ । ତାଙ୍କର ଗୋଟିଏ ସୁନ୍ଦର ଘର ଓ ଏକ ମନୋହର ବଗିଚା ଥିଲା । ତାଙ୍କର ଦାଢ଼ି ନେଳିଆ ହୋଇଥିବାରୁ ଲୋକେ ତାଙ୍କୁ ‘‘ନୀଳଦାଢ଼ି’’ ବୋଲି ଡାକୁଥିଲେ ।

 

ତାଙ୍କ ଘର ପାଖରେ ଗୋଟିଏ ଦରିଦ୍ର ସ୍ତ୍ରୀଲୋକ ବାସ କରୁଥିଲା । ତାହାର ତିନି ପୁଅ ଓ ଦୁଇଟି ସୁନ୍ଦରୀ ଝିଅ ଥିଲେ । ବାଳିକାମାନଙ୍କ ମଧ୍ୟରୁ ଗୋଟିକର ନା ‘ଆନ୍' ଏବଂ ଅପରଟିର ନାଁ ‘ଫାତିମା’ । ନୀଳଦାଢ଼ି ସେମାନଙ୍କ ମଧ୍ୟରୁ କୌଣସି ଜଣଙ୍କୁ ହେଲେ ବିବାହ କରିବାକୁ ଇଚ୍ଛା କରୁଥିଲେ ସୁଦ୍ଧା ବାଳିକାମାନେ ଅମଙ୍ଗ ହେଲେ । ସେମାନେ ସେ ଧନୀ-ଲୋକଟିକୁ ବିବାହ କରିବାକୁ ଇଚ୍ଛା କରି ନ ଥିଲେ–କାରଣ ତାର ଦାଢ଼ି ନେଳିଆ । ‘ନୀଳଦାଢ଼ି ଅନେକ ସ୍ତ୍ରୀଙ୍କୁ ବିବାହ କରିଥିଲେ; ମାତ୍ର ସେମାନେ ସମସ୍ତେ ତାକୁ ଛାଡ଼ି ଚାଲି ଯାଇଥିଲେ । ତାର ସ୍ତ୍ରୀମାନେ କୁଆଡ଼େ ଗଲେ–ତାହା କେହି ଜାଣନ୍ତି ନାହିଁ । ଏ କନ୍ୟା ଦୁଇଟି ମଧ୍ୟ ତାକୁ ବିବାହ କରି ତାର ସ୍ତ୍ରୀ ହେବାକୁ ଇଚ୍ଛା କଲେ ନି; କାରଣ ତାହାର ଅନ୍ୟ ସ୍ତ୍ରୀମାନେ କିଏ କୁଆଡ଼େ ଗଲେ, କେହି ତାହା ଜାଣି ନ ଥିଲେ କି ସେ ବିଷୟରେ ସେ ମଧ୍ୟ କିଛି କହୁ ନ ଥିଲା । ତେଣୁ ସେମାନଙ୍କ ମାଆ ନୀଳଦାଢ଼ିକୁ କହିଲେ, ମୋ ଝିଅ ଦୁହେଁ କେହି ତୁମକୁ ବିବାହ କରିବାକୁ ରାଜି ନୁହନ୍ତି ।‘’

 

ନୀଳଦାଢ଼ି ସେମାନଙ୍କୁ ସାକୁଲେଇ ବାକୁଲେଇ କହିଲା, “ଦେଖ, ତୁମେମାନେ ଗରିବ । ମୋର ତ ଅନେକ ଧନ-ସମ୍ପତ୍ତି ଅଛି । ତାକୁ ଆଉ କିଏ ଭୋଗ କରିବ ? ମୋର ତ ଆଉ କେହି ନାହିଁ । ତମେମାନେ ମୋ ଆଖି ଆଗରେ ଏମିତି ହଇଗଣ ହେବା, ମତେ ଭଲଲାଗୁନି । ଆସ, କିଛିଦିନ ପାଇଁ ମୋ ଘରେ ରହ । ଦେଖ । ସୁତରାଂ ସେମାନେ ତା’ କଥାରେ ରାଜି ହୋଇ ଯାଇ ତା’ ଘରେ ରହିଲେ । ଘରଟି ଅତି ସୁନ୍ଦର । ନୀଳଦାଢ଼ି ମଧ୍ୟ ସେମାନଙ୍କ ମନ ନେବାପାଇଁ ସେମାନଙ୍କ ସହ ଭାରି ଭଲ ବ୍ୟବହାର କଲା । ସେମାନଙ୍କର କିଛି ଟିକେ ଅଭାବ-ଅସୁବିଧା ରହିଲା ନି ।

 

ଦିନେ ଫାତିମା କହିଲା, ‘ଦେଖ; ତାହାର ଦାଢ଼ି ନୀଳବର୍ଣ୍ଣ, କିନ୍ତୁ ସେ ଖରାପ ଲୋକ ନୁହେଁ । କେତେକ ବିଷୟରେ ସେ ଅତି ଉତ୍ତମ । ଅତଏବ ମୁଁ ତାକୁ ବିବାହ କରିବି ।’

 

ଫାତିମା ମାଆ ମଧ୍ୟ ଏଥିରେ ରାଜିହେଲେ । ଫାତିମା ନୀଳଦାଢ଼ିକୁ ଖୁବ୍ ଜାକମକରେ ବିବାହ କରି ସୁଖରେ ରହିଲା ।

 

କିଛିଦିନ ଗଲା । ତତପରେ “ନୀଳଦାଢ଼ି କହିଲା, ମୁଁ ଦେଶ ଭ୍ରମଣ କରିବାକୁ ଯିବି । ତମେ ସବୁ ଘରର ଭଲମନ୍ଦ ଦେଖାଚାହାଁ କରିବ । ଏହା କହି ସେ ଫାତିମାକୁ ଘରର ସବୁ କୋଠରୀ ଚାବିକାଠି ଦେଲା । ସେ ଫାତିମାକୁ ଏକ ଛୋଟ ଚାବିକାଠି ଦେଖାଇ କହିଲା, ‘‘ଏଇଟି ସେଇ ଛୋଟ ଘରର, ଏହାର ଦରଜା ଖୋଲିବ ନାହିଁ–ମତେ କୁହ ତ ! ତମେ ସେ ଛୋଟ ଘରର ଦରଜାଟି କେବେ ଖୋଲିବ ନି ।’’

 

ଫାତିମା ତା କଥାରେ ରାଜି ହେବାରୁ ସେ ଦେଶ ଭ୍ରମଣରେ ବାହାରିଗଲା ।

 

ନୀଳଦାଢ଼ି ଚାଲିଯିବାରୁ ଫାତିମାର ବନ୍ଧୁମାନେ ତାକୁ ଦେଖିବାକୁ ଆସିଲେ । ସେ ସେମାନଙ୍କୁ ସବୁ କୋଠରୀ ଖୋଲି ଦେଖାଇଲା, ମାତ୍ର ସେହି ଛୋଟ କୋଠରୀର ଦରଜା ଖୋଲି ନ ଥିଲା । ସେମାନେ ସେ ସବୁ ଘର ଦେଖି ଆନନ୍ଦରେ କହି ଉଠିଲେ–‘‘ଆହା, ଏ ଘରଟି କି ସୁନ୍ଦର !”

 

ତାର ବନ୍ଧୁମାନେ ଚାଲିଯିବା ପରେ ଫାତିମା କହିଲା, ‘‘ମୁଁ କ’ଣ ବର୍ତ୍ତମାନ ସେ ଛୋଟ ଘରଟି ଖୋଲିବି ? ସେ କାହିଁକି ଏ ଘର ଖୋଲିବ ନି ବୋଲି କହିଗଲେ ? ଏ ଘରେ କଣ ଅଛି, ମୁଁ ତାହା ଦେଖିବାକୁ ଚାହେଁ ?’’

 

ତତପରେ ସେ ଚାବିକାଠି ନେଇ ସେ ଘରଟି ଖୋଲିଲା । ତା ଭିତରକୁ ଯାଇ ସେ ସେଠି ‘ନୀଳଦାଢ଼ି’ର ଅନ୍ୟ ପତ୍ନୀମାନଙ୍କୁ ଦେଖିଲା । ଏହା ଦେଖି ସେ ଏକବାରେ ଅବାକ୍ ହୋଇଗଲା । ସେମାନେ ସେଠି ମୃତ ଅବସ୍ଥାରେ ପଡ଼ିଥିଲେ । ଚାବିକାଠି ବିସ୍ମୟରେ ତା’ ହାତରୁ ଖସି ପଡ଼ିଲା । ସେ ସେଟିକୁ ଉଠାଇ ନେଲାବେଳେ ତାହା ଉପରେ ଏକ ଲାଲ ଚିହ୍ନ (ଦାଗ) ରହିଗଲା ।

 

ସେ ଛାନିଆରେ ଦରଜାଟି ବନ୍ଦ କରି ଚାବିକାଠିଟି ନେଇ ତା ଘରକୁ ଚାଲିଗଲା । ସେ ଭବିଲା, “ନୀଳଦାଢ଼ି ଚାବିକାଠି ଉପରେ ଦାଗ ଦେଖିଲେ ନିଶ୍ଚୟ ଜାଣିବେ ଯେ, ମୁଁ ସେ ଛୋଟ ଘରଟିକୁ ଖୋଲିଛି । ତା ପରେ ସେ ତାର ଅନ୍ୟ ସ୍ତ୍ରୀମାନଙ୍କୁ ଯେପରି ହତ୍ୟା କରିଛି, ମତେ ବି ସେପରି ହତ୍ୟା କରିବ ।” ସେ ଖଣ୍ଡେ କନାରେ ଚାବିକାଠିଟିକୁ ଘଷିଲା । ମାତ୍ର ଦାଗ ଗଲା ନି । ସେ ଖଣ୍ଡେ ପଥର ଉପରେ ଚାବିକାଠିକୁ ଘଷିଲା । ତଥାପି ଦାଗ ଲିଭିଲାନି ।

 

ନୀଳଦାଢ଼ି ଦେଶଭ୍ରମଣରୁ ଫେରି ଫାତିମାକୁ ଚାବି ମାଗିଲା । ଫାତିମା ତାକୁ ଛୋଟ ଘରଟିର ଚାବି ବ୍ୟତୀତ ଅନ୍ୟସବୁ ଘରର ଚାବିକାଠି ଦେଇଥିଲା । ନୀଳଦାଢ଼ି ପଚାରିଲା, ‘‘ଛୋଟ ଘରର ଚାବିକାଠି କାହିଁ ?’’ ଫାତିମା କହିଲା ‘‘ମୁଁ ଆଣିଦଉଛି ।” ସେ ଚାବିକାଠି ଆଣି ଦେବାରୁ ନୀଳଦାଢ଼ି ସେଥିର ଲାଲ ଦାଗ ଦେଖି କହିଲା, ତୁମେ ଛୋଟ ଘରର ଦରଜା ଖୋଲିଛ ମୋର ବାରଣ ସତ୍ତ୍ୱେ ତମେ ଏହା କରିଛ । ଏବେ ମରିବାକୁ ପ୍ରସ୍ତୁତ ହୁଅ ।”

 

ସେ ଏକଥା ଶୁଣି, ତାର ଗୋଡ଼ତଳେ ପଡ଼ି କାନ୍ଦି କାନ୍ଦି କହିଲା, ମତେ ଅନ୍ତତଃ କେତେକ ଘଣ୍ଟା ପାଇଁ ବଞ୍ଚିବାକୁ ସମୟ ଦିଅ ।”

 

ସେ କହିଲା, ‘ମୁଁ ତମକୁ ଘଣ୍ଟାଏ ସମୟ ଦେଲି ।’

 

ଫାତିମାର ତିନୋଟି ଭାଇ ଥିଲେ । ସେମାନେ ତାକୁ ସେଦିନ ଆସି ଦେଖିବାକୁ କହିଥିଲେ; ମାତ୍ର କୌଣସି କାରଣରୁ ସେମାନେ ଆସି ନ ଥିଲେ । ସେ କହିଲା, ‘‘ଏହି ସମୟ ଭିତରେ ମୋ ଭାଇମାନେ ଆସିଲେ ମୋତେ ରକ୍ଷା କରନ୍ତେ ।”

 

ତାହାର ଭଉଣୀ ଆନ୍ ମଧ୍ୟ ସେହି ଘରେ ଥିଲା । ସେ ତାକୁ ଡାକି କହିଲା, ‘ଭଉଣୀ, ଟିକେ ଝରକା ପାଖକୁ ଯାଇ ଦେଖ ତ ଭାଇମାନେ ଆସୁଛନ୍ତି କି ? ଆନ୍ ଝରକା ପାଖକୁ ଯାଇ କହିଲା, ମୁଁ କାହାକୁ ଆସିବାର ଦେଖୁନି ।

 

ଫାତିମା ଟିକିଏ ଅପେକ୍ଷା କଲା ଏବଂ ତା’ପରେ ଚିତ୍କାର କରି କହିଲା, “ଭଉଣୀ ଆନ୍ ! କେହି ଲୋକ ଆସିବାର ଦେଖୁଛୁ ?’’

 

ଆନ୍ କହିଲା; ‘‘ମୁଁ ତ କାହିଁ କୌଣସି ଲୋକକୁ ଆସୁଥିବାର ଦେଖୁନାହିଁ ।’’

 

ନୀଳଦାଢ଼ି କହିଲା, ‘ଫାତିମା !’

 

ଫାତିମା କହିଲା, ଭଉଣୀ ଆନ୍ ! କେହି କଣ ଆସୁ ନାହାନ୍ତି ?’’

 

ଆନ୍ କହିଲା, ଅନେକ ଦୂରରେ ମୁଁ ଟିକିଏ ଧୂଳି ଉଡ଼ୁଥିବାର ଦେଖିଛି ।

 

ନୀଳଦାଢ଼ି ଡାକିଲା, ‘ଫାତିମା, ତଳକୁ ଆସ । ବେଳ ହେଇଗଲା ।’

 

ଫାତିମା କହିଲା, ‘‘ଭଉଣୀ ଆନ୍ ! ଧୂଳି ପଟଳ ମଧ୍ୟରେ କ’ଣ କାହାକୁ ଦେଖୁଛୁ ?"

 

ଆନ୍ କହିଲା, “ମୁଁ ସେ ଧୂଳିପଟଳ ମଧ୍ୟରେ କେତେକ ମନୁଷ୍ୟଙ୍କୁ ଦେଖୁଛି ।”

 

ନୀଳଦାଢ଼ି ଡାକିଲା, ‘‘ଘଣ୍ଟାଏ ବିତିଗଲା । ଫାତିମା, ତମେ ତଳକୁ ଆସ, ମୁଁ ତୁମଙ୍କୁ ହତ୍ୟା କରିବି ।”

 

‘‘ଭଉଣୀ ଆନ୍ ! ସେମାନେ କ’ଣ ତିନି ଜଣ ଲୋକ ?’’

 

ନୀଳଦାଢ଼ି ଡାକିଲା, “ଏକ ଘଣ୍ଟା ଅତୀତ ହୋଇଛି, ତମେ ତଳକୁ ନ ଆସିଲେ ମୁଁ ଉପରକୁ ଯିବି ।’’

 

ଆନ୍ କହିଲା, “ଏମାନେ ତିନି ଜଣ ଲୋକ ।’’

 

ଫାତିମା କହିଲା, ‘‘ସେମାନେ ମୋ ଭାଇ ।”

 

ଫାତିମା କହିଲା, ‘ଭଉଣୀ ଆନ ! ସେମାନଙ୍କୁ ଡାକ, ସେମାନେ ଆସି ମତେ ରକ୍ଷା କରନ୍ତୁ ।’

 

ନୀଳଦାଢ଼ି ଡାକି କହିଲା, ‘‘ଶୀଘ୍ର ଓହ୍ଲେଇ ଆସ; ନଚେତ୍ ଏଥର ମୁଁ ଉପରକୁ ଯାଉଛି ।’’

 

‘‘ଭଉଣୀ ଆନ୍‍ ! ସେମାନଙ୍କୁ ଡାକ–ଶୀଘ୍ର ଆସନ୍ତୁ । ନଚେତ୍ ମୋର ପ୍ରଣ ଯିବ ।’’

 

ନୀଳଦାଢ଼ି ଉପରକୁ ଯାଇ ଫାତିମାର କୋଠରୀ ଦ୍ଵାର ଖୋଲି ତାର ହାତ ଧରି ଭିଡ଼ି ଆଣୁଥିଲା । ଏତିକିବେଳେ ତାର ତିନି ଭାଇଯାକ ଆସି ପହଞ୍ଚିଗଲେ । ସେମାନେ ନୀଳଦାଢ଼ିକୁ ଧରି ଆମନ୍ତ୍ରଣ କରିବାକୁ ଚେଷ୍ଟା କଲେ, ମାତ୍ର ପାରିଲେ ନି । ଶେଷରେ ସେମାନେ ତାର ଦାଢ଼ିକୁ ଧରି ହଲାଇ ଦେବାମାତ୍ରେ ତାର ପ୍ରାଣ ବାହାରିଗଲା ।

 

ସୁତରାଂ ଫାତିମା ରକ୍ଷା ପାଇଗଲା । ସେ ନୀଳଦାଢ଼ିର ସମସ୍ତ ଧନ–ସମ୍ପତ୍ତି ପାଇଲା । ସେ ପୁଣି ଜଣେ ଭଲ ଲୋକଙ୍କୁ ବିବାହ କରି ଦୁଃଖୀରଙ୍କିମାନଙ୍କୁ ଅନେକ ଦାନ ଖୈରାତ କରି ସୁଖରେ ସେ ଘରେ ବାସ କଲେ ।

★★★

 

ଇହୁଦୀ ଦେଶର ରୂପକାହାଣୀ

ନିର୍ଜନ ଦ୍ଵୀପ

 

ଏକଦା ଜଣେ ଧନୀଲୋକ ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ । ସେ ପୁଅଟି ଥରେ ବୁଡ଼ି ଯାଉ ଯାଉ ଜଣେ ଚାକର ଦ୍ଵାରା ଉଦ୍ଧାର ଲାଭ କରିଥିଲା । ସେ ଧନୀ ତା’ ଉପରେ ଅତ୍ୟନ୍ତ ଖୁସି ହୋଇ ତାର ଉପକାର ପ୍ରତିବଦଳରେ ତାକୁ ମୁକ୍ତ କରି ମାଠିଆଏ ସୁନା ରୂପା-ମଣିମାଣିକ୍ୟ ଉପହାର ଦେଇ ବିଦାୟ ନେଲେ ।

 

“ଯାଅ, ଏଥର ଏ ମାଲମତା ସମୁଦ୍ର ସେପାରି ଦେଶରେ ବିକ୍ରି କରି ଯାହା ପାଇବ–ସେ ସବୁ ତୁମେ ତୁମ ନିଜ କାମରେ ଲଗାଇବ ।’’

 

ଏ କଥା ଶୁଣି ଚାକରଟି ଅତ୍ୟନ୍ତ ପ୍ରୀତ ହେଲା । ସେ ମାଲିକଙ୍କଠାରୁ ବିଦାୟ ନେଇ ଜାହାଜରେ ମାଲ ଲଦି ଯାତ୍ରା ଆରମ୍ଭ କଲା । ସେ ଯିବାବେଳେ ସମୁଦ୍ରରେ ହଠାତ୍ ତୋଫାନ ଆରମ୍ଭ ହୋଇଗଲା । ତା’ ଜାହାଜଟି ଗୋଟାଏ ପାହାଡ଼ରେ ବାଜି ଚୂରମାର ହୋଇଗଲା । ସେଥିରେ ଯେତେ ଲୋକ ଥିଲେ–ସମସ୍ତେ ବୁଡ଼ିଗଲେ । କେବଳ ସେହି ଚାକରଟି ହିଁ ବଞ୍ଚି ରହିଲା । ସେ ପ୍ରାଣ ବିକଳରେ ନିକଟରେ ଦେଖା ଯାଉଥିବା ଏକ ଦ୍ଵୀପକୁ ପହଁରି ଯାଇ ଜୀବନ ରକ୍ଷାକଲେ ।

 

ସେ ଦୁଃଖରେ ଅଧୀର ହୋଇ ସେହି ସମୁଦ୍ରକୂଳିଆ ବାଲିରେ ସେମିତି ବସି ନିଜର ଏତେ ଧନସଂପତ୍ତି ନଷ୍ଟ ହେବା କଥା ଭାବିଲା । ପରେ ସେ ସେଠାରୁ ଉଠି ଏକ ସୁନ୍ଦର ବନ ମଧ୍ୟରେ ପ୍ରବେଶ କଲା । ଏହି ବନ ସେ ଦ୍ଵୀପର ଅଭ୍ୟନ୍ତର ଆଡ଼କୁ ଅନେକ ଦୂର ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା । ସେ ବଣ ମଧ୍ୟରୁ ବାହାରି ଆସି ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳରେ ପହଞ୍ଚି ତା’ ମଝିରେ ଏକ ପ୍ରକାଣ୍ଡ ସହର ଦେଖିଲା । ଅନେକ ଲୋକ ସେ ନଗର ଦ୍ଵାରରୁ ବାହାରି ଏଣେ ତେଣେ ଯାଉଛନ୍ତି ।

ଯେତେବେଳେ ଲୋକେ ତାକୁ ଦେଖିଲେ, ସେତେବେଳେ ସେମାନେ ତାକୁ ଖୁବ୍ ଆନନ୍ଦଧ୍ୱନି ସହକାରେ ସ୍ଵାଗତ ଜଣାଇ, “ରାଜା ଦୀର୍ଘଜୀବୀ ହୁଅନ୍ତୁ’’ କହି ଏକ ସୁସଜ୍ଜିତ ରଥରେ ବସାଇ ବହୁଲୋକଙ୍କ ଗହଣରେ ରାଜବାଟୀକୁ ପାଛୋଟି ନେଇଗଲେ । ସେଠାରେ ଦାସ-ଦାସୀମାନେ ତାଙ୍କୁ ରାଜ-ପରିଚ୍ଛଦ ପିନ୍ଧାଇ ଦେଇ ତାଙ୍କର ଆଜ୍ଞାକୁ ଚାହିଁ ରହିଲେ । ସେମାନେ ସମସ୍ତେ ତାଙ୍କୁ ରାଜା ବୋଲି ମାନିଲେ ।

ସେ କିନ୍ତୁ ଆଶ୍ଚର୍ଯ୍ୟ ଚକିତ ହୋଇ ଏସବୁ ଦେଖିବାକୁ ଲାଗିଲା । ସେ ଭାବିଲା ଯେ, ସେ ସ୍ୱପ୍ନ ଦେଖୁଛି । ସେ ଯାହାସବୁ ଦେଖିଲା, ଶୁଣିଲା ବା ଅନୁଭବ କଲା, ତାହା ତାହାର ମାନସିକ ବିକାରର ପ୍ରତିକ୍ରିୟା ବୋଲି ସେ ଭାବିଲା । ସେ ଭଲଭାବେ ବିଚାର କରି ଠିକ୍ କଲା ଯେ, ସେ ସ୍ୱପ୍ନ ଦେଖୁନି, ପ୍ରକୃତରେ ସେ ପ୍ରକୃତିସ୍ଥ ଅଛି । ତେଣୁ ସେ ତା’ ପାଖରେ ଠିଆ ହୋଇଥିବା ଲୋକଙ୍କୁ କହିଲା–‘‘ଏ କ’ଣ ? ତୁମେମାନେ ଯେ କଣ କରୁଛ; ମୁଁ କିଛି ବୁଝିପାରୁ ନି ? ତମେ ମୋ ଭଳିଆ ଜଣେ କପର୍ଦ୍ଦକଶୂନ୍ୟ ବାରବୁଲା ହତଭାଗା ଭିକାରୀକୁ କାହିଁକି ଏତେ ଆଦର-ସମ୍ମାନ ଦେଖାଉଛ ? ମୋ ଭଳି ଏକ ଅଜ୍ଞ ନିର୍ବୋଧ ଲୋକଙ୍କୁ ତମର ଶାସକ (ରାଜା) କରିବାଟା ହିଁ ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ।”

‘ହଜୁର’ ! ସେମାନଙ୍କ ମଧ୍ୟରୁ ଜଣେ କହିଲା, ‘‘ଏ ଦ୍ଵୀପରେ ମଣିଷ ରୂପରେ ଭୂତ-ପ୍ରେତ ଓ ରାକ୍ଷସମାନେ ବାସ କରନ୍ତି । ବହୁଦିନ ଧରି ସେମାନେ ପ୍ରାର୍ଥନା କରିବାରୁ ପ୍ରତି ବର୍ଷ ଜଣେ ଲେଖା ପ୍ରକୃତ ମଣିଷ ଏଠିକି ଆସି ସେମାନଙ୍କ ଉପରେ ଶାସନ ଚଳାନ୍ତି । ବର୍ଷକ ପରେ ତାଙ୍କର ରାଜୁତି ସରିଯାଏ । ତା'ପରେ ତାକୁ ନୌକାରେ ନେଇ ଏକ ନିର୍ଜନ ଦ୍ଵୀପରେ ଛାଡ଼ି ଦିଆଯାଏ । ଯଦି ସେ ପୂର୍ବରୁ ଏଥିପାଇଁ ପ୍ରସ୍ତୁତ ନ ଥାନ୍ତି, ତେବେ ସେଇଠି ସେ ଦୁଃଖକଷ୍ଟରେ ଏକୁଟିଆ ନିଛାଟିଆ ଭାବରେ ପ୍ରାଣ ହରାନ୍ତି । ତା'ପରେ ତାଙ୍କ ସ୍ଥାନରେ ଆଉ ଜଣେ ରାଜଗାଦିରେ ବସନ୍ତି । ଏହିପରି ବର୍ଷକୁ ବର୍ଷ ଏହି ରୀତିରେ କାର୍ଯ୍ୟ ଚାଲେ ।

‘ପୂର୍ବରୁ ତୁମର କିମିତିକା ରାଜା ସବୁ ଥିଲେ ଟିକେ କୁହ ତ ?’ –ଦାସ (ବର୍ତ୍ତମାନର ରାଜା) ପଚାରିଲେ ।

‘ଆପଣଙ୍କ ପୂର୍ବରୁ ଯେଉଁ ସବୁ ରାଜା ରାଜୁତି କରୁଥିଲେ, ସେମାନେ ଥିଲେ ଭାରି ଖିଆଲି ଓ ଅସାବଧାନ । ପ୍ରଜାଙ୍କର ହାରି-ଗୁହାରିରେ ଟିକେ ହେଲେ କାନ ଦେଉ ନ ଥିଲେ । ଖାଲି ଶକ୍ତି ଓ ସୁବିଧା ଉପଭୋଗରେ ସେମାନେ ମାତିଥିଲେ । ତିଳେ ହେଲେ ତାଙ୍କର ଶେଷ ସମୟ କଥା ଚିନ୍ତା କରୁ ନ ଥିଲେ । ଆପଣ ସେମାନଙ୍କ ଠାରୁ ଟିକେ ବୁଦ୍ଧିଆ ଓ ଚତୁର ହୁଅନ୍ତୁ ଏବଂ ମୋ କଥାକୁ ଟିକେ ମନେରଖନ୍ତୁ ।’

ନୂଆ ରାଜା ତା’ କଥାକୁ ଖୁବ୍ ମନଧ୍ୟାନ ପୂର୍ବକ ଶୁଣି, ମନେ ମନେ ଦୁଃଖିତ ହେଲେ ।

ସେ ଆଉ ଅଧିକ କାଳବିଳମ୍ବ ନ କରି ତାଙ୍କ ରାଜ୍ୟର ସବୁଠାରୁ ଜ୍ଞାନୀ ବ୍ୟକ୍ତିଙ୍କୁ ଡକାଇ ପଠାଇ ପଚାରିଲେ, “ଆପଣ ମୋତେ ଉପଦେଶ ଦିଅନ୍ତୁ । ମୁଁ ମୋର ଦୁଃଖର ଦିନଗୁଡ଼ିକ ପାଇଁ କ'ଣ କରିବି–କିଭଳି ପ୍ରସ୍ତୁତ ହେବି ? ମୋଟେ ବର୍ଷକ ପରେ ତ ମୋର ପୁଣି ମନ୍ଦଭାଗ୍ୟ ପଡ଼ିବ !’

 

‘ତମେ ଏଠିକି ଗୋଟିଏ ହେଲେ ପଇସା ସାଥରେ ଧରି ଆସି ନ ଥିଲ; ସେହଭଳି ମଧ୍ୟ ଏଠୁ ଗୋଟିଏ ହେଲେ ପଇସା ସାଙ୍ଗରେ ନ ନେଇ ସେହି ନିର୍ଜନ ଦୀପକୁ ଯିବ ।’ ସେ ଉତ୍ତର କଲେ–‘ବର୍ତ୍ତମାନ ତମେ ଆମର ରାଜା; ତମ ଖୁସୀ ଯାହା, ତାହା କରିପାର । ତେଣୁ ତମେ ସେହି ଦ୍ଵୀପକୁ କେତେଜଣ କାରିଗର ପଠାଅ । ସେମାନେ ସେଠି ଯାଇ ଘରଦ୍ଵାର, କୋଠାବାଡ଼ି ନିର୍ମାଣ କରି, ଜମି ଚାଷକରି ଶସ୍ୟ ଉତ୍ପାଦନ କରନ୍ତୁ । ଚାରିପଟେ ଫୁଲ-ଫଳବଗିଚା କରି, ତାର ଯତ୍ନ ନିଅନ୍ତୁ । ସେ ନିର୍ଜଳା ନିଷ୍ଫଳା ଅନୁର୍ବର ମାଟି ପୁଣି ଶସ୍ୟ-ଶ୍ୟାମଳା ହୋଇ ହସିଉଠୁ । ଏହା ଫଳରେ ଲୋକେ ମଧ୍ୟ ସେଠାକୁ ଯାଇ ମନଇଚ୍ଛା ଚାଷ ଜମି ପାଇ ଫସଲ କରି ରହିବାକୁ ଇଚ୍ଛା କରିବେ । ତମେ ଏଠି ତମର କ୍ଷମତା ହରାଇଲେ ମଧ୍ୟ ସେଠାରେ ଏକ ନୂତନ ରାଜ୍ୟର ରାଜା ହୋଇ ସୁଖରେ ରହିବ । ମୋଟେ ବର୍ଷକ ଭିତରେ ଏତେ କାମ ହବ ।

 

ସୁତରାଂ ଆଜିଠୁଁ ନିଷ୍ଠା ସହକାରେ କାମରେ ଲାଗି ପଡ଼ ।’

 

ରାଜା ସେ ଜ୍ଞାନୀ ଲୋକଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କଲେ । ସେ ଅନେକ ଧୁରନ୍ଧର ଚାଷୀ, ମୂଲିଆ, କାରିଗରମାନଙ୍କୁ ବହୁ ମୂଲ୍ୟବାନ ପଦାର୍ଥ ଓ ଆସବାବ ପତ୍ର ସହ ସେଠାକୁ ପଠାଇ କାମରେ ଲାଗିଯିବାକୁ ଆଦେଶ ଦେଲେ । ବର୍ଷେ ନ ପୂରୁଣୁ ରାଜାଙ୍କ ରାଜୁତିକାଳ ଶେଷ ନ ହେଉଣୁ ସେ ନିର୍ଜନ ଦ୍ଵୀପଟି ବେଶ ମନୋମୁଗ୍ଧକର ଓ ଚିତ୍ତାକର୍ଷକ ହୋଇ ଉଠିଲା । ଏ ରାଜାଙ୍କ ପୂର୍ବରୁ ଆଉ ଯେତେଜଣ ରାଜା ଯାଇଥିଲେ, ସେମାନେ ତାଙ୍କର ରାଜୁତି କାଳର ଶେଷ ସମୟକୁ ବଡ଼ ଭୟଭୀତ ଓ ଚିନ୍ତିତ ହୋଇ ପଡ଼ୁଥିଲେ । ମାତ୍ର ଏ ରାଜା ଆଗ୍ରହ ସହକାରେ କିମିତି ବର୍ଷେ ପୂରିବ, ଦିନ ଗଣି ଚାଲିଲେ । ସେ ଏକ ଚିରଶାନ୍ତି ଓ ଆନନ୍ଦମୟ ଜୀବନ ଯାପନ କରିବା ପାଇଁ ଉତ୍ସୁକ ହୋଇ ସେହି ଦିନକୁ ଚାହିଁରହିଲେ ।

 

ଅବଶେଷରେ ସେହି ଦିନଟି ଆସି ପହଞ୍ଚିଲା; ଆଉ ସେ ଦାସ ଯେ କି ରାଜା ହୋଇଥିଲେ, ତାଙ୍କର ସମସ୍ତ କ୍ଷମତାରୁ ବଞ୍ଚିତ ହେଲେ । ତାଙ୍କ ଦେହରୁ ରାଜପୋଷାକ ଓହ୍ଲାଇ ଦିଆଗଲା ଏବଂ ସେ ଯେଉଁ ଛିଣ୍ଡା-କୋତରା ପୋଷାକ ପିନ୍ଧି ସେହି ଦ୍ଵୀପରେ ଭାସି ଆସି ଲାଗିଥିଲେ, ତାହା ହିଁ ତାଙ୍କୁ ପିନ୍ଧାଇ ଦିଆଗଲା । ତା’ପରେ ତାଙ୍କୁ ଏକ ବୋଇତରେ ବସାଇ ସେହି ନିର୍ଜନ ଦ୍ଵୀପ ଆଡ଼କୁ ଛାଡ଼ି ଦିଆଗଲା ।

 

ସେ ଯେତେବେଳେ ସେହି ଦ୍ଵୀପରେ ପହଞ୍ଚିଲେ, ସେତେବେଳେ ସେଠିକି ଆଗରୁ ପଠା ଯାଇଥିବା ଲୋକମାନେ ତାଙ୍କୁ ଗୀତ ବାଦ୍ୟ ସହକାରେ ସହାସ୍ୟ ବଦନରେ ଅଭିନନ୍ଦନ ଜଣାଇ ପାଛୋଟି ନେଲେ । ସେମାନେ ଆନନ୍ଦ ଧ୍ୱନିକରି ତାଙ୍କୁ ସୁବାସିତ ଫୁଲବଗିଚା ମଧ୍ୟରେ ନିର୍ମିତ ହୋଇଥିବା ରାଜବାଟୀକୁ ଘେନିଗଲେ । ସେଇଠି ସେ ଚିର ସୁଖ ଓ ଶାନ୍ତିରେ ରାଜୁତି କଲେ ।

★★★

 

ଚୀନଦେଶର ରୂପକାହାଣୀ

ସୁନା-ସିନ୍ଦୁକ

 

ସମ୍ରାଟ ‘‘ଉ’’ ଜଣେ ବଡ଼ ଦିଗ୍‍ବିଜୟୀ ଯୋଦ୍ଧା ଥିଲେ । ସେ ମଧ୍ୟ ଏକ ବିଶାଳ ସାମ୍ରାଜ୍ୟର ଅଧୀଶ୍ଵର ଥିଲେ । ପୂର୍ବ-ପଶ୍ଚିମରେ ତାଙ୍କର ରାଜ୍ୟ ଅନେକ ଦୂର ପର୍ଯ୍ୟନ୍ତ ବିସ୍ତୃତ ଥିଲେ । ଏବଂ ଅନେକ ରାଜା ତାଙ୍କର ଅଧୀନତା ସ୍ଵୀକାର କରିଥିଲେ । ତାଙ୍କର ପରିଷଦବୃନ୍ଦ ବିଜ୍ଞ ଓ ସରଳ ପ୍ରକୃତିର ଲୋକ ଥିଲେ । ସେମାନଙ୍କର ଉପଦେଶ ଓ ପରାମର୍ଶ ରାଜାଙ୍କ ପକ୍ଷରେ ଖୁବ୍ ମୂଲ୍ୟବାନ ଥିଲା । ସେହି ସମ୍ରାଟ ଜଣେ ବିଜ୍ଞ ଓ ସୁଶାସକ ଭାବେ ଯେଉଁ ଅମୂଲ୍ୟ କୀର୍ତ୍ତି ଅର୍ଜନ କରିଯାଇଛନ୍ତି, ତାହା ଚୀନ ଦେଶର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିଖିତ ଅଛି ।

 

ଥରେ କ’ଣ ହେଲା ନା, ସମ୍ରାଟଙ୍କ ରାଜ୍ୟ ଉତ୍ତରକୁ ଥିବା ଛୋଟ ରାଜ୍ୟର ଶାସନକର୍ତ୍ତା ଅତ୍ୟାଚାରୀ ହୋଇ ବିଦ୍ରୋହ ଆରମ୍ଭ କଲେ । ସମ୍ରାଟ ଏ ଖବର ପାଇ ସଙ୍ଗେ ସଙ୍ଗେ ଅଶ୍ଵାରୋହୀ, ରଥାରୋହୀ, ଓ ବର୍ଚ୍ଛାଧାରୀ ସୈନ୍ୟମାନଙ୍କ ସହ ସେଠାକୁ ଯାତ୍ରା କଲେ । ତିନି ସପ୍ତାହ ମଧ୍ୟରେ ସେ ସେଠାକାର ବିଦ୍ରୋହ ଦମନ କରି ତଥାକାର ଶାସକଙ୍କୁ ଶାସ୍ତି ବିଧାନ କଲେ ।

 

ତଥାପି ଏ ଅଭିଯାନ ଓ ବିଜୟ ପରେ ମଧ୍ୟ ସମ୍ରାଟଙ୍କର ଦୁର୍ଭାଗ୍ୟ ଗଲାନାହିଁ । ସେ ଲଢ଼େଇରେ କ୍ଲାନ୍ତ ଶ୍ରାନ୍ତ ହୋଇ ଯାଇଥିବାରୁ ଶକ୍ତ ବେମାର ପଡ଼ିଲେ, ଏମିତିକି ବଞ୍ଚିବା ବେଠିକଣା ହେଲା । ସମ୍ରାଟ ରୋଗମୁକ୍ତ ହେବାର ଆଶା ନ ଦେଖି ବିଶେଷ ବିମର୍ଷ ହେଲେ । ତେଣୁ ତାଙ୍କୁ ଆନନ୍ଦିତ କରିବା ପାଇଁ ସାମ୍ରାଜ୍ୟର ସମସ୍ତ ଅଂଶରୁ କବି, ଚାରଣ, ଗାୟକ ଓ ସଙ୍ଗୀତଜ୍ଞମାନଙ୍କୁ ଅଣାଗଲା; କିନ୍ତୁ ତଦ୍ଦ୍ୱାରା ମଧ୍ୟ କିଛି ଫଳ ହେଲା ନି, ସେ ବରଂ ଏଥିରେ ଅଧିକ ବିରକ୍ତ ହେଲେ ।

 

ଅବଶେଷରେ ତାଙ୍କର ଭାଇମାନେ (ପଟ୍ଟାୟତ, ସାନମଣିମା ପ୍ରଭୃତି) ନିଜ ନିଜ ଭିତରେ ପରାମର୍ଶ କଲେ–କିପରି ଏ ଅବସ୍ଥା ସୁଧୁରିଯିବ ? ତାଙ୍କ ଭାଇଙ୍କ ଭିତରୁ ଦ୍ଵି’ଜଣ କହିଲେ, ‘‘ତେବେ ଆମେ ଆମର ପୁରୁଖା ପୁରୁଖା ଲୋକଙ୍କୁ ପଚାରି ଏବଂ ସେମାନଙ୍କ କଥା ଶୁଣି ଦୈବବାଣୀକୁ ଉଦ୍ଦେଶ୍ୟ କରିବା ! ଏକଥା ତ ଆମ ପୂର୍ବପୁରୁଷରୁ ଚଳି ଆସୁଛି ।’’ ମାତ୍ରା ସମ୍ରାଟଙ୍କର ତୃତୀୟ ଭାଇଜଣକ ଗୋଟିଏ ଅଲଗା ବିଚାର କଲେ । ସେ କିନ୍ତୁ ସେତେବେଳେ ସେ କଥା ପ୍ରକାଶ କଲେନି ।

 

ସେ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରକୁ ରାଜ୍ୟର ସମସ୍ତ ମୁଖ୍ୟ କର୍ମଚାରୀମାନଙ୍କ ସହ ଯାଇ ସେଠାରେ ସେମାନଙ୍କୁ ଗୋପନରେ ପ୍ରତିଜ୍ଞାବଦ୍ଧ କରାଇ ନେଲେ । ସେଠି ସେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ–ଚାରି ଦିଗରେ ଚାରି ଗୋଟି ବେଦୀ ନିର୍ମାଣ କରାଇଲେ । ସେ ଦକ୍ଷିଣ ବେଦୀରେ ବସି ଉତ୍ତରକୁ ମୁହଁ କରି ତାଙ୍କ ପୂର୍ବରୁ ରାଜୁତି କରି ଯାଇଥିବା ତିନି ଜଣ ସମ୍ରାଟଙ୍କୁ ପ୍ରାର୍ଥନା କଲେ; ସେମାନେ ତାଙ୍କୁ ସାହାଯ୍ୟ କରିବେ ବୋଲି ଭାବି । ଯେତେବେଳେ ସେ ପ୍ରାର୍ଥନା କଲେ, ତାଙ୍କ ରାଜ୍ୟର କଣେ ଭଲ ଛାମୁକରଣ ତାଙ୍କ ପ୍ରାର୍ଥନାର ସମସ୍ତ କଥାକୁ ଖଣ୍ଡେ ପ୍ରସ୍ତର ଉପରେ ଲେଖି ରଖୁଥିଲେ, ଯାହା କି ଆଜି ସୁଦ୍ଧା, ପଢ଼ାଯାଇ ପାରେ । ଏହା ହିଁ ହେଉଛି ତାଙ୍କର ସେ ପ୍ରାର୍ଥନା ।

 

‘‘ହେ ଯଶସ୍ଵୀ ରାଜାଗଣ ! ସମ୍ରାଟ ‘ଉ’ ଯେ କି ଆପଣଙ୍କର ବଂଶଧର ଏବଂ ଏ ସମୟର ଶାସକ, ଖୁବ୍ ସାଙ୍ଘାତିକ ବେମାର ଅଛନ୍ତି । ତାଙ୍କର ବଞ୍ଚିବାର କ୍ଷୀଣ ଆଶା ଦେଖାଯାଉଛି-। ହେ ଆମର ତିନି ପୁରୁଷର ସମ୍ରାଟ–ଗଣ, ତମେ ତାଙ୍କର ପୂର୍ବପୁରୁଷ ହିସାବରେ ତାଙ୍କ ଉପରେ ଦୃଷ୍ଟି ଦେଇ ତାଙ୍କର ଭାଗ୍ୟ ନିୟନ୍ତ୍ରଣ କର । ଯଦି ସେ ମୃତ୍ୟୁମୁଖରେ ପଡ଼ନ୍ତି, ତା'ହେଲେ ମତେ ମରିବାକୁ ଦିଅ, ମୁଁ ତାଙ୍କର ଭାଇ ଓ ମୁଁ ମଧ୍ୟ ଖୁବ୍ ସରଳ ନିରାଡ଼ମ୍ବର ଜୀବନଯାପନ କରିଛି, ଆଉ ମଧ୍ୟ ସ୍ଵର୍ଗବାସୀମାନଙ୍କର ସେବା କରିବା ପାଇଁ ମୁଁ କୌଣସି ଗୁଣରେ କମ୍ ନୁହେଁ । ମୋର ଏ ପୃଥିବୀରେ କୌଣସି କାମ ନାହିଁ । କାରଣ ତମର ପ୍ରକୃତ ହକଦାର ବଂଶଧର ହେଉଛନ୍ତି ଏ ସାମ୍ରାଜ୍ୟର ଅଧୀଶ୍ଵର । ପ୍ରଜାମାନେ ତାଙ୍କୁ ଖୁବ୍ ଭଲପାଆନ୍ତି ଓ ଭକ୍ତି କରନ୍ତି, ପ୍ରତ୍ୟହ ମଧ୍ୟ ତାଙ୍କଠାରୁ କିଛି ନା କିଛି ସାହାଯ୍ୟ ଭିକ୍ଷା କରିବାକୁ ଆସନ୍ତି । ସେଥିପାଇଁ ମୁଁ ଚାହେଁ- ସେ ଜୀବିତ ରହନ୍ତୁ । ବରଂ ମତେ ତାଙ୍କ ବଦଳରେ ଆପଣମାନେ ସ୍ଵର୍ଗକୁ ନେଇଯାଆନ୍ତୁ । ମୁଁ ଦୈବୀବାଣୀକୁ ଅପେକ୍ଷା କରୁଛି । ଆଶା, ଆପଣମାନେ ମୋର ଏ ନିବେଦନର ଉପଯୁକ୍ତ ବିଚାର କରିବେ ।’’

 

ଏ ଦୈବବାଣୀ କୌଣସି ପଥର ମୂର୍ତ୍ତି କରେ ନା । କେହି ଲୋକ ବି ଏ ଦୈବ-ବାଣୀକୁ ଦେଖନ୍ତି ନାହିଁ; ମାତ୍ର ରାଜପୁରୋହିତ ରଖିଥିବା ଗୋଟିଏ ସୁନା ସିନ୍ଦୁକରେ ଥିବା ଶଙ୍ଖମର୍ମର ପ୍ରସ୍ତରରେ ଏହା ଲେଖା ହୋଇଯାଏ । ତେଣୁ ସମ୍ରାଟଙ୍କୁ ଭାଇ ‘ଚାଉ’ ଭକ୍ତି ସହକାରେ ମନ୍ଦିରକୁ ଯାଇ ସେଠାରେ ଥିବା ଏହି ସୁନା ସିନ୍ଦୁକଟି ଖୋଲିଲେ । ରାଜପୁରୋହିତ ମଧ୍ୟ ତାଙ୍କୁ ସେ ସିନ୍ଦୁକର ଚାବି ଦେଇଥିଲେ ।

 

ସେ ଫିଟାଇ ଦେଖିଲେ ଯେ, ତାଙ୍କର ପୂର୍ବତନ ତିନି ରାଜା ସେମାନଙ୍କର ଉତ୍ତର ଦେଇ ସାରିଛନ୍ତି–ତାହା ହେଉଛି ଏଇ, ‘‘ଆମେ ଏ ରାଜ୍ୟର ପୂର୍ବତନ ତିନି ପୁରୁଷର ରାଜାମାନେ ଚାଉଙ୍କ ପ୍ରାର୍ଥନା ଶୁଣିଛୁ । ତାଙ୍କର ମରିବାର କୌଣସି ଆବଶ୍ୟକତା ନାହିଁ । ଆମେମାନେ ତାଙ୍କ କଥାରେ ଅତ୍ୟନ୍ତ ମୁଗଧ; ଏଣୁ ସମ୍ରାଟ ‘ଉ’ ମଧ୍ୟ ଜୀବିତ ରହିବେ, ଯେ ପର୍ଯ୍ୟନ୍ତ ତାଙ୍କର ପ୍ରକୃତ ମରିବାର ସମୟ ନ ହେଇଛି–ଏହି ହେଲା ଆମର ରାୟ ।’’

 

ଚାଉ ତାଙ୍କ ନିବେଦନ ସଫଳ ହୋଇଥିବାରୁ ଆନନ୍ଦରେ ଗଦଗଦ ହୋଇ ପୁଣି ସେ ପ୍ରସ୍ତରକୁ ସେଇ ସିନ୍ଦୁକରେ ରଖି ଚାବି ପକାଇଦେଲେ । ପୁରୋହିତଙ୍କୁ ଚାବି ଦେଇ ଏ କଥା ଆଉ କାହାକୁ ନ କହିବାକୁ ଆଦେଶ କଲେ । ତା’ ପରଦିନ ସମ୍ରାଟ ତାଙ୍କ ରୋଗଶଯ୍ୟାରୁ ଆରୋଗ୍ୟ ଲାଭ କରି ପ୍ରଫୁଲ୍ଲ ଚିତ୍ତରେ ଉଠିଆସିଲେ । ସେ ଏବେ ଆଉ ରୋଗାକ୍ରାନ୍ତ ନୁହନ୍ତି, ପୂର୍ବଭଳି ବେଶ୍ ପ୍ରଫୁଲ୍ଲିତ ହୋଇ ଉଠିଲେ ।

 

ଦଶ ବର୍ଷ କଟିଗଲା । ସମ୍ରାଟ ‘ଉ’ଙ୍କର ଜୀବନକାଳ ଶେଷ ହୋଇ ଆସିଲା । ସେ ତାଙ୍କର ଏକମାତ୍ର ଶିଶୁ-ସନ୍ତାନ ଚାଙ୍ଗକୁ ଛାଡ଼ି ଇହଧାମ ତ୍ୟାଗ କଲେ । ଚାଙ୍ଗ୍‍ ସାମ୍ରାଜ୍ୟ ଶାସନ କରିବ । ମାତ୍ର ଚାଙ୍ଗ୍‍ ଖୁବ୍ ଛୋଟ ହୋଇଥିବାରୁ ତାର ଦାଦା ଚାଉ ରାଜ୍ୟର ଶାସନ ଚଳାଇଲେ । ସେ ଥିଲେ ଚାଙ୍ଗର ଦାଦାମାନଙ୍କ ଭିତରେ ସବୁଠାରୁ ବୁଦ୍ଧିଆ । ମାତ୍ର ଚାଉଙ୍କର ଏ ଭାଗ୍ୟୋଦୟ ତାଙ୍କର ଅନ୍ୟ ଦୁଇ ଭାଇଙ୍କ ଦେହରେ ଗଲାନି । ସେମାନେ ଚେଷ୍ଟାକଲେ, କିମିତି ଚାଉକୁ ଖାଲରେ ପକେଇବେ । ଅଳ୍ପଦିନ ଭିତରେ ସେମାନଙ୍କୁ ଏକ ସୁଯୋଗ ମଧ୍ୟ ମିଳିଗଲା । କାରଣ ଉଚ୍ଚ ଆସନରେ ବସିଥିବା ଲୋକଙ୍କ ଉପରେ ଦୋଷ ଲଦିଦେବା ଏକ ସହଜ କଥା ।

 

ସେଥର ହୋୟାଂହୋ ନଦୀର ବନ୍ୟା ଫଳରେ ଅନେକ ଲୋକ ମଲେ । ଫସଲ ସବୁ ନଷ୍ଟ ହେଇଗଲା । ତା’ ସାଙ୍ଗକୁ ଯେଉଁ କେତେକ ପ୍ରଜା ବଞ୍ଚିରହିଲେ, ସେମାନଙ୍କ ଉପରେ ଆକ୍ରମଣକାରୀ ମରୁଯାଯାବର ‘ତାତାର’ ମାନଙ୍କ ଆକ୍ରମଣ ଆହୁରି ବଳି ପଡ଼ିଲା । ଲୋକେ ଦୁଃଖରେ ଚିତ୍କାର କରି ଉଠିଲେ । ସମ୍ରାଟ ତ ଛୁଆ, ସେ ବା କ’ଣ ଆମ କଥା ଶୁଣିବେ ? ଆମ ଦୁଃଖଦୁର୍ଦ୍ଦଶା ସେ କିଛି ବୁଝୁନାହାନ୍ତି । ଚାଉ ଭାବିଲେ ଯେ, ଏତେବେଳେ ସମ୍ରାଟ ଚ୍ୟାଙ୍ଗ୍‍ ତାଙ୍କ ପ୍ରଜାଙ୍କ ଦୁଃଖ-ଦୈନ୍ୟ ବୁଲି ଦେଖି ଆସିବାକୁ ଯିବା ଉଚିତ । ତା'ହେଲେ ଅନ୍ତତଃ ଲୋକେ ଜାଣିବେ ଯେ ସମ୍ରାଟ କିମିତି ସେମାନଙ୍କ ପାଇଁ ଦୁଃଖିତ ଓ ଚିନ୍ତିତ ।

 

ସମ୍ରାଟଙ୍କ ଯାତ୍ରା ପାଇଁ ସମସ୍ତ ଆୟୋଜନ ହେଲା ଏବଂ ଅଶ୍ଵାରୋହୀମାନଙ୍କ ଗହଣରେ ରାଜା ରାଜଧାନୀରୁ ବାହାରିଲେ ଦେଶଭ୍ରମଣ କରି । ସମ୍ରାଟ ଏକ ସୁନା ପାଲିଙ୍କିରେ ଯାତ୍ରା କଲେ । ଚାରିକଡ଼େ ଜଗୁଆଳୀ ଓ ପରିଚାରୀଗଣ । ଆଗରୁ ଚାର ପଠାଗଲେ ଖବର ଦେବାକୁ ।

 

ହୋୟାଂହୋ ନଦୀ ବନ୍ୟାପ୍ଲାବିତ ଦୁର୍ଦ୍ଦଶାଗ୍ରସ୍ତ ଅଞ୍ଚଳରେ ଚ୍ୟାଙ୍ଗ୍‍ ବୁଲି ବୁଲି ଲୋକମାନଙ୍କୁ ଖାଦ୍ୟବସ୍ତ୍ର ଦାନ କରି ସେମାନଙ୍କର ଅଭାବ-ଅସୁବିଧା ମେଣ୍ଟାଇଲେ ।

 

ଦିନେ ରାଜା ତାଙ୍କ ପାତ୍ର ମନ୍ତ୍ରୀଙ୍କ ଗହଣରେ ଟିକିଏ ଆଗରେ ଯାଉଥାନ୍ତି । ପାଖରେ କେବଳ ଜଣେ ମାତ୍ର ଜଗୁଆଳୀ । ହଠାତ୍ ଆତତାୟୀ ତାତାରମାନେ ତଟୁଘୋଡ଼ାରେ ଚଢ଼ି ତାଙ୍କ ଆଡ଼େ ମାଡ଼ି ଆସିଲେ । ସାନମଣିମା ବଡ଼ ବିପଦରେ ପଡ଼ିଲେ । ତାତାରମାନେ ସାନମଣିମାଙ୍କୁ ଟେକି ନେଇଯିବା ପାଇଁ ଉଦ୍ୟତ ହେଉଥିବା ସମୟରେ ରାଜାଙ୍କର ସୈନ୍ୟସାମନ୍ତ ଓ ପାତ୍ର-ମନ୍ତ୍ରୀମାନେ ଆସିଯିବାରୁ ସେମାନେ ଛାଡ଼ି ଦେଇ ଛାଟିପିଟି ହୋଇ ଜୀବନ ଘେନି ପଳେଇଗଲେ ।

 

ଏ ଘଟଣାରୁ ଚାଉଙ୍କ ଭାଇମାନେ ମଧ୍ୟ ଫାଇଦା ଉଠାଇଲେ । ସେମାନେ ରାଜ୍ୟରେ ମିଥ୍ୟା ପ୍ରଚାର ଚଳାଇ ତାଙ୍କର କୁତ୍ସାରଟନା କଲେ ।

 

‘‘ଚାଉ ମୋଟେ ଭଲ ଲୋକ ନୁହେଁ ।’’ ସେମାନେ ଗୁପ୍ତରେ କହିଲେ, “ସାନ ସମ୍ରାଟଙ୍କର ସେ କଦାପି ମଙ୍ଗଳ ଚାହେଁନା । ସେ ତାଙ୍କୁ ଏ କାମରେ ଜାଣିଶୁଣି ପଠେଇଥିଲା ଜୀବନରେ ମାରି ଦେବାକୁ, ନିଜେ ମୁଁ ସିଂହାସନରେ ବସିବ ଭାବି । ଦୈବ ଯୋଗୁଁ ସମ୍ରାଟ ବଞ୍ଚିଗଲେ କୁହ । ନଚେତ୍ ସବୁ ଶେଷ....

 

ଚାଉ ଯଦି ଖରାପ ପ୍ରକୃତିର ଲୋକ ହୋଇଥାନ୍ତା, ତା'ହେଲେ ସେ ତାଙ୍କର ସେ ଦି’ ଭାଇଙ୍କୁ ବନ୍ଦୀ କରି ତାଙ୍କର ମୁଣ୍ଡ କାଟ କରାଇ ଦେଇ ପାରିଥାନ୍ତା । ମାତ୍ର ସେ ଭାରି ଦୟାଳୁ, ସରଳ ସୁନ୍ଦର ଲୋକ; କ୍ଷମାଶୀଳ ମଧ୍ୟ । ସେ ଭଗବାନଙ୍କ ଉପରେ ନିର୍ଭର କରି ରାଜ୍ୟ ଛାଡ଼ି ଚାଲିଯିବାକୁ ବସିଲେ ।

 

ଶେଷକୁ ପ୍ରକୃତରେ ସେଇଆ ହିଁ କଲେ । ତାଙ୍କ ଭାଇମାନଙ୍କ ଉପରେ ରାଜ୍ୟର ସମ୍ପୂର୍ଣ୍ଣ ଭାର ଛାଡ଼ି ସେ ପୂର୍ବଦିଗକୁ ଯାତ୍ରା କଲେ । ସବୁ ସୁରୁଖୁରୁରେ ଚାଲିଲା, ଫସଲ ଆମଦାନି ହେବା ଯାକେ । ଫସଲ କଟା-ମଳା ହବା କଥା; ମାତ୍ର ସେତିକିବେଳେ ଭୀଷଣ ଝଡ଼ ତୋଫାନ ହେଲା । ଏମିତିକା ଝଡ଼ ଆଉ ପୂର୍ବରୁ କେବେ ହେଇ ନ ଥିଲା । ସବୁ ଫସଲ ନଷ୍ଟଭ୍ରଷ୍ଟ ହୋଇଗଲା; ଗଛ ସବୁ ମୂଳରୁ ଉପୁଡ଼ିଗଲା ଏବଂ ଘରଦ୍ଵାର ଭାଙ୍ଗି ଉଡ଼ିଗଲା । ଲୋକେ ମଧ୍ୟ ଭୟରେ ଘରଦ୍ଵାର ଛାଡ଼ି ପଳେଇଗଲେ ।

 

ପ୍ରଜାକୁଳ ଆକୁଳ-ବିକଳ ହୋଇ ଚିତ୍କାର କରି ଉଠିଲେ । ଏ ବିପଦ ଈଶ୍ଵର ରୁଷ୍ଟ ହେଇଥିବାର ସୂଚନା ବୋଲି ସମସ୍ତେ କହିଲେ । ତେଣୁ ରାଜା ଓ ତାଙ୍କର ମନ୍ତ୍ରୀବୃନ୍ଦ ତାଙ୍କର ଇଷ୍ଟଦେବଙ୍କ ମନ୍ଦିରକୁ ଗଲେ ଦୈବବାଣୀ ଶୁଣିବାକୁ । କାଳେ କିଛି ସିନ୍ଦୁକ ଭିତରେ ଲେଖା ହୋଇଥିବ । ସିନ୍ଦୁକ ଫିଟେଇ ଦେଖିବାବେଳକୁ, ଚାଉଙ୍କ ପ୍ରାର୍ଥନା ପ୍ରସ୍ତର ତାଙ୍କ ଆଖିରେ ପଡ଼ିଲା । ସେ ଚାଉଙ୍କ ବଦଳରେ ତାଙ୍କ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ।

 

ତାହା ସେ ପଢ଼ିସାରି ମୁଖ୍ୟ ଛାମୁକରଣଙ୍କୁ ପଚାରିଲେ-“ଏହାର ଅର୍ଥ କ’ଣ ? ତମେ କାହିଁକି ମତେ ଏ କଥା କହିନ ?

 

ସେ ଉତ୍ତର ଦେଲ, ଏ କଥା ଛାମୁଙ୍କୁ ଜଣାଇ ଦିଆଯାଇ ନ ଥିଲା, କାରଣ ଚାଉ ଆମମାନଙ୍କୁ ବାରଣ କରିଥିଲେ ।

 

ସମ୍ରାଟ ଚାଙ୍ଗ୍‍ ପ୍ରସ୍ତର ଉପରକୁ ପୁଣି ଥରେ ଚାହିଁ ବିଶେଷ ଦୁଃଖିତ ହୋଇ କହିଲେ, ‘‘ଆଉ ଏ ଝଡ଼-ତୋଫାନ କାହିଁକି ହେଲା କିଛି ବୁଝିବା ଦରକାର ନାହିଁ । ଦାଦା ଚାଉ ବଡ଼ ବିଶ୍ଵାସୀ ଓ ରାଜଭକ୍ତ ଥିଲେ । ମୁଁ ପିଲାଲୋକ, ଏ ସବୁ କିଛି ନ ଜାଣି ତାଙ୍କୁ ରାଜ୍ୟରୁ ବାହାରି ଯିବାକୁ ମଧ୍ୟ ଅନୁମତି ଦେଲି । ଏବେ ଈଶ୍ଵର ତାଙ୍କ ବିରୁଦ୍ଧରେ କହୁଥିବା ଲୋକମାନଙ୍କ ଉପରେ ରୁଷ୍ଟ ହେଇ ଥିବାର ପ୍ରମାଣ ମିଳିଛି । ଦାଦା ଚାଉ ଯେ ଜଣେ ସରଳ ନିରୀହ ଲୋକ, ଏହା ଏବେ ପ୍ରମାଣିତ ହେଲା । ମୁଁ ତାଙ୍କୁ ଏଥର ମୋର ଦରବାରଙ୍କୁ ସ୍ଵାଗତ କରି ଆଣିବି, ଆଉ ସେ ମୋ ତଳକୁ ସମସ୍ତ କ୍ଷମତାର ଅଧିକାରୀ ହୋଇ ଏ ରାଜ୍ୟ ଶାସନ କରିବେ ।’’

 

ଏହା କହି ଚ୍ୟାଙ୍ଗ୍‍ ତାଙ୍କର ସେହି ବିଶ୍ଵାସୀ ସରଳ-ନିରୀହ ଦାଦାଙ୍କୁ ଖୋଜି ବାହାରିଲେ-। ତା’ ସାଥେ ସାଥେ ସେ ତାଙ୍କର ଏଇ ଦୁଇଟି ଅବିଶ୍ଵାସୀ ଦାଦାଙ୍କୁ (ଯେ କି ଚାଉଙ୍କ ବିରୁଦ୍ଧରେ ମିଥ୍ୟାପ୍ରଚାର କରିଥିଲେ) ରାଜ୍ୟରୁ ନିର୍ବାସିତ କଲେ । ଏହା ପରେ ହଠାତ୍ ଝଡ଼ ଥମିଗଲା-। ଶସ୍ୟକ୍ଷେତ୍ର ସବୁ, ପୂର୍ବପରି ହସି ଉଠିଲା, ଏବଂ ଯେଉଁ ଘରଗୁଡ଼ିକ ଭାଙ୍ଗିରୁଜି ଯାଇଥିଲା, ସେ ସବୁ ପୂର୍ବାପେକ୍ଷା ଅଧିକ ସୁନ୍ଦର ହେଇଗଲା । ସେ ବର୍ଷ ଏତେ ଫସଲ ହେଲା ଯେ, ଲୋକ ଆନନ୍ଦରେ ଖାଇପିଇ ସୁଖରେ କାଳାତିପାତ କଲେ । ସତରେ ସେମାନେ ଯେମିତ କି ଘିଅରେ ଖାଇ ଦୁଧରେ ହାତ ଧୋଇଲେ ।

★★★

 

ବିଲାତ

ତିନି ଠକ

 

ସାଇମନ ନାମରେ ଜଣେ ଲୋକ ବାସ କରୁଥିଲେ । ସେ ଭାରି ଧନୀ । ଟଙ୍କା କଉଡ଼ିକି ସେ ଖୁବ୍ ଚିହ୍ନି ଥିଲେ । ଏମିତି କି ସେ ଅଧଲାଟିଏ ଅଯଥାରେ ଖର୍ଚ୍ଚ କରେ ନା । ତାଙ୍କର ‘ନୀନା’ ବୋଲି ଜଣେ ଦାସୀ ଥିଲା । ସେ ଭାରି ଭଲଲୋକ । କାମଦାମ ସବୁ ସେ ତୁଲାଏ ଓ ଘରର ସମସ୍ତ ହାନିଲାଭ ବୁଝେ । ସେ ବଡ଼ ସଚ୍ଚୋଟ ଲୋକ । ତାର ମାଲିକ ତାକୁ ମଧ୍ୟ ତାର ଏସବୁ ଭଲଗୁଣ ପାଇଁ ଖୁବ୍ ଭଲ ପାଉଥିଲେ । ମାଲିକର ମନ–ଯୋଗାଇ ସେ ସବୁ କାମ କରେ ।

 

ସାଇମନ ଏକ ଖୁସମିଜାଜୀ ଓ କର୍ମତତ୍ପର ଲୋକ । କିନ୍ତୁ ସେ ବୁଢ଼ା ହେଇଯିବାରୁ ଆଉ ବେଶି ଚାଲବୁଲ କରିପାରିଲା ନି କି ଖେତବାଡ଼ିକୁ ଯାଇ କାମଧନ୍ଦା ବୁଝିପାରିଲା ନି । ତାର ଚାକରମାନେ ତାଙ୍କୁ ଗୋଟିଏ ଖଚର କିଣିବାକୁ କହିଲେ । ସେ ହାଟକୁ ଯାଇ ସାତଟି ସୁନାମୋହର ଦେଇ ଗୋଟିଏ ଖଚର କିଣିଲା ।

 

ବର୍ତ୍ତମାନ ତାକୁ ଖଚର କିଣୁଥିବାର ଦେଖି ତିନି ଜଣ ଠକ କଥାବାର୍ତ୍ତା ହେଲେ । ‘ଦେଖ, ସାଇମନ ଭାରି କୃପଣ । ଏଥର ତ ସେ ବୁଢ଼ା ହେଇ ଗଲାଣି । ଆଉ ଖାଲି ଗୋଡ଼ରେ ଚାଲବୁଲ କରିପାରୁ ନି । ବହୁତ ଧନ ସଞ୍ଚି ରଖିଛି । ଚାଲ, ତାକୁ ପାଲରେ ପକେଇ ସେ ସବୁ ହାତ ପଇଠ କରିବା ।’

 

ଜଣେ କହିଲା, ‘ଚାଲ, ଶୀଘ୍ର ବ୍ୟବସ୍ଥା କରି ଏ ଖଚରକୁ ଆଗ ହାତ ପଇଠ କରିବା ।

 

କିନ୍ତୁ କେମିତି ? –ଆଉ କଣେ ପଚାରିଲା ।

 

ଚାଲ, ଆମେ ତା'ର ଘରକୁ ଫେରିଲା ବାଟରେ ତିନି ଜାଗାରେ ଜଗି ରହି ପାଳି କରି କଣକ ପରେ ଜଣେ କହିବା ଯେ, ଏଇଟା ଗୋଟାଏ ଗଧ । ଆମେ ଯଦି ସମସ୍ତେ ଏଇଆ କରିବା–ତା’ ହେଲେ ଖଚରଟି ଆମର ହୋଇଯିବ । ଦେଖିବା ଚାଲ । ଶୀଘ୍ର ବାହାର ।

 

କଥାଟା ଆର ଦି’ଜଣଙ୍କ ମନକୁ ବେଶ ପାଇଲା । ତହୁଁ ସେମାନେ ସେହି ଅନୁସାରେ ପରସ୍ପର ଠାରୁ ପୃଥକ୍ ହେଇଗଲେ । ଏଥର ସେହି ବାଟ ଦେଲ ସାଇମନ ହାଟରୁ ଫେରିଲାରୁ ସେ ତିନି ଜଣଙ୍କ ମଧ୍ୟରୁ ପ୍ରଥମ ଜଣକ କହିଲା–

 

ଭଗବାନ ତମର ମଙ୍ଗଳ କରନ୍ତୁ ।

 

ଧନ୍ୟବାଦ ।-ସାଇମନ କହିଲା ।

 

କୁଆଡ଼େ ଯାଇଥିଲେ ? –ପ୍ରଥମ ଜଣକ ପଚାରିଲା ।

 

ହାଟକୁ – । ସେ ଉତ୍ତର ଦେଲା ।

 

ସେଠୁ କ’ଣ ଆଣିଲ ? –ଠକ କହି ଚାଲିଲା

 

ଏଇ ଖଚର ।

 

ଖଚର ! କାହିଁ ?

 

ମୁଁ ଯାହା ଉପରେ ଚଢ଼ିଯାଉଛି ।– ସାଇମନ ଉତ୍ତର ଦେଲା ।

 

ତମେ କ’ଣ ମୋ ସାଙ୍ଗରେ ଖେଳୁଛ ନା ପରିହାସ କରୁଛ ?

 

କ’ଣ କହୁଛ ?

 

ମତେ ଜଣାଯାଉଛି, ତମେ ଗୋଟାଏ ଗଧ ଆଣିଛ; ଖଚର ନୁହଁ ।

 

‘ଗଧ ? ଇସ୍ କି କଦର୍ଯ୍ୟ ପଶୁଟାଏ’–ସାଇମନ ଚିତ୍କାର କରି ଉଠିଲା ଏବଂ ଆଉ ପଦେ ହେଲେ ଅଧିକ କଥା ନ କହି ପୁଣି ତା’ ପିଠିରେ ଚଢ଼ି ଆଗେଇଲା । ଦୁଇ ଶହ ହାତ ଯାଇଛି କି ନାହିଁ, ସେ ପୁଣି ଦ୍ଵିତୀୟ ଠକକୁ ଭେଟିଲା । ସେ ତାକୁ ନମସ୍କାର-ପୂର୍ବକ ପଚାରିଲା–

 

କେଉଁଠୁ ଆସିଲେ ଆପଣ ?

 

ହାଟରୁ । –ସାଇମନ କହିଲା ।

 

ହାଟରେ ଆଜି ଦରଦାମ କେମିତି ହେଇଛି ? କ’ଣ ଜିନିଷସବୁ ଶସ୍ତାରେ ମିଳୁଛି ?–ଦ୍ଵିତୀୟ ଠକ ପଚାରିଲା ।

 

ମୁଁ ଖଚରଟି କିଣି ତାରି ଉପରେ ଚଢ଼ି ଆସୁଛି ।

 

କ'ଣ ତମେ ଏଟାକୁ ଖଚର ବୋଲି ଆଣିଛ ?

 

ହଁ ।

 

ହାୟ ରେ ଭଗବାନ ! କିନ୍ତୁ ଏ ଯେ ଗୋଟାଏ ଗଧ ।

 

ଗଧ ? –ସାଇମନ କହିଲା । ଆଉ ଏମିତି କହିବ ନି, ବୁଝିଲ ? ଯଦି ଆଉ କେହି ଜଣେ ହେଲେ ମତେ କହେ ଯେ ଏଇଟା ଗଧ, ମୁଁ ତାକୁ ଏ କଦର୍ଯ୍ୟ ପଶୁଟାକୁ ସେମିତି ମାହାଳିଆ ଛାଡ଼ିଦେବି । ଏତିକି କହି ସେ ପୁଣି ଆଗେଇଲା । ଆଉ ଥୋଡ଼ା ବାଟ ଗଲା ପରେ ସେ ତୃତୀୟ ଠକକୁ ଭେଟିଲା । ସେ କହିଲା, ଭଗବାନ ତମର ମଙ୍ଗଳ କରନ୍ତୁ । କ’ଣ ଆପଣ ହାଟରୁ ଫେରିଲେ-?

 

ହଁ–ସାଇମନ କହିଲା ।

 

କ’ଣ ସେଠି ଆପଣଙ୍କର କିଛି କାମ ଥିଲା ? –ଚତୁର ଠକ ପଚାରିଲା ।

 

ମୁଁ ଏଇ ଚଢ଼ି ଯାଉଥିବା ଖଚରଟି କିଣିଆଣିଲି ।

 

ଖଚର ! ମତେ କ’ଣ ତମେ ବୋକା ଠଉରେଇଚ ?

 

ନା ଏସବୁ ଥଟ୍ଟା କଥା ନୁହେଁ–ସାଇମନ କହିଲା । ମୁଁ କେବେ ଗେଲ ହୁଏ ନା ।

 

ତମେ ତ ନିଜେ ଏକ ଗଧ । ତମେ କଣ ଦେଖୁ ନା ଯେ ଏଇଟା ଖଚର ନୁହେଁ, ଗୋଟାଏ ଗଧ । ତମକୁ ନିଶ୍ଚୟ କେହି ଠକି ଦେଇଛି । ଠକ ଚିତ୍କାର କରି କହିଉଠିଲା ।

 

ତମେ ମଧ୍ୟ ସେହି କଥା କହିଲ ! ପ୍ରଥମେ ମୁଁ କିନ୍ତୁ ଏହା ବିଶ୍ଵାସ କରୁ ନ ଥିଲି । ସେ ଖଚର ପିଠିରୁ ଓହ୍ଲେଇ ପଡ଼ି କହିଲା, 'ଯା, ଏ ଗଧଟା ମୋର କଣ ହବ ? ତମେ ୟା କୁ ନେଇ ଯା ।

 

ଠକ ତାକୁ ଧନ୍ୟବାଦ ଦେଇ ସେ ଖଚର ପିଠିରେ ଚଢ଼ି ତାର ସାଥିମାନଙ୍କ ନିକଟକୁ ଆଗେଇଲା । ସାଇମନ ଖାଲି ପାଦରେ ଚାଲି ଚାଲି ଘରକୁ ଫେରିଲା ।

 

ସାଇମନ ଯେମିତ ଘରକୁ ଫେରିଲା, ସେମିତି ସେ ନୀନାକୁ କହିଲା ଯେ, ସେ କେମିତ ଏକ ଖଚର କଣି ଆଣିଥଲା, ମାତ୍ର ତାହା ଗଧ ପାଲଟି ଗଲା । ବହୁତ ଲୋକ ତାକୁ ବାଟରେ ସେଟା ଗଧ ବୋଲି କହିଲେ । ସେ ଗୋଟିଏ ଗଧ ଉପରେ ଚଢ଼ିବାଠାରୁ ତାକୁ ବରଂ କାହାକୁ ଦେଇ ଦେବା ଉଚିତ ମନେକଲି ।

 

ଆରେ ! ତମେ ତ ନିପଟ ବୋକା ବନିଗଲ–ନୀନା କହିଲା । ତମେ କଣ ଜାଣି ପାରୁ ନା ଯେ ତମେ ଠକିଯାଇଛ ? ମୁଁ ଭାବୁଥିଲି, ତମେ ବଡ଼ ବୁଦ୍ଧିଆ । ସେମାନେ ଏମିତି ବି ଆମକୁ ଠକିବେ ବୋଲି ମୁଁ ଭାବି ନ ଥିଲି ।

 

ଛାଡ଼ ସେ କଥା–ସାଇମନ ଉତ୍ତର ଦେଲା । ‘ମୁଁ ସେମାନଙ୍କ ସାଙ୍ଗରେ ଏମିତି ଏକ ଚାଲାକି କରିବି ଯେ, ସେ ପୁଣି ମତେ ଦି’ ସଲାମୀ ଦେବେ । ମୁଁ ଜାଣିଛି, ସେମାନେ ଏଇ ଗଧ ପାଇଁ ଚୁପ ରହିବେ ନି । ଆହୁରି କିଛି ବେଶି ପାଇବା ସକାଶେ ନିଶ୍ଚିତ ଲୋଭେଇବେ ।‘

 

ସାଇମନ ଘର ପାଖରୁ ଅଳ୍ପ ଦୂରରେ ସେହି ଗାଁରେ ଜଣେ କୃଷକ ବାସ କରୁଥିଲା । ତାର ଦୁଇଟି ଛେଳି ଥିଲା । ସେ ଛେଳି ଦୁଇଟି ଅବିକଳ ଏକା ପରି । ସାଇମନ ସେ ଦୁଇଟି ଯାକ ଛେଳି ଅଳ୍ପ ଦାମରେ କିଣି ନେଇ ତା’ ଘରକୁ ଗଲା । ସେ ନୀନାକୁ କହିଲା ଯେ, ସେ ତାର କେତେକ ବଂଧୁଙ୍କୁ ନିମନ୍ତ୍ରଣ କରିଛି । ସେ ଗାଧୁଆବେଳ ସୁଦ୍ଧା ରନ୍ଧାରନ୍ଧି ଠିକ୍ ଠାକ୍‍ କରି ରଖିଥିବ-। ଏହା କହି ସେ ତାର ସାଥିମାନଙ୍କୁ ଡାକି ଆଣିବାକୁ ଗଲା । ଗଲାବେଳେ ସେ ମଧ୍ୟ କହିଗଲା, କ’ଣ କ’ଣ ରନ୍ଧାବଢ଼ା ହେବ । ତା'ପରେ ସେ ଗୋଟାଏ ଛେଳିକୁ ନେଇ ତା’ ଘର ସାମନାରେ ଏକ ଘାସ ପଡ଼ିଆରେ ଖୁଣ୍ଟ ପୋତି ବାନ୍ଧିଦେଲା । ସେ ଘାସ ଚରିଲା, ମାତ୍ର ସେ ଆର ଛେଳି ବେକରେ ପଘା ଗୁଡ଼େଇ ଦେଇ ତାକୁ ଆଗେ ଆଗେ ଅଡ଼େଇ ହାଟକୁ ଚାଲିଲା ।

 

ହାଟରେ ସେ ପହଞ୍ଚୁ ନ ପହଞ୍ଚୁଣୁ ତିନି ଠକ ଯାକ ତାକୁ ଦେଖି ଦେଲେ । ସେମାନେ ତା' ପାଖକୁ ଆସି କହିଲେ, ‘ସ୍ଵାଗତ ସାଇମନ, ତମେ କାହିଁକି ଏଠିକି ଆସିଛ ? କ’ଣ ତମେ କିଛି କିଣିବ ?

 

‘ହଁ, ମୁଁ ଘର ପାଇଁ କିଛି. ସଉଦାପାତି କରିବାକୁ ଆସିଛି । ଆଜି ମୋ ଘରକୁ କେତେକ ବଂଧୁ ଆସୁଛନ୍ତି । ତମେମାନେ ମଧ୍ୟ ଯଦି ଦୟାକରି ଆସି ଭୋଜିରେ ଯୋଗ ଦିଅନ୍ତ, ଭଲ ହୁଅନ୍ତା-।’

 

ସେମାନେ ମଧ୍ୟ ନିମନ୍ତ୍ରଣ ପାଇ ମନେ ମନେ ଭାରି ଖୁସି ହେଲେ । ସାଇମନ ସମସ୍ତ ଜିନିଷ ଖର୍ଦ୍ଦି କରି ସାରି ତାକୁ ଛେଳି ପିଠିରେ ଲଦି ସେ ତିନି ଜଣଙ୍କ ଆଗରେ ଛେଳିକୁ କହିଲା–

 

ଯାଅ, ଆମ ଘରକୁ ଯାଇ ନୀନାକୁ ଏଇସବୁ ଖାଦ୍ୟ ପ୍ରସ୍ତୁତ କରିବାକୁ କହିବୁ । ସେ ପୁଣି କହିଲା, ‘ବୁଝିଲୁ ? ଯାଅ ଭଗବାନ ତୋର ସାହା ।’

 

ସେ ଯେମିତି ଦଉଡ଼ିରୁ ଫିଟିଛି, ସେମିତି ଦଣ୍ଡିଆମାରି ଛୁ ! କିନ୍ତୁ ସାଇମନ ତାର କେତେକ ବଂଧୁ ଓ ସେ ତିନି ଠକଙ୍କୁ ସାଙ୍ଗରେ ଧରି ଆସି ଘରେ ପହଞ୍ଚିଲା ।

 

ସେମାନେ ସମସ୍ତେ ଆସି ଯେତେବେଳେ ସାଇମନ ଘର ସାମନାରେ ପହଞ୍ଚିଲେ, ସେତେବେଳେ ସେଠି ଛେଳି ବନ୍ଧା ହୋଇ ଘାସ ଚରୁଥିବାର ଦେଖିଲେ । ସେମାନେ କେହି ବି ଟିକିଏ ହେଲେ ଆଶ୍ଚର୍ଯ୍ୟ ହେଲେ ନି, କାରଣ ସେମାନେ ଭାବିଥିଲେ ଯେ, ସେଇଟି ସେହି ପୂର୍ବ ଛେଳି, ଯାହାକୁ କି ସାଇମନ ହାଟରୁ ଘରକୁ ପଠାଇ ଦେଇଥିଲା । ସେମାନେ ଘରକୁ ପ୍ରବେଶ କରୁ କରୁ ସାଇମନ ନୀନାକୁ କହିଲା, ଆଛା ନୀନା ! ମୁଁ ଛେଳି ହାତରେ ଯାହା ଯାହା କରିବାକୁ କହି ପଠାଇଥିଲି; ସେ ସବୁ ଠିକଠାକ୍‍ ହୋଇ ଯାଇଛି ତ ?

 

ନୀନା ତା’ ଖାଉଁଦ (ମାଲିକ) କଥା ବେଶ ବୁଝିପାରିଲା । ସେ କହିଲା ‘ହଁ, ମତେ ଛେଳି ଯାହା ଯାହା କରିବାକୁ କହିଲା–ସେ ସବୁ ହେଇ ସାରିଛି ।

 

ଆଛା ଠିକ୍ ଅଛି–ସାଇମନ କହିଲା ।

 

ତିନି ଠକ ବରାଦ ମୁତାବକ ଖାଦ୍ୟ ଦେଖି ଓ ନୀନା କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ସେମାନେ କେମିତି ଛେଳିଟିକି ନିଅନ୍ତେ, ଚିନ୍ତା କରିବାକୁ ଲାଗିଲେ । ଅବଶେଷରେ ସେମାନେ ଖାଇସାରି ଉଠିବା ଉପରେ, ସେମାନଙ୍କ ମଧ୍ୟରୁ ଜଣେ ଠକ କହିଲା, ‘ତମେ ଏ ଛେଳଟି ଆମକୁ ବିକି ଦିଅ । ଭଲ ହେବ ।’

 

ସାଇମନ ତାକୁ ବିକିବାକୁ ଏକବାର ନାରାଜ ହେଲା । ସେ କହିଲା, ଟଙ୍କା ଦ୍ଵାରା ଏହାର ଅଭାବ ପୂରଣ ହେଇ ନ ପାରେ । ଯଦି ତମେମନେ ଏହା ନବାକୁ ଏକାନ୍ତ ଇଚ୍ଛା କରୁଛ, ତା'ହେଲେ ପଚାଶ ମୋହର ଦେଇ ନେଇ ଯାଅ ।

 

ସେମାନେ ପଚାଶ ମୋହର ଦେଇ ଛେଳିଟିକି ସାଙ୍ଗରେ ଧରି ଶୀଘ୍ର, ସେଠୁ ଚାଲିଆସିଲେ । ସେମାନେ ନିଜ ନିଜ ଘରେ ପହଞ୍ଚି ତାଙ୍କର ସ୍ତ୍ରୀମାନଙ୍କୁ କହିଲେ, କାଲି ତମେ ଗାଧୁଆବେଳ ବଖତକ ପାଇଁ କିଛି ରାନ୍ଧିବନି ଅପେକ୍ଷା କରିବ; ଘରକୁ ଜିନିଷପାତି ଆସିବା ଯାଏ ।

 

ତା’ ପରଦିନ ସେମାନେ ହାଟକୁ ଯାଇ ସଉଦାପାତି କିଣିଲେ । ସେମାନେ ତାକୁ ସବୁ ଏକାଠି ବାନ୍ଧିବୁନ୍ଧି ଛେଳି ପିଠିରେ ନଦି କ’ଣ କ'ଣ ରାନ୍ଧିବାକୁ ହେବ, ଛେଳିକୁ ଘରେ କହିଦେବାକୁ କହି ଛାଡ଼ିଦେଲେ । ପଘାରୁ ଫିଟି ଛେଳି କି ଆଉ ରହେ ? ଏକା ଡିଆଁକେ କୁଆଡ଼େ ବଣ ଭିତରକୁ ପଳାଇଗଲା ।

 

ଖାଇବା ବେଳ ହେବାରୁ ସେମାନେ ନିଜ ନିଜ ଘରକୁ ଗଲେ । ସେମାନେ ଯାଇ ନିଜ ନିଜ ସ୍ତ୍ରୀଙ୍କୁ ପଚାରିଲେ ଯେ, ଛେଳି ଆଣି ଜିନିଷପତ୍ର ଦେଇ କ’ଣ କ’ଣ ରାନ୍ଧିବାକୁ ହେବ କହିଛି କି ନା ।

 

ତମେ ସତେ କେଡ଼େ ବୋକା ମ ! ସେମାନଙ୍କ ସ୍ତ୍ରୀମାନେ ଚିତ୍କାର କରି ଉଠିଲେ । ତମେ କେମିତି ବିଶ୍ଵାସ କରୁଛ ଯେ, ଛେଳିଟା ଗୋଟାଏ ଚାକରର କାମ କରିବ ? ସେ କ’ଣ ମଣିଷ ହେଇଛି ? ଏଗୁଡ଼ାକ ତମର ବୋକାମୀ ଛଡ଼ା ଆଉ କିଛି ନୁହେଁ ।

 

ସେମାନେ ଏଥର ଦେଖିଲେ ଯେ ସାଇମନ ସେମାନଙ୍କୁ ବେଶ ଠକାଟାଏ ଠକିଲା । ତାଙ୍କର ପଚାଶଟି ମୋହର ପାଣିରେ ପଡ଼ିଲା । ସେମାନେ ଭୀଷଣ ରାଗିଯାଇ ତାକୁ ଅଝୁହାଁ ମାରିବାକୁ ବସିଲେ ।

 

ଏଥର ବୁଢ଼ା ସାଇମନ ତିନି ଠକଙ୍କୁ ମନେ ମନେ ଭାରି ଡରିଲା । ସେ ଭାବିଲା ଯେ, ସେମାନେ ନିଶ୍ଚୟ ଏଥର ତାର କିଛି ନା କିଛି କ୍ଷତି କରିବେ । ସେ ଗୋଟିଏ ରବର ମୁଣା ନେଇ ତାକୁ ରକ୍ତପୂର୍ଣ୍ଣ କଲା । ତା'ପରେ ସେ ନୀନାକୁ କହିଲା, “ଦେଖ ନୀନା ! ତମେ ୟାକୁ ନେଇ ତମ ଲୁଗା ଭିତରେ ଲୁଚାଇ ରଖ । ଯେତେବେଳେ ଠକମାନେ ଆସି ମତେ କୋବଲେଇବେ, ମୁଁ ତମ ଉପରେ ସବୁ ଦୋଷ ଲଦିଦେବି । ମୁଁ ତମ ଉପରେ ଭୀଷଣ ରାଗିଯିବାର ଛଳନା କରି ଏକ ଛୁରୀ ଧରି ତମ ଆଡ଼କୁ ଧାଇଁ ଯାଇ ଏ ମୁଣାକୁ ଭୁଷି ଦେବି । ତମେ କ'ଣ କରିବ ନା, ମଲା ପରି ସଙ୍ଗେ ସଙ୍ଗେ ଦୁଲକିନା ପଡ଼ିଯିବ । ତା'ପରେ ଯାହା ହେବ ସେ କଥା ମୁଁ ଜାଣେ ।'

 

ସାଇମନର ଏ କଥା ସରୁ ନ ସରୁଣୁ ତିନି ଠକ ଆସି ତା’ ଉପରେ ଚଢ଼ଉ କରିବାକୁ ବସିଲେ ।

 

ବନ୍ଧୁଗଣ ! ଟିକିଏ ଅପେକ୍ଷା କର । ମତେ କାହିଁକି ଅଯଥାରେ ଦୋଷ ଦେଉଛ ? ବୋଧହୁଏ ମୋର ଚାକରାଣୀ ନୀନା ତମର କିଛି ଖରାପ କରିଛି । ମୁଁ ତ ତା’ ଜାଣେ ନା । ଏଟିକି କହି ସେ ନୀନା ଆଡ଼କୁ ଏକ ଛୁରୀ ଧରି ଦଉଡ଼ିଗଲା ଏବଂ ରବର ମୁଣାଟିକୁ ଭୁଷି ଦେଲା । ସାଙ୍ଗେ ସାଙ୍ଗେ ନୀନା ମଲା ପରି ତଳେ କଚାଡ଼ି ହୋଇ ପଡ଼ିଲା । ତା’ ଦେହରୁ ରକ୍ତ ପିଚ୍ ପିଚ୍ ହେଇ ବାହାରି ମାଟିକୁ ଭିଜାଇ ଦେଲା ।

 

ସାଇମନ ଚିତ୍କାର କରି ଉଠିଲା, ମୁଁ କେଡ଼େ ହତଭାଗା ! କ'ଣ କଲି ? ମୁଁ ବଡ଼ ଭୁଲ କଲି । ସେ ତ ଜଣେ ଭାରି ବିଶ୍ୱସ୍ତ ଚାକରାଣୀ । ମତେ ସେ ମୋର ଏ ବୁଢ଼ା ବୟସରେ ବହୁତ ସାହାଯ୍ୟ କରୁଥିଲା । ତା ବିନା ମୁଁ ବଞ୍ଚିବି ବା କେମିତି ?

 

ତା ପରେ ସେ ଚିଲମରେ ନିଆଁ ଲଗେଇ ଦମେ ଟାଣିଲା । ନୀନା ଏଥିଭିତରେ ଝାଡ଼ି ଝୁଡ଼ି ହୋଇ ଉଠି ବସିଲା । ଠକମାନେ ଏ ସବୁକୁ ଲକ୍ଷ୍ୟ କରୁଥିଲେ । ପୂର୍ବାପେକ୍ଷା ସେମାନେ ଅଧିକ ଆଶ୍ଚର୍ଯ୍ୟ ହେଲେ । ସେମାନେ ତାଙ୍କର ସବୁ ରାଗ ଭୁଲିଗଲେ । ସେମାନେ ସେ ଚିଲମଟି' ହାତ କରିବାକୁ ଇଚ୍ଛାକଲେ । ତେଣୁ ସେମାନେ ଦୁଇ ଶତ ସ୍ଵର୍ଣ୍ଣ ମୁଦ୍ରା ଦେଇ ସେ ଚିଲମଟି କିଣିଲେ-। ତା'ପରେ ସେମାନେ ଆନନ୍ଦ ମନରେ ନିଜ ନିଜ ଘରକୁ ଫେରିଲେ ।

 

ଏ ଘଟଣା ଅଳ୍ପଦିନ ପରେ ଜଣେ ଠକର ତା’ ସ୍ତ୍ରୀ ସଙ୍ଗରେ ଟିକିଏ ଅପଡ଼ ହେଲା । ସେ ରାଗରେ ତାକୁ ଛୁରୀ ଭୁଷିଦେଲା; ଫଳରେ ବିଚାରା ସ୍ତ୍ରୀ ଲୋକଟି ମରିଗଲା । ତା'ପରେ ସେ ସାଇମନର ଚିଲମରେ ନିଆଁ ଦେଇ କଷିକି ଦମେ ଟାଣିଲା । ସେ ଆଶା କରିଥିଲେ ଯେ, ଏହା ଫଳରେ ତାର ସ୍ତ୍ରୀ ପୁଣି ଜୀବିତ ହୋଇ ଉଠିବ, ମାତ୍ର କିଛି ଫଳ ହେଲାନି । ସେ ଯେତେ ଦମ ଟାଣିଲେ ବି ସୁଦ୍ଧା କିଛି ହେଲା ନି । ବିଚାରୀ ସ୍ତ୍ରୀଟି ସବୁଦିନ ପାଇଁ ମରିଗଲା ।

 

ଏହିପରି ଦ୍ଵିତୀୟ ଓ ତୃତୀୟ ଠକଙ୍କର ମଧ୍ୟ ହେଲା । ଏଥର ତିନିହେଁ ଯାକ ରାଣ୍ଡୁଆ । ରାଗରେ ସେମାନେ ଗର ଗର ହୋଇ ସାଇମନ ଘରକୁ ଦୌଡ଼ିଲେ । ସେମାନେ ତାକୁ ଧରି ଗୋଟିଏ ଅଖା ଭିତରେ ପୂରାଇ ବାନ୍ଧିଦେଲେ । ସେମାନେ ଭାବିଥିଲେ ଯେ, ତାକୁ ନେଇ ଅଖା ସୁଦ୍ଧା ନଈରେ ପକେଇ ବୁଡ଼େଇ ମାରିବେ । ବାଟରେ ଯାଉଁ ଯାଉଁ ସେମାନ ହଠାତ୍ ଗୋଟିଏ ଶବ୍ଦ ଶୁଣିଲେ । ସେମାନେ ଭାବିଲେ ଯେ ବୋଧହୁଏ ପଞ୍ଝାଏ ଲୋକ ତାଙ୍କ ପଛେ ପଛେ ଆସୁଛନ୍ତି । ସେମାନେ ଭାରି ଡରିଗଲେ । ତେଣୁ ସେହି ଅଧାବାଟରେ ସେ ବସ୍ତାଟିକୁ ପକେଇ ଦେଇ, ଯେ ଯାହାର ପ୍ରାଣ ନେଇ ଦୌଡ଼ି ପଳେଇଲେ । ଅଳ୍ପ ସମୟ ପରେ, ଜଣେ ମେଣ୍ଡା ରଖୁଆଳ ତାର ମେଣ୍ଢାପଲ ଧରି ସେଇ ବାଟେ ଗଲା । ସେ ବସ୍ତା ଭିତରୁ ଜଣେ ଲୋକର କରୁଣ କ୍ରନ୍ଦନ ଧ୍ୱନି ଶୁଣିବାକୁ ପାଇଲା । ସେ ଆହୁରି ମଧ୍ୟ ଶୁଣିଲା–ସେମାନେ ମତେ ତାକୁ ବିବାହ କରିବାକୁ ଜୋର ଜବରଦସ୍ତି କଲେ, ମାତ୍ର ମୁଁ ତାକୁ ବିବାହ କରିବାକୁ ରାଜି ନୁହେଁ । କାରଣ ମୁଁ ତ ଆସି ବୁଢ଼ା ହେଇଗଲିଣି । ମୁଁ ବା ତାକୁ ବିବାହ କରି କରିବି କ'ଣ ?

 

ମେଣ୍ଡା ଜଗୁଆଳୀ ଏକଥା ଶୁଣି ଭାରି ଭୟଭୀତ ଓ ବିସ୍ମିତ ହେଲା । ସେ ଶେଷରେ ସେ ବସ୍ତାକୁ ଫିଟାଇ ପୁଣି ସାଇମନଠାରୁ ଏକଥା ଶୁଣିଲା । ମେଣ୍ଢା ରଖୁଆଳ ତାକୁ ପଚାରିଲା, ସେ କାହିଁକି , ଏମିତି ଅବସ୍ଥାରେ ପଡ଼ିଛି ବୋଲି ।

 

ସାଇମନ କହିଲା ଯେ ସେ ଦେଶର ରାଜା ତାକୁ ତାଙ୍କର ଝିଅକୁ ବିବାହ କରିବାକୁ ବାଧ୍ୟ କରୁଥିଲେ, କିନ୍ତୁ ସେ ବୁଢ଼ାହେଇ ଯାଇଥିବାରୁ ସେଥିରେ ରାଜି ହେଲାନି । ସରଳ ବିଶ୍ୱାସୀ ମେଣ୍ଡାରଖୁଆଳ ସେ କଥାରେ ବିଶ୍ୱାସ କରିଗଲା । ତେଣୁ ସେ ସାଇମନକୁ ପଚାରିଲା, ତମେ କ’ଣ ଭାବୁଛ ଯେ, ରାଜା ତାଙ୍କ ଝିଅକୁ ମୋତେ ବିବାହ କରାଇଦେବେ ।

 

ହଁ, ନିଶ୍ଚୟ । ମୁଁ ଜାଣିଛି, ସେ ନିଶ୍ଚୟ ବିବାହ କରଇଦେବେ–ସାଇମନ ଉତ୍ତର ଦେଲା । ତମକୁ କିନ୍ତୁ ମୋ ବଦଳରେ ଏ ଅଖା ଭିତରେ ପଶିବାକୁ ହେବ ।

 

ତା ପରେ ସେ ଅଖାରୁ ବାହାରି ଆସି ବୋକା ମେଣ୍ଡା ରଖୁଆଳକୁ ତା’ ଭିତରେ ପୂରାଇ ଦେଲା । ସେ ଅଖା ମୁହଁକୁ ଖୁବ୍‍ ଭିଡ଼ି କରି ବାନ୍ଧିଲା । ତାକୁ ସେଠି ସେମିତି ପକେଇ ଦେଇ ସେ ମେଣ୍ଢାପଲ ଅଡ଼େଇ ନେଇ ନିଜ ଘରକୁ ଚାଲିଗଲା ।

 

କିଛି ସମୟ ପରେ ତିନିଯାକ ଠିକ ଫେରିଆସି ସେ ବସ୍ତାରେ ସାଇମନ ଅଛି ଭାବି, ତାକୁ ନେଇ ନଈରେ ଫୋପାଡ଼ିଦେଲେ ।

 

ତା'ପରେ ସେମାନେ ନିଜ ନିଜ ଘରକୁ ଫେରିଗଲେ । ଫେରିଲା ବାଟରେ ସେମାନେ ପଲେ ମେଣ୍ଢାପଲ ଦେଖିଲେ । ସେମାନେ ସେ ପଲରୁ ଦି’ଚାରିଟା ଚୋରେଇ ନେବାକୁ ଇଚ୍ଛାକଲେ-। ମାତ୍ର ସେଠି ସେମାନେ ସାଇମନକୁ ଦେଖି ଏକବାରେ ଆଶ୍ଚର୍ଯ୍ୟ ହେଲେ । ସେମାନେ ଭାବିଥିଲେ ଯେ, ସେମାନେ ଏଥର ନଈରେ ବୁଡ଼େଇ ସାଇମନକୁ ମାରି ଦେଇଛନ୍ତି । ସେମାନେ ତାକୁ ପଚାରିଲେ, ସେ କେମିତି ନଈରୁ ଉଧୁରି ଆସିଲା । ସାଇମନ କହିଲା, ତମେଗୁଡ଼ା ୟାପ ଏଡ଼େ ଓଲୁ ! ଗଧ ତ ଆହୁରି କେତେ ବୁଦ୍ଧିଆ ! ତମର ଟିକିଏ ହେଲେ ଅକଲ ନାହିଁ ଦେଖୁଛି-! ତୁମେମାନେ ଯଦି ମତେ ଆଉ ଟିକିଏ ବେଶି ପାଣିରେ ବୁଡ଼େଇଥାନ୍ତ, ତେବେ ମୁଁ ଏହାର ତିନି ଗୁଣ ମେଣ୍ଢା ଧରି ଫେରିଥାନ୍ତି ।

 

ସେମାନେ ଯେତେବେଳେ ଏ କଥା ଶୁଣି କହିଲେ, ହେ ସାଇମନ, ଆମକୁ ସବୁ ଗୋଟା ଗୋଟା ଅଖାରେ ବାନ୍ଧି ନଈରେ ପକାଇ ଦିଅ ।ଆମେ ଯଦି ଅନେକ ମେଣ୍ଢା ପାଇବୁ, ଆଉ କାହଁକି ଚୋରିଡକାୟତି କରିବୁ ? ଆମେ ତା’ପରେ ଭଲ ଲୋକଙ୍କ ପରି ଚଳିବୁ ।'

 

ହଁ, ମୁଁ ପ୍ରସ୍ତୁତ ଅଛି–ସାଇମନ ଉତ୍ତର ଦେଲା । ତମେମାନେ ଯାହା ଚାହୁଁଛ, ସେଥିରେ ମୁଁ ନିଶ୍ଚୟ ସାହାଯ୍ୟ କରିବି । ଏମିତି କିଛି କାମ ଏ ଦୁନିଆରେ ନାହିଁ, ଯାହା କି ମୁଁ ତମ ପାଇଁ ନ କରିପାରେ । ତମେମାନେ ମୋର ପରା ପ୍ରିୟ ବଂଧୁ । ବଂଧୁକୁ ସାହାଯ୍ୟ କରିବା ଉଚିତ ।

 

ଏହି କଥା କହି ସେ ତିନି ପଟ ମଜବୁତ ଅଖା ନେଇ, ପ୍ରତ୍ୟେକରେ ଗୋଟାଏ ଲେଖା ମଣିଷ ପୂରାଇ କଷି କରି ମୁଁହ ଭିଡ଼ି ବାନ୍ଧିଲା, ଯେମିତ କି ଅଖାରେ ସେମାନେ ଆଉ ହଲଚଲ ହେଇ ପାରିବେ ନି କି ତାକୁ ଛିଣ୍ଡେଇ ଯାଇ ପାରିବେନି । ତା'ପରେ ସେ ସେମାନଙ୍କୁ ଜଣକ ପରେ ଜଣେ ବସ୍ତା ସହ ନଈକୁ ପକେଇଦେଲା । ସେମାନେ ସେଠି ବୁଡ଼ିମଲେ । ସାଇମନ ତା ଘରକୁ ମେଣ୍ଢାପଲ ଓ ସୁନାରୂପା ଧରି ଲେଉଟି ଆସିଲା । ନୀନାକୁ ସବୁ କଥା କହିଲା । ସେମାନେ ପୁଣି ଦାନ-ଖଇରାତ କରି ସୁଖଶାନ୍ତିରେ କାଳ କଟେଇଲେ ।

★★★

 

ସ୍କଟଲାଣ୍ଡର ରୂପକାହାଣୀ

ଗାୟକ ଥୋମାସ

 

ବହୁବର୍ଷ ପୂର୍ବେ ସ୍କଟଲାଣ୍ଡର ଏକ ଗାଁରେ ଥୋମାସ ନାମକ ଜଣେ ଲୋକ ବାସ କରୁଥିଲା । ସେ କୃଷକମାନଙ୍କୁ ସେମାନଙ୍କ ବିଲବାଡ଼ି କାମରେ ସାହାଯ୍ୟ କରୁଥିଲା । ମାତ୍ର ସେ ଏ ଚାଷବାସ କାମକୁ ମନେ ମନେ ଆଦୌ ପସନ୍ଦ କରୁ ନ ଥିଲା । ସେ ଭଲ ବୀଣା ବଜାଇ ଗାଇ ପାରୁଥିଲା ଓ ନିଜେ ଗୀତ ବ ରଚନା କରି ପାରୁଥିଲା ।

 

ଦିନେ ସେ ଭାବିଲା, ‘ମୁଁ ଆଜି ମୋର ସାଙ୍ଗ ଜନ୍ ଘରକୁ ଯିବି । ସେ ବି ବୀଣା ବଜାଇ ଜାଣେ । ଆମେ ଦୁହେଁ ଆଜିଦିନକ ସେଠି ସଂଗୀତ–ଚର୍ଚ୍ଚା କରି ଆନନ୍ଦରେ କଟାଇଦେବୁ ।’

 

ସେ କବାଟ ବନ୍ଦକରି ଘରୁ ବାହାରି ପଡ଼ିଲା । ସେଦିନ ଖୁବ୍ ବଢ଼ିଆ ପାଗ ହୋଇଥାଏ । ଆକାଶ ନିର୍ମଳ ଥାଏ । ଘାସସବୁ ସବୁଜ ଦେଖା ଯାଉଥାନ୍ତି । ଥୋମାସ ଯାଉ ଯାଉ ବାଟରେ ତାର ଚାରିପଟେ ନାନାରଙ୍ଗର ଫୁଲ ଫୁଟିଥିବାର ଦେଖିଲା । ସେ ମନ ଆନନ୍ଦରେ ଆଗେଇଲା, ବୀଣା ବଜେଇ ବଜେଇ । କିଛିସମୟ ପରେ ସେ ହାଲିଆ ହେଇ ପଡ଼ିଲା । ବାଟରେ ସେଇ ଘାସ ପଡ଼ିଆରେ ବସି ପଡ଼ିଲା । ତଥାପି ସେ ବୀଣା ବଜାଇବା ବନ୍ଦ କରି ନ ଥାଏ ।

 

ହଠାତ୍ ସେ ଏକ ମଧୁର ଧ୍ୱନି ଶୁଣିଲା । ସେ ଚାରିଆଡ଼କୁ ଚାହିଁ ଦେଖେ ତ ତା’ ଆଗକୁ ଏକ ଅପୂର୍ବ ସୁନ୍ଦରୀ ଯୁବତୀ ଆସୁଛି । ସେ ଯୁବତୀ ଘୋଡ଼ା ଚଢ଼ି ଆସୁଥିବାରୁ ଘୋଡ଼ା ବେକରେ ବନ୍ଧା ଯାଇଥିବା ଘଣ୍ଟି ସବୁ ବାଜି ଉଠି ଏକ ସୁନ୍ଦର ମଧୁର ଶବ୍ଦ ଓ ତାନ ତୋଳିଥାଏ ।

 

ସେ ଯୁବତୀ କନ୍ୟା । ତା’ ନିକଟରେ ପହଞ୍ଚି ଘୋଡ଼ା ଅଟକାଇବାରୁ ସେ ବୀଣା ବନ୍ଦ କରି ତାର ପାଦତଳେ ପଡ଼ିଗଲା । “ମୁଁ ହେଉଛି ଏ ପରୀ ରାଇଜର ରାଣୀ । ମୁଁ ତମକୁ ଖୋଜି ଖୋଜି ଏଠିକି ଆସିଛି । ତମେ ଥରେ ମୋ ପାଇଁ ଅନ୍ତତଃ ତମର ବୀଣା ବଜାଇ ଗାଅ ।” ସେ କହିଲା ।

 

ପରୀରାଣୀ ଘୋଡ଼ାରୁ ଓହ୍ଲେଇ ତା’ ପାଖରେ ସେଇ ଘାସ ଉପରେ ବସିପଡ଼ିଲା । ଥୋମାସ୍ ଛିଡ଼ା ହୋଇ ତା’ ବୀଣାରେ ଖୁବ ବଢ଼ିଆ ବଢ଼ିଆ ସ୍ଵର ତୋଳି ଗାଇଲା । ବୀଣା ବଜାଇ ଗାଇଲାବେଳେ ସେ ବରାବର ପରୀରାଣୀ ମୁହଁକୁ ଚାହୁଁଥାଏ । ଟିକିଏ ହେଲେ ଆଖି ପିଛୁଡ଼ା ପକାଉ ନ ଥାଏ କି ଆଖିକି ଏକଡ଼ ସେକଡ଼ କରୁ ନ ଥାଏ ।

 

ଅବଶେଷରେ ସେ ବୀଣା ବଜା ବନ୍ଦ କଲା । ପରୀରାଣୀ କହିଲା, ‘ଥୋମାସ୍ ତୁମକୁ ଧନ୍ୟବାଦ । ତମେ ଭାରି ଭଲ ବଜେଇ ଓ ଗାଇ ଜାଣ ।ଏଥିପାଇଁ ମୁଁ ତୁମକୁ କ’ଣ ଦେବି ? '

 

ମୁଁ ତୁମର ହସ୍ତ ଚୁମ୍ବନ କରିବାକୁ ଚାହେଁ–ଥୋମାସ ନମ୍ର ଭାବେ କହିଲା ।

 

‘ହି, ମୁଁ ସେଥରେ ରାଜି–ପରୀରାଣୀ କହିଲା । କିନ୍ତୁ ମନେରଖ, ତାହା କଲେ ତମେ ମୋର ଚାକର ହେଇ ପରୀରାଇଜରେ ମୋ ନିକଟରେ ସାତ ବର୍ଷ ଯାଏ ରହିବ । ଦେଖ, ସେତେବେଳେ ତମେ ପଦେ ହେଲେ କଥା କହିବ ନି କି ସେହି ସାତ ବର୍ଷ ଭିତରେ ତୁମ ଘରକୁ ପଳେଇ ଯିବନି । ତମେ ସାତ ବର୍ଷ ଯାଏ କଥା ନ କହି ମୌନ ରହିବ । ତା'ପରେ ତମେ ତମ ଘରକୁ ଚାଲିଆସିବ । ତା'ଛଡ଼ା ମୁଁ ତୁମ ଜୀବଦ୍ଦଶାରେ ତୁମକୁ ଆଉ ଥରେ ଡକାଇ ପଠାଇବି । ସେତେବେଳେ ତମକୁ ଏ ସଂସାରରୁ ଚିରଦନ ଲାଗି ବିଦାୟ ନେବାକୁ ପଡ଼ିବ । ଏହା କରିପାରିବ ତ ?

 

ଥୋମାସ୍ କିଛି କଥା ନ କହି ପରୀରାଣୀ ଗୋଡ଼ତଳେ ପଡ଼ି ତାର ହାତ ଧରି ଚୁମ୍ବନ କଲା ।ତା'ପରେ ରାଣୀ ଘୋଡ଼ା ଚଢ଼ି ବାହାରିଲେ, ଆଉ ଥୋମାସ୍ ତାଙ୍କ ସାଙ୍ଗେ ସାଙ୍ଗେ ଚାଲିଲା । ଥୋମାସର ଘର ଓ ଦେଶରୁ ସେମାନେ ଅନେକ ବାଟ ଚାଲିଗଲେ । କିଛିଦିନ ପରେ ସେମାନେ ପରୀ--ରାଇଜରେ ପହଞ୍ଚିଲେ ।

 

ସେ ଦେଶଟି ଭାରି ସୁନ୍ଦର । ଚାରିଆଡ଼େ ଫୁଟନ୍ତା ଫୁଲର ବଗିଚା । ବାସନାରେ ପେଟ ଭରି ଯାଉଥାଏ । ମଳୟ ବହୁଥାଏ । ସଂଗୀତ ମଧୁରୀ ବୋଳା ମୂର୍ଚ୍ଛନା ବରାବର କାନରେ ବାଜୁଥାଏ । ଅନେକ ସୁନ୍ଦରୀ ଯୁବତୀ ରାଣୀଙ୍କୁ ପାଛୋଟି ନେଲେ । ଏସବୁ ଦେଖି ଥୋମାସକୁ ଭାରି ଭଲ ଲାଗିଲା । ସେ ସେଠି ରହି ରାଣୀଙ୍କ କାମଦାମ କଲା ସାତବର୍ଷ ଯାଏ । ମାତ୍ର ଏ ସାତବର୍ଷ ମଧ୍ୟରେ ସେ ଥରେ ହେଲେ କାହାରିକି କିଛି କଥା କିହି ନି ।

 

ସାତ ବର୍ଷ ପରେ ପରୀରଣୀ ତାକୁ ଆଣି ପୁଣି ତା ଦେଶରେ ଛାଡ଼ି ଦେଲା । ଗଲାବେଳେ ସେ ତାକୁ ଗୋଟିଏ ଆତ (ଫଳ) ଦେଇ କହିଲା, ‘ଥୋମାସ ! ତମେ ଏଇଟିକୁ ଖାଇ ଦିଅ । ଦେଖିବ, ତମେ ତମର ଭବିଷ୍ୟତ ଓ ଅନ୍ୟମାନଙ୍କ ଭବିଷ୍ୟତ କଥା ସବୁ ଜାଣିପାରିବ । ମୁଁ ଆଉ ଅଧିକ କିଛି କହିବାକୁ ଚାହେଁନା । କାରଣ ମୁଁ ପୁଣି ଥରେ ତମକୁ ଡକାଇବି । ବିଦାୟ !

 

'କେବେ ତମେ ଡକାଇବ ? –ଥୋମାସ୍ ପଚାରିଲା ।

 

‘ମୋ ଚାକରମାନେ ଠିକ୍ ସମୟରେ ତମକୁ ଡାକିବାକୁ ଆସିବେ । ତମେ ସେମାନଙ୍କୁ ଦେଖୁ ଦେଖୁ ଜାଣି ପାରିବ ।’ –ରାଣୀ ଉତ୍ତର ଦେଇ ଚାଲିଗଲେ ।

 

ଥୋମାସ୍ ବସି ପଡ଼ି ଆତ ଖାଇଲା । ତାକୁ ନିଦ ଆସିବାରୁ ସେ ସେଠି ଶୋଇ ପଡ଼ିଲା-। ସେ ଉଠି ଦେଖେ ଯେ, ସେ ତା ଘର ପାଖ ଘାସ ପଡ଼ିଆରେ ଶୋଇଛି । ତା' ଚାରିପଟେ ତାର ଅନେକ ପୁରୁଣା ବଂଧୁ ଜମା ହୋଇଛନ୍ତି । ସେମାନେ ସମସ୍ତେ ତାକୁ ଦେଖି ଆଶ୍ଚର୍ଯ୍ୟ । ସେମାନେ ଭାବିଥିଲେ ଯେ ଥୋମାସ୍ ମରିଯାଇଛି । ନଚେତ୍ ଏତେ ବର୍ଷ ଯାଏ ସେ କାହିଙ୍କି ଘରକୁ ଫେରନ୍ତା ନି ?

 

ପୁଣି ଥୋମାସ ପୂର୍ବପରି ତା’ ନିଜ ଗାଁରେ ରହିଲା ଓ ଚାଷୀମାନଙ୍କୁ କାମଧନ୍ଦାରେ ସେମାନଙ୍କ କ୍ଷେତବାଡ଼ିରେ ସାହାଯ୍ୟ କଲା । ମାତ୍ର ଏସବୁ ସତ୍ତ୍ୱେ ସେ ତାର ସେଇ ପୁରୁଣା ବୀଣା ବଜାଇବା ଖୋଇ ଛାଡ଼ି ନ ଥାଏ ବା ଗୀତ ରଚନା କରିବା ଭୁଲି ନ ଥାଏ । ସେ ଏବେ ପରୀରାଇଜକୁ ଯାଇଥିବା କଥା ତାର ସାଙ୍ଗସାଥିମାନଙ୍କୁ କହିଲା । ପିଲାଏ ତାଠୁଁ ଏ ପରୀରାଇଜ କଥା ଶୁଣି ଭାରି ଖୁସୀ ହେଲେ ଓ ସେମାନଙ୍କୁ ଆହୁରି ଆହୁରି ପରୀକାହାଣୀ କହି ଶୁଣାଇବାକୁ ଅଝଟ ଲଗେଇଲେ । ମାତ୍ର ବୁଢ଼ାଏ ତାର ଏ କଥାକୁ ଆଦୌ ବିଶ୍ୱାସ କଲେ ନି ।

 

ଥୋମାସ ପାଖରେ ସେମିତି କିଛି ବେଶି ଟଙ୍କା ପଇସା ନ ଥିଲା । ଯାହା କିଛି ସେ ଖଟି ରୋଜଗାର କରେ, ସେଥିରେ ସେ ଚଳିଯାଏ । ବଳକା ହେଲେ ଦୁଃଖୀ-ରଙ୍କୀ, ଗରିବମାନଙ୍କୁ ଦାନ କରିଦିଏ । ଏହା ଦେଖି–ଗାଁ ବାଲାଏ ପଚାରନ୍ତି, ‘ତୁ କୁଆଡ଼ୁ ଏତେ ପଇସା ପାଉଛୁ ? କ’ଣ ତ ଭାରି ଦାନ ଖୈରାତ କରୁଛୁ ?

 

‘ପରୀମାନେ ମତେ ଦେଉଛନ୍ତି’–ଥୋମାସ କହେ ।

 

ଏହା ଭିତରେ ଲୋକେ ଜାଣିଲେ ଯେ, ଥୋମାସକୁ ଭବିଷ୍ୟତ କଥା ମାଲୁମ । ବେଳେ ବେଳେ ମଧ୍ୟ ସେମାନେ ତାକୁ ପଚାରିବାକୁ ଆରମ୍ଭ କରି ଦେଲେ । ‘କାଲି କ’ଣ ମେଘ ହେବ ? ସେ ‘ହଁ’ କହିଲେ ମେଘ ହୁଏ । ସେ ‘ନା’ କଲେ ମେଘ ହୁଏ ନା । କିଛି ଘଟଣା ଘଟିବା ପୂର୍ବରୁ ସେ ସେମାନଙ୍କୁ ଆଗତୁରା କ’ଣ ହବ ନ ହବ, କହିଦିଏ । ଥରେ ସେ କହିଲା, ‘ସ୍କଟଲାଣ୍ଡର ସବୁଠାରୁ ବଡ଼ଲୋକ କାଲି ସନ୍ଧ୍ୟା ସୁଧା ଏ ରାଜ୍ୟରେ ନ ଥିବେ ।’ ସତକୁ ସତ ତା ପରଦିନ ଲୋକେ ଶୁଣିଲେ ଯେ, ରାଜା ମରିଯାଇଛନ୍ତି ।

 

ଅନେକ ଦୂରଦୂରାନ୍ତରୁ ଲୋକେ ଆସି ଥୋମାସକୁ ସେମାନଙ୍କ ଭବିଷ୍ୟତ ବିଷୟରେ ନାନାପ୍ରକାର ପ୍ରଶ୍ନ କଲେ । ସେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଲା ଏବଂ ସେ ଯାହା କହିଲା; ତାହା ହିଁ ଫଳିବାକୁ ଲାଗିଲା ସେମାନଙ୍କ ଜୀବନରେ । ସେ କହିଥିଲା, ‘ଦିନେ ଏଡ଼ିନବର୍ଗ ଲଣ୍ଡନଠାରୁ ଆହୁରୀ ବିଖ୍ୟାତ ହୋଇ ଉଠିବ ।’ ମାତ୍ର ଏହା ଏବେଯାଏ ଠିକ୍ ହେଇନି । ଏଡ଼ିନବର୍ଗ ସ୍କଟଲାଣ୍ଡର ଏକ ବୃହତ୍ତମ ନଗର; କିନ୍ତୁ ଲଣ୍ଡନ ସମଗ୍ର ବ୍ରିଟିଶ ଦୀପପୁଞ୍ଜର ପ୍ରଧାନ ନଗରୀ ।

 

ପ୍ରତିବର୍ଷ ଦିନେ ଥୋମାସ୍ ଗୋଟିଏ ବଡ଼ ଭୋଜୀ ଦିଏ । ଏମିତି ଦିନେ ସେ ଭୋଜୀ ଦେଉଥିବାବେଳେ କହିଲା, ମୁଁ ଏ ଦିନକୁ ଭାରି ଭଲପାଏ । ଏହିଦିନ ମୁଁ ପ୍ରଥମେ ପରୀରାଣୀକୁ ଭେଟିଥିଲି ଆଉ ଠିକ୍ ଏହି ଦିନରେ ମୁଁ ପୁଣି ପରୀରାଇଜରୁ ମୋର ଏ ଗାଁ ମାଟିକୁ ଫେରି ଆସିଥିଲି-। ଠିକ୍‍ ସାତ ବର୍ଷ ପରେ । ପ୍ରତ୍ୟେକ ଲୋକ ପ୍ରାୟ ତା ଭୋଜୀରେ ଯୋଗ ଦିଅନ୍ତି । ଦୂରଦୂରାନ୍ତ ଗାଁରୁ ମଧ୍ୟ ଲୋକେ ତା’ ନା ଶୁଣି ଭୋଜୀ ଖାଇବାକୁ ଆସନ୍ତି । ସବୁଥର ଖାଦ୍ୟପଦାର୍ଥ ଲୋକଙ୍କୁ ଅଣ୍ଟି ଆହୁରି ବଳେ । ସମସ୍ତେ ଖାଇ ସାରିଲା ପରେ ସେ ବୀଣା ବଜାଏ । ଲୋକେ ସକାଳ ଯାଏ ନାଚି ନାଚି ଆମୋଦ ପ୍ରମୋଦରେ ରାତି ପୁହାଇ ଦିଅନ୍ତି ।

 

ୟା ଭିତରେ ଥୋମାସ୍ ବୁଢ଼ା ହେଇଗଲା । ସେ ଥରେ ମନେ ମନେ ଭବିଲା, କେବେ ପରୀରାଣୀ ମୋ ପାଖକୁ ଦୂତ ପଠେଇବ ?

 

ବର୍ଷେ ଥୋମାସ ପ୍ରତିବର୍ଷ ଯେଉଁ ଦିନ ଭୋଜୀ ଦିଏ, ସେଦିନ ଭୋଜୀ ଦେଉଛି । ଭୋଜୀ ଓ ମଜଲିସ ଅଧାରେ ଦୁଇଟି ସୁନ୍ଦରୀ ବାଳିକା ଥୋମାସ୍ ଘରକୁ ଦୌଡ଼ିଯାଇ କହିଲେ, ଗୋଟିଏ ଧଳା ହରିଣ ଓ ଗୋଟିଏ ଧଳା ହରିଣୀ ତମ ଘରଆଡ଼କୁ ଆସୁଛନ୍ତି ।

 

ଧଳା ହରିଣ ଓ ଧଳା ହରିଣୀ ତ କେବେ ଦେଖା ନ ଥିଲେ ବା ତାଙ୍କ କଥା ମଧ୍ୟ ଶୁଣା ନ ଥିଲା । ମର୍ତ୍ତ୍ୟରେ ସେମାନେ ନ ଥାନ୍ତି । ତେଣୁ ଥୋମାସ ଭାବିଲା, ପରୀରାଣୀ ନିଶ୍ଚୟ ମୋ ପାଇଁ ଏଥର ତାର ଦୂତ ପଠେଇଛି । ଏହା ଭାବି ସେ ଅତ୍ୟନ୍ତ ଆନନ୍ଦିତ ହେଲା ।

 

ସେ ତାର ବନ୍ଧୁମାନଙ୍କୁ ବିଦାୟ ନମସ୍କାର ଜଣାଇ ଘରୁ ବାହାରିଗଲା । ସେ ଦୁଇଟି ପ୍ରାଣୀଙ୍କ ଆଡ଼େ । ହରିଣଟି ତାର ଡାହାଣ କଡ଼କୁ ଓ ହରିଣୀଟି ତାର ବାଁ କଡ଼କୁ ଚାଲିଆସିଲେ । ସେମାନେ ସମସ୍ତେ ସାଙ୍ଗ ହୋଇ ଥୋମାସ ଯେଉଁଠି ପ୍ରଥମେ ପରୀରାଣୀଙ୍କୁ ଭେଟିଥିଲା, ସେଇଠିକି ଗଲେ ।

 

ସେ ସେହି ଦୁଇ ବିଚିତ୍ର ସୁନ୍ଦର ପ୍ରାଣୀଙ୍କ ମଝିରେ ଚାଲି ଚାଲି ବୀଣା ବଜାଉଥାଏ । ତାର ବନ୍ଧୁମାନେ ତାକୁ ନିରୀକ୍ଷଣ କରୁଥାନ୍ତି । ସେମାନେ ଦୁଇଟି କଥା ଲକ୍ଷ୍ୟ କଲେ । ସେ ଏକ ସୁନ୍ଦର ଯୁବାରେ ପରିଣତ ହେଲା ଏବଂ ତାର ସଂଗୀତ ପୂର୍ବାପେକ୍ଷା ଅଧିକ ମଧୁର ଓ ଆନନ୍ଦଦାୟକ ହୋଇ ଉଠିଲା । ତା’ପରେ ଗଛ ଆଢ଼ୁଆଳରେ ସେ ସେମାନଙ୍କ ଚକ୍ଷୁ ଅନ୍ତରାଳକୁ ଚାଲିଗଲା । ତା ଗାଁ ବାଲାଏ କହିଲେ, ଏଥର ଆମେ ଥୋମାସର ଶେଷଦିନ ଦେଖିଲୁ । ସେ ଆଉ ଫେରିବ ନି । ଭାରି ଭଲ ମଣିଷ ଥିଲା ସେ । ଆମକୁ କାମ–ଦାମରେ ଓ ପଇସାପାତିରେ ଅନେକ ସାହାଯ୍ୟ କରୁଥିଲା ।’ ପିଲାଏ କହିଲେ, ‘ଆମେ ଆଉ କାହାଠାରୁ ଏଡ଼େ ସୁନ୍ଦର ସୁନ୍ଦର ମଜାଗପ ଶୁଣିବୁ ? ସେ କ’ଣ ପ୍ରକୃତରେ ଆଉ ଆସିବେ ନି ?

 

ସମସ୍ତେ ତା’ ପାଇଁ ଈଶ୍ଵରଙ୍କୁ ପ୍ରାର୍ଥନା କଲେ । ମୋ କଥାଟି ସରିଲା ।

★★★

 

ଜର୍ମାନ ଦେଶର ରୂପକାହାଣୀ

ବୁଢ଼ୀ ଡାଆଣୀ

 

ଅଗନାଅଗନି ବନସ୍ତ । ଦିନରେ ସୂର୍ଯ୍ୟକରଣ ବି ପଡ଼େ ନା, ସେଠି କାଠିଟିଏ ପଇଲେ କୁଲାଟିଏ ପଡ଼ିଲା ପରି ଲାଗେ । କୁଆ କୋଇଲିଙ୍କ ଶବ୍ଦ ନାହିଁ । ଚାରିଆଡ଼େ ଶୂନ-ଶାନ । ଦିନେ ରାଜକୁମାର ମନ୍ତ୍ରୀ-କଟୁଆଳ ଓ ସୈନ୍ୟସାମନ୍ତ ନେଇ ସେହି ବଣକୁ ଶିକାର କରିଗଲେ । ରାଜକୁମାର ସେ ବଣ ଭିତରେ ପଶି, ବଣର ଶୋଭା ଦେଖି ବିଭୋର ହେଇଗଲେ, ସବୁ କଥା ଭୁଲିଗଲେ, ସେ ଆଉ ଶିକାର କରିବେ କ'ଣ ? ସମସ୍ତଙ୍କୁ ଗୋଟିଏ ଜାଗାରେ ଅପେକ୍ଷା କରିବାକୁ କହି ତାଙ୍କ ଧଳା ଘୋଡ଼ା ଚଢ଼ି ପଶିଲେ ବଣ ଭିତରକୁ । ସତେ ଯେମିତି କି ସେ କାହାର କୁହୁକ ବଳରେ ଟାଣି ହେଇ ଯାଉଥାନ୍ତି ।

 

ବଣ ଭିତରେ ଗଛ-ବୃକ୍ଷ, ନାନା ଫୁଲ-ଫଳ, ପଶୁପକ୍ଷୀଙ୍କ ଶୋଭା ଦେଖୁ ଦେଖୁ ତାଙ୍କ ଆଖି ପଡ଼ିଲା ଗୋଟିଏ ପୁରୁଣା କୋଠା ଉପରେ । ରାଜକୁମାର ସେ କୋଠା ଆଡ଼କୁ ଯାଇ ଦେଖିଲେ, ତା ଦେହରେ ଘାସଗଛ ଉଠିଛି । ସମ୍ଭବତଃ ଏହା ଅନେକ ଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଗଛ ଆଢ଼ୁଆଳରୁ ସେ ଦେଖିଲେ, ଗୋଟାଏ ବିକଟାଳ ବୁଢ଼ୀ ସେ କୋଠା ଆଡ଼କୁ ଆସୁଛି । ସାକ୍ଷାତ୍ ଗୋଟିଏ ଅସୁରୁଣୀ ! ବୁଢ଼ୀ ସେ କୋଠା ପାଖରେ ଠିଆ ହେଇ ଦୋମହଲା ଝରକାକୁ ଚାହିଁ ଡାକିଲା–

 

‘ରାପୁଞ୍ଜେଲ, ତୋ ବାଳ–ଶିଡ଼ିଟି ପକା; ମୁଁ ଆସିଛି । ଏ କଥା ଶୁଣି ଝରକା ପାଖରେ ଗୋଟିଏ ଅପୂର୍ବ ସୁନ୍ଦରୀ କନ୍ୟା ଆସି ଠିଆହେଲା । ତା' ରୂପ-ଆଲେକରେ ସେ ବନର ଅନ୍ଧକାର ମଧ୍ୟ ଅପସରି ଗଲା । ଅପସରୀ ଅପେକ୍ଷା ଆହୁରି ସୁନ୍ଦର ତାର ସୁନେଲି ଲମ୍ବା ବାଳ ବିଡ଼ାଟା ! ସେ ଝରକା ଦେଇ ତାହାକୁ ତଳକୁ ଛାଡ଼ିଦେଲା । ପବନରେ ଖେଳି ଖେଳି ସେ ବାଳ–କେରାକ ଆସି ଲାଗିଲା କୋଠାତଳେ । ବୁଢ଼ୀ-ଡାହାଣୀ ସେ ବାଳ ସିଢ଼ି ଧରି କୋଠା ଉପରରୁ ଉଠିଗଲା ।

 

ଏ ସବୁ ଦେଖି ରାଜକୁମାର ଏକବାରେ ଅବାକ୍ ! ଅଳ୍ପ ସମୟ ପରେ ବୁଢ଼ୀ ପୁଣି ବାଳ ସିଢ଼ି ଧରି ସେ କୋଠ ତଳକୁ ଓହ୍ଲେଇ ଆସିଲା । ରାଜକୁମାର ଏହା ଦେଖି ସେ କୋଠା ପାଖକୁ ଯାଇ ଡାକିଲେ, ରାପୁଞ୍ଜେଲ, ରାପୁଞ୍ଜେଲ ! ତୋ ବାଳ-ସିଢ଼ିଟା ଖସା, ମୁଁ ଆସିଛି ।”

 

କହୁ କହୁ ସୁନେଲୀ ବାଳ କେରାଏ ଝରକା ଦେଇ ଆସି ଲାଗିଲା ତଳେ । ରାଜକୁମାର ତା ସାହାଯ୍ୟରେ କୋଠା ଉପରକୁ ଉଠିଗଲେ । ସେ ସୁନ୍ଦରୀ ଝିଅଟି ରାଜା ପୁଅଙ୍କୁ ଦେଖି ବିସ୍ମିତ ହେଇଗଲେ । ଏ ଅଗନାଅଗନି ବନସ୍ତରେ ସେ ଆଉ ମଣିଷମୁହଁ ଦେଖିବ, ପୁଣି ଏଡ଼େ ସୁନ୍ଦର ଯୁବା ପୁରୁଷ, ଏ ଆଶା କେଉଁଦିନୁ ମନରୁ ପୋଛି ସାରିଥିଲା । ସେ ରାଜକୁମାରକୁ ନମସ୍କାର ହୋଇ ପଚାରିଲା, ‘‘ଆପଣ କିଏ ?’’

 

ସେ କହିଲେ, “ମୁଁ ଏ ଦେଶର ରାଜା ପୁଅ । ପାରିଧିକି ଆସିଥିଲି ।’’

 

ଏହାଶୁଣି ରାପୁଞ୍ଜେଲ କହିଲେ, “ମୁଁ ମଧ୍ୟ ଏକ ରାଜକନ୍ୟା । ମୁଁ ଯେତେବେଳେ ପିଲାଟିଏ ହୋଇଥିଲି, ଏ ବୁଢ଼ୀ ଡାଆଣୀ ମତେ ମୋ ବାପା ପାଖରୁ ଚୋରାଇ ଆଣି ଏଠି ବନ୍ଦୀକରି ରଖିଛି । ମୁଁ ଯେତେ କାନ୍ଦି କହିଲି, ସେ ଆଦୌ ଛାଡ଼ିଲା ନି । ସେଇଦିନୁ ମୁଁ ଏଠି ରହିଛି-।”

 

ରାଜକୁମାରକୁ ଦେଖି ରାପୁଞ୍ଜେଲ ଭାରି ଖୁସୀ ହେଲା । ସେ ତାକୁ ମନେ ମନେ ଭଲପାଇ ବସିଲା । ରାଜାପୁଅ ମଧ୍ୟ ତାକୁ ଦେଖି ଭାବିଲା, ‘‘ଆହା, କି ସୁନ୍ଦର ଝିଅଟିଏ ! ଏଠୁ କେମିତି ଏ ଉଦ୍ଧାର ପାଆନ୍ତା କି ?’’

 

ଦୁହେଁ ଅନେକ ସମୟ ଯାଏ ହସଖୁସୀ, ସୁଖଦୁଃଖ ହେଲେ । ମାତ୍ର ବୁଢ଼ୀ ଆସିବାର ବେଳ ହୋଇଯିବାରୁ ରପୁଞ୍ଜେଲ ବାଳ କେରାଏ ତଳକୁ ଖସାଇଦେଲା । ରାଜକୁମାର ଝରକା ଦେଇ ତଳକୁ ଚାଲି ଆସିଲେ । ଆସିଲାବେଳେ କହି ଆସିଲେ, “ମୁଁ ତମକୁ ଏଠୁ ଶୀଘ୍ର ମୁଳେଇବାକୁ ଚେଷ୍ଟା କରୁଛି ।‘’

 

ଏ କଥା ଶୁଣି ରାପୁଞ୍ଜେଲର ଖୁସି ଦେଖିବ କ’ଣ ! ମାତ୍ର କିଛି ସମୟ ପରେ ପୁଣି ବୁଢ଼ୀ ଫେରି ଆସିଲା । ରାପୁଞ୍ଜେଲ ଏ ବନ୍ଦୀଶାଳାରୁ ମୁକୁଳିବ ଏହି କଥା ଭାବି ଅନ୍ୟମନସ୍କ ଓ ଆନନ୍ଦରେ ଭୋଳ ଥିଲା । ତେଣୁ ସେ କହୁ କହୁ କହି ପକେଇଲେ, ‘‘ଆଛା ବୁଢ଼ୀ ମା', ତୁ ମୋ ବାଳ ସିଢ଼ିରେ ଆସିବାକୁ ଏତେ ଡେରି କରୁଛୁ କାହିଁକି ରାଜକୁମାର ତ ଚଟାପଟ ଚାଲି, ଆସୁଛନ୍ତି ।’’

 

ବୁଢ଼ୀ ଡାଆଣୀ ଏ କଥା ଶୁଣି ରାଗରେ ନିଆଁ ବାଣ ହୋଇ କହିଲା, “ଆଛା, ତୁ ଲୁଚେଇ ଲୁଚେଇ ଗୋଟାଏ ରାଜାପୁଅ ସାଙ୍ଗରେ କାରବାର କରୁଛୁ, ନା ? ସେ ପୁଣି ଏଠିକି ଆସୁଛି ? କେବେଠୁଁ ?’’ ଏହା କହୁ କହୁ ରାଗରେ ଦାନ୍ତ କଡ଼ମଡ଼ କରି ଗୋଟାଏ କତୁରୀ ଧରି ରାପୁଞ୍ଜେଲର ସେ ସୁନେଲି ବାଳ କେରାକ କାଟି ଦେଲା । କି ସୁନ୍ଦର ନରମ ସୁନେଲି ବାଳ ସବୁ ଚାରିଆଡ଼େ ବିଞ୍ଚି ହୋଇ ପଡ଼ିଲା । ଆଉ କେତେ ପବନରେ ଉଡ଼ିଗଲା ଝରକା ଦେଇ ବାହାରକୁ । ବୁଢ଼ୀର ରାଗ ଏଥିରେ ବି ଶାନ୍ତ ନ ହେବାରୁ ସେ ତାକୁ ଝରକା ବାଟେ ତଳକୁ ଗଳେଇ ପକେଇଲା । ବୁଢ଼ୀ ପୁଣି ତଳକୁ ଆସି ରାପୁଞ୍ଜେଲର ହାତଗୋଡ଼ ବାନ୍ଧି, ତାକୁ ଗୋଟାଏ କଣ୍ଟା ବଣ ଭିତରକୁ ପକାଇଦେଲା ।

 

ସଂଧ୍ୟା ସମୟକୁ ରାଜକୁମାର ରେଶମସୂତା ସିଢ଼ି ଆଣି ସେ କୋଠା ପାଖରେ ପହଞ୍ଚିଲେ-। ରାପୁଞ୍ଜେଲ ନାଁ ଧରି ଡାକିବାରୁ ଗୋଛାଏ ବାଳ ତଳକୁ ଖସି ଆସିଲା । ରାଜକୁମାର ତାକୁ ଧରି ଉପରକୁ ଚଢ଼ିଗଲେ । ମାତ୍ର ସେଠି ରପୁଞ୍ଜେଲ ପରିବର୍ତ୍ତେ ବୁଢ଼ୀ ଡାଆଣୀକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ । ସେ ରାଜକୁମାରକୁ ପାଖରେ ଦେଖି ଧକକା ମାରି ସେଠୁ ପେଲି, ତଳକୁ ଗଳେଇ ପକେଇଲା । ରାଜକୁମାର କଣ୍ଟାବାଡ଼ ଭିତରେ ପଡ଼ି ଖଣ୍ଡିଆଖାବରା ହୋଇଗଲେ । ତାଙ୍କ ଆଖିରେ କଣ୍ଟା ବାଜି ଆଖି ଦୁଇଟି ଫୁଟିଗଲା । ମାତ୍ର ସେ ବିକଳ ହୋଇ ସେମିତି ଅଣ୍ଡାଳି ଅଣ୍ଡାଳି, ରାପୁଞ୍ଜେଲ ରାପୁଞ୍ଜେଲ ଡାକି ଡାକି ତାକୁ ଖୋଜିବାକୁ ଲାଗିଲେ । ସେ ବହୁତ କଷ୍ଟ ପାଇଲେ । ରାପୁଞ୍ଜେଲକୁ ପାଇବା ଆଶା ମଧ୍ୟ ତ୍ୟାଗକଲେ ।

 

ଏହିପରି ଭାବେ କିଛି ବାଟଗଲା ପରେ ତାଙ୍କ କାନରେ ଏକ କରୁଣ କ୍ରନ୍ଦନ ଧ୍ଵନି ବାଜିଲା । କି ମଧୁର, କି କରୁଣ ସେ ସ୍ଵର ! ସେହି ସ୍ଵର ବାରି ବାରି ସେ ଯାଇ ଭେଟିଲେ ରାପୁଞ୍ଜେଲକୁ । ତାର ହାତଗୋଡ଼ର ବନ୍ଧନ ଫିଟାଇଦେଲେ । ରାପୁଞ୍ଜେଲ କାନ୍ଦିକାନ୍ଦି ଲୋଟି ପଡ଼ିଲା ରାଜକୁମାରଙ୍କ ଛାତି ଉପରକୁ । ତା’ ଆଖିରୁ ଦୁଇ ବୁନ୍ଦା ଲୁହ ପଡ଼ିବାକ୍ଷଣି ରାଜକୁମାରଙ୍କ ଆଖି ଭଲ ହେଇଗଲା । ଦୁହେଁ ମହାଖୁସୀରେ ହାତ ଧରା ଧରି ହୋଇ ବନସ୍ତରୁ ଚାଲି ଆସିଲେ ଯେଉଁଠି ପାତ୍ରମନ୍ତ୍ରୀ-କଟୁଆଳ ଅପେକ୍ଷା କରି ଥିଲେ । ବୁଢ଼ୀ ଡାଆଣୀ ଏ କଥା ଦେଖି ରାଗରେ କୋଠା ଉପରୁ ଦୁଲୁକିନା କଚାଡ଼ି ହୋଇ ପଡ଼ିଗଲା ।

 

ରାଜକୁମାର ଓ ରାପୁଞ୍ଜେଲ ଘୋଡା ଚଢ଼ି ସୈନ୍ୟସାମନ୍ତଙ୍କ ସହ ଯାଇ ତାଙ୍କ ରାଜବାଟୀରେ ପହଞ୍ଚିଲେ । ରାଜାରାଣୀ ରାଜକୁମାର ଓ ରାପୁଞ୍ଜେଲକୁ ଦେଖି ତାଙ୍କର ସବୁ ଘଟଣା ଶୁଣି ଆନନ୍ଦରେ ଗଦଗଦ୍‍ ହୋଇଗଲେ । ରାପୁଞ୍ଜେଲକୁ ସେମାନେ ତାଙ୍କ ପୁଅ ସହିତ ମହା ଆଡ଼ମ୍ବରରେ ବିବାହ କରାଇଦେଲେ । ରାଜକୁମାର ଓ ରାପୁଞ୍ଜେଲ ମହା ଆନନ୍ଦରେ ସୁଖଶାନ୍ତିରେ ରାଜ୍ୟ ପାଳନ କରି ରହିଲେ ।

★★★

 

ଭାରତ

ଭାଇ ଭଉଣୀ

 

ଭାଇ ଓ ଭଉଣୀଟିଏ ଥିଲେ । ସେମାନଙ୍କର ମା ମରିଗଲାରୁ ତାଙ୍କ ବାପା ପୁଣି ଥରେ ବିବାହ କଲେ । ସାବତ ମାଆ ବଡ଼ ଦୟାହୀନା ଓ ରୂକ୍ଷା । ସେମାନଙ୍କୁ ଆଦୌ ସେ ଦେଖିପାରୁ ନ ଥିଲେ । ତେଣୁ ଭାଇଟି ତା ଭଉଣୀକୁ ସାଙ୍ଗରେ ନେଇ ଘର ଛାଡ଼ି କୁଆଡ଼େ ଚାଲିଯିବାକୁ ମନସ୍ଥ କଲା ।

 

ସେମାନେ ଘରୁ ପଳାଇ ଆସି, ଅନେକ ବାଟ ଚାଲି ଚାଲି ଶେଷରେ ଆସି ଗୋଟିଏ ବଣରେ ପହଞ୍ଚିଲେ । ଖୁବ ହାଲିଆ ହୋଇଥିବାରୁ ସେଠି ସେମାନେ ଗଛ କୋରଡ଼ରେ ଶୋଇପଡ଼ିଲେ ।

 

ପୁଣି ତା ପରଦିନ ବଡ଼ି ସକାଳୁ ସେମାନେ ଚାଲିବାକୁ ଲାଗିଲେ । ବାଳିକାଟି ତା' ଭାଇକୁ କହିଲା, ମୋତେ ଭାରି ଶୋଷ କଲାଣି । ଚାଲ, ଆମେ କେଉଁଠି ଗୋଟିଏ ଝରଣା ଦେଖି ସେଥିରୁ ମୁନ୍ଦାଏ ପାଣି ପିଇବା ।’ ତା’ ପରେ ମର୍ମର ଧ୍ୱନି କରି ପଥର ପାହାଚ ଉପରେ ଡେଇଁ ଡେଇଁ ବହିଯାଉଥିବା ଏକ ନିର୍ମଳ, ଉର୍ମ୍ମିଳ ଝରଣା ନିକଟରେ ସେମାନେ ପହଞ୍ଚିଲେ ।

 

ସାବତମାଆ ହେଉଛି ଗୋଟିଏ କଞ୍ଚାଡାହାଣୀ । ସେ ଯେତେବେଳେ ଜାଣିଲା ଯେ, ତାର ସାବତ ପୁଅ ଓ ଝିଅ ଦୁହେଁ ବଣକୁ ଚାଲି ଯାଇଛନ୍ତି, ସେତେବେଳେ ବଣର ସବୁ ଝରଣା ଉପରେ ତାର ମନ୍ତ୍ର ପ୍ରୟୋଗ କଲା । ସାନ ଝିଅଟି ଶୁଣିଲା, ଝରଣା କହୁଛି, ଯିଏ ମୋ ପାଣି ପିଇବ, ସେ ବାଘ ହେଇଯିବ । ସେ ତା’ ଭାଇକୁ ସେଠୁ ପାଣି ନ ପିଇବାକୁ କହିଲା । ସେମାନେ ଆଉ ପାଣି ପିଇଲେ ନି ।

 

ପୁଣି ସେମାନେ ଆଗେଇ ଚାଲିଲେ । ଏଥର ସେମାନେ ଆଉ ଗୋଟିଏ ଝରଣା ନିକଟରେ ପହଞ୍ଚିଲେ । ଭଉଣୀ ଶୁଣିଲା ଯେ, ଝରଣା କହୁଛି, ଯିଏ ମୋ ପାଣି ପିଇବ, ସେ ଏକ ହେଟାବାଘ ହୋଇଯିବ ।

 

ସେ ପାଟିକରି ଡାକିଲା, ଭାଇ ତମେ ସେଠୁ ପାଣି ପିଅନା । ହେଟାବାଘ ହେଇ ଯାଇ ମୋତେ ଖାଇଦବ ।

 

ତେଣୁ ତା ଭାଇ କହିଲା, “ଆଚ୍ଛା, ମୁଁ ଆଉ ଟିକିଏ ଡେରି କରିବି । କିନ୍ତୁ ମତେ ଯେ ଭାରି ଶୋଷ ହେଲାଣି । ମୁଁ ଏଥର ଆଉ ସମ୍ଭାଳି ପାରିବିନି । ନିଶ୍ଚୟ ଆର ଝରଣାରୁ ମୁନ୍ଦାଏ ପାଣି ପିଇବି । ନଚେତ୍ ମୋ ତଣ୍ଟି ଶୁଖିଯିବ । ମୁଁ ମରି.... ।’

 

ଏଥର ଝରଣାଟି କହିଲା, ‘‘ମୋ ପାଣି ଯିଏ ପିଇବ, ସେ ଗୋଟିଏ ହରିଣ ହେଇଯିବ ।’’ ଛୁଆ ଭଉଣୀ କହିଲା, ‘‘ଭାଇ, ତମେ ମୋଟେ ସେ ପାଣି ପିଅନା । ପିଇଲେ ହରିଣ ହେଇ ମୋ ପାଖରୁ ଜଙ୍ଗଲକୁ ଦୌଡ଼ି ପଳେଇବ ।” ସେତେବେଳକୁ ତା’ ଭାଇ ଶୋଷ ସମ୍ଭାଳି ନ ପାରି ପିଇବା ଆରମ୍ଭ କରି ଦେଇଥିଲା । ଢୋକେ ପିଇବା ମାତ୍ରେ ସେ ଗୋଟିଏ ସୁନ୍ଦର ହରିଣରେ ପରିଣତ ହେଇଗଲା ।

 

ସାନ ବାଳିକାଟି ତା’ ଭାଇର ଏ ରୂପ ପରିବର୍ତ୍ତନ ପାଇଁ ବହୁତ ବାହୁନିଲା । ମାତ୍ର ଶେଷକୁ ସେ ତାର ମୁଣ୍ଡ ଫିତାରୁ ଖଣ୍ଡେ ଆଣି ସେ ହରିଣ ବେକରେ ଗୁଡ଼େଇ, ତାକୁ କୁକୁର ଭଳି ଟାଣି ଟାଣି ତା’ ସାଥିରେ ନେଲା । ସେ ଦୁହେଁ ବଣ ଭିତରେ ଚାଲିବାକୁ ଲାଗିଲେ । ଆସ୍ତେ ଆସ୍ତେ ନିବିଡ଼ ଜଙ୍ଗଲ ପଡ଼ିଲା । ସେମାନଙ୍କ ମୁଣ୍ଡ ଉପରେ ଗଛଗୁଡ଼ିକ ଫୁସଫାସ୍‍ ହେଲେ, ‘‘ଆହା ! ଦେଖନି କି ସୁନ୍ଦର ଭାଇ ଭଉଣୀ ଦୁଇଟି କି ଅବସ୍ଥା ହେଇ ଯାଉଛନ୍ତି ।’’

 

ଶେଷରେ ସେମାନେ ଗୋଟିଏ କୁଡ଼ିଆ ଦେଖି ତା’ ଭିତରେ ବିଶ୍ରାମ କରିବାକୁ ଗଲେ । ସେତେବେଳକୁ ସେମାନଙ୍କୁ ଭାରି ଭୋକ ହେଲାଣି । ଭଉଣୀ ବଣରୁ ନିଜ ପାଇଁ କିଛି ଫଳମୂଳ ଓ ହରିଣ ପାଇଁ କିଛି ଘାସ ଆଣିବାକୁ ପଦାକୁ ଗଲା । ଖାଇ ସାରିଲା ପରେ ସେମାନେ ନିଘୋଡ଼ ନିଦରେ ଶୋଇପଡ଼ିଲେ । ଏମିତି ସେମାନେ ଦିନାକେତେ ବଣରେ କଟାଇଲେ । ହରିଣ ଓ ତା ଭଉଣୀ ପରସ୍ପର ସହ କଥାବାର୍ତ୍ତା ହୁଅନ୍ତି । ହରିଣ କିମିତି ମଣିଷ ହେବ, ଏହି ଚିନ୍ତା କରିବାକୁ ଲାଗିଲେ ।

 

ଦିନେ ସେ ଦେଶର ରାଜା ସେହି ବଣକୁ ପାରିଧି କରି ଆସିଥାନ୍ତି । ସେମାନେ ତୁରି ବାଜୁଥିବାର, ଟମକ ପିଟା ହେଉଥିବାର ଓ କୁକୁର ଭୁକୁ ଥିବାର ଶବ୍ଦ ଶୁଣିପାରିଲେ । ହରିଣ ସେଠୁ ଦୌଡ଼ି ପଳେଇ ଯାଇ ଏସବୁ ଦେଖିବାକୁ ଇଚ୍ଛାକଲା । ସେ କନକନ, ଛନଛନ ହୋଇ ତା’ ଭଉଣୀକୁ କହିଲା, ମୁଁ ଟିକେ ରାଜାଙ୍କ ଖେଦାକୁ ଯାଆନ୍ତି !’’ ଭଉଣୀ ମଧ୍ୟ ତାକୁ ଛାଡ଼ି ଦେଲା; କିନ୍ତୁ କହିଲା, ‘‘ତୁ ଯେତେବେଳେ ରାତିରେ ଫେରି ଆସିବୁ, ସେତେବେଳେ କୁଡ଼ିଆ ଦୁଆର ମୁହଁରେ କହିବୁ ‘ଭଉଣୀ, ମୁଁ ଭିତରକୁ ଯିବି’; ଆଉ ମୁଁ କବାଟ ଫିଟାଇଦେବି ।’’

 

ହରିଣଟି ଦିନତମାମ ରାଜାଙ୍କ ଶିକାରୀମାନଙ୍କ ଆଗରେ କାଲିଆ ହୋଇ ଦାଣ୍ଡିଆ ମାରିଲା । ରାତି ହେଲାରୁ କୁଡ଼ିଆ ପାଖକୁ ଲେଉଟି ଆସି କହିଲା, ‘‘ଭଉଣୀ ! ମୁଁ ଭିତରକୁ ଯିବି ।’’ ଛୁଆ ଭଉଣୀ କବାଟ ଖୋଲି ଦେଲା ଓ ସେ ଭିତରକୁ ଯାଇ ସେଠାରେ ଖାଇପିଇ ଶୋଇଲା ।

 

ପୁଣି ସକାଳ ହେଲାରୁ, ହରିଣ ରାଜାଙ୍କ ବାଦ୍ୟଧ୍ୱନି ଶୁଣି କହିଲା ‘ଭଉଣୀ, ମୁଁ ଟିକେ ଖେଦାକୁ ଯାଆନ୍ତି ।’ ଦିନସାରା ସେ ଶିକାରୀମାନଙ୍କ ଆଗରେ ଦୌଡ଼ିଲା । ମାତ୍ର ଏଥର ତା ଶରୀରରେ ଗୋଟିଏ ଶର ବିଦ୍ଧ ହେଲାରୁ ସେ ଲହୁ ଲୁହାଣ ହେଇ, କୁଡ଼ିଆକୁ ଫେରିଆସିଲା ।

 

ଭଉଣୀ ତାର କ୍ଷତସ୍ଥାନ ଧୋଇ ପଟି ବାନ୍ଧିଦେଲା ଓ ତାର ସେବା ଶୁଶ୍ରୂଷା କଲା । ସେ ତାକୁ ଆଉ ଖେଦାକୁ ନ ଯିବାପାଇଁ ଅନୁରୋଧ କଲା ।

 

ତା ପରଦିନ ସକାଳୁ ହରିଣ ସୁସ୍ଥ ସବଳ ହୋଇଗଲା । ପୁଣି ଶିକାର ସ୍ଥଳକୁ ଯିବାକୁ ସେ ଇଚ୍ଛାକଲା । ଏକଥା ଶୁଣି ବାଳିକା ଭୟଭୀତ ହେଲା; ମାତ୍ର ତାକୁ ପୁଣି ଛାଡ଼ିବାକୁ ବାଧ୍ୟ ହେଲା-

 

ରାଜା ଏ ହରିଣକୁ ଦେଖି ତାକୁ କୌଣସି ପ୍ରକାର ଆଘାତ ନ କରିବାକୁ ତାଙ୍କର ଶିକାରୀମାନଙ୍କୁ କହିଲେ । ସେ କହିଲେ, “ତୁମେମାନେ ଏହା ପଛେ ପଛେ ଯାଇ ଦେଖ, ଏ ରହୁଛି କେଉଁଠି ?

 

ରାଜାଙ୍କ ଆଦେଶ ପାଳିତ ହେଲା । ତା ପରଦିନ ବାଣୁଆମାନେ ସେ କୁଡ଼ିଆଟି ଦେଖିଲେ ଏବଂ ଜାଣିଲେ ଯେ ହରିଣଟି ସେଇ କୁଡ଼ିଆଟିରେ ହିଁ ରହିଛି । ତେଣୁ ସେମାନେ ସଂଧ୍ୟା ପୂର୍ବରୁ, ହରିଣ ଫେରିବା ଆଗରୁ, ସେଠାକୁ ଆସି ହରିଣ ଭଳି କହିଲେ, ‘ଭଉଣୀ ! ମୁଁ ଭିତରକୁ ଯିବି ।’ ସାନ ବାଳକାଟି ତା’ ଭାଇ (ହରିଣ) ବଦଳରେ କେତେଜଣ ଡେଙ୍ଗା ଡେଙ୍ଗା ଶିକାରୀକୁ ଦେଖି ଆଶ୍ଚର୍ଯ୍ୟ ହେଲା ।

 

ରାଜା ନିଜେ ମଧ୍ୟ ସେମାନଙ୍କ ସାଥିରେ ଯାଇଥିଲେ । ସେ ଝିଅକୁ ଦେଖି ଖୁବ୍ ଖୁସି ହେଲେ । ସେ ଅତ୍ୟନ୍ତ ସୁନ୍ଦରୀ ଓ ରୂପବତୀ ଥିଲା । ସତେ କି ଗୋଟିଏ ଚାଉଳରେ ଗଢ଼ା ! ସେ ବାଳିକାକୁ ତାଙ୍କୁ ବିବାହ କରିବାକୁ କହିଲେ । ସେ ମଧ୍ୟ ସେଥିରେ ରାଜି ହେଲା; କିନ୍ତୁ କହିଲା ଯେ, ମୋ ସାଥିରେ ମୋର ଏ ହରିଣ ଭାଇ ମଧ୍ୟ ଯିବ । ଭଉଣୀ ରାଣୀ ହେଲା ଓ ହରିଣ ଭାଇ ମଧ୍ୟ ସୁଖରେ ରାଜବାଟୀରେ ରହିଲା । ସେମାନଙ୍କ ସାବତ ମା ମଲା ପରେ ହରିଣ ପୁଣି ଗୋଟିଏ ନବ ଯୁବାରେ ପରିଣତ ହେଲା ।

★★★

 

ହିନ୍ଦୁସ୍ଥାନୀ ରୂପକଥା

ବିଚାରଶୂନ୍ୟ ବଣିକ

 

ବହୁତ ଦିନ ତଳର କଥା । ସେତେବେଳେ ପୃଥିବୀରେ ପଶୁପକ୍ଷୀମାନେ ମଧ୍ୟ ମଣିଷର କଥା ବୁଝି ପାରୁଥିଲେ । ସେହିପରି ମଣିଷମାନେ ବି ପଶୁପକ୍ଷୀଙ୍କର କଥା ବୁଝି ପାରୁଥିଲେ ।

 

ପଶ୍ଚିମ ଦେଶରେ ନାଗୋର୍ଲ ବୋଲି ଗୋଟିଏ ସହର । ସେଠାରେ ଯଜୁକମଳ ନାମରେ ଜଣେ ବଣିକ ବାସ କରୁଥିଲେ । ତାଙ୍କର ଭାରି ନାଁ-ଡାକ ଥିଲା । ସାତ ସମୁଦ୍ର ତେର ନଈରେ ତାଙ୍କ ନାଆ ଚାଲୁଥିଲା । ଥରେ ସେ ନାଗାରାଜ୍ୟକୁ ଯାଇଥିଲେ । ସେଠାରୁ ସେ ଗୋଟିଏ ଶୁଆ ପାଇଲେ ଓ ସେଇଟି ମଣିଷଭଳି କଥା କହି ପାରୁଥିଲା । ଶୁଆଟିକୁ କିଣିଲାବେଳେ ତାର ମାଲିକ କହିଲା ଯେ ସେ ସମସ୍ତ ଧନ-ସଂପଦକୁ ଭଲ ଭାବରେ ଜଗାରଖା କରିପାରିବ । ଶୁଆଟି ଭାରି ଉପକାରୀ ।

 

ସୌଦାଗର ଜଣକ ଶୁଆଟିକୁ ସଙ୍ଗରେ ଆଣି ମନ ଆନନ୍ଦରେ ନିଜ ଘରକୁ ଆସିଲେ । ଘରେ ଆସି କାମ ନ ଥିବା ବେଳେ ଶୁଆ ସାଙ୍ଗରେ ବେଶ କଥାବାର୍ତ୍ତା କଲେ । ସେ ଜାଣିଲେ ଯେ ଶୁଆଟି ଗୋଟିଏ ଜ୍ଞାନୀ ପଣ୍ଡିତଙ୍କ ଭଳି କଥାବାର୍ତ୍ତା କରୁଛି ଓ ତାର ବହୁତ ବୁଦ୍ଧି । ତେଣୁ ଶୁଆଟି ସୌଦାଗରଙ୍କୁ ଯାହା ଉପଦେଶ ଦିଏ, ତାହା ସେ ଆନନ୍ଦରେ ପାଳନ କରନ୍ତି ।

 

ଥରେ ସେ ସମୁଦ୍ରରେ ବୋଇତ ନେଇ ଖୁବ୍ ଦୂର ଦେଶକୁ ବାଣିଜ୍ୟ କରିବାକୁ ବାହାରିଲେ । ଗଲାବେଳେ ସମସ୍ତଙ୍କୁ କହିଗଲେ ଯେ, ଶୁଆ ଯାହା କହିବ, ତା କଥାକୁ ସମସ୍ତେ ପାଳନ କରିବ; ନଚେତ୍ ସେ ଫେରିଲେ ସମସ୍ତଙ୍କୁ ଦଣ୍ଡ ଦେବେ ।

 

ସୌଦାଗର ଗଲା ପରେ ଶୁଆ ତାଙ୍କର ଲୋକମାନଙ୍କୁ ଭିନ୍ନ ଭିନ୍ନ କାମ କରିବାକୁ ଆଦେଶ ଦେଲା । ପ୍ରଥମେ ପ୍ରଥମେ ଲୋକମାନେ ତାକୁ ମାନିବାକୁ ନାରାଜ; ମାତ୍ର ସୌଦାଗରଙ୍କର ହୁକୁମ ନ ମାନିଲେ ବିପଦ ।

 

ଶୁଆଟି ଲୋକମାନଙ୍କୁ ଡାକି କହିଲା, ‘ଦେଖ, ଗତବର୍ଷ କଖାରୁ ଫସଲ ମୋଟେ ଭଲ ହେଲା ନାହିଁ । ଏ ବର୍ଷ ସେ ଦଶ ଏକର ଜମିକୁ ଭଲ ଭାବରେ ଚାଷ କରି ପ୍ରଚୁର ପରିମାଣରେ ଖତ ସାର ଭରି ଦେଇ ଆସ ।’ ଚାକରମାନେ ତାହା ହିଁ କଲେ ।

 

ତା ପରେ ଶୁଆ ପୁଣି ଆଦେଶ ଦେଲା-ଯାଅ, ବର୍ତ୍ତମାନ ସେଥିରେ ଲାଉଗଛ ଲଗାଅ । ଯେମିତି ଗଛ ହୋଇଯିବ’ ମୋତେ ଖବର ଦେବ । ସେଇଆ କରାଗଲା ଓ କିଛିଦିନ ପରେ ସେ ଜମିରେ ପ୍ରଚୁର ପରିମାଣରେ ଲାଉ ଫଳିଲା । ସୌଦାଗରର ଲୋକମାନେ ଭାରି ଖୁସି ହୋଇଗଲେ ଓ ମନେ ମନେ ଭାବିଲେ ଯେ, ଶୁଆ ଏଥର ତାଙ୍କୁ ଲାଉ ତୋଳିବାକୁ କହିବ; କିନ୍ତୁ ଶୁଆଟି ସେମାନଙ୍କୁ ଡାକି କହିଲା, ମୁଁ ଯଜୁକମଳର ସଂପତ୍ତିର କଉଡ଼ିଟିଏ ବି ନଷ୍ଟ କରିବାକୁ ଦେବି ନାହିଁ । ଏହା କେମିତି ଦୁଇ ଗୁଣ ବା ତିନି ଗୁଣ ହୋଇ ପାରିବ, ସେଇ କଥା କରାଯିବ । ଯାଅ, ଲାଉ କିଆରୀରେ ପାଣି ମଡ଼େଇ ଦିଅ । ତାହା ଯେମିତି ସାତ ଦିନ ପର୍ଯ୍ୟନ୍ତ ରହିବ । ତା ପରେ ମୋତେ ଖବର ଦେବ ।’

 

ସୌଦାଗରର ଚାକରମାନେ ଏଥିରେ ଭାରି ବିରକ୍ତ ହୋଇ କହିଲେ, କେଡ଼େ ମୂର୍ଖ ଚଢ଼େଇଟା ! ଖାମିଦର ଧନସଂପତ୍ତି ସମୂଳେ ନଷ୍ଟ କରି ଦେବାକୁ ବସିଛି ! ହେଲେ, ସେମାନେ ତ ଶୁଆକଥା ମାନିବାକୁ ବାଧ୍ୟ । ତାହା ହିଁ କଲେ, ଲାଉ ଯାକ ସବୁ ପାଣିରେ ସଢ଼ିଗଲା ।

 

ତା ପରେ ଶୁଆଟି ସମସ୍ତଙ୍କୁ ଡାକି କହିଲା, ବର୍ତ୍ତମାନ ସେ ଜମିକୁ ଭଲ କରି ଚାଷ କରି ଖତ ଦିଅ ଓ ସେଥିରେ ଆଖୁଚାଷ କର ।

 

ତିନି ମାସ ପରେ ସେ ଜମିରେ ଖୁବ୍ ଭଲ ଆଖୁ ଫଳିଲା । ଯେ ଦେଖିଲା, ଲୋଭ କଲା-। ଆଖୁ କାଟିବା ବେଳ ହେବାରୁ ମୂଲିଆମାନେ ଶୁଆକୁ ଖବର ଦେଲେ । ଆଉ ବେଶିଦିନ ରହିଲେ ଆଖୁ ଦେହରୁ ରସ ଶୁଖିଯିବ । ତେଣୁ ଶୀଘ୍ର କାଟିକରି ଅମଳ କରିବାକୁ ହୁକୁମ ହେଉ ।

 

ଶୁଆ କହିଲା, ଆଖୁକୁ କାଟି ପଡ଼ିଆରେ ଜମା କରିଦିଅ । ସେଥିରେ ନିଆଁ ଲଗାଇ ପୋଡ଼ିଦିଅ । ସେଇ ପାଉଁଶକୁ ଗୋଟିଏ ଘରେ ସାଇତି ଚାବି ଦେଇ ଦିଅ ।

 

ସମସ୍ତେ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଶୁଆଟା ଏଇପରି ବରାବର ମାଲିକର ଧନ ବରବାଦ କରିବାରେ ଲାଗିଛି । ଏତେ ପରିଶ୍ରମରେ ଯେଉଁ ଫସଲ ପାଚିଛି, ତାକୁ କି ନିଜ ହାତରେ ପୋଡ଼ିଦେବାକୁ କାହାର ଇଛା ହୁଏ ? ସେମାନେ ଭାରି ଦୁଃଖିତ ହେଲେ, ମାତ୍ର କିଛି କହି ପାରିଲେ ନାହିଁ । ସେମାନେ ଶୁଆକଥା ମାନିଲେ । କେବଳ ପାଉଁଶଗୁଡ଼ିଏ ଗୋଟିଏ ଘରେ ଚାବି ଦିଆଯାଇ ରଖାଗଲା ।

 

କିଛି ଦିନ ପରେ ଯଜୁକମଳ ଫେରିଲେ । ବାଣିଜ୍ୟରେ ତାଙ୍କର ବହୁତ କ୍ଷତି ହୋଇଥିବାରୁ ସେଥର ସେ ମନେ ମନେ ଭାରି ଦୁଃଖିତ ଥିଲେ । ନିଜର ସବୁ ଧନ ଶୁଆ ବରବାଦ କରି ଦେଇଥିବା ଖବର ଯେମିତି ସେ ଚାକରମାନଙ୍କ ଠାରୁ ଶୁଣିଲେ, ନିଆଁରେ କୁଟା ପଡ଼ିଲା ପରି ସେ ରାଗରେ ଜଳିଗଲେ । ସେ ମୁହୂର୍ତ୍ତେ ସୁଦ୍ଧା ବିଳମ୍ବ ନ କରି ଶୁଆକୁ ପିଞ୍ଜରାରୁ କାଢ଼ି ପିଟି ପିଟି ମାରିଦେଲେ ।

 

ଗୋଟିଏ ସପ୍ତାହ ପରେ ତାଙ୍କ ରାଗ ଶାନ୍ତ ହୋଇଗଲା । ସେ ଚାବି ନେଇ ଘର ଖୋଲିଲେ । ସେ ଦେଖିଲେ ଯେ ଆଖୁର ପୋଡ଼ା ପାଉଁଶଯାକ ଖାଲି ପାଉଁଶ ହୋଇ ରହି ନାହିଁ । ସେଥିରେ ଏକପ୍ରକାର ଭେଷଜ ଗୁଣ ଆସି ଯାଇଛି । ସେ ଜାଣି ପାରିଲେ ଯେ, ସେ ଯଦି ପାଉଁଶକୁ ଡାକ୍ତର ବା କବିରାଜଙ୍କୁ ବିକିବେ, ସେ ତେବେ ପ୍ରଚୁର ଧନ ପାଇବେ । ଏବେ ସେ ବୁଝି ପାରିଲେ ଯେ ଶୁଆ ପ୍ରକୃତରେ ତାଙ୍କର ଧନ ବରବାଦ କରି ନାହିଁ, ବରଂ ଯଥେଷ୍ଟ ବଢ଼ାଇ ଦେଇଛି ।

 

ସେ ନିର୍ଦ୍ଦୟ ଭାବରେ ତାକୁ ମାରି ଦେଇଥିବାରୁ ବହୁତ ଅନୁତାପ କଲେ । ବୁଝି ବିଚାରି ନ କଲେ କି ଅବସ୍ଥା ହୁଏ, ତାହା ସେ ବୁଝିପାରିଲେ ।

Image